Beginning
ଧୂପ ଜଳାଇବା ପାଇଁ ବେଦି
30 “ଶିଟୀମ୍ କାଠରେ ଏକ ବେଦି ନିର୍ମାଣ କର। ତୁମ୍ଭେ ଏହି ବେଦିକୁ ଧୂପ ଜଳାଇବା ପାଇଁ ବ୍ୟବହାର କରିବା ଉଚିତ୍। 2 ଏହି ବେଦି ବର୍ଗାକାର ହେବ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହେବା ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବେଦିର ଅଂଶ ହେବ। 3 ଏହି ବେଦିର ଉପର ଏବଂ ଚତୁର୍ପାର୍ଶ୍ୱକୁ ନିର୍ମଳ ସୁନାରେ ଆଚ୍ଛାଦନ କର ଏବଂ ଗ୍ଭରିଆଡ଼େ ସୁନା କାନ୍ଥ ଦେବ। 4 ସୁବର୍ଣ୍ଣର ବଳୟ ତଳେ ଦୁଇଟି କଣା କର। ଏବଂ ସେଠାରେ ଦୁଇଟି ସୁବର୍ଣ୍ଣର ଆଙ୍କଡ଼ା ଲଗାଅ। ଯଜ୍ଞବେଦିକୁ ସାଙ୍ଗୀ ସାହାଯ୍ୟରେ ବହିନିଅ। 5 ଏହି ସାଙ୍ଗୀ ମଧ୍ୟ ଶିଟୀମ୍ କାଠରେ ତିଆରି କରିବ। ଏହି ସାଙ୍ଗୀଗୁଡ଼ିକ ସୁବର୍ଣ୍ଣରେ ଛାଉଣି କରାଯିବ। 6 ମୁଁ ତୁମ୍ଭକୁ ଯେଉଁ ସ୍ଥାନରେ ସାକ୍ଷାତ କରିବି ତାହା ନିୟମ-ସିନ୍ଦୁକର ସମ୍ମୁଖରେ ଅଛି। ଯେଉଁଟାକି ପରଦା ପାର୍ଶ୍ୱରେ ନିୟମ-ସିନ୍ଦୁକ ଆଚ୍ଛାଦକର ଆଗରେ ଅଛି।
7 “ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ। 8 ପୁଣି ସନ୍ଧ୍ୟା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସେମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତ୍ୟେକ ଦିନ ଧୂପ ଜଳାଇବ। 9 ବିଦେଶୀ ଧୂପ କିମ୍ବା ହୋମବଳି କିମ୍ବା ଶସ୍ୟ ନୈବେଦ୍ୟ ବେଦି ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପେୟନୈବେଦ୍ୟ ଢାଳ ନାହିଁ।
10 “ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ଯଜ୍ଞବେଦିର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ୟବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରତ୍ୟେକ ବର୍ଷ ଏହା କରିବା ଉଚିତ୍। ଏହି ଯଜ୍ଞବେଦି ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।”
11 ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ। 13 ଯେଉଁମାନଙ୍କୁ ଗଣନା କରାଯାଏ ସେମାନେ ଅର୍ଦ୍ଧ ଶେକଲ ଦେବା ଉଚିତ୍। କାର୍ଯ୍ୟାଳୟ ମାପ ଅନୁସାରେ ଅର୍ଦ୍ଧ ଶେକଲ, ଏହି ଶେକଲ କୋଡ଼ିଏ ଗେରାହ ଅଟେ। ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପାଇଁ ନୈବେଦ୍ୟ ହେବ। 14 କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେକେହି ଗଣିତ ମଧ୍ୟରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନୈବେଦ୍ୟ ଉତ୍ସର୍ଗ କରିବ। 15 ଧନୀ ବ୍ୟକ୍ତି ଅର୍ଦ୍ଧ ଶେକଲରୁ ଅଧିକ ଦେବା ଉଚିତ୍ ନୁହେଁ। ଗରିବ ଲୋକମାନେ ଅର୍ଦ୍ଧ ଶେକଲରୁ କମ୍ ଦେବା ଉଚିତ୍ ନୁହେଁ। ସମସ୍ତ ନୈବେଦ୍ୟ ସମାନ ହେବା ଉଚିତ୍। ତୁମ୍ଭ ଜୀବନର ପ୍ରାୟଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯିବ। 16 ସେହି ଅର୍ଥକୁ ଇସ୍ରାଏଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ବିନିଯୋଗ କର। ଏହି ଦେୟ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ୟମ ହେବ। ସେମାନେ ସେମାନଙ୍କର ଜୀବନ ପ୍ରାୟଶ୍ଚିତ ପାଇଁ ଏହା ଦାନ କରିବେ।”
ପ୍ରକ୍ଷାଳନ କୁଣ୍ଡ
17 ସଦାପ୍ରଭୁ ମୋଶାଙ୍କୁ କହିଲେ, 18 “ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସାରେ ତିଆରି କର। ପୁଣି ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧ୍ୟରେ ଜଳ ପୂର୍ଣ୍ଣ କର। 19 ହାରୋଣ ଏବଂ ତାଙ୍କର ପୁତ୍ରମାନେ ସେମାନଙ୍କର ହାତ ପାଦ ଧୌତ କରିବେ। 20 ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲା ସମୟରେ ସେମାନେ ଧୋଇ ହେବା ଉଚିତ୍, ଯାହାଫଳରେ ସେମାନେ ମରିବେ ନାହିଁ। ଆଉ ମଧ୍ୟ ସେମାନେ ଯାଜକର କର୍ମ କରିବା ନିମନ୍ତେ ଯେତେବେଳେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ବେଦି ପାଖକୁ ଯିବେ, 21 ସେମାନେ ସେମାନଙ୍କର ହାତ ଏବଂ ପାଦ ଧୋଇବେ, ଯାହା ଫଳରେ ମୃତ୍ୟୁବରଣ କରିବେ ନାହିଁ। ହାରୋଣ ଏବଂ ତାଙ୍କ ବଂଶଧରମାନଙ୍କ ପାଇଁ ଏହି ବ୍ୟବସ୍ଥା ସବୁଦିନ ପାଇଁ ରହିବ।”
ଅଭିଷେକାର୍ଥକ ତୈଳ
22 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ଏହି ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍ ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢ଼ାଇଶ ଶେକଲ ସୁଗନ୍ଧି ବାରୁଚିନୀ ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ ସଂଗ୍ରହ କର। 24 କାଶିଆର 500 ଶେକଲ ସଂଗ୍ରହ କର। ଯେତେବେଳେ ଏହିସବୁ ଓଜନ କରୁଛ, କାର୍ଯ୍ୟାଳୟ ମାପ ବ୍ୟବହାର କର। ଆଉ ମଧ୍ୟ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।
25 “ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ୟ ତିଆରି କରୁଥିବା ଯନ୍ତ୍ର ଆଣ। ତାହା ଅଭିଷେକାର୍ଥକ ପବିତ୍ର ତୈଳ ମିଶାଇବ। 26 ଏହା ନେଇ ତୁମ୍ଭେମାନେ ସମାଗମ-ତମ୍ବୁ ଓ ନିୟମ-ସିନ୍ଦୁକ ଉପରେ ସିଞ୍ଚନ କର। 27 ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବେଦି, 28 ହୋମବଳିର ବେଦି ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା। 29 ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସେଗୁଡ଼ିକ ମହାପବିତ୍ର ହେବ ଏବଂ ଯାହାକିଛି ସେଗୁଡ଼ିକ ସ୍ପର୍ଶ କରେ ସେସବୁ ନିଶ୍ଚୟ ପବିତ୍ର ହେବ।
30 “ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥିରେ ସେମାନେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷେକ କରି ପବିତ୍ର କରିବେ। 31 ଇସ୍ରାଏଲର ଲୋକମାନଙ୍କୁ ଏହି ଅଭିଷେକାର୍ଥକ ତୈଳ ବିଷୟରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ୟବହାର ହେବ। 32 କେହି ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ସାଧାରଣ ତୈଳ ପରି ବ୍ୟବହାର କରି ପାରିବେ ନାହିଁ। ବିଶେଷ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କର ନାହିଁ। ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହେବା ଉଚିତ୍। 33 ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”
ଧୂପ
34 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର। 35 ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥିରେ ଲବଣ ମଧ୍ୟ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ। 36 ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ନିୟମ-ସିନ୍ଦୁକ ମଧ୍ୟରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ। 37 ତୁମ୍ଭେମାନେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 38 ଯଦି କେହି ଆପଣା ଘ୍ରାଣାର୍ଥେ ସେହିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତେବେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ ହେବ।”
ବତ୍ସଲେଲ ଓ ଅହଲୀୟାବ
31 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ୟକ୍ତିକୁ ବାଛି ଅଛୁ ଯିଏକି ଆମ୍ଭ ପାଇଁ ଏକ ବିଶେଷ କାର୍ଯ୍ୟ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲେଲ। 3 ଆମ୍ଭେ ପରମେଶ୍ୱରଙ୍କ ଆତ୍ମାରେ ବତ୍ସଲେଲକୁ ପୂର୍ଣ୍ଣ କଲୁ। ସମସ୍ତ କାରିଗରି କାର୍ଯ୍ୟ କରିବାକୁ ଆମ୍ଭେ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦେଇଅଛୁ। 4 ବତ୍ସଲେଲ ଜଣେ ଉଚ୍ଚକୋଟୀର କର୍ମକାର ଏବଂ ସେ ସୁନା, ରୂପା ଓ ପିତ୍ତଳର କାରୁକାର୍ଯ୍ୟମାନ ଉତ୍ତମ ଭାବରେ କରିପାରୁ ଥିଲେ। 5 ବତ୍ସଲେଲ ସୁନ୍ଦର ଗହଣାମାନ ତିଆରି କରିପାରୁଥିଲେ। ସେ ମଧ୍ୟ ସୁନ୍ଦର କାଠ କର୍ମମାନ କରିପାରୁ ଥିଲେ। ବତ୍ସଲେଲ ସର୍ବପ୍ରକାର କାର୍ଯ୍ୟରେ ନିପୁଣ ଥିଲେ। 6 ଅହଲୀୟାବକୁ ସାହାଯ୍ୟ କରିବା ପାଇଁ ଆମ୍ଭେ ତାକୁ ବାଛିଅଛୁ। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନରେ ଭରପୁର କଲୁ। ଆମ୍ଭେ ସେମାନଙ୍କର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛୁ ଏବଂ ସେମାନେ ଆମ୍ଭ ପାଇଁ କାର୍ଯ୍ୟ କରିବେ।
7 ସମାଗମ-ତମ୍ବୁ, ନିୟମ-ସିନ୍ଦୁକ,
ସିନ୍ଦୁକର ଆଚ୍ଛାଦକ,
ତା'ର ପାପାଛଦନ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ,
8 ମେଜ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,
ଶୁଦ୍ଧ ସୁବର୍ଣ୍ଣ ଦୀପ ଓ ତା'ର ସମସ୍ତ
ଧୂପ ଜାଳିବା ପାଇଁ ବେଦି,
9 ହୋମବଳି ବେଦି ଓ ତହିଁର ସମସ୍ତ ପାତ୍ର,
ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି,
10 ଯାଜକ ହାରୋଣ ନିମନ୍ତେ ବିଶେଷ ବସ୍ତ୍ର ସୁନ୍ଦର ଭାବରେ ସିଲାଇ କରାଯାଇଛି,
ହାରୋଣର ପୁତ୍ରମାନଙ୍କ ପାଇଁ ବିଶେଷ ବସ୍ତ୍ରମାନ ଯେତେବେଳେ ସେମାନେ ଯାଜକ କର୍ମ କରିବେ ସେତେବେଳେ ସେମାନେ ସେଗୁଡ଼ିକ ପରିଧାନ କରିବେ।
11 ପବିତ୍ର ସ୍ଥାନ ନିମନ୍ତେ ଅଭିଷେକାର୍ଥକ ତୈଳ ଓ ଧୂପ
ଏହି କର୍ମୀମାନେ କାର୍ଯ୍ୟମାନ ମୋର ଆଜ୍ଞା ଅନୁଯାୟୀ କରିବେ।”
ବିଶ୍ରାମ ଦିନ
12 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 13 “ଏହି କଥା ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭେମାନେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧ୍ୟରେ ଏକ ଚିହ୍ନ ହେବ।
14 “‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କେହି ଏହାକୁ ଅପବିତ୍ର କରେ ତେବେ ସେ ମୃତ୍ୟୁବରଣ କରିବା ଉଚିତ୍। ଯଦି କେହି ସେଦିନ କାର୍ଯ୍ୟ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହେବା ଉଚିତ୍। 15 ଏକ ସପ୍ତାହରେ ଛଅ ଦିନ କାର୍ଯ୍ୟ କରାଯିବ ଏବଂ ସପ୍ତମ ଦିନରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନରେ ଯେକେହି କାର୍ଯ୍ୟ କରେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ। 16 ଇସ୍ରାଏଲର ସନ୍ତାନଗଣ ମାନ୍ୟ କରିବା ପାଇଁ ପାଳନ କରିବେ। ଏହି ନିୟମ ଅନନ୍ତକାଳ ପାଇଁ ସ୍ଥାୟୀ ରହିବ। ଏହା ପୁରୁଷାନୁକ୍ରମେ ପାଳନ କରାଯିବ। ଏହା ଆମ୍ଭ ଓ ତୁମ୍ଭ ମଧ୍ୟରେ ଏକ ଚୁକ୍ତି। 17 ମୋର ଓ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଏହା ଏକ ଅନନ୍ତକାଳୀନ ଚିହ୍ନ ହେବା ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।”’
18 ତେଣୁ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସହିତ କଥାବାର୍ତ୍ତା ନିୟମ ସ୍ୱରୂପେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।
ସୁବର୍ଣ୍ଣ ବାଛୁରି
32 ଲୋକମାନେ ଅନୁଭବ କଲେ ଯେ, ମୋଶା ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡେରି କଲେ। ତେଣୁ ସେମାନେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସେମାନେ ତାଙ୍କୁ କହିଲେ, “ଦେଖ, ମୋଶା ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣି ପାରିଲୁ ନାହିଁ ତାଙ୍କର କ’ଣ ହୋଇଛି। ଆମ୍ଭମାନଙ୍କୁ ଆଗେଇ ନେବା ପାଇଁ କେତେକ ଦେବତାଗଣ ନିର୍ମାଣ କର।”
2 ହାରୋଣ ସେହି ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ୟାମାନଙ୍କର କର୍ଣ୍ଣ କୁଣ୍ଡଳ ମୋ’ ପାଖକୁ ଆଣ।”
3 ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ। 4 ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ।
ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।”
5 ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।”
6 ତା’ ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସେମାନେ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ଏହା ପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହା ପରେ ଲୀଳା କରିବାକୁ ଉଠିଲେ।”
7 ସେହି ସମୟରେ, ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ଯାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସେମାନେ ଘୋର ପାପ କରିଛନ୍ତି। 8 ସେମାନେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦେଇଥିବା ପଥରୁ ବିମୁଖ ହେଲେ। ସେମାନେ ସୁବର୍ଣ୍ଣର ଏକ ବାଛୁରି ନିର୍ମାଣ କଲେ। ସେମାନେ ସେହି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖରେ ବଳିଦାନ କରୁଛନ୍ତି। ସେମାନେ କହନ୍ତି, ‘ଇସ୍ରାଏଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦେବତା ବାହାର କରି ଆଣିଲେ, ସେଗୁଡ଼ିକ ଏହି।’”
9 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜିଦ୍ଖୋର 10 ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”
11 କିନ୍ତୁ ମୋଶା ସଦାପ୍ରଭୁ ପରମେଶ୍ୱରଙ୍କୁ ଭିକ୍ଷା ମାଗିଲେ, “ହେ ସଦାପ୍ରଭୁ, ତୁମ୍ଭର କ୍ରୋଧରେ ତୁମ୍ଭର ଲୋକମାନଙ୍କୁ ଧ୍ୱଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲ। 12 କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ। 13 ମନେରଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’
14 ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ୱଂସ କରିବାରୁ ମନ ପରିବର୍ତ୍ତନ କଲେ।
15 ଏହା ପରେ ମୋଶା ବୁଲି ପଡ଼ିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମୋଶାଙ୍କ ହାତରେ ଚୁକ୍ତି ଲେଖା ଯାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲେଖା ହୋଇଥିଲା। 16 ପରମେଶ୍ୱରଙ୍କ ଦ୍ୱାରା ସେହି ପ୍ରସ୍ତର ଫଳକ ନିର୍ମିତ ହୋଇଥିଲା ଏବଂ ପରମେଶ୍ୱର ସ୍ୱହସ୍ତରେ ଲେଖିଥିଲେ।
17 ଯିହୋଶୂୟ ସେହି ଭୋଜିର କୋଳାହଳ ଶୁଣିଲେ। ଯିହୋଶୂୟ ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧର ଶବ୍ଦପରି ଏହା ଶୁଭୁଛି।”
18 ମୋଶା ଉତ୍ତର ଦେଲେ, “ଏହା ସୈନ୍ୟମାନଙ୍କର ଜୟଧ୍ୱନିର ଶବ୍ଦ ନୁହେଁ। କିମ୍ବା ପରାଜୟର ଶବ୍ଦ ମଧ୍ୟ ନୁହେଁ। ମୁଁ ଗାୟନର ଶବ୍ଦ ଶୁଣି ପାରୁଛି।”
19 ମୋଶା ଛାଉଣିର ନିକଟକୁ ଆସିଲେ। ସେ ସେହି ସୁବର୍ଣ୍ଣର ବାଛୁରି ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମୋଶା ରାଗିଗଲେ। ସେ ରାଗରେ ସେହି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୂନା କରି ଦେଲେ। 20 ଏହା ପରେ ମୋଶା ସେମାନେ ତିଆରି କରିଥିବା ବାଛୁରିକୁ ନେଇଗଲେ ଏବଂ ସେ ଏହାକୁ ନିଆଁରେ ତରଳାଇ ଦେଲେ। ଏହା ପରେ ସେ ପେଷି ଦେଲେ ଏବଂ ତାକୁ ପାଣିରେ ମିଶାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ସେହି ପାଣି ପିଆଇଲେ।
21 ମୋଶା ହାରୋଣଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ପାଇଁ କ’ଣ କଲେ? କାହିଁକି ତୁମ୍ଭେ ସେମାନଙ୍କୁ ଏପରି ପାପ କରିବାକୁ ଆଗେଇ ନେଲ?”
22 ହାରୋଣ ଉତ୍ତର ଦେଲେ, “କ୍ରୋଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୁଲ୍ କରନ୍ତି। 23 ଲୋକମାନେ ମୋତେ କହିଲେ, ‘ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। କିନ୍ତୁ ତାଙ୍କର କ’ଣ ହେଲା ତାହା ଆମ୍ଭେ ଜାଣୁ ନାହୁଁ। ତେଣୁ କିଛି ଦେବଗଣ ତିଆରି କର ଓ ଆମ୍ଭମାନଙ୍କୁ ଆଗେଇ ନିଅ।’ 24 ତେଣୁ ମୁଁ ଲୋକମାନଙ୍କୁ କହିଲି, ‘ଯଦି ତୁମ୍ଭମାନଙ୍କ ପାଖରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତେବେ ମୋ’ ପାଖକୁ ଆଣ, ତେଣୁ ସେମାନେ ମୋତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।’ ମୁଁ ସୁବର୍ଣ୍ଣକୁ ନିଆଁରେ ଫୋପାଡ଼ି ଦେଲି ଓ ଏହି ବାଛୁରି ତିଆରି କଲି।”
25 ମୋଶା ହୃଦ୍ବୋଧ କଲେ ଯେ, ହାରୋଣ ଲୋକମାନଙ୍କୁ ନିୟନ୍ତ୍ରଣ ବାହାର କରି ଦେଇଛନ୍ତି। ତେଣୁ ଶତ୍ରୁମାନଙ୍କ ଦ୍ୱାରା ହାସ୍ୟାସ୍ପଦ ହେବାକୁ ହେବ। 26 ତେଣୁ ମୋଶା ଛାଉଣି ଦ୍ୱାର ଦେଶରେ ଛିଡ଼ା ହୋଇ କହିଲେ, “ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଗ୍ଭହଁ ସେମାନେ ମୋ’ ପାଖକୁ ଆସ।” ଏବଂ ଏଥିରେ ଲେବୀ ବଂଶର ସମସ୍ତ ଲୋକ ମୋଶାଙ୍କ ନିକଟକୁ ଦୌଡ଼ିଲେ।
27 ମୋଶା ସେମାନଙ୍କୁ କହିଲେ, “ମୁଁ ତୁମ୍ଭକୁ କହିବି ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଯାହା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ଜଙ୍ଘରେ ଖଡ଼୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଗୋଟିଏ ଦ୍ୱାରରୁ ଅନ୍ୟଦ୍ୱାର ନିକଟକୁ ଯିବା ଆସିବା କର ଏବଂ ପ୍ରତ୍ୟେକ ଆପଣା ଭ୍ରାତା, ମିତ୍ର ଓ ପ୍ରତିବାସୀକୁ ବଧ କର।’”
28 ତେଣୁ ମୋଶା ଯେପରି କହିଲେ, ଲେବୀୟମାନେ ସେହିପରି କଲେ ଏବଂ ସେହି ଦିନ ଇସ୍ରାଏଲରେ 3,000 ଲୋକଙ୍କୁ ହତ୍ୟା କରାଗଲା। 29 ଏହା ପରେ ମୋଶା କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପୁତ୍ର ଓ ଭାତୃଗଣର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜକୁ ନିଯୁକ୍ତି କର ତହିଁରେ ସଦାପ୍ରଭୁ ଆଜି ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।”
30 ପରଦିନ ସକାଳେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଭୟଙ୍କର ପାପ କରିଛ। କିନ୍ତୁ ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ଯିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାୟଶ୍ଚିତ କରିବାକୁ ସକ୍ଷମ ହେବି।” 31 ତେଣୁ ମୋଶା ପରମେଶ୍ୱରଙ୍କ ନିକଟକୁ ଫେରିଗଲେ ଏବଂ କହିଲେ, “ହେ ସଦାପ୍ରଭୁ, ମୋର ଗୁହାରି ଶୁଣ। ଏହି ଲୋକମାନେ ସୁବର୍ଣ୍ଣରେ ଦେବତାଗଣ କରି ଭୟଙ୍କର ପାପ କରିଛନ୍ତି। 32 ବର୍ତ୍ତମାନ ସେମାନଙ୍କର ପାପକୁ କ୍ଷମା କରିଦିଅ, ଯଦି ତୁମ୍ଭେ ସେମାନଙ୍କୁ କ୍ଷମା ନ କର ତେବେ ତୁମ୍ଭେ ଲେଖିଥିବା ଜୀବନ୍ତ ପୁସ୍ତକରୁ ମୋର ନାମକୁ କାଟି ଦିଅ।”
33 କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁମାନେ ମୋ’ ବିରୁଦ୍ଧରେ ପାପ କରିଅଛନ୍ତି, ମୁଁ ମୋର ଜୀବନ୍ତ ପୁସ୍ତକରୁ ସେମାନଙ୍କର ନାମ କାଟି ଦେବି। 34 ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହୁଅଛି ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ। ଦେଖ, ମୋର ସ୍ୱର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହେବେ।” 35 ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରି ତିଆରି କରିବାକୁ କହିଥିଲେ।
2010 by World Bible Translation Center