M’Cheyne Bible Reading Plan
ବିଲିୟମର ପ୍ରଥମ ବାର୍ତ୍ତା
23 ତା’ପରେ ବିଲିୟମ ବାଲାକକୁ କହିଲେ, “ଏଠାରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର। ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ମେଷ ପ୍ରସ୍ତୁତ କର।” 2 ବାଲାକ୍ ବିଲିୟମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
3 ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।
4 ପରମେଶ୍ୱର ବିଲିୟମକୁ ସାକ୍ଷାତ କଲେ। ତହିଁରେ ବିଲିୟମ ସଦାପ୍ରଭୁଙ୍କୁ କହିଲେ, “ମୁଁ ସାତୋଟି ଯଜ୍ଞବେଦି ନିର୍ମାଣ କରିଅଛି ଓ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଷଣ୍ଢ ଓ ଏକ ଅଣ୍ତିରା ମେଷ ବଳିଦାନ କରିଅଛି।”
5 ସେତେବେଳେ ସଦାପ୍ରଭୁ ବିଲିୟମର ମୁଖରେ ଏକ ବାକ୍ୟ ଦେଇ ତାକୁ କହିଲେ, “ତୁମ୍ଭେ ବାଲାକ୍ ନିକଟକୁ ଫେରିଯାଅ, ତାକୁ ଏହିରୂପେ କୁହ।”
6 ତେଣୁ ବିଲିୟମ ବାଲାକ୍ ନିକଟକୁ ଫେରି ଯାଇ ଦେଖିଲେ, ବାଲାକ୍ ତଥାପି ଯଜ୍ଞବେଦି ନିକଟରେ ଛିଡ଼ା ହୋଇଛନ୍ତି ଓ ମୋୟାବର ଅଧିପତିଗଣ ତାଙ୍କ ସହିତ ଛିଡ଼ା ହୋଇ ଅଛନ୍ତି। 7 ତହୁଁ ବିଲିୟମ କହିଲେ,
“ମୋୟାବର ରାଜା ବାଲାକ୍,
ଅରାମଠାରୁ ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀରୁ ମୋତେ ଆଣିଅଛି।
‘ଆସ, ଏବଂ ମୋ’ ନିମନ୍ତେ ଯାକୁବକୁ ଶାପ ଦିଅ।
ଇସ୍ରାଏଲକୁ ଅଭିଶାପ ଦେବା ପାଇଁ ଆଉଥରେ ଆସ।’
8 ପରମେଶ୍ୱର ଯାହାକୁ ଶାପ ଦେଇନାହାନ୍ତି
ମୁଁ କିପରି ତାକୁ ଶାପ ଦେବି?
ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି,
ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?
9 ମୁଁ ସେମାନଙ୍କୁ ପର୍ବତ ଶିଖରରୁ ଦେଖୁଅଛି।
ମୁଁ ସେମାନଙ୍କୁ ଗିରି ଶ୍ରେଣିରୁ ଦେଖୁଅଛି।
ସେମାନେ ନିଜ ପାଇଁ ବଞ୍ଚନ୍ତି।
ସେମାନେ ନିଜକୁ ଦେଶର ଏକ ଅଂଶ ବୋଲି ବିବେଚନା କରନ୍ତି ନାହିଁ।
10 ଯାକୁବର ପରିବାରକୁ କିଏ ଗଣିପାରିବ?
ଯେହେତୁ ସେମାନେ ଧୂଳି କଣିକାପରି?
ଏପରିକି ଇସ୍ରାଏଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ୟ କେହି ଗଣି ପାରିବେ ନାହିଁ।
ଧାର୍ମିକ ମନୁଷ୍ୟ ରୂପେ ମୋତେ ମରିବାକୁ ଦିଅ।
ମୋର ଭବିଷ୍ୟଦ୍ ଇସ୍ରାଏଲର ତୁଲ୍ୟ ହେଉ।”
11 ଏଥିରେ ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କ’ଣ କଲ? ଆମ୍ଭେ ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସେମାନଙ୍କୁ ଆଶୀର୍ବାଦ କଲ।”
12 ମାତ୍ର ବିଲିୟମ ଉତ୍ତର କଲା, “ସଦାପ୍ରଭୁ ମୋ’ ମୁହଁରେ ଯାହା କହନ୍ତି, ତାହା ହିଁ କରିବା କ’ଣ ମୋର ଉଚିତ୍ ନୁହେଁ?”
13 ଏହା ପରେ ବାଲାକ୍ କହିଲେ, “ଦୟାକରି, ତୁମ୍ଭେ ମୋ’ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ। ତୁମ୍ଭେ କେବଳ ସେମାନଙ୍କୁ ଦେଖିବ ଯେଉଁମାନେ ଶେଷ ଭାଗରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖି ପାରିବ ନାହିଁ। ସେହିଠାରୁ ମୋ’ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।” 14 ବାଲାକ୍ ବିଲିୟମକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଗଲେ ଏବଂ ସେହି ସ୍ଥାନରେ ସାତୋଟି ଯଜ୍ଞବେଦି ନିର୍ମାଣ କଲେ ଏବଂ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଷଣ୍ଢ ଓ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।
15 ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ତୁମ୍ଭର ହୋମବଳି ନିକଟରେ ଛିଡ଼ାହୁଅ। ମୁଁ ସେହି ସ୍ଥାନରେ ପରମେଶ୍ୱରଙ୍କୁ ସାକ୍ଷାତ କରିବି।”
16 ସଦାପ୍ରଭୁ ବିଲିୟମ ସହିତ ସାକ୍ଷାତ କଲେ ଓ ତାହାର ମୁଖରେ ବାକ୍ୟ ଦେଲେ, “ତୁମ୍ଭେ ବାଲାକ୍ ନିକଟକୁ ଯାଅ ଏବଂ ତାକୁ ଏହା କୁହ। 17 ତହୁଁ ସେ ବାଲାକ୍ ନିକଟକୁ ଫେରି ଆସିଲେ ଏବଂ ତାକୁ ନିଜର ଯଜ୍ଞବେଦି ନିକଟରେ ଛିଡ଼ା ହୋଇଥିବାର ଦେଖିଲେ। ମୋୟାବର କୁଳୀନମାନେ ମଧ୍ୟ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କ’ଣ କହିଲେ?”
ବିଲିୟମଙ୍କ ଦ୍ୱିତୀୟବାର୍ତ୍ତା
18 ତା’ପରେ ବିଲିୟମ କହିଲେ,
“ହେ ବାଲାକ୍, ଉଠ ଏବଂ ମୋ’ କଥା ଶୁଣ,
ହେ ସିପ୍ପୋରର ପୁତ୍ର, ଦୟାକରି ମୋ’ କଥାକୁ ତୁମ୍ଭର କର୍ଣ୍ଣ ଦିଅ।
19 ପରମେଶ୍ୱର ମନୁଷ୍ୟ ନୁହନ୍ତି,
ସେ ମିଥ୍ୟା କହିବେ ନାହିଁ।
ସେ ମଧ୍ୟ ମନୁଷ୍ୟ ନୁହନ୍ତି।
ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ।
ସେ କହିବେ କି ଯାହା ସେ କରିବେ ନାହିଁ? ନା!
ସେ କହିବେ କି ଏବଂ ତାହା ହେବ ନାହିଁ? ନା!
20 ଦେଖ, ସଦାପ୍ରଭୁ ମୋତେ ଆଶୀର୍ବାଦ କରିବାକୁ ଆଜ୍ଞା ଦେଇଛନ୍ତି।
ସେ ନିଜେ ମଧ୍ୟ ଆଶୀର୍ବାଦ କରିଛନ୍ତି।
ଏଣୁ ମୁଁ ଏହା ଅନ୍ୟଥା କରି ନ ପାରେ।
21 ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ।
ଏବଂ ଇସ୍ରାଏଲ ମଧ୍ୟରେ ପାପ ଦେଖି ନାହାନ୍ତି।
ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କ ସହିତ ଅଛନ୍ତି।
ସେମାନଙ୍କ ରାଜାଙ୍କର ଜୟଧ୍ୱନୀ ସେମାନଙ୍କ ମଧ୍ୟରେ ଥିଲା।
22 ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣି ଅଛନ୍ତି।
ସେମାନେ ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
23 କୈଣସି ଶକ୍ତି ଯାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ
କିମ୍ବା କୌଣସି ମନ୍ତ୍ର ଇସ୍ରାଏଲକୁ ନିବୃତ୍ତ କରି ପାରିବ ନାହିଁ।
ଏହି କ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ;
‘ପରମେଶ୍ୱର କି କର୍ମ କରିଅଛନ୍ତି।’
24 ଦେଖ ସେହି ଲୋକମାନେ ସିଂହ ବିକ୍ରମରେ ଲଢ଼ୁଛନ୍ତି।
ସେମାନେ ସିଂହ ପରି ଉଠୁଛନ୍ତି।
ଯେପର୍ଯ୍ୟନ୍ତ ସେ ସିଂହ ଶିକାର ଭୋଜନ ନ କରିଛି ଓ ହତ ଲୋକମାନଙ୍କର ରକ୍ତ ପାନ ନ କରିଛ,
ସେ ପର୍ଯ୍ୟନ୍ତ ଶୟନ କରିବ ନାହିଁ।”
25 ଅନନ୍ତର ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ କିମ୍ବା ଆଶୀର୍ବାଦ କର ନାହିଁ।”
26 ବିଲିୟମ ବାଲାକ୍କୁ କହିଲେ, “ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମୋତେ ଯାହା କହିବେ ମୁଁ ତାହା କରିବି।”
27 ତା’ପରେ ବାଲାକ୍ ବିଲିୟମକୁ କହିଲେ, “ମୁଁ ବିନୟ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବି। ଏହା ଏପରି ହୋଇପାରେ, ପରମେଶ୍ୱର ଦୟାପୂର୍ବକ ହୋଇ ସେ ସ୍ଥାନରେ ତୁମ୍ଭକୁ ଶାପ ଦେବାକୁ ଅନୁମତି ଦେଇ ପାରନ୍ତି।” 28 ଏଣୁ ବାଲାକ୍ ବିଲିୟମ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ।
29 ତହୁଁ ବିଲିୟମ ବାଲାକ୍କୁ କହିଲେ, “ଏହି ସ୍ଥାନରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ଅଣ୍ତିରା ମେଷ ଆୟୋଜନ କର।” 30 ତେଣୁ ବାଲାକ୍ ସେହି ଅନୁସାରେ କଲେ ଓ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
64 ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ।
ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି।
ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର।
2 ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର।
ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ।
3 ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି,
ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି।
4 ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ
ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି।
5 ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି।
ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”
6 କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ।
ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।”
ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
7 କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ
ଏବଂ ଦୁଷ୍ଟମାନେ ଆଘାତ ହେବେ।
8 ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ।
ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।
9 ତା’ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ।
ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ
ଏବଂ ସେ ଯାହା କରିଛନ୍ତି
ସେମାନେ ତାହା ଶିକ୍ଷା କରିବେ।
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ।
ସେମାନେ ତାହାଙ୍କର ଶରଣାଗତ ହେବେ।
ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
13 ପରମେଶ୍ୱର ଆମୋସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀୟ ବାର୍ତ୍ତା ଦେଖାଇଲେ।
2 ପରମେଶ୍ୱର କହିଲେ, “ବୃକ୍ଷଲତା ଶୂନ୍ୟ ପର୍ବତ ଉପରେ ଏକ ଧ୍ୱଜା ଟେକ।
ହସ୍ତ ହଲାଇ ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକ।
ସେମାନଙ୍କୁ କୁହ ଅଧିପତିମାନେ ପ୍ରବେଶ କରୁଥିବା ଦ୍ୱାର ଦେଇ
ସେମାନେ ପ୍ରବେଶ କରନ୍ତୁ।
3 ପୁଣି ପରମେଶ୍ୱର କହିଲେ,
“ମୁଁ ସେହି ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କଠାରୁ ଅଲଗା କରିଥିଲି।
ମୁଁ ସେମାନଙ୍କୁ ନିଜେ ଆଦେଶ ଦେବି।
ମୁଁ ବୃଦ୍ଧ, ମୋର ଉତ୍ତମ ଲୋକମାନଙ୍କୁ ଏକତ୍ରିତ କରିଛି,
ସେମାନେ ଲୋକମାନଙ୍କୁ ଦଣ୍ଡ ଦେବେ।
ମୁଁ ଏହି ସୁଖୀ ଲୋକମାନଙ୍କ ପାଇଁ ଗର୍ବିତ।
4 “ପର୍ବତମାନଙ୍କରେ ହେଉଥିବା କୋଳାହଳ ପ୍ରତି ଧ୍ୟାନ ଦିଅ।
ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି।
ବହୁ ରାଜ୍ୟର ଲୋକେ ଏକତ୍ରିତ ହୋଇଛନ୍ତି।
ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ୟବାହିନୀକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି।
5 ସଦାପ୍ରଭୁ ଓ ତାଙ୍କର ଏହି ସୈନ୍ୟବାହିନୀ ବହୁଦୂର ଦେଶରୁ ଆସିବେ।
ସେମାନେ ଦିଗନ୍ତ ବାହାରୁ ଆସିବେ।
ଏହି ସୈନ୍ୟବାହିନୀକୁ ସଦାପ୍ରଭୁ ତାଙ୍କର ଅସ୍ତ୍ରସ୍ୱରୂପ ବ୍ୟବହାର କରିବେ ଓ ତାଙ୍କ କ୍ରୋଧଭାବ ପ୍ରକାଶ କରିବେ।
ଏହି ବାହିନୀ ସମଗ୍ର ଦେଶକୁ ଧ୍ୱଂସ କରିବେ।”
6 ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତେବେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ୱର ସର୍ବଶକ୍ତିମାନ ଏହା ଘଟିବାକୁ ଦେବେ। 7 ଲୋକମାନେ ସେମାନଙ୍କର ସାହସ ହରାଇବେ। ଭୟ ଲୋକମାନଙ୍କୁ ଦୁର୍ବଳ କରିଦେବ। 8 ପ୍ରତ୍ୟେକ ଲୋକ ଭୟ କରିବେ। ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ପରି ସେମାନଙ୍କର ଭୟ ସେମାନଙ୍କୁ ଅନୁରୂପ ବେଦନା ଦେବ। ସେମାନଙ୍କର ମୁଖମଣ୍ଡଳ ନିଆଁ ପରି ଲାଲ ହେବ। ଲୋକମାନେ ପରସ୍ପରକୁ ଦେଖିବେ ଏବଂ ଆଶ୍ଚର୍ଯ୍ୟ ହେବେ।
ବାବିଲ ବିପକ୍ଷରେ ପରମେଶ୍ୱରଙ୍କ ବିଗ୍ଭର
9 ଦେଖ, ସଦାପ୍ରଭୁଙ୍କର ସେ ଭୟଙ୍କର ଦିବସ ଆସୁଅଛି। ପରମେଶ୍ୱର ଅତ୍ୟନ୍ତ କ୍ରୁଦ୍ଧ ହେବେ ଓ ଦେଶକୁ ଧ୍ୱଂସ କରିବେ। ପାପୀମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିବେ। 10 ସେତେବେଳେ ସ୍ୱର୍ଗ ଅନ୍ଧକାରମୟ ହେବ ଓ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ଆଲୋକ ଦେବେ ନାହିଁ।
11 ପରମେଶ୍ୱର କୁହନ୍ତି, “ପୃଥିବୀରେ ଅମଙ୍ଗଳ ଘଟିବାର ମୁଁ କାରଣ ହେବି। ମୁଁ ମନ୍ଦାଗ୍ଭରୀଙ୍କୁ ସେମାନଙ୍କର ପାପ ଲାଗି ଦଣ୍ଡ ଦେବି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦେଖାଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି। 12 ଦୁର୍ଲୋଭ ସୁବର୍ଣ୍ଣ ପରି ଅଳ୍ପ, କେତେକ ଉତ୍ତମ ଲୋକ ରହିବେ ଓ ସେମାନେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ୱଳ ଭାବରେ ଦୀପ୍ତି ବିକାଶ କରିବେ। 13 ସଦାପ୍ରଭୁଙ୍କ କ୍ରୋଧରେ ଆକାଶମଣ୍ଡଳ କମ୍ପିତ ହେବ ଓ ଦିବସରେ ପୃଥିବୀ ସ୍ଥାନଚ୍ୟୁତ ହେବ।”
ଯେଉଁ ଦିନ ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର କ୍ରୋଧ ପ୍ରକାଶ କରିବେ ସେହି ଦିନ ଏହା ଘଟିବ। 14 ଆହତ ହରିଣ ଓ ପାଳକହୀନ ମେଷପାଳକମାନଙ୍କ ପରି ବାବିଲର ଲୋକମାନେ ପଳାୟନ କରିବେ। ସେମାନେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହେବେ। 15 ମାତ୍ର ଶତ୍ରୁଗଣ ବାବିଲନୀୟଙ୍କ ପଶ୍ଚାତ୍ଧାବନ କରିବେ ଓ ଯେତେବେଳେ ସେମାନଙ୍କୁ ଧରିବେ ଖଡ଼୍ଗରେ ସେମାନଙ୍କୁ ହତ୍ୟା କରିବେ। 16 ସେମାନଙ୍କର ଗୃହମାନଙ୍କରୁ ସମସ୍ତ ଦ୍ରବ୍ୟ ଲୁଣ୍ଠିତ ହେବ। ସେମାନଙ୍କର ଭାର୍ଯ୍ୟାମାନେ ଧର୍ଷିତା ହେବେ ଓ ସେମାନଙ୍କର ଦୃଷ୍ଟି ଗୋଚରରେ ସେମାନଙ୍କର ଛୋଟ ପିଲାମାନେ ମୃତ୍ୟୁ ପର୍ଯ୍ୟନ୍ତ କୋରଡ଼ା ପାଇବେ।
17 ପରମେଶ୍ୱର କୁହନ୍ତି, “ବାବିଲର ବିପକ୍ଷରେ ଆକ୍ରମଣ ପାଇଁ ମୁଁ ମାଦୀୟମାନଙ୍କୁ ନିୟୋଜିତ କରିବି। ରୌପ୍ୟ ଓ ସୁବର୍ଣ୍ଣ ଲାଞ୍ଚ ପାଇଲେ ମଧ୍ୟ ମାଦୀୟର ସୈନ୍ୟମାନେ କେବେ ଆକ୍ରମଣରୁ ନିବୃତ୍ତ ହେବେ ନାହିଁ। 18 ସେହି ସୈନ୍ୟମାନେ ବାବିଲ ଆକ୍ରମଣ କରି ତା’ର ଯୁବକମାନଙ୍କୁ ହତ୍ୟା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସେମାନେ ଦୟା ଦେଖାଇବେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନଷ୍ଟ କରିବେ।
19 “ବାବିଲନୀୟମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଧିକ ସୌନ୍ଦର୍ଯ୍ୟଶାଳୀ। 20 ମାତ୍ର ସେ ଆଉ ସୁନ୍ଦର ହୋଇ ରହିବ ନାହିଁ। ଲୋକମାନେ ଭବିଷ୍ୟତରେ ଆଉ ସେଠାରେ ବାସ କରିବେ ନାହିଁ। ଆରବୀୟମାନେ ଆଉ ସେଠାରେ ତମ୍ବୁ ପକାଇବେ ନାହିଁ। ମେଷପାଳକମାନେ ସେମାନଙ୍କର ମେଷମାନଙ୍କୁ ସେଠାରେ ଚରାଇବା ପାଇଁ ଆଣିବେ ନାହିଁ। 21 ସେହି ମରୁଭୂମିରେ କେବଳ କେତେକ ବନ୍ୟପ୍ରାଣୀ ବାସ କରିବେ। ବାବିଲନୀୟମାନେ ସେମାନଙ୍କ ନିଜ ଗୃହରେ ଆଉ ରହିବେ ନାହିଁ। ସେହି ଗୃହଗୁଡ଼ିକ ପେଗ୍ଭ ଓ ଓଟପକ୍ଷୀ ବାସ କରିବେ ଏବଂ ବନ୍ୟଛାଗ ସେଠାରେ ନୃତ୍ୟ କରିବେ। 22 ବାବିଲର ସୁନ୍ଦର ପ୍ରାସାଦମାନଙ୍କରେ ଶୃଗାଳ ଓ କେନ୍ଦୁଆମାନେ ଭୁକିବେ। ବାବିଲ ସମ୍ପୂର୍ଣ୍ଣ ଧ୍ୱଂସ ହେବ। ସେ ସମୟ ଖୁବ୍ ନିକଟ ଓ ମୁଁ ସେ ଧ୍ୱଂସର ଦିନକୁ ଆଉ ଅଧିକ ବିଳମ୍ବ କରିବି ନାହିଁ।”
1 ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କାପ୍ପାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳରେ ସର୍ବତ୍ର ଛିନ୍ନଭିନ୍ନ ହୋଇଥିବା ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର। 2 ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ।
ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।
ଯୀଶୁଙ୍କ ଜୀବନ୍ତ ଭରସା
3 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। 4 ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।
5 ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। 6 ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। 7 ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
8 ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। 9 ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।
10 ଭବିଷ୍ୟଦ୍ବକ୍ତାମାନେ ମନୋଯୋଗ ସହକାରେ ଅଧ୍ୟୟନ କରି ଏହି ଉଦ୍ଧାର ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ସେହି ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟରେ କହିଥିଲେ। 11 ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟଦ୍ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା’ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟଦ୍ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।
12 ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟଦ୍ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।
ପବିତ୍ର ଜୀବନ ପାଇଁ ଡାକରା
13 ଆତ୍ମସଂଯମୀ ହୁଅ ଓ ନିଜ ମନକୁ ସେବାକାର୍ଯ୍ୟ ପାଇଁ ପ୍ରସ୍ତୁତ କର। ଯୀଶୁ ଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ ପ୍ରତି ବର୍ତ୍ତିବ, ସେଥିରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ୍। 14 ଅତୀତରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛାରେ ସେହିସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ। 15 ନିଜେ କରୁଥିବା ସମସ୍ତ କାମରେ, ପରମେଶ୍ୱର ଯେପରି ପବିତ୍ର, ସେହିପରି ପବିତ୍ର ହୁଅ। ପରମେଶ୍ୱର ହିଁ ତୁମ୍ଭକୁ ଆହ୍ୱାନ କରିଥିଲେ। 16 ଶାସ୍ତ୍ରରେ ଲେଖାଅଛି: “ପବିତ୍ର ହୁଅ, କାରଣ ମୁଁ ହେଉଛି ପବିତ୍ର।” [a]
17 ତୁମ୍ଭେ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡାକୁଛ। ପରମେଶ୍ୱର ପ୍ରତ୍ୟେକ ଲୋକଙ୍କୁ ତାହାର କାର୍ଯ୍ୟ ଅନୁସାରେ ସମାନ ଭାବରେ ବିଗ୍ଭର କରନ୍ତି। ତେଣୁ ତୁମ୍ଭେ ଯେପର୍ଯ୍ୟନ୍ତ ପୃଥିବୀରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ୱରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍। 18 ତୁମ୍ଭେ ଜାଣିଛ ଯେ ଅତୀତରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସେହିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସେହିପରି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାୟୀ ଜିନିଷ ବଦଳରେ ନୁହେଁ, 19 ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ। 20 ଜଗତ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହୋଇଥିଲେ। କିନ୍ତୁ ଏହି ଶେଷ ସମୟରେ ତୁମ୍ଭ ନିମନ୍ତେ ସେ ଜଗତରେ ପ୍ରକାଶିତ ହେଲେ। 21 ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ବିଶ୍ୱାସ କର। ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ତା’ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ୱାସ ଓ ଭରସା ପରମେଶ୍ୱରଙ୍କଠାରେ ଅଛି।
22 ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର। 23 ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ। 24 ଶାସ୍ତ୍ର କୁହେ:
“ସମସ୍ତ ମନୁଷ୍ୟ ନିତ୍ୟଜୀବୀ ନୁହନ୍ତି, ସେମାନେ ଘାସ ଭଳି,
ସେମାନଙ୍କର ମହିମା ଏକ ବନ୍ୟଫୁଲ ଭଳି।
ଘାସ ଶୁଖି ଯାଏ,
ଫୁଲ ଝଡ଼ି ଯାଏ।
25 କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ (A)
ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା।”
2010 by World Bible Translation Center