Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
24 ଏହା ନିଶ୍ଚିତ କର ଯେ, ମୁଁ କୌଣସି ଦୁଷ୍ଟତାର ବାଟରେ ଯାଇ ନାହିଁ।
ମୋତେ ସେହି ବାଟରେ ଆଗେଇ ନିଅ, ଯାହା ସବୁଦିନ ପାଇଁ ସତ୍ୟ ହୋଇଅଛି।
ସଦାପ୍ରଭୁ ହିଁ ପରମେଶ୍ୱର
44 “ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ। 2 ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ।
3 “ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା। 4 ତେଣୁ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ୟ ବଢ଼ିବାକୁ ଲାଗିବେ।
5 “ଜଣେ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର,’ ଅନ୍ୟ ଜଣେ ‘ଯାକୁବ’ ବୋଲି ନିଜକୁ କହିବ; ଆଉ କେହି ‘ସଦାପ୍ରଭୁଙ୍କର’ ସ୍ୱାକ୍ଷର ନିଜ ହାତରେ କରିବ ଓ ଅନ୍ୟ କେହି ‘ଇସ୍ରାଏଲର ନାମରେ ନିଜକୁ ପରିଚୟ ଦେବ।’”
ବ୍ୟବସ୍ଥା ଅପେକ୍ଷା ଆମ୍ଭର ପରିତ୍ରାଣ ସର୍ବଶ୍ରେଷ୍ଠ
2 ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ। 2 ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିବା ଶିକ୍ଷା ସତ୍ୟ ବୋଲି ଦେଖାଇ ଦିଆଗଲା। ପ୍ରତ୍ୟେକ ଥର ଯିହୂଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତେବେଳେ ସେହି ଶିକ୍ଷାକୁ ସେମାନେ ଅବମାନନା କଲେ, ସେମାନେ ଦଣ୍ଡିତ ହେଲେ। 3 ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବହେଳା କଲେ, ଆମ୍ଭେ ମଧ୍ୟ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟରେ କହିଲେ। ଯେଉଁମାନେ ଶୁଣିଲେ, ସେମାନେ ଆମ୍ଭକୁ ଏହାର ସତ୍ୟତା ପ୍ରମାଣ କରି ଦେଖାଇ ଦେଲେ। ଆଶ୍ଚର୍ଯ୍ୟକର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅଦ୍ଭୂତ 4 କର୍ମ ଦ୍ୱାରା ପରମେଶ୍ୱର ମଧ୍ୟ ଏହାର ପ୍ରମାଣ ଦେଲେ। ପରମେଶ୍ୱର ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ଏହା ପ୍ରମାଣିତ କରିଅଛନ୍ତି।
ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ
5 ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି। 6 ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି:
“ପରମେଶ୍ୱର!
ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର?
ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ?
ସେ କ’ଣ ସତରେ ମହାନ ଅଟନ୍ତି ଯେ
7 ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ?
ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
8 ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।”(A)
ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା'ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ। 9 ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।
2010 by World Bible Translation Center