Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 19

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସହିତ ହିଜକିୟଙ୍କର ପରାମର୍ଶ

19 ରାଜା ହିଜକିୟ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ୟସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମକୁ, ଲେଖକ ଶିବ୍‌ନକୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ପଠାଇଲେ। ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ କହନ୍ତି, ଏହି କ୍ଳେଶ, ଅନୁଯୋଗ ଓ ଅପମାନର ଦିନ। ଏହା ଏପରି ଦିନ ଯେବେ ଶିଶୁଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସେମାନଙ୍କ ପାଖରେ ଶକ୍ତି ନାହିଁ। ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷୟରେ ମନ୍ଦ କଥା କହିବାକୁ ତାଙ୍କର ସେନାଧ୍ୟକ୍ଷଙ୍କୁ ପଠାଇଲେ। ହୋଇପାରେ ସଦାପ୍ରଭୁ ଶୁଣି ପାରନ୍ତି, ଯାହା ସେନାଧ୍ୟକ୍ଷ କହିଲା ଓ ଶତ୍ରୁକୁ ଦଣ୍ତ ଦେବେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”

ହିଜକିୟଙ୍କର ଉଚ୍ଚ ଅଧିକାରୀମାନେ ଯିଶାଇୟଙ୍କୁ ଦେଖିବାକୁ ଗଲେ। ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭର ମହାଶୟ ହିଜକିୟଙ୍କୁ ଏହି ସମ୍ବାଦ ଦିଅ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥାରେ ଭୀତ ହୁଅ ନାହିଁ।” ଦେଖ, ମୁଁ ତାଙ୍କ ମଧ୍ୟରେ ଏକ ଆତ୍ମା ଦେବି ଓ ସେ ଏକ ଜନରବ ଶୁଣିବ ଏବଂ ତା’ର ଦେଶକୁ ଫେରିଯିବ, ଆଉ ମୁଁ ତାକୁ ତା’ର ନିଜ ଦେଶରେ ‌‌ଖ‌ଡ଼୍‌ଗ ଦ୍ୱାରା ବଧ କରିବି।’”

ଅଶୂରର ରାଜାର ପୁନର୍ବାର ହିଜକିୟଙ୍କୁ ସତର୍କବାଣୀ

ଅନନ୍ତର ଅଶୂରୀୟ ରାଜା ଲାଖୀ‌ଶ୍‌କୁ ପ୍ରସ୍ଥାନ କରିଛି ବୋଲି ର‌ବ୍‌ଶାକି ଶୁଣି ଫେରିଗଲା ଓ ଲି‌ବ୍‌ନା ବିରୁଦ୍ଧରେ ତାକୁ ଯୁଦ୍ଧ କରୁଥିବାର ଦେଖିଲା। ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି ଜନରବ ଶୁଣିଲା, “ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।”

ତେଣୁ ଅଶୂରର ରାଜା ପୁନର୍ବାର ହିଜକିୟ ନିକଟକୁ ଦୂତମାନଙ୍କୁ ପଠାଇ କହିଲା। 10 “ତୁମ୍ଭେମାନେ ଯିହୁଦାର ରାଜା ହିଜକିୟଙ୍କୁ ଏହିକଥା କହିବ,

‘ତୁମ୍ଭର ପରମେଶ୍ୱର ଯାହାଙ୍କୁ ବିଶ୍ୱାସ କର ତୁମ୍ଭମାନଙ୍କୁ କଥାରେ ଭୁଲ୍ ବାଟରେ ନ ନିଅନ୍ତୁ, ଯିରୁଶାଲମ ଅଶୂରୀୟ ରାଜାଙ୍କ ଦ୍ୱାରା ଅଧିକୃତ ହେବ ନାହିଁ। 11 ଦେଖ, ତୁମ୍ଭେମାନେ ମଧ୍ୟ ଶୁଣିଅଛ ଯେ, ଅଶୂରୀୟ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଅଛନ୍ତି। ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? ନା! 12 ଆଉ ମଧ୍ୟ ମୋର ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେ‌ତ୍‌ସଫ ଦେଶୀୟମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସେମାନଙ୍କର ଦେବତାଗଣ ସେମାନଙ୍କୁ ଉଦ୍ଧାର କରି ପାରିଲେ ନାହିଁ? 13 ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବୟିମ, ହେନା ଓ ଅବ୍ବାର ରାଜଗଣ? ସେମାନେ ସମସ୍ତେ ବିନାଶ ପ୍ରାପ୍ତ ହୋଇଅଛନ୍ତି।’”

ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି

14 ହିଜକିୟ ତାଙ୍କର ଦୂତମାନଙ୍କଦ୍ୱାରା ପଠାଯାଇଥିବା ଚିଠିଟିକୁ ପାଠକଲେ। ତା’ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ଚିଠିଟିକୁ ମେଲାଇ ଦେଲେ। 15 ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କେବଳ ଏ ସମଗ୍ର ବିଶ୍ୱର ପରମେଶ୍ୱର ଅଟ। ଆଉ ମଧ୍ୟ ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। 16 ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ୱରଙ୍କୁ ଅପମାନ କରିବା ପାଇଁ ସ‌ନ୍‌ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ। 17 ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶକୁ ଧ୍ୱଂସ କରିଅଛନ୍ତି। 18 ଅଶୂରର ରାଜାମାନେ ସେମାନଙ୍କ ଜାତିର ଦେବତାଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧିଭୂତ କଲେ। ଅବଶ୍ୟ ସେମାନେ ପ୍ରକୃତ ଦେବତାଗଣ ନ ଥିଲେ। ମନୁଷ୍ୟକୃତ କାଷ୍ଠ ଓ ପ୍ରସ୍ତରର ପ୍ରତିମା ମାତ୍ର, ତେଣୁ ସେହି ରାଜାମାନେ ସେଗୁଡ଼ିକୁ ବିନାଶ କଲେ। 19 ତେଣୁ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”

ହିଜକିୟଙ୍କୁ ସଦାପ୍ରଭୁଙ୍କର ଉତ୍ତର

20 ଏହା ପରେ ଆମୋସର ପୁତ୍ର ଯିଶାଇୟ ହିଜକିୟଙ୍କ ନିକଟକୁ କହି ପଠାଇଲେ। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସ‌ନ୍‌ହେରୀବ୍ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।

21 “ଏହା ହେଉଛି ସ‌ନ୍‌ହେରୀବ୍ ବିଷୟରେ ସଦାପ୍ରଭୁଙ୍କ ବାର୍ତ୍ତା:

‘ସିୟୋନର ଅନୁଢ଼ା କନ୍ୟା ତୁମ୍ଭକୁ ତାଚ୍ଛଲ୍ୟ କରେ।
    ସେ ତୁମ୍ଭକୁ ପରିହାସ କରିଅଛି।
ଯିରୁଶାଲମର କନ୍ୟା ତୁମ୍ଭ ଆଡ଼େ
    ତୁମ୍ଭକୁ ମୁଣ୍ତ ହଲାଇ ଅଛି।
22 କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା?
    କିଏ ତୁମ୍ଭ ବିରୁଦ୍ଧରେ କହିଲା?
ତେଣୁ ତୁମ୍ଭେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଥିଲ।
    ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ଯ୍ୟ କଲ।
23 ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ଧି‌କ୍‌କାର କରିଅଛ।
    ତୁମ୍ଭେ କହିଲ, “ମୁଁ ମୋର ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଆସିଲି।
    ମୁଁ ଲିବାନୋ‌ନ୍‌ର ଅଭ୍ୟନ୍ତରକୁ ଆସିଅଛି।
ମୁଁ ତାହାର ଉଚ୍ଚ ଏର‌‌‌ସବୃକ୍ଷ ଓ ତାହାର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇଲି।
    ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ଲିବାନୋ‌ନ୍‌ର ଉର୍ଦ୍ଧକୁ ଗଲି।
24 ଆମ୍ଭେ ନୂତନ ସ୍ଥାନରେ କୂପ ଖୋଳିଅଛୁ ଓ ଜଳପାନ କରିଅଛୁ।
    ପୁଣି ଆମ୍ଭେ ମିଶରର ସମସ୍ତ ନଦୀ ଶୁଷ୍କ କରିଅଛୁ
    ଓ ଦେଶରେ ପଦ ଗ୍ଭରଣ କରିଅଛୁ।”

25 ତୁମ୍ଭେ କ’ଣ ଏହା ଶୁଣି ନାହଁ, ପରମେଶ୍ୱର କ’ଣ କହିଲେ?
    ଯେ କିପରି ଆମ୍ଭେ ପୁରାତନ କାଳରୁ ଏହା ନିରୂପଣ କରିଅଛୁ
ଓ ପୂର୍ବ କାଳରୁ ଏହା ସ୍ଥିର କରିଅଛୁ।
    ଆମ୍ଭେ ପ୍ରାଚୀର ବେଷ୍ଟିତ ନଗରମାନ ଧ୍ୱଂସ କରି ସେ ସବୁକୁ ଢିପ କରିବା।
ଆମ୍ଭେ ଏହା ଘଟିବା ପାଇଁ କରିଅଛୁ।
26 ଏଣୁ ସେ ନଗର ଗୁଡ଼ିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ।
    ସେମାନେ ହତାଶ ଓ ଉ‌ଦ୍‌ବିଗ୍ନ ହେଲେ।
ସେମାନେ କ୍ଷେତର ଶାକ ଓ ନବୀନ ତୃଣ ପରି,
    ଗୃହଛାତ ଉପରିସ୍ଥ ଘାସ ଏହା ବଢ଼ିବା ପୂର୍ବରୁ ଶୁଷ୍କ ହେଉଛି।
27 ମାତ୍ର କେତେବେଳେ ତୁମ୍ଭର ବସିବାର,
ବାହାରକୁ ଯିବାର ଭିତରକୁ ଆସିବାର
    ଓ ମୋ’ ସହିତ ତୁମ୍ଭ ଧୈର୍ଯ୍ୟଚ୍ୟୁତ ହେବାର
    ଆମ୍ଭେ ଜାଣୁ।
28 ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ
    ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧି‌କ୍‌କାର ଆମ୍ଭର କର୍ଣ୍ଣଗୋଚର ହୋଇଅଛି।
ଏଣୁ ଆମ୍ଭେ ତୁମ୍ଭ ନାସିକାରେ ଅଙ୍କୁଶ
    ଓ ତୁମ୍ଭ ଓଷ୍ଠାଧରରେ ଲଗାମ ଦେବା।
ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ
    ସେହି ବାଟରେ ତୁମ୍ଭଙ୍କୁ ଫେରାଇ ଦେବା।’”

ହିଜକିୟଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା

29 “ହେ ହିଜକିୟ, ଏହା ତୁମ୍ଭ ପ୍ରତି ମୋର ସାହାଯ୍ୟର ଚିହ୍ନ ହେବ। ଏହି ବର୍ଷ ତୁମ୍ଭେମାନେ ସ୍ୱୟଂ କ୍ଷେତରେ ବଢ଼ିଥିବା ଶସ୍ୟ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ୟ କାଟିବ ଓ ତୁମ୍ଭଦ୍ୱାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ। 30 ପୁଣି ଯିହୁଦା ବଞ୍ଚିରହିଥିବା ଅବଶିଷ୍ଟ ଲୋକମାନେ ସେମାନଙ୍କର ପରିବାରରେ କେହି ଗୁଣାରେ ବଢ଼ିପାଇବେ। 31 ଅଳ୍ପ କେତେକ ମୃତ୍ୟୁରୁ ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ଯିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।

32 “ତେଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କୁହନ୍ତି।

‘ସେ ଏହି ନଗରକୁ ଆସିବ ନାହିଁ ନଗରରେ ତୀର ନିକ୍ଷେପ କରିବ ନାହିଁ।
    ସେ ଏହି ନଗର ବିରୁଦ୍ଧରେ ଢାଲ ଧରି ଆସିବ ନାହିଁ।
ସେ ଏହି ନଗରକୁ ଆକ୍ରମଣ କରିବାକୁ
    ଗଡ଼ାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।
33 ପୁଣି ସଦାପ୍ରଭୁ କହନ୍ତି,
    ସେ ଯେଉଁ ବାଟରେ ଆସିଥିଲା ସେହି ବାଟରେ ଫେରିଯିବ।
    ସେ ଏ ନଗରକୁ ଆସିବ ନାହିଁ।
34 ମୁଁ ଏହି ନଗରକୁ ରକ୍ଷା କରିବି।
    ମୋ’ ନିଜ ସକାଶେ ଓ ମୋର ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦେବି।’”

ଅଶୂରୀୟ ସୈନ୍ୟବାହିନୀ ବିନାଶ ହୁଅନ୍ତି

35 ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ଅଶୂରୀୟମାନଙ୍କର ଛାଉଣିରେ 185,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ୟମାନେ ପ୍ରଭାତରେ ମୃତ ଶରୀର ଦେଖିଲେ।

36 ତେଣୁ ଅଶୂରର ରାଜା ସ‌ନ୍‌ହେରୀବ୍ ପ୍ରସ୍ଥାନ କଲା ଓ ନିନିବୀରେ ଅବସ୍ଥାନ କଲା। 37 ଏକଦା ସ‌ନ୍‌ହେରୀବ୍ ଆପଣା ନିଷ୍ରୋକ ନାମକ ଦେବତାକୁ ମନ୍ଦିରରେ ପୂଜା କରିବା ବେଳେ ତା’ର ପୁତ୍ର ଅଦ୍ରମ୍ମେଲକ ଓ ଶରେ‌ତ୍‌ସର ତାହାକୁ ‌‌ଖ‌ଡ଼୍‌ଗରେ ବଧ କଲେ। ତା’ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ଆଉ ତା’ର ପୁତ୍ର ଏସରହଦ୍ଦୋନ ତାହାର ପଦରେ ରାଜା ହେଲା।

ଏବ୍ରୀ 1

ପରମେଶ୍ୱର ନିଜ ପୁତ୍ର ମାଧ୍ୟମରେ କଥା କହିଛନ୍ତି

ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ। କିନ୍ତୁ ଏହି ଶେଷ ସମୟରେ ପରମେଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ୱାରା ସାରା ବିଶ୍ୱ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସେହି ପୁତ୍ର ପରମେଶ୍ୱରଙ୍କ ମହିମା ପ୍ରକାଶ କରନ୍ତି। ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା’ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ। ପରମେଶ୍ୱର ତାହାଙ୍କୁ ସମସ୍ତ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମ ଦେଲେ, ତେଣୁ ସେ ଯେକୌଣସି ସ୍ୱର୍ଗଦୂତଙ୍କଠାରୁ ମଧ୍ୟ ଅଧିକ ମହାନ୍ ହୋଇଅଛନ୍ତି।

ଆହୁରି ମଧ୍ୟ ସେ କୌଣସି ସ୍ୱର୍ଗଦୂତଙ୍କୁ କହି ନ ଥିଲେ ଯେ:

“ତୁମ୍ଭେ ମୋର ପୁତ୍ର;
    ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” (A)

ପୁନର୍ବାର ପରମେଶ୍ୱର କୌଣସି ସ୍ୱର୍ଗଦୂତକୁ ଏହା କହି ନାହାନ୍ତି ଯେ,

“ମୁଁ ତା’ର ପିତା ହେବି,
    ସେ ମୋର ପୁତ୍ର ହେବ।” (B)

ଓ ଯେତେବେଳେ ପରମେଶ୍ୱର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ୟକୁ ଆଣିବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି:

“ପରମେଶ୍ୱରଙ୍କର ସବୁ ସ୍ୱର୍ଗଦୂତ ପୁତ୍ରଙ୍କୁ ପ୍ରଣାମ କରନ୍ତୁ।” [a]

ନିଜର ସ୍ୱର୍ଗଦୂତମାନଙ୍କ ବିଷୟରେ ପରମେଶ୍ୱର କହିଛନ୍ତି:

“ପରମେଶ୍ୱର ଆପଣା ସ୍ୱର୍ଗଦୂତମାନଙ୍କୁ ବାୟୁସ୍ୱରୂପ କରନ୍ତି,
    ଓ ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ୱରୂପ କରନ୍ତି।” (C)

କିନ୍ତୁ ପରମେଶ୍ୱର ନିଜ ପୁତ୍ର ବିଷୟରେ କୁହନ୍ତି:

“ହେ ପରମେଶ୍ୱର! ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ,
    ତୁମ୍ଭେ ନ୍ୟାୟରେ ରାଜ୍ୟଶାସନ କରିବ
ତୁମ୍ଭେ ଧାର୍ମିକତାକୁ ଭଲ ପାଅ, ଓ ତୁମ୍ଭେ ଭୁଲକୁ ଘୃଣା କର।
    ଅତଏବ ପରମେଶ୍ୱର, ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା
    ତୁମ୍ଭକୁ ଅଧିକ ଆନନ୍ଦ ପ୍ରଦାନ କରିଛନ୍ତି।” (D)

10 ପରମେଶ୍ୱର ଏହା ମଧ୍ୟ କହନ୍ତି:

“ହେ ପ୍ରଭୁ! ତୁମ୍ଭେ ଆରମ୍ଭରେ ପୃଥିବୀ ନିର୍ମାଣ କଲ,
    ଓ ତୁମ୍ଭର ହାତ ଆକାଶ ନିର୍ମାଣ କଲା।
11 ଏହି ବିଷୟ ଗୁଡ଼ିକ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ୟସ୍ଥାୟୀ।
    ସମସ୍ତ ବିଷୟ ବସ୍ତ୍ରଭଳି ପୁରୁଣା ହୋଇଯିବ।
12 ତୁମ୍ଭେ ଗ୍ଭଦର ଭଳି ସେହିସବୁ ଗୁଡ଼ାଇବ
    ଓ ସେମାନେ ବସ୍ତ୍ର ଭଳି ପରିବର୍ତ୍ତିତ ହେବେ।
କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ,
    ଓ ତୁମ୍ଭ ଜୀବନର ଶେଷ ହେବ ନାହିଁ।” (E)

13 ପରମେଶ୍ୱର କେବେ ହେଲେ କୌଣସି ସ୍ୱର୍ଗଦୂତକୁ କହିଛନ୍ତି କି ଯେ:

“ଯେତେବେଳ ପର୍ଯ୍ୟନ୍ତ ମୁଁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ତୁମ୍ଭ କର୍ତ୍ତୃତ୍ୱରେ ନ ଆଣିଛି,
    ସେ ପର୍ଯ୍ୟନ୍ତ ମୋ’ ଡାହାଣରେ ବସିଥାଅ।” (F)

14 ସମସ୍ତ ସ୍ୱର୍ଗଦୂତ ଆତ୍ମା ଅଟନ୍ତି। ସେମାନେ ପରମେଶ୍ୱରଙ୍କ ସେବା କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 12

ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ

12 ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।

ସଦାପ୍ରଭୁ କୁହନ୍ତି, “ଆମ୍ଭର ଯିହୁଦା ବିପକ୍ଷରେ ଏକ ଯୁକ୍ତି ଅଛି। ଯାକୁବ ତା’ର କୁପଥଗୁଡ଼ିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦକାର୍ଯ୍ୟ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହେବ। ଯାକୁବ ମାତୃଗର୍ଭରେ ଥିଲା ଏବଂ ତା’ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା। ଯାକୁବ ପରମେଶ୍ୱରଙ୍କ ଦୂତ ସହିତ ମଲ୍ଲଯୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥ‌‌ଲ୍‌‌‌‌ରେ ଘଟିଥିଲା। ସେହିସ୍ଥାନରେ ସେ ପରମେଶ୍ୱରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା। ହଁ, ସଦାପ୍ରଭୁ ସୈନ୍ୟବାହିନୀର ପରମେଶ୍ୱର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ। ତେଣୁ ତୁମ୍ଭେମାନେ ସେହି ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ତାଙ୍କ ପ୍ରତି ବିଶ୍ୱସ୍ତ ହୁଅ। ଠିକ୍ କାର୍ଯ୍ୟ କର। ସର୍ବଦା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ।

“ଯାକୁବ ଜଣେ ପ୍ରକୃତ ବ୍ୟବସାୟୀ। ସେ ଏପରିକି ତା’ର ବନ୍ଧୁଙ୍କୁ ମଧ୍ୟ ଠକେ। ଏପରିକି ତାଙ୍କ ନିକିତି ମଧ୍ୟ ମିଛ କହେ। ଇଫ୍ରୟିମ କହିଲେ, ‘ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ୟକ୍ତି ମୋର ଅପରାଧ ଜାଣିବ ନାହିଁ। କେହି ମଧ୍ୟ ମୋର ପାପ ଜାଣି ପାରିବ ନାହିଁ।’

“ମିଶରରେ ଥିବା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଉତ୍ସବ ଦିନରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁରେ ରଖିବା। 10 ଆମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭମାନଙ୍କୁ ଏବଂ ସେମାନଙ୍କୁ ବହୁ ଦର୍ଶନ ଦେଲୁ। ଆମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦେଲୁ। 11 ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗି‌‌ଲ୍‌‌‌‌ଗ‌‌ଲ୍‌‌‌‌ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ।

12 “ଯାକୁବ ଅରାମ ରାଜ୍ୟକୁ ପଳାଇଲେ। ସେହି ସ୍ଥାନରେ ଇସ୍ରାଏଲ ଗୋଟିଏ ସ୍ତ୍ରୀ ପାଇଁ କାର୍ଯ୍ୟ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମେଷ ରଖିଲେ। 13 କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇସ୍ରାଏଲକୁ ନେଇ ଆସିଲେ। ସଦାପ୍ରଭୁ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଲଗାଇ ଇସ୍ରାଏଲକୁ ନିରାପଦ ରଖିଲେ। 14 କିନ୍ତୁ ଇଫ୍ରୟିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରୟିମ ବହୁ ଲୋକଙ୍କୁ ହତ୍ୟା କଲା। ତେଣୁ ସେ ତା’ର ଦୋଷ ପାଇଁ ଦଣ୍ତିତ ହେବ। ସେମାନଙ୍କର ମୁନିବ ପରମେଶ୍ୱର ସେହି ଅପମାନ ସେମାନଙ୍କୁ ସହ୍ୟ କରାଇବେ।”

ଗୀତସଂହିତା 135-136

135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
    ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
    ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
    ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।

ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
    ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
    ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
    ସେ ବର୍ଷା ସହିତ ବିଜୁଳି କରାନ୍ତି।
    ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ କଲେ।
    ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
    ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
    ଓ ବାଶନର ରାଜା ଓ‌ଗ୍‌କୁ
    ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
    ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।

13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
    ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
    ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
    ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
    ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
    ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
    ସେମାନେ ସେମାନଙ୍କ ତୁଲ୍ୟ ହେବେ।

19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
    ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

136 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଦେବତାମାନଙ୍କର ଦେବତାର ପ୍ରଶଂସା କର।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହଙ୍କର ପ୍ରଶଂସା କର।
    ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ,
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ,
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
12 ପରମେଶ୍ୱର ତାହଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
13 ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ।
    ତାହଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।
14 ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
15 ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
16 ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
18 ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
19 ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
20 ପରମେଶ୍ୱର ବାଶନର ରାଜା ଓ‌ଗ୍‌କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
21 ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
22 ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
23 ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
24 ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
25 ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
26 ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର!
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center