M’Cheyne Bible Reading Plan
ନିସ୍ତାରପର୍ବ
9 ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ମରୁଭୂମିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ଲୋକମାନଙ୍କୁ କୁହ, ସେମାନେ ନିରୂପିତ ସମୟରେ ନିସ୍ତାରପର୍ବ [a] ପାଳନ କରନ୍ତୁ। 3 ଏହିମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।”
4 ତହୁଁ ମୋଶା ଇସ୍ରାଏଲ ଲୋକମାନଙ୍କୁ ନିସ୍ତାରପର୍ବ ପାଳନ କରିବା ପାଇଁ କହିଲେ। 5 ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସୀନୟ ମରୁଭୂମିରେ ନିସ୍ତାରପର୍ବ ପାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲର ଲୋକମାନେ ସବୁ କାର୍ଯ୍ୟ କଲେ।
6 ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାରପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ। 7 ଏହି ଲୋକମାନେ ମୋଶାଙ୍କୁ କହିଲେ, “ଶବ ସ୍ପର୍ଶ କରି ଆମ୍ଭେମାନେ ଅଶୁଚି ହୋଇଅଛୁ। ତେଣୁ ସମସ୍ତ ଇସ୍ରାଏଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନ ଯିବ?”
8 ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରୁହ, ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ମୁଁ ପଗ୍ଭରେ।”
9 ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, 10 “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ୟଦ୍ ସନ୍ତାନଗଣ ମଧ୍ୟରେ ଯେବେ କେହି ଶବ ଦ୍ୱାରା ଅଶୁଚି ହୁଏ, କିମ୍ବା କେହି ଜଣେ ଯଦି ଦୂର ସ୍ଥାନରେ ପଥିକ ହୁଏ, ତଥାପି ସେମାନେ ନିସ୍ତାରପର୍ବ ପାଳନ କରି ପାରିବେ। 11 ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ। 12 ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ। ସେମାନେ ମେଷ ବତ୍ସର କୌଣସି ହାଡ଼ ଭାଙ୍ଗିବେ ନାହିଁ, ଆଉ ସେମାନେ ନିସ୍ତାରପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ। 13 ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା’ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ।
14 “ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାରପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ୱଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହେବ।”
ମେଘ ଓ ଅଗ୍ନି
15 ଯେଉଁ ଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସେହି ଦିନ ମେଘ ନିୟମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ୟ ଦେଖାଗଲା। 16 ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତିରେ ଏହା ଅଗ୍ନିତୁଲ୍ୟ ଦେଖାଗଲା। 17 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତେବେଳେ ଇସ୍ରାଏଲର ଲୋକମାନେ ଯାତ୍ରା କଲେ, ପୁଣି ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲର ଲୋକମାନେ ସେହିଠାରେ ଛାଉଣି ସ୍ଥାପନ କଲେ। 18 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ ମେଘର ଗତିକୁ ଲକ୍ଷ୍ୟକରି ଯାତ୍ରା କଲେ ଓ ଛାଉଣି ସ୍ଥାପନ କଲେ, ଯେପର୍ଯ୍ୟନ୍ତ ସେହି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ। 19 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତେବେଳେ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ଯାତ୍ରା କଲେ ନାହିଁ। 20 କେବେ କେବେ ସେହି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସେମାନେ ଛାଉଣି କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ। 21 ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଗତିକଲା। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ଗତି କଲେ। ସେହି ଦିନରେ କିମ୍ବା ରାତିରେ ମେଘ ଗତି କରୁଥିଲା, ଇସ୍ରାଏଲର ଲୋକମାନେ ଯାତ୍ରା ଆରମ୍ଭ କଲେ। 22 ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ। 23 ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ। ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ ସ୍ୱରରେ କୋରହ ପରିବାରର ଏହା ଏକ ପ୍ରେମର ଗୀତ।
45 ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ,
ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ।
ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ,
ନିପୁଣ ଲେଖକର କଲମରୁ ଆସିଲା ପରି।
2 ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ,
ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ,
ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।
3 ହେ ବୀର, ତୁମ୍ଭର ଖଡ଼୍ଗ ଧାରଣ କର,
ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶୋଭା ପାଉ।
4 ତୁମ୍ଭେ ଆଶ୍ଚର୍ଯ୍ୟ ଦିଶୁଛ।
ଯାଅ ନ୍ୟାୟ ଓ ଧର୍ମପାଇଁ ଯୁଦ୍ଧରେ ବିଜୟୀ ହୁଅ।
ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅଦ୍ଭୂତ କାର୍ଯ୍ୟ କରିବାକୁ ପ୍ରଶିକ୍ଷିତ।
5 ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭେଦ କରିବାକୁ
ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ।
6 ପରମେଶ୍ୱର, [a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ।
ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
7 ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
8 ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡାଲ୍ଚିନି ମସଲାର ବାସନା ଭାସି ଆସୁଛି।
ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
9 ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।
10 ହେ ରାଜକୁମାରୀ, ଶୁଣ।
ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11 ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁଗ୍ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
13 ତା’ର ସମସ୍ତ ମହିମାରେ,
ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
ତା’ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।
16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।
ସେ (ପୁ) ତାଙ୍କର (ସ୍ତ୍ରୀ) ସୌନ୍ଦର୍ଯ୍ୟ ପ୍ରଶଂସା କଲେ
7 ଆଗୋ ରାଜକନ୍ୟା, ପାଦୁକାରେ ତୁମ୍ଭ ଚରଣ କେତେ ସୁନ୍ଦର।
ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
2 ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା
ବର୍ତ୍ତୁଳ ପାତ୍ର ତୁଲ୍ୟ।
ତୁମ୍ଭର ଉଦର ଶୋଶନ୍ ପୁଷ୍ପ ମଣ୍ଡିତ
ଗହମ ରାଶି ତୁଲ୍ୟ।
3 ତୁମ୍ଭର ସ୍ତନ ଯୁଗଳ ହରିଣର
ଯାଆଁଳା ଛୁଆ ପରି।
4 ତୁମ୍ଭର ଗଳଦେଶ ଗଳଦନ୍ତମୟ ଦୁର୍ଗ ସଦୃଶ।
ତୁମ୍ଭ ନେତ୍ର ଯୁଗଳ ବେଥ୍-ରବ୍ବୀମ ନଗର ଦ୍ୱାର ନିକଟସ୍ଥ
ହିଶ୍ବୋନ୍ ସେରାବର ସଦୃଶ।
ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ
ଲିବାନୋନ୍ର ଦୁର୍ଗ ତୁଲ୍ୟ।
5 ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ।
ପୁଣି ତୁମ୍ଭ ମସ୍ତକର କେଶ
ବାଇଗଣିଆ ରଙ୍ଗ ତୁଲ୍ୟ।
ତହିଁର ବେଣୀ ପାଶରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।
6 ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ
ତୁମ୍ଭେ କେମନ୍ତ ସୁନ୍ଦରୀ ଓ ମାନୋହାରିଣୀ।
7 ତୁମ୍ଭ ଶରୀରର ଦୀର୍ଘତା ଖଜୁରୀ ବୃକ୍ଷ ତୁଲ୍ୟ
ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ୟ।
8 ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି।
ମୁଁ ତହିଁର ବାହୁଙ୍ଗା ଧରିବି।
ତୁମ୍ଭର ସ୍ତନ ତୁଲ୍ୟ ହେଉ।
ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ।
9 ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ୟ,
ସେହି ଦ୍ରାକ୍ଷାରସ ମୋ’ ପ୍ରିୟତମାଙ୍କ ଗଳ ଦେଶରେ ଧୀର ଭାବରେ ଗଳିଯାଏ
ଏବଂ ମୋର ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ବହିଯାଏ।
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ
10 ମୁଁ ଆପଣା ପ୍ରିୟତମଙ୍କର
ଓ ତାଙ୍କର ବାସନା ମୋ’ ପ୍ରତି ଅଛି।
11 ଆସ, ମୋର ପ୍ରିୟତମ,
ଆମ୍ଭେମାନେ କ୍ଷେତ୍ରକୁ ଯିବା।
ଆସ ହେନା ଗ୍ଭରାଗଛ ଗହଣରେ ରାତିଟି କଟେଇଦେବା।
12 ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ।
ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ
ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ,
ତାହା ଆମ୍ଭେମାନେ ଦେଖିବା।
ସେଠାରେ ମୁଁ ତୁମ୍ଭଙ୍କୁ ଆପଣା ପ୍ରେମ ପ୍ରଦାନ କରିବି।
13 ଦୂଦା ଫୁଲ ସୁବାସ ହେଉଅଛି।
ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ
ତଟକା ଫଳ ଓ ଶୁଖିଲା ଫଳ ଅଛି।
ହେ ମୋର ପ୍ରିୟତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।
ଯାଜକ ମଲ୍କୀଷେଦକ
7 ମଲ୍କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମଲ୍କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 2 ଯୁଦ୍ଧରେ ଜିତି ଅବ୍ରହାମ ଯାହା ପାଇଥିଲେ ତା’ର ଏକ ଦଶମାଂସ ସେ ମଲ୍କୀଷେଦକଙ୍କୁ ଦେଲେ।
ମଲ୍କୀଷେଦକ ନାମର ଅର୍ଥ: ପ୍ରଥମଟି ହେଉଛି “ଧର୍ମରାଜା” ଓ ଦ୍ୱିତୀୟଟି ହେଲା “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିର ରାଜା”। 3 କେହିହେଲେ ମଲ୍କୀଷେଦକଙ୍କ ପିତା କି ମାତାଙ୍କ ବିଷୟରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କେବେ ଜନ୍ମଗ୍ରହଣ କଲେ, ଓ କେବେ ମଲେ ତା’ମଧ୍ୟ କେହି ଜାଣନ୍ତି ନାହିଁ। ମଲ୍କୀଷେଦକ ପରମେଶ୍ୱରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହୋଇ ରହିଛନ୍ତି।
4 ମଲ୍କୀଷେଦକ କେତେ ମହାନ୍ ବ୍ୟକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ଯୁଦ୍ଧରେ ଯାହାକିଛି ଜିତି ଥିଲେ ତା’ର ଏକ ଦଶମାଂଶ ମଲ୍କୀଷେଦକଙ୍କୁ ଦେଲେ। 5 ବ୍ୟବସ୍ଥା ଅନୁସାରେ ଲେବୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜଲୋକ ଯିହୂଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି। 6 ମଲ୍କୀଷେଦକ ଲେବୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 7 ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
8 ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସେମାନେ ସାଧାରଣ ମନୁଷ୍ୟ ପରି ବଞ୍ଚି ପରିଶେଷରେ ମୃତ୍ୟୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷେଦକ ଶାସ୍ତ୍ର ଅନୁସାରେ ଏବେ ମଧ୍ୟ ଜୀବିତ। 9 ଲେବୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତେବେଳେ ଅବ୍ରହାମ ମଲ୍କୀଷେଦକଙ୍କୁ ଦଶମାଂଶ ଦେଲେ, ତା’ର ଅର୍ଥ ଲେବୀ ମଧ୍ୟ ତାହା ଦେଲେ। 10 ଲେବୀ ସେ ପର୍ଯ୍ୟନ୍ତ ଜନ୍ମ ନ ହୋଇଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷେଦକଙ୍କୁ ଭେଟିବା ସମୟରେ ଲେବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀରରେ ଥିଲେ।
11 ଲେବୀ ପରିବାରବର୍ଗଙ୍କ [a] ଯାଜକମାନଙ୍କର ପଦ୍ଧତି ଅନୁଯାୟୀ ଲୋକଙ୍କୁ ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ୱାରା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ୟକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷେଦକଙ୍କ ଭଳି ଆଉ ଜଣେ ଯାଜକର ଆବଶ୍ୟକ ଥିଲା। 12 ଯେତେବେଳେ ଯାଜକର ପରିବର୍ତ୍ତନ ହୁଏ ସେତେବେଳେ ବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ଆବଶ୍ୟକ ହୋଇଥାଏ। 13 ଆମ୍ଭେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟରେ କହୁଛୁ। ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଥିଲେ। ସେହି ଗୋଷ୍ଠୀର କେହି କେବେ ହେଲେ ଆଗରୁ ଯାଜକ ଭାବେ ବେଦୀ [b]ରେ ସେବା କରି ନ ଥିଲେ। 14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରେ ଜାତ। ମାତ୍ର ସେହି ଗୋଷ୍ଠୀର ଯାଜକମାନଙ୍କ ବିଷୟରେ ମୋଶା କହିନାହାନ୍ତି।
ଯୀଶୁ ମଲ୍କୀଷେଦକଙ୍କ ଭଳି ଜଣେ ଯାଜକ
15 ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମଲ୍କୀଷେଦକଙ୍କ ଭଳି ଆଉ ଜଣେ ଯାଜକ ଅଛନ୍ତି। 16 ସେ କୌଣସି ଗୋଷ୍ଠୀର ବ୍ୟବସ୍ଥା ଦ୍ୱାରା ଯାଜକ ହୋଇ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ। 17 ଶାସ୍ତ୍ରରେ ତାଙ୍କ ବିଷୟରେ କୁହାଯାଇଛି: “ତୁମ୍ଭେ ମଲ୍କୀଷେଦକଙ୍କ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।” [c]
18 ପୂର୍ବ ବ୍ୟବସ୍ଥା ଦୁର୍ବଳ ଓ ବ୍ୟର୍ଥ ହୋଇଥିବାରୁ ଲୋପ କରି ଦିଆ ହେଲା। 19 ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ରେଷ୍ଠତର ଭରସାରେ ଆମ୍ଭେ ପରମେଶ୍ୱରଙ୍କ ପାଖକୁ ଆସି ପାରିବା।
20 ଯୀଶୁ ଖ୍ରୀଷ୍ଟଙ୍କୁ ମହାଯାଜକ କଲାବେଳେ, ପରମେଶ୍ୱର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଅନ୍ୟମାନେ ଯାଜକ ହୋଇଥିଲେ, ସେତେବେଳେ କୌଣସି ଶପଥ ହୋଇ ନ ଥିଲା। 21 କିନ୍ତୁ ପରମେଶ୍ୱରଙ୍କ ଶପଥ କରିଥିବା ହେତୁରୁ ଯୀଶୁ ଯାଜକ ହୋଇଥିଲେ। ପରମେଶ୍ୱର କହିଥିଲେ:
“ପ୍ରଭୁ ଶପଥ କରିଛନ୍ତି
ଓ ସେ ନିଜ ନିର୍ଣ୍ଣୟ ପରିବର୍ତ୍ତନ କରିବେ ନାହିଁ,
‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।’” (A)
22 ଏହାର ଅର୍ଥ ହେଲା ଯେ ସେହି ପ୍ରକାରେ ପରମେଶ୍ୱରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମିନ୍ଦାର।
23 ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ। 24 କିନ୍ତୁ ଯୀଶୁ ଅମର। ସେ କେବେ ହେଲେ ଯାଜକ ସେବାରୁ ଅବ୍ୟାହିତ ହେବେ ନାହିଁ। 25 ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ।
26 ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି। 27 ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ। 28 ବ୍ୟବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ। ପରମେଶ୍ୱର ଯେଉଁ ଶପଥ ବ୍ୟବସ୍ଥା ପରେ କରିଥିଲେ, ତଦ୍ଦ୍ୱାରା ପରମେଶ୍ୱରଙ୍କ ପୁତ୍ର ଅନନ୍ତକାଳ ପର୍ଯ୍ୟନ୍ତ ମହାଯାଜକ ପଦରେ ନିଯୁକ୍ତି ପାଇଲେ।
2010 by World Bible Translation Center