Old/New Testament
ଯିହୁଦାର ରାଜା ଅମତ୍ସିୟ
25 ଅମତ୍ସିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିହୋୟଦ୍ଦନ୍। ଯିହୋୟଦ୍ଦନ୍ ଯିରୁଶାଲମରୁ ଆସିଥିଲେ। 2 ଅମତ୍ସିୟ ସଦାପ୍ରଭୁଙ୍କର ଇଚ୍ଛାନୁଯାୟୀ କର୍ମ କଲେ। କିନ୍ତୁ ସେ ଆପଣାର ସମ୍ପୂର୍ଣ୍ଣ ହୃଦୟର ସହିତ ତାହା କଲେ ନାହିଁ। 3 ଅମତ୍ସିୟ ଜଣେ ପରାକ୍ରମୀ ରାଜା ହେଲେ। ଏହା ପରେ ଯେଉଁ ପଦାଧିକାରୀମାନେ ତାଙ୍କର ପିତା, ରାଜାଙ୍କୁ ହତ୍ୟା କରିଥିଲେ, ସେ ସେହି ପଦାଧିକାରୀମାନଙ୍କୁ ହତ୍ୟା କଲେ। 4 କିନ୍ତୁ ଅମତ୍ସିୟ ସେହି ପଦାଧିକାରୀମାନଙ୍କର ସନ୍ତାନମାନଙ୍କୁ ହତ୍ୟା କଲେ ନାହିଁ, କାରଣ ସେ ମୋଶାଙ୍କ ପୁସ୍ତକରେ ଲିଖିତ ନିୟମକୁ ମାନିଲେ। ସଦାପ୍ରଭୁ ଆଦେଶ ଦେଇଥିଲେ, “ପିତାମାତାମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଆଉ ସନ୍ତାନମାନଙ୍କୁ ସେମାନଙ୍କ ପିତାମାତାଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଜଣେ ବ୍ୟକ୍ତିକୁ କେବଳ ତା’ର ନିଜର ମନ୍ଦକର୍ମ ପାଇଁ ହତ୍ୟା କରାଯିବା ଉଚିତ୍।”
5 ଅମତ୍ସିୟ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସେମାନଙ୍କ ବଂଶାନୁଯାୟୀ ସେମାନଙ୍କୁ ଦଳଭୁକ୍ତ କଲେ ଓ ସେ ସେନାଧ୍ୟକ୍ଷ ଓ ସେନାପତିମାନଙ୍କୁ ସେହି ଦଳଗୁଡ଼ିକର ଦାୟିତ୍ୱରେ ରଖିଲେ। ସେହି ନେତାମାନେ ଯିହୁଦା ଓ ବିନ୍ୟାମୀନର ଆଗତ ସମସ୍ତ ସୈନ୍ୟମାନଙ୍କର ଦାୟିତ୍ୱରେ ଥିଲେ। ଯେଉଁ ବ୍ୟକ୍ତିମାନଙ୍କୁ ସୈନ୍ୟରୂପେ ମନୋନୀତ କରାଯାଇଥିଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସର୍ବମୋଟ 300,000 ଦକ୍ଷ ସୈନ୍ୟମାନେ ବର୍ଚ୍ଛା ଓ ଢାଲ ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ। 6 ଅମତ୍ସିୟ ମଧ୍ୟ ଇସ୍ରାଏଲରୁ 100,000 ସୈନ୍ୟ ଭଡ଼ାରେ ଆଣିଲେ। ସେ ସେହି ସୈନ୍ୟମାନଙ୍କ ନିମନ୍ତେ 100 ତାଳନ୍ତ ରୂପା ଦେଲେ। 7 କିନ୍ତୁ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଅମତ୍ସିୟଙ୍କ ନିକଟକୁ ଆସିଲେ। ପରମେଶ୍ୱରଙ୍କର ସେହି ବ୍ୟକ୍ତି କହିଲେ, “ରାଜା, ଇସ୍ରାଏଲର ସୈନ୍ୟମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଅ ନାହିଁ। ସଦାପ୍ରଭୁ ଇସ୍ରାଏଲର ସହିତରେ ନାହାନ୍ତି। ସଦାପ୍ରଭୁ ଇଫ୍ରୟିମର ଲୋକମାନଙ୍କ ସହିତରେ ନାହାନ୍ତି। 8 ହୋଇପାରେ, ତୁମ୍ଭେ ନିଜକୁ ଦୃଢ଼ ଓ ଯୁଦ୍ଧ ନିମନ୍ତେ ସୁପ୍ରସ୍ତୁତ କରିପାର, କିନ୍ତୁ ପରମେଶ୍ୱର ହିଁ ତୁମ୍ଭକୁ ବିଜୟୀ କିଅବା ପରାଜୟୀ ହେବା ନିମନ୍ତେ ସାହାଯ୍ୟ କରି ପାରନ୍ତି।” 9 ଅମତ୍ସିୟ ପରମେଶ୍ୱରଙ୍କ ସେହି ବ୍ୟକ୍ତିଙ୍କୁ କହିଲେ, “କିନ୍ତୁ ମୁଁ ଇସ୍ରାଏଲୀୟ ସୈନ୍ୟଦଳକୁ ଯେଉଁ 100 ତାଳନ୍ତ ରୂପା ଦେଇସାରିଛି, ତାହା ବିଷୟରେ କ’ଣ କରାଯିବ?” ପରମେଶ୍ୱରଙ୍କ ବ୍ୟକ୍ତି ଉତ୍ତର ଦେଲେ, “ସଦାପ୍ରଭୁଙ୍କର ପ୍ରଚୁର ଅଛି, ସେ ତୁମ୍ଭକୁ ତାହାଠାରୁ ଯଥେଷ୍ଟ ଅଧିକ ଦେଇପାରନ୍ତି!”
10 ତେଣୁ ଅମତ୍ସିୟ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ସେମାନଙ୍କ ଗୃହକୁ, ଇଫ୍ରୟିମକୁ ଫେରାଇ ଦେଲେ। ସେହି ଲୋକମାନେ ରାଜା ଓ ଯିହୁଦାର ଲୋକମାନଙ୍କ ଉପରେ ଭୟଙ୍କର କ୍ରୋଧ କଲେ। ସେମାନେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଗୃହକୁ ଫେରିଗଲେ।
11 ଏହା ପରେ ଅମତ୍ସିୟ ଅତ୍ୟନ୍ତ ସାହସୀ ହୋଇ ଉଠିଲେ ଓ ତାଙ୍କର ସୈନ୍ୟଦଳକୁ ଲବଣଉପତ୍ୟକାକୁ କଢ଼ାଇ ନେଲେ। ସେହି ସ୍ଥାନରେ, ଅମତ୍ସିୟଙ୍କ ସୈନ୍ୟଦଳ ସେୟୀରର 10,000 ଲୋକଙ୍କୁ ହତ୍ୟା କଲେ। 12 ଯିହୁଦାର ସୈନ୍ୟଦଳ ମଧ୍ୟ ସେୟୀରର 10,000 ଲୋକଙ୍କୁ କରାୟତ କଲେ। ସେମାନେ ସେହି ଲୋକମାନଙ୍କୁ ସେୟୀରରୁ ସେଲାର ଶୀର୍ଷକୁ ନେଇଗଲେ। ସେହି ଲୋକମାନେ ସେତେବେଳେ ଜୀବିତ ଥିଲେ। ଏହା ପରେ ଯିହୁଦାର ସୈନ୍ୟଦଳ ସେହି ଲୋକମାନଙ୍କୁ ସେଲାରୁ ତଳକୁ ଫୋପାଡ଼ି ଦେଲେ, ଆଉ ସେମାନଙ୍କର ଶରୀର ତଳେ ଥିବା ପଥରରେ ପଡ଼ି ଖଣ୍ଡ ବିଖଣ୍ଡ ହୋଇଗଲା।
13 କିନ୍ତୁ ସେହି ସମୟରେ ହିଁ ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାର କେତେକ ସହର ଉପରେ ଆକ୍ରମଣ କରୁଥିଲେ। ସେମାନେ ଶମରିୟାଠାରୁ ବୈଥ୍ହୋରଣ୍ ପର୍ଯ୍ୟନ୍ତ ସହରଗୁଡ଼ିକୁ ଆକ୍ରମଣ କଲେ। ସେମାନେ 3000 ଲୋକଙ୍କୁ ହତ୍ୟା କଲେ ଓ ଅନେକ ବହୁମୂଲ୍ୟ ସାମଗ୍ରୀମାନ ନେଇଗଲେ। କାରଣ ଅମତ୍ସିୟ ସେମାନଙ୍କ ଯୁଦ୍ଧରେ ଯୋଗ ଦେଇ ନ ଥିଲେ।
14 ଅମତ୍ସିୟ ଇଦୋମୀୟ ଲୋକମାନଙ୍କୁ ପରାସ୍ତ କରିବା ପରେ ଗୃହକୁ ବାହୁଡ଼ି ଆସିଲେ। ସେୟୀରର ଲୋକମାନେ ଯେଉଁ ଦେବ ପ୍ରତିମାକୁ ପୂଜା କରୁଥିଲେ, ସେଗୁଡ଼ିକୁ ସଙ୍ଗରେ ଆଣିଥିଲେ। ଅମତ୍ସିୟ ସେହି ଦେବ ପ୍ରତିମାକୁ ପୂଜା କରିବାକୁ ଆରମ୍ଭ କଲେ। ସେ ସେହି ଦେବତାମାନଙ୍କର ସମ୍ମୁଖରେ ପ୍ରଣିପାତ କଲେ ଓ ସେ ସେମାନଙ୍କର ନିକଟରେ ଧୂପ ଜ୍ୱଳାଇଲେ। 15 ସଦାପ୍ରଭୁ ଅମତ୍ସିୟଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ଅମତ୍ସିୟଙ୍କ ନିକଟକୁ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ପଠାଇଲେ। ଭବିଷ୍ୟଦ୍ବକ୍ତା କହିଲେ, “ଅମତ୍ସିୟ, ତୁମ୍ଭେ କାହିଁକି ସେହି ଲୋକମାନେ ପୂଜା କରୁଥିବା ଦେବତାମାନଙ୍କର ପୂଜା କଲ? ସେହି ଦେବତାମାନେ ସେମାନଙ୍କ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରି ପାରିଲେ ନାହିଁ।”
16 ଭବିଷ୍ୟଦ୍ବକ୍ତା ଯେତେବେଳେ ଏହି କଥା କହିଲେ, ଅମତ୍ସିୟ ସେହି ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ! ଯଦି ତୁମ୍ଭେ ନୀରବ ନ ରୁହ, ତେବେ ତୁମ୍ଭକୁ ହତ୍ୟା କରାଯିବ!” ଭବିଷ୍ୟଦ୍ବକ୍ତା ନୀରବ ହୋଇଗଲେ, କିନ୍ତୁ ତା’ପରେ କହିଲେ, “ପରମେଶ୍ୱର ପ୍ରକୃତରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାରଣ ତୁମ୍ଭେ ସେହି ମନ୍ଦକାର୍ଯ୍ୟସବୁ କଲ ଓ ମୋର ଉପଦେଶ ଶୁଣିଲ ନାହିଁ।”
17 ଯିହୁଦାର ରାଜା ଅମତ୍ସିୟ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହା ପରେ ସେ ଇସ୍ରାଏଲର ରାଜା ଯୋୟାଶଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ଯିହୋୟାହସଙ୍କର ପୁତ୍ର ଥିଲେ। ଯିହୋୟାହସ୍ ଯେହୂଙ୍କ ପୁତ୍ର ଥିଲେ। ଅମତ୍ସିୟ ଯୋୟାଶଙ୍କୁ କହିଲେ, “ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭେଟିବା।”
18 ଏହା ପରେ ଯୋୟାଶ୍ ଅମତ୍ସିୟଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇସ୍ରାଏଲର ରାଜା ଓ ଅମତ୍ସିୟ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ: “ଲିବାନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦେବଦାରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, ‘ତୁମ୍ଭର କନ୍ୟା ମୋର ପୁତ୍ରକୁ ବିବାହ କରୁ।’ କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦେଇ ଗ୍ଭଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଲା। 19 ତୁମ୍ଭେ ନିଜକୁ କହିଲ, ‘ମୁଁ ଇଦୋମକୁ ପରାଜିତ କରିଦେଲି!’ ତୁମ୍ଭେ ଗର୍ବୀ ଓ ଅତ୍ୟନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ୟ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବ, ତେବେ ତୁମ୍ଭେ ଓ ଯିହୁଦା ନଷ୍ଟ ହେବ।”
20 କିନ୍ତୁ ଅମତ୍ସିୟ ତାହା ଶୁଣିଲେ ନାହିଁ। ଏହା ପରମେଶ୍ୱରଙ୍କ ଆଡ଼ୁ ହେଲା। ପରମେଶ୍ୱର ଇସ୍ରାଏଲ ଦ୍ୱାରା ଯିହୁଦାକୁ ପରାସ୍ତ କରିବାକୁ ଯୋଜନା କରିଥିଲେ, କାରଣ ଯିହୁଦାର ଲୋକମାନେ ଇଦୋମର ଲୋକମାନଙ୍କ ଦେବତାର ଅନୁଗାମୀ ହୋଇଥିଲେ। 21 ତେଣୁ ଇସ୍ରାଏଲର ରାଜା ଯୋୟାଶ୍ ବୈଥ୍-ଶେମଶ୍ ସହରରେ ଯିହୁଦାର ରାଜା ଅମତ୍ସିୟଙ୍କୁ ସାମ୍ନା-ସାମ୍ନି ହୋଇ ଭେଟିଲେ। ବୈଥ୍-ଶେମଶ୍ ଯିହୁଦାର ଅଞ୍ଚଳ ଅଟେ। 22 ଇସ୍ରାଏଲ ଯିହୁଦାକୁ ପରାସ୍ତ କଲେ। ଯିହୁଦାର ପ୍ରତ୍ୟେକ ଲୋକ ନିଜ ଗୃହକୁ ଦୌଡ଼ି ପଳାଇଲେ। 23 ଯୋୟାଶ୍ ଯିହୁଦାର ରାଜା ଅମତ୍ସିୟଙ୍କୁ ବୈଥ୍-ଶେମଶ୍ଠାରେ ଧରିଲେ ଓ ତାଙ୍କୁ ଯିରୁଶାଲମକୁ ନେଇଗଲେ। ଅମତ୍ସିୟଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍, ଯୋୟାଶଙ୍କ ପିତାଙ୍କର ନାମ ଥିଲା ଯିହୋୟାହସ୍। ଇସ୍ରାଏଲର ରାଜା ଯୋୟାଶ ଇଫ୍ରୟିମ ଫାଟକଠାରୁ କୋଣସ୍ଥିତ ଫାଟକ ପର୍ଯ୍ୟନ୍ତ ଯିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ। 24 ପରମେଶ୍ୱରଙ୍କ ମନ୍ଦିରରେ ଏବଂ ରାଜାଙ୍କ ପ୍ରାସାଦରେ ସୁନା, ରୂପା ଓ ଆହୁରି ଅନେକ ସାମଗ୍ରୀ ସବୁ ରହିଥିଲା। ଓବେଦ୍-ଇଦୋମ ଏହି ସମସ୍ତର ଦାୟିତ୍ୱରେ ଥିଲେ। କିନ୍ତୁ ଯୋୟାଶ୍ ସେହି ସବୁତକ ସାମଗ୍ରୀ ନେଇଗଲେ। ଏହା ପରେ ଯୋୟାଶ୍ କିଛି ଲୋକଙ୍କୁ ବନ୍ଦୀକରି ନେଇଗଲେ ଓ ଶମରିୟାକୁ ଫେରିଗଲେ।
25 ଯିହୋୟାହସଙ୍କ ପରେ, ତାଙ୍କ ପୁତ୍ର ଇସ୍ରାଏଲର ରାଜା ଯୋୟାଶଙ୍କର ମୃତ୍ୟୁ ହେଲା, ଯୋୟାଶଙ୍କର ପୁତ୍ର ଅମତ୍ସିୟ ଯିହୁଦାର ରାଜା ଆହୁରି ପନ୍ଦର ବର୍ଷ ବଞ୍ଚିଲେ। 26 ଅମତ୍ସିୟ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି। 27 ଯେତେବେଳେ ଅମତ୍ସିୟ ସଦାପ୍ରଭୁଙ୍କର ବାଧ୍ୟ ହେବା ବନ୍ଦ କରିଦେଲେ, ଯିରୁଶାଲମର ଲୋକମାନେ ଅମତ୍ସିୟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସେମାନେ ସେଠାରେ ଅମତ୍ସିୟଙ୍କୁ ହତ୍ୟା କଲେ। 28 ଏହା ପରେ ସେମାନେ ଅମତ୍ସିୟଙ୍କ ଶରୀରକୁ ଅଶ୍ୱ ପୃଷ୍ଠରେ ବୋହି ନେଲେ ଓ ତାଙ୍କୁ ତାଙ୍କର ପୂର୍ବପୁରୁଷଗଣ ସହିତ ଯିହୁଦା ନଗରରେ କବର ଦେଲେ।
ଯିହୁଦାର ରାଜା ଉଷିୟ
26 ଏହା ପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିୟଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ମନୋନୀତ କଲେ। ଅମତ୍ସିୟ ଊଷିୟଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବୟସ୍କ ହୋଇଥିବା ସମୟରେ ଏହିପରି ଘଟିଲା। 2 ଊଷିୟ ପୁନର୍ବାର ଏଲତ୍ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫେରାଇ ଦେଲେ। ଅମତ୍ସିୟ ମୃତ୍ୟୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେବାପରେ ଉଷିୟ ଏହା କଲେ।
3 ଉଷିୟ ରାଜା ହେବା ସମୟରେ ଷୋହଳ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ବାଉନ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିଖଲିୟା। ଯିଖଲିୟା ଯିରୁଶାଲମରୁ ଆସିଥିଲେ। 4 ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କଲେ। ସେ ତାଙ୍କର ପିତା ଅମତ୍ସିୟଙ୍କ ପରି ପରମେଶ୍ୱରଙ୍କୁ ମାନିଲେ। 5 ଉଷିୟ ଯିଖରିୟଙ୍କ ଜୀବନକାଳ ମଧ୍ୟରେ ପରମେଶ୍ୱରଙ୍କର ଅନୁଗମନ କଲେ। ପରମେଶ୍ୱରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ୟ ହେବାକୁ ହେବ, ତାହା ଯିଖରିୟ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତେବେଳେ ସଦାପ୍ରଭୁଙ୍କର ବାଧ୍ୟ ହେଲେ, ପରମେଶ୍ୱର ତାଙ୍କୁ ସଫଳତା ଦେଲେ।
6 ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ଯୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ପଲେଷ୍ଟୀୟ ଲୋକମାନଙ୍କ ମଧ୍ୟରେ ସହରମାନ ନିର୍ମାଣ କଲେ। 7 ପରମେଶ୍ୱର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହରରେ ବାସ କରୁଥିବା ଆରବୀୟ ଓ ମିୟୂନିୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କଲେ। 8 ଅମ୍ମୋନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଷିୟଙ୍କ ନାମ ବିଖ୍ୟାତ ହୋଇ ଉଠିଲା, ସେ ବିଖ୍ୟାତ ହେଲେ, କାରଣ ସେ ଅତ୍ୟନ୍ତ ପରାକ୍ରମୀ ଥିଲେ।
9 ଉଷିୟ ଯିରୁଶାଲମର କୋଣସ୍ଥିତ ଦ୍ୱାର, ଉପତ୍ୟକା ଦ୍ୱାର ଓ ପ୍ରାଚୀର ବୁଲିଯାଇଥିବା ସ୍ଥାନରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସେହି ଦୁର୍ଗଗୁଡ଼ିକୁ ଦୃଢ଼ କଲେ। 10 ଉଷିୟ ମରୁଭୂମି ମଧ୍ୟରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ୟ, ସେ ଅନେକ କୂପ ଖୋଳିଲେ। ପାର୍ବତ୍ୟମୟ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ୟାଞ୍ଚଳ ଓ ଉତ୍ତମ ଶସ୍ୟ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନେବା ନିମନ୍ତେ ସେ ଲୋକମାନଙ୍କୁ ନିଯୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।
11 ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ୟଦଳ ଥିଲା। ସେହି ସୈନିକମାନେ ସଚିବ ଯିୟୂୟେଲ ଓ ପଦାଧିକାରୀ ମାସେୟଙ୍କ ଦ୍ୱାରା ବିଭିନ୍ନ ଦଳରେ ଭର୍ତ୍ତି କରାଯାଇ ଥିଲେ। ହାନାନୀୟ ସେମାନଙ୍କର ନେତା ଥିଲେ। ଯିୟୂୟେଲ୍ ଓ ମାସେୟ ସେହି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀୟ ରାଜାଙ୍କର ଜଣେ ପଦାଧିକାରୀ ଥିଲେ। 12 ସୈନିକମାନଙ୍କ ଉପରେ 2600 ଜଣ ନେତା ଥିଲେ। 13 ସେହି ନେତାମାନେ 307,500 ଜଣ ଲୋକଙ୍କର ଦାୟିତ୍ୱରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ଯୁଦ୍ଧ କରୁଥିଲେ। ସେହି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧରେ ସାହାଯ୍ୟ କରୁଥିଲେ। 14 ଉଷିୟ ସୈନ୍ୟଦଳକୁ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟେଣୀ ପାଇଁ ପଥର ଦେଲେ। 15 ଯିରୁଶାଲମରେ ଉଷିୟ ଚତୁର ଲୋକମାନଙ୍କ ଦ୍ୱାରା ଉଦ୍ଭାବିତ ମେସିନ୍ ସବୁ ନିର୍ମାଣ କଲେ। ସେହି ମେସିନ୍ ଗୁଡ଼ିକ ଦୁର୍ଗ ଓ କୋଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସେହି ମେସିନ୍ ଗୁଡ଼ିକ ତୀର ଓ ପଥର କ୍ଷେପଣ କରିପାରୁ ଥିଲା। ଉଷିୟ ବିଖ୍ୟାତ ହୋଇ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାଯ୍ୟ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହୋଇ ଉଠିଲେ।
16 କିନ୍ତୁ ଉଷିୟ ଯେତେବେଳେ ଶକ୍ତିଶାଳୀ ହୋଇ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବେଦି ଉପରେ ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। 17 ଅସରିୟ ଯାଜକ ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ କରୁଥିବା ଅଶୀ ଜଣ ସାହସୀ ଯୁବକମାନେ ଉଷିୟଙ୍କ ପଛେ ପଛେ ମନ୍ଦିର ମଧ୍ୟକୁ ଗଲେ। 18 ସେମାନେ ଉଷିୟଙ୍କୁ କହିଲେ, ଯେ, ସେ ଭୁଲ୍ କାର୍ଯ୍ୟ କରୁଛନ୍ତି। ସେମାନେ ତାଙ୍କୁ କହିଲେ, “ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ତୁମ୍ଭର କାର୍ଯ୍ୟ ନୁହେଁ। ଏହି କାର୍ଯ୍ୟ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ। ଯାଜକ ଓ ହାରୋଣଙ୍କ ବଂଶଧରମାନେ କେବଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁଗନ୍ଧିଧୂପ ଜ୍ୱଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ୱଳାଇବାର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ଯାଅ। ତୁମ୍ଭେ ବିଶ୍ୱସ୍ତ ହୋଇ ନାହଁ। ସଦାପ୍ରଭୁ ପରମେଶ୍ୱର ଏଥିନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।”
19 କିନ୍ତୁ ଉଷିୟ କ୍ରୋଧାନ୍ୱିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କ୍ରୋଧ କରୁଥିବା ସମୟରେ ହିଁ କୁଷ୍ଠରୋଗ ତାଙ୍କର କପାଳରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିରରେ, ସୁଗନ୍ଧି ଧୂପର ଯଜ୍ଞବେଦି ନିକଟରେ ଯାଜକମାନଙ୍କ ସମ୍ମୁଖରେ ଘଟିଲା। 20 ପ୍ରଧାନ ଯାଜକ ଅସରିୟ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସେମାନେ ତାଙ୍କ କପାଳରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରିଦେଲେ। ଉଷିୟ ନିଜେ ତରତର ହୋଇ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ। 21 ରାଜା ଉଷିୟ ଜଣେ କୁଷ୍ଠରୋଗଗ୍ରସ୍ତ। ସେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ। ଉଷିୟଙ୍କ ପୁତ୍ର ଯୋଥମ୍ ରାଜାଙ୍କ ଗୃହକୁ ନିୟନ୍ତ୍ରଣ କଲେ ଓ ଲୋକମାନଙ୍କର ରାଜ୍ୟପାଳ ହେଲେ।
22 ଉଷିୟ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମୋସଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖା ଯାଇଅଛି। 23 ଉଷିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷେତରେ କବର ପାଇଲେ। କାରଣ ଲୋକମାନେ କହିଲେ, “ଉଷିୟଙ୍କଠାରେ କୁଷ୍ଠରୋଗ ଥିଲା।” ଆଉ ଯୋଥମ୍ ଉଷିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯୋଥମ୍ ଉଷିୟଙ୍କ ପୁତ୍ର ଥିଲେ।
ଯିହୁଦାର ରାଜା ଯୋଥାମ୍
27 ଯୋଥାମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଥିଲା ଯିରୁଶା। ଯିରୁଶା ସାଦୋକଙ୍କର କନ୍ୟା ଥିଲେ। 2 ଯୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସେହିପରି ପରମେଶ୍ୱରଙ୍କର ବାଧ୍ୟ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ। 3 ଯୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଊର୍ଦ୍ଧ୍ୱସ୍ଥ ଦ୍ୱାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ। 4 ଯୋଥମ୍ ଯିହୁଦାର ପାର୍ବତ୍ୟାଞ୍ଚଳମାନଙ୍କରେ ମଧ୍ୟ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ୟ ମଧ୍ୟରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ। 5 ଯୋଥମ୍ ଅମ୍ମୋନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ୟଦଳ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କଲେ ଓ ସେମାନଙ୍କୁ ପରାସ୍ତ କଲେ। ତେଣୁ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଅମ୍ମୋନୀୟମାନେ ଯୋଥାମ୍ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶେଲ ପରିମାଣର ବାର୍ଲି ଦେଲେ।
6 ଯୋଥମ୍ ବିଶ୍ୱସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କର ବାଧ୍ୟ ହେବାରୁ ପରାକ୍ରମୀ ହୋଇ ଉଠିଲେ। 7 ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ସେ କରିଥିବା ଯୁଦ୍ଧର ବିବରଣୀ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖା ଯାଇଅଛି। 8 ଯୋଥମ୍ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। 9 ଏହା ପରେ ଯୋଥମ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଆହସ୍ ଯୋଥମ୍ଙ୍କ ସ୍ଥାନରେ ରାଜା ହେଲେ। ଆହସ୍ ଯୋଥମ୍ଙ୍କ ପୁତ୍ର ଥିଲେ।
16 “ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରି ନ ପାରନ୍ତି। 2 ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି। 3 କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି। 4 ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
ପବିତ୍ରଆତ୍ମାଙ୍କର କାର୍ଯ୍ୟ
“ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି। 5 ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?” 6 ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି। 7 କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଗ୍ଭଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଗ୍ଭଲିଗଲା ପରେ, ମୁଁ ତୁମ୍ଭପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ।
8 “ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା ବିଗ୍ଭର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। 9 ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ’ଠାରେ ବିଶ୍ୱାସ କରନ୍ତି ନାହିଁ। 10 ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା’ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। 11 ସେହି ସାହାଯ୍ୟକାରୀ ବିଗ୍ଭରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଗ୍ଭର ହୋଇ ସାରିଲାଣି।
12 “ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରି ପାରିବ ନାହିଁ। 13 କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ। 14 ପବିତ୍ରଆତ୍ମା ମୋ’ ପାଇଁ ଗୌରବ ଆଣିବେ। ସେ ମୋ’ଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ। 15 ଯାହା ପରମପିତାଙ୍କର ତାହା ସବୁକିଛି ମୋର। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମୋ’ଠାରୁ ସବୁ ନେଇ ତୁମ୍ଭକୁ କହିବେ।
ଦୁଃଖ ସୁଖରେ ପରିଣତ ହେବ
16 “ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା’ପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।”
17 କେତେଜଣ ଶିଷ୍ୟ ପରସ୍ପରକୁ କହିଲେ, “ଯୀଶୁଙ୍କର ଏପରି କହିବା ଅର୍ଥ କ’ଣ, ‘ଅଳ୍ପ ସମୟ ପରେ ତୁମ୍ଭେ ମୋତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତାରେ ତୁମ୍ଭେ ମୋତେ ଦେଖି ପାରିବ।” ପିତାଙ୍କ ନିକଟକୁ ଯିବାର ଅର୍ଥ କ’ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁ ନାହୁଁ। 18 ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ’ଣ?’ ସେ ଏପରି କ’ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।”
19 ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଗ୍ଭରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ମୋ’ କଥାର ଅର୍ଥ କ’ଣ, ତାହା ତୁମ୍ଭେ ପରସ୍ପରକୁ ପଗ୍ଭରୁଛ।” ମୁଁ କହିଲି, “ଅଳ୍ପକ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖି ପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖି ପାରିବ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ,
21 “ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା’ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହେଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ। 22 ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସୀ ହେବ। କେହି ତୁମ୍ଭର ଆନନ୍ଦ ନେଇ ଯିବ ନାହିଁ। 23 ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ। 24 ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।
ପୃଥିବୀ ଉପରେ ବିଜୟ
25 “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। 26 ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। 27 ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। 28 ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।”
29 ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ। 30 ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା’ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”
31 ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ? 32 ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହେଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି।
33 “ମୋ’ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।”
2010 by World Bible Translation Center