New Testament in a Year
17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।
ପତି ଓ ପତ୍ନୀ
21 ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।
22 ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ। 23 ଖ୍ରୀଷ୍ଟ ଯେପରି ମଣ୍ଡଳୀର [a] ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟିୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସେହି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ। 24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍।
25 ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର। 26 ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି। 27 ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ)ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।
28 ଠିକ୍ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା। ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ। 29 କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି। 30 କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ। 31 ଶାସ୍ତ୍ର କୁହେ: “ଅତଏବ ଜଣେ ମନୁଷ୍ୟ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହୋଇ ଯାଆନ୍ତି।” [b] 32 ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି। 33 ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।
2010 by World Bible Translation Center