Add parallel Print Page Options

ଯୀଶୁ କ୍ରୁଶରେ ହତ ହେଲେ

(ମାଥିଉ 27:32-44; ମାର୍କ 15:21-32; ଯୋହନ 19:17-19)

26 ସୈନ୍ୟମାନେ ଯୀଶୁଙ୍କୁ ମାରିଦେବା ପାଇଁ ନେଇଗଲେ। ଠିକ୍ ସେହି ସମୟରେ ଜଣେ ଲୋକ ପଲ୍ଲୀଗ୍ରାମରୁ ଫେରି ନଗର ଭିତରକୁ ଆସୁଥିଲା। ତା'ର ନାମ ଥିଲା ଶିମୋନ। ଶିମୋନ କୁରୀଣ ନଗରର ଲୋକ ଥିଲା। ସୈନ୍ୟମାନେ ଯୀଶୁଙ୍କ କ୍ରୁଶ ବହନ କରି ଯୀଶୁଙ୍କ ପଛରେ ଯିବାକୁ ଶିମୋନକୁ ବାଧ୍ୟ କଲେ।

27 ବହୁ ସଂଖ୍ୟାରେ ଲୋକେ ଯୀଶୁଙ୍କ ପଛେ ପଛେ ଗଲେ। କେତେକ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସେମାନେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ। 28 କିନ୍ତୁ ଯୀଶୁ ବୁଲିପଡ଼ି ସେହି ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ଯିରୁଶାଲମର ନାରୀଗଣ! ମୋ’ ପାଇଁ କାନ୍ଦ ନାହିଁ। ତୁମ୍ଭେମାନେ ନିଜ ପାଇଁ ଓ ନିଜ ପିଲାମାନଙ୍କ ପାଇଁ କାନ୍ଦ। 29 ଏବେ ସମୟ ଆସୁଛି, ଯେତେବେଳେ ଲୋକମାନେ କହିବେ, ‘ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାନ୍ତି, ସେମାନେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ୟା, ସେମାନେ ଧନ୍ୟ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦେଇ ନାହାନ୍ତି ଏବଂ ତାହାଙ୍କର ଯତ୍ନ ନେଇ ନାହାନ୍ତି, ସେମାନେ ଧନ୍ୟ।’ 30 ତା'ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ଼୍, ଲୋକେ ପାହାଡ଼କୁ କହିବେ, ‘ଆମ୍ଭକୁ ଘୋଡ଼େଇ ଦିଅ।’(A) 31 ବର୍ତ୍ତମାନ ସମୟରେ ଯେତେବେଳେ ଜୀବନ ଭଲରେ କଟୁଛି, ସେତେବେଳେ ଲୋକେ ଯଦି ଏଭଳି ବ୍ୟବହାର କରିବେ, ତେବେ ଯେତେବେଳେ ଖରାପ ସମୟ ଆସିବ, ସେତେବେଳେ ଅବସ୍ଥା କ’ଣ ହେବ?”[a]

32 ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆ ଯାଉଥିଲା। 33 ‘କପାଳ’ ନାମକ ସ୍ଥାନକୁ ଯୀଶୁ ଓ ସେହି ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆଗଲା। ସେଠାରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ସେମାନେ ସେହି ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖରେ ରଖିଲେ।

34 ଯୀଶୁ କହିଲେ, “ହେ ପରମପିତା, ଯେଉଁ ଲୋକମାନେ ମୋତେ ହତ୍ୟା କରୁଛନ୍ତି, ସେମାନଙ୍କୁ କ୍ଷମା କର। କାରଣ ସେମାନେ କ’ଣ କରୁଛନ୍ତି, ତାହା ସେମାନେ ଜାଣନ୍ତି ନାହିଁ।”[b]

ସୈନ୍ୟମାନେ ଗୁଲିବାଣ୍ଟ ସାହାଯ୍ୟରେ ଯୀଶୁଙ୍କ ପୋଷାକ ବାଣ୍ଟି ନେଲେ। 35 ଲୋକମାନେ ସେଠାରେ ଠିଆ ହୋଇ ଯୀଶୁଙ୍କୁ ଲକ୍ଷ୍ୟ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସେମାନେ କହୁଥିଲେ, “ଯଦି ସେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?”

36 ଏପରିକି ସୈନ୍ୟମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସେମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ। 37 ସୈନ୍ୟମାନେ କହିଲେ, “ତୁମ୍ଭେ ଯଦି ଯିହୂଦୀମାନଙ୍କର ରାଜା, ତେବେ ନିଜକୁ ରକ୍ଷା କର।” 38 କ୍ରୁଶରେ ଉପରି ଭାଗରେ ଲେଖା ଯାଇଥିଲା: “ଏ ଯିହୂଦୀମାନଙ୍କର ରାଜା।”

39 ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦା କରି କହିବାକୁ ଲାଗିଲା, “ତୁମ୍ଭେ କ’ଣ ଖ୍ରୀଷ୍ଟ ନୁହଁ? ତେବେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ୟ ରକ୍ଷା କର।”

Read full chapter

Footnotes

  1. ଲୂକ ଲିଖିତ ସୁସମାଗ୍ଭର 23:31 ଲୋକେ … କ’ଣ ହେବ ଆକ୍ଷରିକ ଭାବରେ, “ଯଦି ଗଛ ସବୁଜ ଥିବା ବେଳେ ଲୋକେ ଏପରି କରିବେ, ତେବେ ଯେତେବେଳେ ଗଛ ଶୁଖିଯିବ, ସେତେବେଳେ କ’ଣ ହେବ?”
  2. ଲୂକ ଲିଖିତ ସୁସମାଗ୍ଭର 23:34 ହେ ପରମେଶ୍ୱର … ଜାଣନ୍ତି ନାହିଁ କେତେକ ମୂଳ ଗ୍ରୀକ୍ ଲେଖା ପ୍ରତୀକରେ ଏହି ଲେଖା ନାହିଁ।