Beginning
ଇସ୍ରାଏଲ ସନ୍ତାନଗଣଙ୍କର ମିଦିୟନୀୟମାନଙ୍କ ବିପକ୍ଷରେ ସଂଗ୍ରାମ
31 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ଲୋକମାନଙ୍କ ସକାଶେ ମିଦିୟନୀୟମାନଙ୍କ ଉପରେ ପ୍ରତିଶୋଧ ନିଅ। ତା'ପରେ ତୁମ୍ଭେ ମୃତ୍ୟୁବରଣ କରିବ।”
3 ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର କେତେକ ଲୋକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କର, ସେମାନେ ମିଦିୟନୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ଯୁଦ୍ଧ କରିବେ। 4 ତୁମ୍ଭେମାନେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ସହସ୍ର ଲୋକ ଯୁଦ୍ଧ ପାଇଁ ସଂଗ୍ରହ କର। 5 ତେଣୁ ଇସ୍ରାଏଲ ବଂଶରୁ ସମୁଦାୟ ବାର ସହସ୍ର ଲୋକ ଏହି ଯୁଦ୍ଧ ପାଇଁ ସଜ୍ଜିତ ହେଲେ।”
6 ମୋଶା ସେହି 12,000 ଲୋକଙ୍କୁ, ଯୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିୟାସରର ପୁତ୍ର ପୀନ୍ହସର ହସ୍ତରେ ପବିତ୍ର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ। 7 ତହୁଁ ସେମାନେ ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ସେମାନେ ପ୍ରତ୍ୟେକ ପୁରୁଷଙ୍କୁ ବଧ କଲେ। 8 ସେମାନେ ଇବି, ରେକମ୍, ସୂର, ହୂର ଓ ରେବା ଏହି ପାଞ୍ଚ ଜଣ ମିଦିୟନୀୟ ରାଜାଙ୍କୁ ହତ୍ୟା କଲେ। ଆଉ ମଧ୍ୟ ବିୟୋରର ପୁତ୍ର ବିଲିୟମକୁ ମଧ୍ୟ ସେମାନେ ଖଡ଼୍ଗରେ ହତ୍ୟା କଲେ।
9 ଇସ୍ରାଏଲର ଲୋକମାନେ ମିଦିୟନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସେମାନେ ସେମାନଙ୍କର ସମସ୍ତ ପଶୁ ଓ ସମସ୍ତ ମେଷପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ। 10 ତା'ପରେ ସେମାନଙ୍କର ସକଳ ନଗର ଓ ସକଳ ଗ୍ରାମଗୁଡ଼ିକ ଦଗ୍ଧ କଲେ। 11 ଆଉ ସେମାନେ ଲୁଟିତ ଦ୍ରବ୍ୟ ସହ ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ। 12 ପୁଣି ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନତୀରସ୍ଥ ମୋୟାବ ପଦାରେ ସ୍ଥାପିତ ଛାଉଣିକୁ ଆଣିଲେ। ସେମାନେ ସେମାନଙ୍କୁ ମୋଶାଙ୍କ ନିକଟକୁ, ଯାଜକ ଇଲିୟାସର ନିକଟକୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ। 13 ତା'ପରେ ମୋଶା, ଯାଜକ ଇଲିୟାସର ଓ ଲୋକମାନଙ୍କର ନେତୃଗଣ ସେମାନଙ୍କୁ ଦେଖିବାକୁ ଛାଉଣି ବାହାରକୁ ଗଲେ।
14 ସେତେବେଳେ ମୋଶା ସେନାପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କ୍ରୋଧ କଲେ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସିଥିଲେ। 15 ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି? 16 ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିୟମର ପରାମର୍ଶରେ ପିୟୋରଠାରେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆଗେଇ ନେଇଥିଲେ। ସେଥି ସକାଶେ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ମହାମାରୀ ହେଲା। 17 ଏଣୁ ତୁମ୍ଭେମାନେ ବନ୍ଦୀମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ୟା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିଛନ୍ତି, ସେମାନଙ୍କୁ ହତ୍ୟା କର। 18 ମାତ୍ର ଯେଉଁ ଯୁବତୀ କନ୍ୟାମାନେ ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖିବାର ଜ୍ଞାତ ହୋଇ ନାହାନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ। 19 ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମନୁଷ୍ୟ ହତ୍ୟା କରିଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସେମାନେ ସାତ ଦିନ ଛାଉଣି ବାହାରେ ରହିବେ। ସେମାନେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବା ଉଚିତ୍। 20 ତୁମ୍ଭେମାନେ ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛେଳି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।”
21 ତହୁଁ ଇଲିୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି। 22 ତୁମ୍ଭେମାନେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ୟ ଅଗ୍ନିରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବା ଉଚିତ୍। 23 ଯେଉଁ ଦ୍ରବ୍ୟ ଅଗ୍ନିରେ ପକାଯାଇ ପାରିବ ନାହିଁ ତାକୁ ଜଳରେ ଧୋଇ ଶୁଚି କରିବ। 24 ତୁମ୍ଭେମାନେ ସପ୍ତମ ଦିନରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭେମାନେ ଶୁଚି ହେବ; ତା'ପରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରି ପାରିବ।”
25 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 26 “ତୁମ୍ଭେ ଓ ଇଲିୟାସର ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ସୈନ୍ୟମାନଙ୍କ ଦ୍ୱାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ୟର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ୟର ସଂଖ୍ୟା କର। 27 ସେହିସବୁ ଜିନିଷକୁ ସମାନ ଭାବରେ ସୈନ୍ୟମାନଙ୍କ ମଧ୍ୟରେ ଓ ସମସ୍ତ ମଣ୍ତଳୀ ମଧ୍ୟରେ ବାଣ୍ଟି ଦିଅ। 28 ପୁଣି ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ, ଓ ମେଷମାନଙ୍କ ମଧ୍ୟରୁ ପ୍ରତି ପାଞ୍ଚଶହରେ ଗୋଟିଏ ଲେଖାଏଁ ଜୀବ ସଂଗ୍ରହ କର। 29 ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିୟାସରକୁ ଦିଅ। 30 ପୁଣି ଇସ୍ରାଏଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁ ମଧ୍ୟରୁ ପ୍ରତି ପଗ୍ଭଶ୍ରୁ ଗୋଟିଏ ଲେଖାଏଁ ନେଇ ଲେବୀୟମାନଙ୍କୁ ଦିଅ। କାରଣ ସେମାନେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।”
31 ତହୁଁ ମୋଶାଙ୍କୁ ସଦାପ୍ରଭୁ ଯେଉଁ ଆଜ୍ଞା ଦେଇଥିଲେ ସେହି ଅନୁସାରେ ମୋଶା ଓ ଇଲିୟାସର ଯାଜକ କଲେ। 32 ଯୁଦ୍ଧରେ ଲୁଣ୍ଠିତ ଦ୍ରବ୍ୟ ମଧ୍ୟରେ 675,000 ମେଷ ଥିଲେ। 33 72,000 ଗୋରୁ। 34 61,000 ଗଧ 35 ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ। 36 ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା 337,500 ମେଷ। 37 ସେହି ମେଷ ମଧ୍ୟରୁ ସେମାନେ 675 ସଦାପ୍ରଭୁଙ୍କୁ ମେଷ କର ସ୍ୱରୂପ ଦେଲେ। 38 ଆଉ ସେମାନଙ୍କର 36,000 ଗୋରୁ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 39 ସେମାନଙ୍କର 30,500 ଗଧ ମଧ୍ୟରୁ ସଦାପ୍ରଭୁଙ୍କର ସେଥିରେ ଏକଷଠି ଗଧ କର ସ୍ୱରୂପ ଥିଲା। 40 ପୁଣି ସେମାନଙ୍କର 16,000 ସ୍ତ୍ରୀ ଲୋକ ମଧ୍ୟରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 41 ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ।
42 ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡ଼ା ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ ସନ୍ତାନଗଣକୁ ଦେଇଥିଲେ। 43 ମଣ୍ତଳୀ ସେହି ଅର୍ଦ୍ଧାଂଶ ଅନୁସାରେ 337,500 ମେଷ ପାଇଲେ। 44 36,000 ଗୋରୁ। 45 30,500 ଗଧ, 46 ଆଉ 16,000 ସ୍ତ୍ରୀ ଲୋକ ଥିଲେ। 47 ତହୁଁ ଇସ୍ରାଏଲ ସନ୍ତାନଗଣର ଲଭ୍ୟ ସେହି ପଗ୍ଭଶ୍ ପ୍ରତିଶତ ଅଂଶରୁ ମୋଶା ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଗ୍ଭଶ୍ ମଧ୍ୟରୁ ଗୋଟିଏ ଲେଖାଏଁ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲେବୀୟମାନଙ୍କୁ ଦେଲେ।
48 ଏହା ପରେ ସୈନ୍ୟବାହିନୀର ନେତୃବର୍ଗ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିମାନେ ମୋଶାଙ୍କ ନିକଟକୁ ଆସିଲେ। 49 ସେମାନେ ମୋଶାଙ୍କୁ କହିଲେ, “ଆମ୍ଭେ ତୁମ୍ଭର ସେବକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କେହିଜଣେ ହଜିଯାଇ ନାହାନ୍ତି। 50 ଆମ୍ଭେମାନେ ପ୍ରତ୍ୟେକ ସୈନ୍ୟଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ୱରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀୟ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହିସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।”
51 ତହୁଁ ମୋଶା ଓ ଯାଜକ ଇଲିୟାସର ସେମାନଙ୍କଠାରୁ ଏହି ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ନେଇଗଲେ। 52 ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ୱର୍ଣ୍ଣ ଅଳଙ୍କାର ସବୁ ଉପହାର ସ୍ୱରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ୱର୍ଣ୍ଣ ଉପହାର 420 ପାଉଣ୍ତ ଓଜନ ଥିଲା। 53 ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ୟର ଅବଶିଷ୍ଟ ଭାଗ ରଖି ନେଇଥିଲେ। 54 ଏହା ପରେ ମୋଶା ଓ ଇଲିୟାସର ଯାଜକ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସେହି ସମାଗମ-ତମ୍ବୁରେ ରଖିଲେ।
ଯର୍ଦ୍ଦନ ନଦୀର ପୂର୍ବସ୍ଥ ବିଭିନ୍ନ ବଂଶ
32 ରୁବେନ୍ ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁ ପଲ ଥିଲା। ଏଣୁ ସେମାନେ ଯାସେର ଓ ଗିଲିୟଦ ଦେଶଗୁଡ଼ିକୁ ଦେଖିଲେ, ସେ ସ୍ଥାନଗୁଡ଼ିକ ପଶୁପଲ ପାଇଁ ଉପଯୁକ୍ତ। 2 ତେଣୁ ଗାଦ୍ର ସନ୍ତାନଗଣ ଓ ରୁବେନ୍ର ସନ୍ତାନଗଣ ଆସି ମୋଶାଙ୍କୁ ଇଲିୟାସର ଯାଜକକୁ ଓ ମଣ୍ତଳୀର ଅଧ୍ୟକ୍ଷଗଣଙ୍କୁ କହିଲେ। 3-4 ସେମାନେ କହିଲେ, “ତୁମ୍ଭର ଏହି ସେବକମାନଙ୍କର ବହୁ ମେଷ ଓ ଗୋରୁଗାଈ ଅଛନ୍ତି। ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମେଷଗୁଡ଼ିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡ଼ିକ ହେଲେ, ଅଟାରୋତ୍, ଦୀବୋନ, ଯାସେର, ନିମ୍ରା, ହିଷ୍ବୋନ, ଇଲିୟାଲୀ, ସିବ୍ମା, ନବୋ ଓ ବିୟୋନ। 5 ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସେବକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ଯର୍ଦ୍ଦନ ସେପାରିକୁ ନିଆ ନ ଯାଉ।”
6 ମୋଶା, ଗାଦ୍ ଓ ରୁବେନ୍ର ପରିବାରବର୍ଗକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭେମାନେ କ’ଣ ଏଠାରେ ରହିବା ଉଚିତ୍? 7 ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ନଦୀ ପାର ହୋଇ ସେ ଦେଶକୁ ଯିବା ପାଇଁ ତୁମ୍ଭେମାନେ କାହିଁକି ସେମାନଙ୍କୁ ନିରୁତ୍ସାହିତ କରୁଛ? 8 ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହିରୂପେ କରିଥିଲେ। 9 କାରଣ ସେମାନେ ଇଷ୍କୋଲ ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ। 10 ଏଣୁ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା ଏବଂ ସେ ପ୍ରତିଜ୍ଞା କଲେ। 11 ‘ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତ୍ତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବେ ନାହିଁ, କାରଣ ସେମାନେ ମୋତେ ଅନୁସରଣ କଲେ ନାହିଁ। 12 କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ସେହି ଭୂମି ଦେଖିବେ; କାରଣ ସେମାନେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!’
13 “ଏହିରୂପେ ଇସ୍ରାଏଲର ଲୋକମାନଙ୍କ ଉପରେ ସଦାପ୍ରଭୁ କ୍ରୋଧ କଲେ, ସେ ସମସ୍ତ ଦୁଷ୍ଟ ପିଢ଼ି ନ ମଲା ପର୍ଯ୍ୟନ୍ତ, ସେ ସମସ୍ତଙ୍କୁ ଗ୍ଭଳିଶ୍ ବର୍ଷଯାଏ ମରୁଭୂମିରେ ଭ୍ରମଣ କରାଇଲେ। 14 ଏଠାକୁ ଦେଖ, ତୁମ୍ଭେମାନେ ତୁମ୍ଭ ପିତୃଗଣଙ୍କ ପରି କାର୍ଯ୍ୟ କଲ, ତୁମ୍ଭେମାନେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢ଼ି ସଦାପ୍ରଭୁଙ୍କୁ ଇସ୍ରାଏଲର ଲୋକମାନଙ୍କ ପ୍ରତି କ୍ରୋଧିତ କରାଉଛ। 15 ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଅନୁସରଣ ନ କର, ସେ ଇସ୍ରାଏଲକୁ ମରୁଭୂମିରେ ଛାଡ଼ି ଦେବେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।”
16 ମାତ୍ର ରୁବେନ୍ର ଗୋଷ୍ଠୀ ଓ ଗାଦ୍ ଗୋଷ୍ଠୀର ଲୋକମାନେ ମୋଶାଙ୍କୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ମେଷମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ପିଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା। 17 ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗରରେ ବାସ କରିବେ, ଆଉ ଆମ୍ଭେମାନେ ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ। 18 ଇସ୍ରାଏଲର ଲୋକମାନେ ପ୍ରତ୍ୟେକ ସେମାନଙ୍କର ଭୂମି ନ ପାଇବା ପର୍ଯ୍ୟନ୍ତ, ଆମ୍ଭେମାନେ ଆମ୍ଭେ ନିଜ ଘରକୁ ଫେରିଯାଉ ନାହିଁ। 19 ଆଉ ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ନେବୁ ନାହିଁ। କାରଣ ଯର୍ଦ୍ଦନ ଏହି ପାର୍ଶ୍ୱରେ ଆମ୍ଭମାନଙ୍କ ଅଧିକାର ରହିଅଛି।”
20 ତେଣୁ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେବେ ଏହିସବୁ କରିବ, ତେବେ ଏହି ଭୂମି ତୁମ୍ଭର ଅଧିକୃତ ହେବ। କିନ୍ତୁ ତୁମ୍ଭର ସୈନ୍ୟମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଆଗେଇ ଯିବେ। 21 ତୁମ୍ଭର ସୈନ୍ୟମାନେ ଯର୍ଦ୍ଦନ ଅତିକ୍ରମ କରି ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ଯେପର୍ଯ୍ୟନ୍ତ ସଦାପ୍ରଭୁ ତାଙ୍କର ଶତ୍ରୁଗଣଙ୍କୁ ସେହି ଭୂମିରୁ ତଡ଼ି ଦେଇ ନାହାନ୍ତି। 22 ଯେତେବେଳେ ସେହି ଦେଶ ଅକ୍ତିଆର ହୁଏ, ତା'ହାଲେ ତୁମ୍ଭେମାନେ ଗୃହକୁ ଫେରି ପାରିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁ ଓ ଇସ୍ରାଏଲଙ୍କଠାରେ ନିରପରାଧୀ ହେବ। ଆଉ ସେହି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭେମାନେ ଅଧିକାର କରିବ। 23 ମାତ୍ର ତୁମ୍ଭେମାନେ ଯେବେ ତାହା ନ କର, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭେମାନେ ଦଣ୍ତିତ ହେବ। 24 ତୁମ୍ଭେମାନେ ନିଜ ନିଜ ପିଲାମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ମେଷଶାଳା ନିର୍ମାଣ କର, ଆଉ ନିଜ ନିଜ ପ୍ରତିଜ୍ଞା ଅନୁସାରେ କର।”
25 ତା'ପରେ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ଓ ତୁମ୍ଭେ ଆମ୍ଭର ମୁନିବ। ତୁମ୍ଭର ଆଜ୍ଞା ଅନୁସାରେ ଆମ୍ଭେମାନେ କର୍ମ କରିବୁ। 26 ଆମ୍ଭମାନଙ୍କର ସ୍ତ୍ରୀ, ପିଲାମାନେ ଓ ପଶୁସକଳ ଗିଲିୟଦର ନଗରମାନଙ୍କରେ ରହିବେ। 27 ମାତ୍ର ଆମ୍ଭମାନଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଗରେ ଯର୍ଦ୍ଦନ ନଦୀ ପାର ହୋଇ ଯୁଦ୍ଧ କରିବାକୁ ଯିବେ, ଠିକ୍ ଯେପରି ମୁନିବ କହନ୍ତି।”
28 ତହୁଁ ମୋଶା ସେମାନଙ୍କ ବିଷୟରେ ଇଲିୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ। 29 ପୁଣି ମୋଶା ସେମାନଙ୍କୁ କହିଲେ, “ଯଦି ଗାଦ୍ ଗୋଷ୍ଠୀର ଓ ରୁବେନ୍ ପରିବାରର ସୈନ୍ୟମାନେ ତୁମ୍ଭ ସହିତ ଯୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗରେ ଯାଆନ୍ତି, ତେବେ ତୁମ୍ଭେମାନେ ଅଧିକାରାର୍ଥେ ସୁତ୍ରରେ ସେମାନଙ୍କୁ ଗିଲିୟଦ ଦେଶ ଦେବା ଉଚିତ୍। 30 ଯଦି ସେମାନଙ୍କର ସୈନ୍ୟମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନ ହୁଅନ୍ତି, ସେମାନେ ନିଶ୍ଚୟ ତୁମ୍ଭମାନଙ୍କ ସହିତ କିଣାନ ଦେଶରେ ଭୂମି ପାଇବେ।”
31 ତହୁଁ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା ଆଜ୍ଞା ଦେଇଛନ୍ତି ତଦନୁସାରେ ଆମ୍ଭେମାନେ କର୍ମ କରିବୁ। 32 ଆମ୍ଭମାନଙ୍କର ସୈନ୍ୟମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୋଇ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।”
33 ତେଣୁ ମୋଶା ଗାଦ୍ ଗୋଷ୍ଠୀଗଣକୁ, ରୁବେନ୍ ଗୋଷ୍ଠୀଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ, ବାଶନର ରାଜା ଓଗ୍ର ରାଜ୍ୟ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
34 ଗାଦ୍ର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋୟେରକୁ ପୁନଃନିର୍ମାଣ କଲେ। 35 ଅଟ୍ରୋତ୍-ଶୋଫନ, ଯାସେର ଓ ଜଗବିହ, 36 ବୈତ୍ନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।
37 ରୁବେନ୍ ଗୋଷ୍ଠୀଗଣ ହିଷ୍ବୋନ୍, ଇଲିୟାଲୀ ଓ କିରିୟାଥୟିମଙ୍କୁ। 38 ପୁଣି ନାମାନ୍ତରରେ ନବୋ, ବାଲ୍ମିୟୋଲ୍ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ। ସେମାନେ ଅନ୍ୟ ସହରମାନଙ୍କୁ ସେମାନଙ୍କର ମୂଳ ନାମରେ ଡାକିଲେ।
39 ମାଖୀରର ଗୋଷ୍ଠୀ ମନଃଶିର ପୁତ୍ରଗଣ ଗିଲିୟଦଙ୍କୁ ଆକ୍ରମଣ କଲେ ଓ ଇମୋରୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କର ଭୁମି ନେଇଗଲେ। 40 ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲିୟଦ ଦେଲେ, ଆଉ ସେ ସେଠାରେ ବାସ କଲେ। 41 ପୁଣି ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କର ଗ୍ରାମ ସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍ ଯାୟୀର ରଖିଲା। 42 ଆଉ ନୋବହ ଯାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।
2010 by World Bible Translation Center