Old/New Testament
ଯିହୁଦାର ରାଜା ଆହସ୍
28 ଆହସ୍ ରାଜା ହେବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନଯାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। 2 ଆହସ୍ ଇସ୍ରାଏଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ବାଲ୍ଦେବତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ। 3 ଆହସ୍ ହିନ୍ନୋମ ପୁତ୍ର ଉପତ୍ୟକାରେ ସୁଗନ୍ଧିଧୂପ ଜ୍ୱଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନିରେ ଦଗ୍ଧ କରି ବଳିଦାନ ସ୍ୱରୂପେ ଉତ୍ସର୍ଗ କଲେ। ସେହି ଦେଶରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ୟ ସେହିସବୁ କଲେ। ଇସ୍ରାଏଲର ଲୋକମାନେ ଯେତେବେଳେ ସେହି ଦେଶରେ ପ୍ରବେଶ କଲେ, ସଦାପ୍ରଭୁ ସେମାନଙ୍କୁ ବଳପୂର୍ବକ ସେଠାରୁ ବାହାର କରିଦେଲେ। 4 ଆହସ୍ ଉଚ୍ଚସ୍ଥାନମାନଙ୍କରେ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ବଳିଦାନ ଉତ୍ସର୍ଗ କଲେ ଓ ସୁଗନ୍ଧିଧୂପ ଜ୍ୱଳାଇଲେ।
5 ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମର ରାଜାଙ୍କ ଦ୍ୱାରା ଆହସଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ୟଦଳ ଆହସଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନେକ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସେହି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନେଇଗଲେ। ସଦାପ୍ରଭୁ ଇସ୍ରାଏଲର ରାଜା ପେକହଙ୍କ ଦ୍ୱାରା ମଧ୍ୟ ଆହସଙ୍କୁ ପରାସ୍ତ କଲେ। 6 ପେକହଙ୍କ ପିତାଙ୍କର ନାମ ଥିଲା ରମଲିୟ। ପେକହ ଓ ତାଙ୍କର ସୈନ୍ୟଦଳ ଗୋଟିଏ ଦିନରେ ଯିହୁଦାର 120,000 ଜଣ ସାହସୀ ସୈନିକଙ୍କୁ ହତ୍ୟା କଲେ। ପେକହ ଯିହୁଦାର ସେହି ଲୋକମାନଙ୍କୁ ହତ୍ୟା କଲେ, କାରଣ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନୁଥିଲେ, ସେମାନେ ତାଙ୍କୁ ମାନିଲେ ନାହିଁ। 7 ସିଖ୍ରି ଇଫ୍ରୟିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମାସେୟଙ୍କୁ, ରାଜପ୍ରାସାଦର ଅଧିକାରୀ ଦାୟିତ୍ୱରେ ଥିବା ଅସ୍ରିକାମଙ୍କୁ ଏବଂ ଇଲ୍କାନା (ଯିଏ କି ରାଜାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିବା ଅଧିକାରୀ) ଙ୍କୁ ହତ୍ୟା କଲେ।
8 ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାରେ ବାସ କରୁଥିବା ସେମାନଙ୍କର ନିଜ ଆତ୍ମୀୟମାନଙ୍କ ମଧ୍ୟରୁ 200,000 ଲୋକଙ୍କୁ ବନ୍ଦୀ କରି ନେଲେ। ସେମାନେ ସ୍ତ୍ରୀଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନେକ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଲେ। ଇସ୍ରାଏଲୀୟମାନେ ସେହି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିୟାକୁ ନେଇଗଲେ। 9 କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଭବିଷ୍ୟଦ୍ବକ୍ତାଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିୟାକୁ ଫେରି ଆସିଥିବା ଇସ୍ରାଏଲୀୟ ସୈନ୍ୟଦଳକୁ ଭେଟିଲେ। ଓବେଦ୍ ଇସ୍ରାଏଲୀୟ ସୈନ୍ୟଦଳକୁ କହିଲେ, “ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ୱାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସେମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଛନ୍ତି। ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବରେ ହତ୍ୟା ଓ ଦଣ୍ଡିତ କରିଅଛ। 10 ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ମଧ୍ୟ ପାପ କରିଅଛ। 11 ବର୍ତ୍ତମାନ ମୋର କଥା ଶୁଣ, ତୁମ୍ଭେମାନେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧରେ ଭୟଙ୍କର କ୍ରୋଧ କରିଛନ୍ତି।”
12 ଏହା ପରେ ଇଫ୍ରୟିମର କେତେକ ନେତା ଦେଖିଲେ ଯେ, ଇସ୍ରାଏଲୀୟ ସୈନ୍ୟମାନେ ଯୁଦ୍ଧରୁ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଭେଟିଲେ। ସେହି ନେତାମାନେ ଥିଲେ ଯିହୋହାନନଙ୍କ ପୁତ୍ର ଅସରିୟ, ମଶିଲୋମୋତ୍ଙ୍କ ପୁତ୍ର ବେରିଖିୟ, ଶଲ୍ଲୁମଙ୍କର ପୁତ୍ର ଯହିଷ୍କିୟ ଓ ହଦ୍ଲୟଙ୍କର ପୁତ୍ର ଅମାସା। 13 ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ କହିଲେ, “ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭେମାନେ ତାହା କରିବ, ତଦ୍ଦ୍ୱାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ୱ କରିଦେବ ଓ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଭୟଙ୍କର କ୍ରୋଧ କରିବେ।”
14 ତେଣୁ ସେହି ସୈନିକମାନେ ବନ୍ଦୀମାନଙ୍କୁ ଓ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ସେହି ନେତାମାନଙ୍କୁ ଓ ଇସ୍ରାଏଲର ଲୋକମାନଙ୍କୁ ଫେରାଇ ଦେଲେ। 15 ସେହି ନେତାମାନେ ବନ୍ଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସେହି ଗ୍ଭରିଜଣ ବ୍ୟକ୍ତି ଇସ୍ରାଏଲୀୟ ସୈନ୍ୟଦଳ ଲୁଟି ନେଇଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନେଇ ଦେଲେ। ସେହି ନେତାମାନେ ସେହି ଲୋକମାନଙ୍କୁ ଜୋତା ମଧ୍ୟ ଦେଲେ। ସେମାନେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଲେ। ସେମାନେ ସେହି ଲୋକମାନଙ୍କ ଶରୀରରେ ତେଲ ମାଲିସ୍ କଲେ। ଏହା ପରେ ଇଫ୍ରୟିମର ସେହି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହୋରେ ଥିବା ସେମାନଙ୍କ ଗୃହ ଓ ପରିବାରକୁ ସେମାନଙ୍କୁ ନେଇଗଲେ। ଯିରୀହୋକୁ ‘ଖର୍ଜ୍ଜୁରୀବୃକ୍ଷର ନଗର’ ବୋଲି କୁହାଯାଉ ଥିଲା। ଏହା ପରେ ସେହି ଗ୍ଭରିଜଣ ନେତା ଶମରିୟାକୁ ଫେରିଗଲେ।
16-17 ସେହି ସମୟରେ, ଇଦୋମର ଲୋକମାନେ ଆଉଥରେ ଆସିଲେ ଓ ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ। ଇଦୋମୀୟମାନେ ଲୋକମାନଙ୍କୁ ଧରିଲେ ଓ ସେମାନଙ୍କୁ ବନ୍ଦୀ କରି ନେଇଗଲେ। ତେଣୁ ରାଜା ଆହସ୍, ଅଶୂରୀୟ ରାଜାଙ୍କୁ ସାହାଯ୍ୟ ମାଗିଲେ। 18 ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ। 19 ସଦାପ୍ରଭୁ ଯିହୁଦାକୁ କଷ୍ଟ କଲେ, କାରଣ ଯିହୁଦାର ରାଜା ଆହସ୍ ଯିହୁଦାର ଲୋକମାନଙ୍କୁ ପାପ କରିବାକୁ ଉତ୍ସାହିତ କରିଥିଲେ। ସେ ସଦାପ୍ରଭୁଙ୍କ ପ୍ରତି ଅତି ଅବିଶ୍ୱସ୍ତ ଥିଲେ। 20 ଅଶୂରୀୟ ରାଜା ତିଲ୍ଗତ-ପିଲ୍ନେଷର ଆସିଲେ ଓ ଆହସ୍ ରାଜାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଷ୍ଟ ଦେଲେ। 21 ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ୟଗଣଙ୍କଠାରୁ କିଛି ମୂଲ୍ୟବାନ୍ ସାମଗ୍ରୀ ନେଲେ। ଆହସ୍ ସେହି ସାମଗ୍ରୀଗୁଡ଼ିକୁ ଅଶୂରୀୟ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହସଙ୍କୁ କିଛି ସାହାଯ୍ୟ କଲା ନାହିଁ।
22 ରାଜା ଆହସଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ୱସ୍ତ ହେଲେ। 23 ଦମ୍ମୋଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ।
24 ଆହସ୍ ପରମେଶ୍ୱରଙ୍କ ମନ୍ଦିରରୁ ସାମଗ୍ରୀ ସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହା ପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ବନ୍ଦ କରିଦେଲେ। ସେ ଯଜ୍ଞବେଦିସବୁ ନିର୍ମାଣ କଲେ ଓ ସେଗୁଡ଼ିକୁ ଯିରୁଶାଲମର ଗ୍ଭରିଆଡ଼େ ସ୍ଥାପନ କଲେ। 25 ଯିହୁଦାର ସମସ୍ତ ସହରରେ ଅନ୍ୟ ଦେବତାମାନଙ୍କ ପୂଜା କରିବା ପାଇଁ ସୁଗନ୍ଧିଧୂପ ଜଳାଇବା ଉଦ୍ଦେଶ୍ୟରେ ଆହସ୍ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଆହସଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେ ତାଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କଲେ।
26 ଆହସ୍ ଅନ୍ୟ ଯେ ସମସ୍ତ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି। 27 ଆହସ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସଙ୍କୁ ଯିରୁଶାଲମ ନଗରରେ କବର ଦେଲେ। କିନ୍ତୁ ସେମାନେ ଆହସଙ୍କୁ ଇସ୍ରାଏଲର ରାଜାମାନଙ୍କର କବର ସ୍ଥାନରେ କବର ଦେଲେ ନାହିଁ। ହିଜକିୟ ଆହସଙ୍କ ସ୍ଥାନରେ ନୂତନ ରାଜା ହେଲେ ହିଜକିୟ ଆହସଙ୍କ ପୁତ୍ର ଥିଲେ।
ଯିହୁଦାର ରାଜା ହିଜକିୟ
29 ହିଜକିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଯିଖରିୟଙ୍କ କନ୍ୟା ଥିଲେ। 2 ହିଜକିୟ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ।
3 ହିଜକିୟ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ମରାମତି କଲେ। ହିଜକିୟ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହେବାର ପ୍ରଥମ ବର୍ଷର ପ୍ରଥମ ମାସରେ ହିଁ ଏହା କଲେ। 4 ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ଏକ ସଭାରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାର୍ଶ୍ୱସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣରେ ସେ ସେମାନଙ୍କ ସହିତ ଏକ ସଭା କଲେ। 5 ହିଜକିୟ ସେମାନଙ୍କୁ କହିଲେ, “ହେ ଲେବୀୟମାନେ, ମୋ’ କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ। 6 ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ। ସଦାପ୍ରଭୁ ପରମେଶ୍ୱର ମନ୍ଦ ବୋଲି ବିବେଚନା କରିଥିବା କାର୍ଯ୍ୟକୁ ସେମାନେ କଲେ। ସେମାନେ ସଦାପ୍ରଭୁଙ୍କୁ ଅବମାନନା କଲେ। ସେମାନେ ସଦାପ୍ରଭୁଙ୍କୁ ପଛ କଲେ। 7 ସେମାନେ ମନ୍ଦିର ଅଳିନ୍ଦର ଦ୍ୱାରସବୁ ବନ୍ଦ କରିଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସ୍ଥାନରେ ସୁଗନ୍ଧିଧୂପ ଜଳାଇବା ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ବନ୍ଦ କରିଦେଲେ। 8 ତେଣୁ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ସେମାନଙ୍କୁ ଦଣ୍ଡିତ କଲେ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତେବେଳେ ଅନ୍ୟ ଲୋକମାନେ ଦେଖିଲେ, ସେମାନେ ଅତ୍ୟନ୍ତ ଭୟଭୀତ ଓ ହତଚକିତ ହୋଇପଡ଼ିଲେ। ସେହି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜାରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭେମାନେ ତାହା ସ୍ୱଚକ୍ଷୁରେ ଦେଖୁଅଛ। 9 ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ଯୁଦ୍ଧରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ୟା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗଲେ। 10 ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ। 11 ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।”
12-14 ଯେଉଁ ଲେବୀୟମାନେ କାର୍ଯ୍ୟ କରିବାକୁ ଆରମ୍ଭ କଲେ, ସେମାନଙ୍କର ତାଲିକା ଏହି:
କହାତ୍ ବଂଶର ଅମାସୟଙ୍କ ପୁତ୍ର ମାହତ୍ ଓ ଅସରିୟଙ୍କ ପୁତ୍ର ଯୋୟେଲ ଥିଲେ।
ମରାରି ବଂଶଧରର ଅବ୍ଦିଙ୍କ ପୁତ୍ର କୀଶ୍ ଓ ଯିହୋଲିଲେଲଙ୍କ ପୁତ୍ର ଅସରିୟ ଥିଲେ।
ଗେର୍ଶୋନ ବଂଶଧରରୁ ସିମ୍ମଙ୍କ ପୁତ୍ର ଯୋୟାହ ଓ ଯୋୟାହଙ୍କ ପୁତ୍ର ଏଦନ୍ ଥିଲେ।
ଇଲିଶାଫନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିଖରିୟ ଓ ମତ୍ତନିୟ ଥିଲେ।
ହେମନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲ୍ ଓ ଶିମିୟି ଥିଲେ।
ଯିଦୂଥୂନଙ୍କ ବଂଶଧରମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୂୟେଲ ଥିଲେ।
ଆସଫ୍ ବଂଶଧରମାନଙ୍କ ମଧ୍ୟରୁ ଶମୟିୟ ଓ ଉଷିୟେଲ ଥିଲେ।
15 ଏହା ପରେ ଏହି ଲେବୀୟମାନେ ସେମାନଙ୍କର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କଲେ। ସେମାନେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା। 16 ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧ୍ୟରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରିଦେଲେ। ସେମାନେ ସେହି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହା ପରେ ଲେବୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନେଇଗଲେ। 17 ପ୍ରଥମ ମାସର ପ୍ରଥମ ଦିନରେ ଲେବୀୟମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ମାସର ଅଷ୍ଟମ ଦିନରେ, ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ୟବହାର କରିବା ପାଇଁ ସେମାନେ ଆହୁରି ଆଠ ଦିନ ପର୍ଯ୍ୟନ୍ତ ତାହାକୁ ପରିଷ୍କାର କଲେ। ସେମାନେ ପ୍ରଥମ ମାସର ଷୋହଳତମ ଦିନରେ ତାହା ସମାପ୍ତ କଲେ।
18 ଏହା ପରେ ସେମାନେ ରାଜା ହିଜକିୟଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରାଜା ହିଜକିୟ, ଆମ୍ଭେମାନେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ୱଳାଇବାର ଯଜ୍ଞବେଦି ଓ ମନ୍ଦିରସ୍ଥ ସମସ୍ତ ବିଷୟକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀୟ ରୋଟୀ ରଖାଯିବାର ମେଜ ଓ ମେଜରେ ବ୍ୟବହୃତ ସାମଗ୍ରୀକୁ ଆମ୍ଭେମାନେ ପରିଷ୍କାର କରିଅଛୁ। 19 ଆହସ୍ ରାଜା ଥିବା ସମୟରେ ପରମେଶ୍ୱରଙ୍କର ବିରୁଦ୍ଧରେ ବିଦ୍ରୋହ କଲେ। ସେ ମନ୍ଦିର ମଧ୍ୟରେ ଥିବା ଅନେକ ସାମଗ୍ରୀକୁ ଫୋପାଡ଼ି ଦେଇଥିଲେ। କିନ୍ତୁ ଆମ୍ଭେମାନେ ସେହିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସେଗୁଡ଼ିକୁ ବିଶେଷ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସେଗୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଅଛି।”
20 ରାଜା ହିଜକିୟ ପରବର୍ତ୍ତୀ ଦିନ ପ୍ରତ୍ୟୁଷରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। 21 ସେମାନେ ସାତ ଗୋଟି ବଳଦ, ସାତୋଟି ମେଷ, ସାତୋଟି ମେଷଶାବକ ଓ ସାତୋଟି ବୋଦା ଆଣିଲେ। ଏହି ପଶୁଗୁଡ଼ିକ ପବିତ୍ର ସ୍ଥାନର ଓ ଯିହୁଦାର ଲୋକମାନଙ୍କ ନିମନ୍ତେ ପାପାର୍ଥକ ବଳିସ୍ୱରୂପେ ଉତ୍ସର୍ଗୀକୃତ ହେବାକୁ ଥିଲା। ରାଜା ହିଜକିୟ ହାରୋଣଙ୍କ ବଂଶଧର ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ପଶୁଗୁଡ଼କ ଉତ୍ସର୍ଗ କରିବାକୁ ଆଦେଶ ଦେଲେ। 22 ତେଣୁ ଯାଜକମାନେ ବଳଦମାନଙ୍କୁ ହତ୍ୟା କଲେ ଓ ରକ୍ତକୁ ରଖିଲେ। ଆଉ ସେମାନେ ସେହି ବଳଦର ରକ୍ତକୁ ବେଦି ଉପରେ ସିଞ୍ଚିଲେ। ଏହା ପରେ ଯାଜକମାନେ ମେଷମାନଙ୍କୁ ହତ୍ୟା କଲେ ଓ ମେଷମାନଙ୍କର ରକ୍ତ ଯଜ୍ଞବେଦି ଉପରେ ସିଞ୍ଚନ କଲେ। 23-24 ଏହା ପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସେମାନଙ୍କ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ। ଛାଗମାନଙ୍କର ରକ୍ତକୁ ଯଜ୍ଞବେଦି ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ୱର ଯେପରି ଇସ୍ରାଏଲର ଲୋକମାନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସେମାନେ ଏହିପରି କଲେ। ରାଜା କହିଲେ ଯେ, ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ହୋମବଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାଯିବା ଉଚିତ୍।
25 ଦାଉଦ, ରାଜାଙ୍କ ଭବିଷ୍ୟଦ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟଦ୍ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟଦ୍ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା। 26 ତେଣୁ ଲେବୀୟମାନେ ଦାଉଦଙ୍କ ବାଦ୍ୟଯନ୍ତ୍ରସବୁ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ ଓ ଯାଜକମାନେ ସେମାନଙ୍କର ତୂରୀ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ। 27 ଏହା ପରେ ହିଜକିୟ ବେଦି ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହୋମବଳି ଉପହାରର ଉତ୍ସର୍ଗ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇସ୍ରାଏଲ ରାଜା ଦାଉଦଙ୍କ ବାଦ୍ୟଯନ୍ତ୍ର ସବୁ ବଜାଗଲା। 28 ହୋମବଳି ଉପହାରର ଉତ୍ସର୍ଗୀକରଣ ଶେଷ ନ ହେବା ପର୍ଯ୍ୟନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାୟକମାନେ ଗୀତ ଗାନ କଲେ ଓ ତୂରୀବାଦ୍ୟକାରୀମାନେ ତୂରୀ ବଜାଇଲେ।
29 ଉତ୍ସର୍ଗ କାର୍ଯ୍ୟ ଶେଷ ହେବାପରେ, ରାଜା ହିଜକିୟ ଓ ତାଙ୍କ ସହିତ ସମସ୍ତ ଜନତା ନତମସ୍ତକ ହେଲେ ଓ ଉପାସନା କଲେ। 30 ରାଜା ହିଜକିୟ ଓ ତାଙ୍କର ପଦାଧିକାରୀମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଆଦେଶ ଦେଲେ। ସେମାନେ ଦାଉଦ ଓ ଆସଫ ଭବିଷ୍ୟଦ୍ବକ୍ତାଙ୍କ ରଚିତ ସଙ୍ଗୀତମାନ ଗାନ କଲେ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସେମାନେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ୱରଙ୍କର ଉପାସନା କଲେ। 31 ହିଜକିୟ କହିଲେ, “ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭେମାନେ ନିଜକୁ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ୟବାଦର ଉପହାରସବୁ ଆଣ।” ଏହା ପରେ ଲୋକମାନେ ବଳିଦାନ ଓ ଧନ୍ୟବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଗ୍ଭହିଁଲା, ସେ ହୋମବଳି ଉପହାରସବୁ ଆଣିଲା। 32 ସମ୍ମିଳିତ ଜନତା ଏହିପରି ଭାବରେ ହୋମବଳି ଉପହାର ସବୁ ଆଣିଲେ: ସତୁରି ବଳଦ, 100 ଗୋଟି ମେଷ ଓ 200 ଗୋଟି ମେଷଶାବକ। ଏହିସବୁ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରାଗଲା। 33 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ନୈବେଦ୍ୟ ଥିଲା 600ଟି ଷଣ୍ଢ ଓ 3000 ମେଷ ଓ ଛାଗ। 34 କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହୋମବଳି ନୈବେଦ୍ୟ ସ୍ୱରୂପେ ଉତ୍ସର୍ଗ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନ ଥିଲେ। ତେଣୁ ସେମାନଙ୍କର ଆତ୍ମୀୟମାନେ ଓ ଲେବୀୟମାନେ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କଲେ। ଲେବୀୟମାନେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସଚେତନ ଥିଲେ। ସେମାନେ ଯାଜକମାନଙ୍କଠାରୁ ମଧ୍ୟ ଅଧିକ ସଚେତନ ଥିଲେ। 35 ସେଠାରେ ଅନେକ ହୋମବଳି ନୈବେଦ୍ୟ ଓ ମଙ୍ଗଳାର୍ଥକ ନୈବେଦ୍ୟ ସ୍ୱରୂପ ଚର୍ବ୍ବୀର ଉତ୍ସର୍ଗ ଓ ପେୟନୈବେଦ୍ୟ ଉତ୍ସର୍ଗ କରାଗଲା। ଏହିପରି ଭାବରେ, ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ ଆଉଥରେ ଆରମ୍ଭ ହେଲା। 36 ପରମେଶ୍ୱର ତାଙ୍କର ଲୋକମାନଙ୍କ ନିମନ୍ତେ ଯେଉଁସବୁ ବିଷୟ ପ୍ରସ୍ତୁତ କରିଥିଲେ, ସେଥିନିମନ୍ତେ ହିଜକିୟ ଓ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଆଉ ସେ ତାହା ଏତେ ଶୀଘ୍ର କଲେ, ଯେ ସେଥିନିମନ୍ତେ ସେମାନେ ଆନନ୍ଦିତ ଥିଲେ।
ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତି
17 ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ୱର୍ଗ ଆଡ଼େ ଗ୍ଭହିଁଲେ। ସେ ପ୍ରାର୍ଥନା କଲେ, “ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହୋଇଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ୱିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବାନ୍ୱିତ ଦେଇ ପାରିବେ। 2 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି। 3 ତୁମ୍ଭେ ଯେ ଏକମାତ୍ର ସତ୍ୟ ପରମେଶ୍ୱର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। 4 ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି। 5 ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ, ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର।
6 “ତୁମ୍ଭେ ପୃଥିବୀର କେତେକ ଲୋକଙ୍କୁ ମୋତେ ଦେଲ। 7 ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ଜାଣନ୍ତି, ତୁମ୍ଭେ ମୋତେ ଯାହାସବୁ ଦେଇଛ, ସେ ସବୁ ତୁମ୍ଭ ପାଖରୁ ଆସେ। 8 ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି। 9 ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ। କାରଣ ସେମାନେ ତୁମ୍ଭର ଅଟନ୍ତି। 10 ମୋର ଯାହାସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମୋର। ଏହି ଲୋକମାନେ ମୋତେ ଗୌରବାନ୍ୱିତ କରନ୍ତି।
11 “ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସେମାନଙ୍କୁ ନିରାପଦରେ ରଖ। ତୁମ୍ଭ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ନିରାପଦରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସେମାନେ ସେହିପରି ଏକ ହୋଇ ପାରିବେ। 12 ମୁଁ ଯେତେବେଳେ ସେମାନଙ୍କ ସହିତ ଥିଲି, ମୁଁ ସେମାନଙ୍କୁ ନିରାପଦରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳରେ ସେମାନଙ୍କୁ ନିରାପଦରେ ରଖିଥିଲି। ସେହି ନାମ ତୁମ୍ଭେ ମୋତେ ଦେଇଥିଲ। ମୁଁ ସେମାନଙ୍କୁ ସୁରକ୍ଷିତ କଲି। ସେମାନଙ୍କ ଭିତରୁ କେବଳ ଜଣେ ବିନାଶ ପାଇଁ ଉଦ୍ଧିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।
13 “ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କହେ, ଯେପରି ଏହି ଲୋକମାନେ ମୋ’ଠାରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଗ୍ଭହେଁ, ସେମାନେ ସେମାନଙ୍କ ଭିତରେ ମୋର ପୂର୍ଣ୍ଣ ଆନନ୍ଦ ପାଆନ୍ତୁ। 14 ମୁଁ ସେମାନଙ୍କୁ ତୁମ୍ଭର ଉପଦେଶ ଦେଇଅଛି। ଆଉ ଏହି ଜଗତର ଲୋକମାନେ ସେମାନଙ୍କୁ ଘୃଣା କରନ୍ତି। କାରଣ ସେମାନେ ଜଗତର ନୁହନ୍ତି ଓ ଯେପରି ମୁଁ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ନୁହେଁ।
15 “ମୁଁ ତୁମ୍ଭକୁ ସେମାନଙ୍କୁ ଜଗତରୁ ନେଇଯିବା ପାଇଁ କହୁ ନାହିଁ। ମୁଁ ତୁମକୁ ସେମାନଙ୍କୁ ପାପାତ୍ମା ଶୟତାନଠାରୁ ନିରାପଦରେ ରଖିବା ପାଇଁ କହୁଛି। 16 ମୁଁ ଯେପରି ଜଗତର ନୁହେଁ, ସେମାନେ ସେହିପରି ଏହି ଜଗତର ନୁହନ୍ତି। 17 ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ମେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ। 18 ମୁଁ ସେମାନଙ୍କୁ ଜଗତ ମଧ୍ୟକୁ ପଠାଇ ଦେଇଛି ଯେପରି ତୁମ୍ଭେ ମୋତେ ଏହି ଜଗତକୁ ପଠାଇଲ। 19 ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ।
20 “ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହେତୁ ମୋ’ଠାରେ ବିଶ୍ୱାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। 21 ହେ ପରମପିତା, ମୁଁ ତୁମ୍ଭଠାରେ ପ୍ରାର୍ଥନା କରେ ଯେପରି ମୋ’ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ଏକ ହୋଇପାରିବେ। ତୁମ୍ଭେ ମୋ’ଠାରେ ରହିଛ ଓ ମୁଁ ତୁମ୍ଭଠାରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠାରେ ଯେପରି ଏକ ହୋଇ ପାରିବେ। ତଦ୍ଦ୍ୱାରା ଜଗତ ବିଶ୍ୱାସ କରିବ, ଯେ ତୁମ୍ଭେ ମୋତେ ପଠାଇଅଛ। 22 ମୋତେ ତୁମ୍ଭେ ଯେଉଁ ଗୌରବ ଦେଇଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦେଇଛି। ଏହି ଗୌରବ ଦେବାର କାରଣ ହେଉଛି ଯେ, ଯେପରି ‘ତୁମ୍ଭେ ଓ ମୁଁ ଏକ, ସେହିପରି ସେମାନେ ମଧ୍ୟ ଏକ ହୋଇପାରିବେ।’ 23 ମୁଁ ସେମାନଙ୍କଠାରେ ରହିବି ଓ ତୁମ୍ଭେ ମୋ’ଠାରେ ରହିବ। ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ହୋଇପାରିବେ। ତାହାହେଲେ ଏହି ଜଗତ ଜାଣି ପାରିବ ଯେ, ତୁମ୍ଭେ ମୋତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମୋତେ ଯେପରି ପ୍ରେମ କରୁଥିଲ ଠିକ୍ ସେହିପରି ଏହି ଲୋକମାନଙ୍କୁ ମଧ୍ୟ ପ୍ରେମ କରୁଛ।
24 “ହେ ପରମପିତା, ତୁମ୍ଭେ ମୋତେ ଯେଉଁ ଲୋକମାନଙ୍କୁ ଦେଇଛ, ମୁଁ ଗ୍ଭହେଁ, ମୁଁ ଥିବା ପ୍ରତ୍ୟେକ ସ୍ଥାନରେ ସେମାନେ ମୋ’ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସେମାନେ ମୋର ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମୋତେ ଦେଇଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ମୋତେ ପ୍ରେମ କଲ। 25 ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମୋତେ ପଠାଇଛ। 26 ତୁମ୍ଭେ କିପରି ତାହା ମୁଁ ସେମାନଙ୍କଠାରେ ପ୍ରକାଶ କରିଛି। ଏବଂ ପୁନର୍ବାର ସେମାନଙ୍କଠାରେ ପ୍ରକାଶ କରିବି। ତା’ପରେ ମୋ’ ପ୍ରତି ତୁମ୍ଭର ଯେପରି ପ୍ରେମ ରହିଛି, ସେହିପରି ପ୍ରେମ ତାହାଙ୍କଠାରେ ରହିବ ଓ ମୁଁ ସେମାନଙ୍କଠାରେ ବାସ କରିବି।”
2010 by World Bible Translation Center