M’Cheyne Bible Reading Plan
ଜ୍ୱଳନ୍ତା ବୁଦା
3 ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା। 2 ସେହି ପର୍ବତରେ, ମୋଶା ଦେଖିଲେ ସଦାପ୍ରଭୁଙ୍କର ଦୂତ ଏକ ଜ୍ୱଳନ୍ତା ବୁଦା ମଧ୍ୟରେ ଥିଲେ।
ମୋଶା ଦେଖିଲେ, ବୁଦାରେ ଅଗ୍ନି ଲାଗି ଥିଲେ ମଧ୍ୟ ତାହା ଧ୍ୱଂସ ହେଉ ନ ଥିଲା। 3 ତେଣୁ ମୋଶା ନିଶ୍ଚିତ କଲେ, ସେହି ବୁଦା ପାଖକୁ ଯାଇ ଅଦ୍ଭୂତ ଦୃଶ୍ୟ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁରେ ଜଳି ମଧ୍ୟ ନଷ୍ଟ ହେଉ ନାହିଁ?
4 ସଦାପ୍ରଭୁ ଦେଖିଲେ, ମୋଶା ବୁଦା ଆଡ଼କୁ ଆସୁଛନ୍ତି। ତେଣୁ ପରମେଶ୍ୱର ବୁଦା ମଧ୍ୟରୁ ମୋଶାଙ୍କୁ ଡାକିଲେ, ପରମେଶ୍ୱର କହିଲେ, “ମୋଶା, ମୋଶା!”
ମୋଶା କହିଲେ, “ହଁ ଆଜ୍ଞା, ସଦାପ୍ରଭୁ।”
5 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭର ଅଧିକ ନିକଟବର୍ତ୍ତୀ ହୁଅ ନାହିଁ। ତୁମ୍ଭ ପାଦରୁ ପାଦୁକା କାଢ଼ି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡ଼ା ହୋଇଛ ତାହା ପବିତ୍ର ଭୂମି ଅଟେ। 6 ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ୱର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ୱର ଅଟୁ।”
ମୋଶା ପରମେଶ୍ୱରଙ୍କୁ ଦେଖି ଭୟରେ ତାଙ୍କର ମୁହଁ ଆବୃତ କଲେ।
7 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ। 8 ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ। 9 ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି। 10 ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ରେରଣ କରିବା। ଯାଅ! ଆମ୍ଭର ଲୋକମାନଙ୍କୁ ଆଗେଇ ନିଅ, ଇସ୍ରାଏଲୀୟମାନଙ୍କୁ ମିଶର ମଧ୍ୟରୁ ଆଗେଇ ନେଇଯାଅ!”
11 କିନ୍ତୁ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ ଫାରୋ ନିକଟକୁ ଯିବା ପାଇଁ କିଏ? କିପରି ମୁଁ ଇସ୍ରାଏଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?”
12 ତା’ପରେ ପରମେଶ୍ୱର କହିଲେ, “ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବା! ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କରୁଛୁ, ଏହା ତା’ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭେମାନେ ଏହି ପର୍ବତରେ ଆମ୍ଭର ଉପାସନା କରିବ।”
13 ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?”
14 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।” 15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’
16 ସଦାପ୍ରଭୁ ଆହୁରି କହିଲେ, “ଯାଅ ଏବଂ ଇସ୍ରାଏଲୀୟ ପ୍ରାଚୀନଗଣଙ୍କୁ କୁହ, ‘ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର, ମୋତେ କହି ଅଛନ୍ତି, ମିଶରୀୟମାନଙ୍କ ଦ୍ୱାରା ତୁମ୍ଭଙ୍କୁ ଦିଆଯାଇଥିବା ଯନ୍ତ୍ରଣାସବୁ, ଆମ୍ଭେ ଟିପି ନେଇଅଛୁ। 17 ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀୟମାନଙ୍କ ହିତ୍ତୀୟମାନଙ୍କ, ପିରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁଗ୍ଧମଧୁପ୍ରବାହୀ ଦେଶକୁ ନେଇଯିବା।’
18 “ଇସ୍ରାଏଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରାଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ଯାଅ। ତୁମ୍ଭେମାନେ ତାଙ୍କୁ କହିବ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନୟ କରୁଅଛୁ, ତିନି ଦିନ ମରୁଭୂମି ମଧ୍ୟକୁ ଯାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।’
19 “କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ୟ ହାତର ଶକ୍ତି ବିନା ମିଶରର ରାଜାକୁ ଜବରଦସ୍ତ କରାଗଲେ ମଧ୍ୟ, ତୁମ୍ଭମାନଙ୍କୁ ଯିବାକୁ ଦେବ ନାହିଁ। 20 ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧରେ କାର୍ଯ୍ୟ କରାଇବା। ଆମ୍ଭେ ମିଶରରେ ଆଶ୍ଚର୍ଯ୍ୟ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ। 21 ଆଉ ଆମ୍ଭେ ମିଶରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହର ପାତ୍ର କରିବା, ତହିଁରେ ତୁମ୍ଭମାନଙ୍କର ଯାତ୍ରା ସମୟରେ ସେମାନେ ତୁମ୍ଭମାନଙ୍କୁ ଉପହାରମାନ ଦେବେ।
22 “ସମସ୍ତ ଇସ୍ରାଏଲୀୟ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ, ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବ, ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭେମାନେ ମିଶରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।”
ଯୀଶୁ ବିଶ୍ରାମବାରର ପ୍ରଭୁ(A)
6 ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କର ଶିଷ୍ୟମାନେ କେତେକ ଶସ୍ୟ ଛିଣ୍ତେଇଲେ ଓ ତାହାକୁ ଦୁଇ ହାତରେ ଦଳିଲେ ଏବଂ ଖାଇଲେ। 2 କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?”
3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ’ଣ କରିଥିଲେ, ତାହା କ’ଣ ତୁମ୍ଭେମାନେ ପଢ଼ି ନାହଁ? 4 ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ। 5 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ମାଲିକ।”
ଯୀଶୁ ବିଶ୍ରାମବାରରେ ଜଣେ ରୋଗୀକୁ ସୁସ୍ଥ କଲେ(B)
6 ଆଉ ଗୋଟିଏ ବିଶ୍ରାମବାରରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସେଠାରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସେଠାରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହୋଇ ଯାଇଥିଲା। 7 ବିଶ୍ରାମବାରରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସେଠାରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସେମାନେ ଦେଖିବାକୁ ଗ୍ଭହୁଁଥିଲେ ଯେ, ଯୀଶୁ କିଛି ଭୁଲ୍ କାମ କଲେ ସେମାନେ ତାହାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବେ। 8 କିନ୍ତୁ ସେମାନେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହୋଇ ଯାଇଥିଲା, ଯୀଶୁ ତାହାକୁ କହିଲେ, “ଉଠ ଓ ସମସ୍ତଙ୍କ ଆଗରେ ଠିଆ ହୋଇ ଯାଅ।” ସେ ଉଠିପଡ଼ି ସମସ୍ତଙ୍କ ଆଗରେ ଠିଆ ହୋଇଗଲା। 9 ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଗ୍ଭରୁଛି ବିଶ୍ରାମବାରରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ୍? କାହାରି ଜୀବନ ରକ୍ଷା କରିବା ଉଚିତ୍ ନା କାହାରି ଜୀବନ ନଷ୍ଟ କରିବା।”
10 ଯୀଶୁ ଗ୍ଭରିଆଡ଼କୁ ସମସ୍ତଙ୍କ ଉପରେ ଦୃଷ୍ଟି ପକେଇଲେ ଓ ପୁଣି ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ବଢ଼ାଅ।” ସେ ସେହିଭଳି କଲା ଓ ତା’ ହାତ ପୁଣି ସୁସ୍ଥ ହୋଇଗଲା। 11 ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେ, “ଯୀଶୁଙ୍କ ପାଇଁ କ’ଣ କରାଯିବ?”
ଯୀଶୁ ତାହାଙ୍କ ବାରଜଣ ପ୍ରେରିତଙ୍କୁ ବାଛିଲେ(C)
12 ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ। 13 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଡାକିଲେ। ସେ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ୟମାନଙ୍କୁ ‘ପ୍ରେରିତ’ ନାମ ଦେଲେ।
14 ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ।
ଶିମୋନଙ୍କ ଭାଇ ଆନ୍ଦ୍ରିୟ,
ଯାକୁବ ଓ
ଯୋହନ,
ଫିଲିପ୍ପ ଓ
ବାର୍ଥଲମି,
15 ମାଥିଉ,
ଥୋମା,
ଆଲଫିଙ୍କ ପୁତ୍ର ଯାକୁବ,
ଶିମୋନ ଯାହାଙ୍କୁ ଉଦ୍ଯୋଗୀ ବୋଲି କୁହନ୍ତି।
16 ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତ ଯିହୂଦା ପରେ ଏହି ଯିହୂଦା ବିଶ୍ୱାସ ଘାତକତା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
ଯୀଶୁ ଲୋକଙ୍କୁ ଉପଦେଶ ଦେଲେ ଓ ରୋଗ ମୁକ୍ତକଲେ(D)
17 ତା’ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ। 18 ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ। 19 ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦେହରୁ ଶକ୍ତି ବାହାରୁ ଥିଲା। ସେ ସେହି ଲୋକମାନଙ୍କୁ ସୁସ୍ଥ କରିଦେଲେ।
20 ଶିଷ୍ୟମାନଙ୍କ ଆଡ଼କୁ ଗ୍ଭହିଁ ଯୀଶୁ କହିଲେ,
“ହେ ଦୀନହୀନ ଲୋକମାନେ! ତୁମ୍ଭେମାନେ ଧନ୍ୟ
କାରଣ ତୁମ୍ଭେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।
21 ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ,
କାରଣ ତୁମ୍ଭେମାନେ ପରିତୃପ୍ତ ହେବ।
ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ,
କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।
22 “ମନୁଷ୍ୟପୁତ୍ରଙ୍କ ଯୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କ ବିଷୟରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିଦେବେ, ଯେତେବେଳେ ଏହା ଘଟିବ, ତୁମ୍ଭେ ଧନ୍ୟ ହେବ। 23 ସେତେବେଳେ ଆନନ୍ଦରେ ନାଚି ଉଠିବ। କାରଣ ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ମହା ପୁରସ୍କାର ରହିଛି। ସେମାନଙ୍କର ପୂର୍ବପୁରୁଷମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ଠିକ୍ ସେହିଭଳି ବ୍ୟବହାର ଦେଖାଇ ଥିଲେ ଯେଉଁଭଳି ଏବେ ସେମାନେ ତୁମ୍ଭକୁ ବ୍ୟବହାର ଦେଖାଉଛନ୍ତି।
24 “କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍
କାରଣ ତୁମ୍ଭେମାନେ ଆରାମଦାୟକ ଜୀବନ କଟାଇ ଆସିଛ।
25 ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ।
କାରଣ ତୁମ୍ଭେମାନେ ଭୋକିଲା ହେବ।
ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ,
କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।
26 “ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ ‘ଭଲ’ ବୋଲି କହୁଛନ୍ତି। କାରଣ ସେମାନଙ୍କର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ୟଦ୍ବକ୍ତାମାନଙ୍କୁ ମଧ୍ୟ ଭଲ ବୋଲି କହୁଥିଲେ।
ତୁମ୍ଭର ଶତ୍ରୁକୁ ପ୍ରେମ କର(E)
27 “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର। 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର। 29 ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ। 30 ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। 31 ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ।
32 “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ତୁମ୍ଭେମାନେ ଯଦି କେବଳ ସେହି ଲୋକମାନଙ୍କୁ ପ୍ରେମ କରୁଛ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ସେହିମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି। 33 ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କର ଉପକାର କରିବ, ତେବେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ୟ ଏହିପରି କରନ୍ତି। 34 ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥିବ, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କୁ ଟଙ୍କା ଧାର ଦିଅ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ଟଙ୍କା ଫେରି ପାଇବା ଆଶାରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।
35 “ତେଣୁ ନିଜ ଶତ୍ରୁକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫେରି ପାଇବାର କୌଣସି ଆଶା ନ ରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ ହେବ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ୟ ଦୟାଶୀଳ ଅଟନ୍ତି। 36 ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ରେମ ଦେଖାନ୍ତି ଓ ଦୟା କରନ୍ତି, ତୁମ୍ଭେମାନେ ମଧ୍ୟ, ସେହିଭଳି ଅନ୍ୟମାନଙ୍କୁ ଦୟା ଦେଖାଅ ଓ ପ୍ରେମ କର।
ନିଜକୁ ଦେଖ(F)
37 “ତୁମ୍ଭେମାନେ କାହାରି ବିଗ୍ଭର କର ନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ୟ ବିଗ୍ଭର କରାଯିବ ନାହିଁ। କୌଣସି ବ୍ୟକ୍ତିକୁ ଦୋଷୀ କର ନାହିଁ, ତେବେ ତୁମ୍ଭେ ମଧ୍ୟ ଦୋଷୀ ବିବେଚିତ ହେବ ନାହିଁ। ଅନ୍ୟକୁ କ୍ଷମା କରିଦିଅ, ତେବେ ତୁମ୍ଭେମାନଙ୍କୁ ମଧ୍ୟ କ୍ଷମା କରି ଦିଆଯିବ। 38 ଅନ୍ୟକୁ ଦିଅ, ତେବେ ତୁମ୍ଭେମାନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆଯିବ। ତୁମ୍ଭେମାନେ ଯେତିକି ଧରି ପାରିବ, ତା’ଠାରୁ ଅଧିକ ତୁମ୍ଭମାନଙ୍କ ହାତରେ ଢାଳି ଦିଆଯିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆଯିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡ଼ିବ। ତୁମ୍ଭେମାନେ ଯେଉଁଭଳି ଭାବରେ ଅନ୍ୟକୁ ଦେବ, ପରମେଶ୍ୱର ବି ତୁମ୍ଭମାନଙ୍କୁ ସେହିଭଳି ଭାବରେ ଦେବେ।”
39 ଯୀଶୁ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ, “ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦେଖାଇ ପାରିବ କି? ନା! ତାହାକଲେ ଉଭୟ ଗୋଟିଏ ଖାଲରେ ଖସି ପଡ଼ିବେ। 40 ଜଣେ ଛାତ୍ର ତା’ ଶିକ୍ଷକଠାରୁ ବଡ଼ ହେଇ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରତ୍ୟେକ ବିଷୟ ସମ୍ପୂର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହୋଇଯାଏ।
41 “ତୁମ୍ଭେମାନେ ନିଜ ଭାଇ ଆଖିରେ ପଡ଼ିଥିବା ଗୋଟିଏ ଛୋଟ ଗୁଣ୍ଡଟି ଆଡ଼କୁ କାହିଁକି ଗ୍ଭହୁଁଛ? ତୁମ୍ଭମାନଙ୍କୁ କ’ଣ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖାଯାଉ ନାହିଁ? 42 ତୁମ୍ଭେ ଯେତେବେଳେ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖି ପାରୁ ନାହିଁ, ସେତେବେଳେ ନିଜ ଭାଇକୁ କିପରି କହି ପାରିବ: ‘ଭାଇ, ଆସ ତୁମ୍ଭ ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରିଦେବି’। ଆରେ କପଟୀ! ଆଗ ନିଜ ଆଖିରେ ପଡ଼ିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖି ପାରିବ ଓ ଭାଇର ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରି ପାରିବ।
ଦୁଇ ପ୍ରକାରର ଫଳ(G)
43 “ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ। ଠିକ୍ ସେହିଭଳି ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ। 44 ପ୍ରତ୍ୟେକ ଗଛ ତା’ର ଫଳ ଦ୍ୱାରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷାକୋଳି ପାଆନ୍ତି ନାହିଁ। 45 ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।
ଦୁଇ ପ୍ରକାରର ମଣିଷ(H)
46 “ତୁମ୍ଭେମାନେ ମୋତେ କାହିଁକି ‘ପ୍ରଭୁ’, ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭେମାନେ ତ ତାହା କରୁ ନାହଁ? 47 ଯେଉଁ ଲୋକ ମୋ’ ପାଖକୁ ଆସେ, ମୋ’ ଉପଦେଶ ଶୁଣେ ଓ ତାହାକୁ ମାନେ, 48 ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ଼ ପଥର ଉପରେ ମୂଳଦୁଆ ପକାଏ! ଯେତେବେଳେ ବଢ଼ି ଆସେ, ପାଣି ସେ ଘରକୁ ଭସେଇ ନେବାକୁ ଧକ୍କା ମାରେ, କିନ୍ତୁ ଆଦୌ ହଲେଇ ପାରେ ନାହିଁ। କାରଣ ଘରଟି ମଜ୍ଭୂତ ଭାବରେ ତିଆରି ହୋଇଥାଏ।
49 “କିନ୍ତୁ ଯେଉଁ ଲୋକ ମୋର ଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୂଳଦୁଆ ନ ପକାଇ କେବଳ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତେବେଳେ ବଢ଼ି ଆସେ, ଘରଟି ଅତି ସହଜରେ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।”
ସୋଫର ଉତ୍ତର ଦେଲା
20 ତା’ପରେ ନାମାଥୀୟ ସୋଫର ଉତ୍ତର ଦେଇ କହିଲା,
2 “ମୋର ଉଦ୍ବେଗ ଚିନ୍ତା ମୋତେ ବାଧ୍ୟ କରିଛି ତୁମକୁ ଉତ୍ତର ଦେବା ପାଇଁ,
କାରଣ ମୁଁ ଅତିରିକ୍ତ ବିଚଳିତ।
3 ତୁମ୍ଭେ ତୁମ୍ଭର ଉତ୍ତରରେ ଆମ୍ଭକୁ ଅପମାନିତ କରିଛ।
କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦେବାକୁ ହେବ ମୁଁ ଜାଣେ।
4-5 “ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପାରେ ନାହିଁ।
ଏହା ସତ୍ୟ ବହୁ ସମୟରୁ ଯେତେବେଳଠାରୁ ଆଦମ ଏ ପୃଥିବୀରେ ରଖାଯାଇଥିଲା।
ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାୟୀ ଅଟେ।
6 ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପାରେ।
ତା’ର ମସ୍ତକ ମେଘକୁ ଛୁଇଁ ପାରେ।
7 କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହୋଇଯିବ।
ଯେଉଁ ବ୍ୟକ୍ତିମାନେ ତାକୁ ଜାଣିଥିଲେ ସେମାନେ କହିବେ, ‘ସେ କାହିଁ?’
8 ସେ ସ୍ୱପ୍ନ ଭଳି ମିଳାଇଯିବ।
ଆଉ ତାକୁ କେହି ପାଇବେ ନାହିଁ।
ସେ ଗୋଟିଏ ରାତ୍ରିର ଦୁଃସ୍ୱପ୍ନ ଭଳି ଭୁଲି ହୋଇଯିବ।
9 ଯେଉଁ ବ୍ୟକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖି ପାରିବେ ନାହିଁ।
ତା’ର ପରିବାର ମଧ୍ୟ ତା’ ଆଡ଼କୁ ପୁଣି ଅନାଇବେ ନାହିଁ।
10 ଦୁଷ୍ଟ ବ୍ୟକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫେରାଇ ଦେବେ।
ତା’ର ନିଜ ହାତ ମଧ୍ୟ ତା’ର ସମ୍ପତ୍ତିକୁ ଫେରାଇ ଦେବ।
11 ଯେତେବେଳେ ସେ ଯୁବକ ଥିଲା, ତା’ର ହାଡ଼ ଶକ୍ତ ଥିଲା।
କିନ୍ତୁ ତା’ର ଶରୀରର ଅନ୍ୟାନ୍ୟ ଅଙ୍ଗଭଳି ସେ ମଧ୍ୟ ଶୀଘ୍ର ମାଟିରେ ମିଶିଯିବ।
12 “ଦୁଷ୍ଟତା ତା’ ପାଟିକୁ ମିଠା ଲାଗେ,
ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା’ ଜିଭତଳେ ରଖେ।
13 ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ।
ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ।
ଏକ ମିଠା ମିଶ୍ରି ଭଳି ତା’ର ମୁଖରେ ଏହା ଥାଏ।
14 ସେ ମିଠା ତା’ର ପାକସ୍ଥଳୀରେ ବିଷରେ ପରିଣତ ହୁଏ
ଏବଂ ତାହା ତିକ୍ତ ବିଷ ତା’ ଭିତରେ ହୋଇଯାଏ, ଯେପରି ସାପର ବିଷ।
15 ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉଦ୍ଗାର କରିବ।
ପରମେଶ୍ୱର ତାହା ତାକୁ ବାନ୍ତି କରାଇ ଦେବେ।
16 ସାପର ଗରଳ ଦୁଷ୍ଟ ଲୋକର ପାନୀୟରେ ପରିଣତ ହେବ।
ସେହି ସାପର ବିଷଦାନ୍ତ ଶେଷରେ ତାକୁ ଦଂଶନ କରି ମାରିବ।
17 ଦୁଷ୍ଟ ଲୋକ ଜଳସ୍ରୋତ ଓ ନଦୀ ପରି ବହି ଯାଉଥିବା
ମହୁ ଓ ଦୁଧସରକୁ ଉପଭୋଗ କରି ପାରନ୍ତି ନାହିଁ।
18 ଦୁଷ୍ଟ ଲୋକ ତା’ର ଲାଭ ଫେରାଇବାକୁ ବାଧ୍ୟ ହେବ।
ସେ ଯାହା ପାଇଁ ଏତେ କଷ୍ଟ ସ୍ୱୀକାର କଲା, ତାକୁ ସେ ଭୋଗ କରି ପାରିବ ନାହିଁ।
19 କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସେମାନଙ୍କୁ ପରିତ୍ୟାଗ କରିଛି।
ସେ ସେମାନଙ୍କ ସମ୍ପତ୍ତିକୁ ନେଇଯାଇଛି।
ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।
20 “ଦୁଷ୍ଟଲୋକ କେବେ ବି ଅନ୍ତରରେ ବିଶ୍ରାମ ନେଇପାରେ ନାହିଁ।
ତା’ର ପ୍ରିୟ ଧନ ତାକୁ ରକ୍ଷା କରି ପାରିବ ନାହିଁ।
21 ସେ ଖାଇବା ପରେ ବଳକା ରହେ ନାହିଁ।
ସେଥିପାଇଁ ତା’ର ଉତ୍ତମ ଦ୍ରବ୍ୟସବୁ ସ୍ଥାୟୀ ହୁଏ ନାହିଁ।
22 ଯେତେବେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା’ ଉପରକୁ ଆସିବ,
ତା’ର କଷ୍ଟ ତା’ ଉପରକୁ ସମସ୍ତ ଶକ୍ତି ସହିତ ଆସିବ।
23 ଦୁଷ୍ଟଲୋକ ଯେତେବେଳେ ସେ ଗ୍ଭହୁଁଥିବା ଖାଦ୍ୟ ଖାଇ ସାରିବ।
ପରମେଶ୍ୱର ତା’ ଉପରେ ରାଗରେ ପ୍ରଚଣ୍ଡ ଆକ୍ରମଣ କରିବେ।
ପରମେଶ୍ୱର ତା’ ଉପରେ ଶାସ୍ତି ବୃଷ୍ଟି କରିବେ।
24 ସେ ହୁଏତ ଲୁହା ଖଡ଼୍ଗରୁ ରକ୍ଷା ପାଇପାରେ,
କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକେଇବ।
25 ସେହି ତମ୍ବାତୀର ତା’ର ପୁରା ଶରୀର ଦେଇ ଗତି କରିବ।
ତା’ର ପିଠି ପଟ ଦେଇ ବାହାରି ପଡ଼ିବ।
ଏହାର ମୁନିଆ ଅଗ୍ରଭାଗ ତା’ର କଲିଜାକୁ ଚିରିଦେବ,
ଏବଂ ତା’ ଉପରେ ଆତଙ୍କ ଆସିବ।
26 ତା’ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ।
ଅଗ୍ନି ସେ ସବୁ ଧ୍ୱଂସ କରିବ।
ଏହା କୌଣସି ମନୁଷ୍ୟକୃତ ଅଗ୍ନି ନ ଥିବ।
ଏହା ଦୈବାଗ୍ନି ତା’ ଘରର ସମସ୍ତ ପଦାର୍ଥକୁ ଜାଳି ଦେବ।
27 ସ୍ୱର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ।
ପୃଥିବୀ ତା’ ବିରୁଦ୍ଧରେ ସାକ୍ଷୀ ଦେବ।
28 ପରମେଶ୍ୱରଙ୍କ କୋପର ବନ୍ୟା
ତା’ ଘରର ସମସ୍ତ ପଦାର୍ଥକୁ ବୋହି ନେଇଯିବ।
29 ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ,
ତାହା ହିଁ ପରମେଶ୍ୱର ଯୋଜନା କରିଛନ୍ତି ତାଙ୍କୁ ଦେବା ପାଇଁ।”
ବିବାହ ବିଷୟରେ
7 ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ। 2 କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍। 3 ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍। 4 ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ର ସ୍ତ୍ରୀର ଅଧିକାର ଅଛି। 5 ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା’ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। 6 ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି। 7 ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା’ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।
8 ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା’ହେଲେ ଭଲ। 9 କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା’ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।
10 ଯେଉଁମାନେ ବିବାହିତ ସେମାନଙ୍କୁ ମୁଁ ଏହି ଆଦେଶ ଦେଉଛି-ଏହି ଆଦେଶ ମୋ’ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି। 11 ଯେ, ପତ୍ନୀ ନିଜ ପତିକୁ କେବେ ହେଲେ ଛାଡ଼ିବା ଉଚିତ୍ ନୁହେଁ, କିନ୍ତୁ ଯଦି ପତ୍ନୀ ନିଜ ପତିକୁ ଛାଡ଼େ, ତା’ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶିଯିବା ଉଚିତ୍। ଠିକ୍ ସେହିଭଳି ପତି ମଧ୍ୟ ନିଜ ପତ୍ନୀକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।
12 ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କହେ (ଏହା ମୋର କଥା, ପ୍ରଭୁଙ୍କର ନୁହେଁ): ଯଦି କୌଣସି ଖ୍ରୀଷ୍ଟିୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ୱାସିନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା’ହେଲେ ପତି ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ। 13 ଯଦି କୌଣସି ପତ୍ନୀର ପତି ଅଛି, ଓ ସେ ଖ୍ରୀଷ୍ଟ ବିଶ୍ୱାସୀ ନୁହେଁ, କିନ୍ତୁ ସେ ପତ୍ନୀ ସହିତ ରହିବା ପାଇଁ ଇଚ୍ଛୁକ, ତା’ହେଲେ ପତ୍ନୀ ତାକୁ ଛାଡ଼ପତ୍ର ଦେବା ଅନୁଚିତ୍। 14 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା’ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା’ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି।
15 ତଥାପି ଯଦି ଜଣେ ଅବିଶ୍ୱାସୀ, ଜଣେ ବିଶ୍ୱାସୀଠାରୁ ଅଲଗା ହେବାକୁ ଇଚ୍ଛା କରେ, ତା’ହେଲେ ସେ ଅଲଗା ହୋଇପାରେ। ଯେତେବେଳେ ଏପରି ଘଟିବ, ଖ୍ରୀଷ୍ଟିୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହେବେ। ପରମେଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ରହିବାକୁ ଆହ୍ୱାନ ଦେଇଛନ୍ତି। 16 ପତ୍ନୀଗଣ ହୁଏତ ତୁମ୍ଭେମାନେ ନିଜର ରକ୍ଷା କରି ପାରିବ; ପତିଗଣ! ହୁଏତ ତୁମ୍ଭେମାନେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ୟତରେ କ’ଣ ଘଟିବ, ଏହା ତୁମ୍ଭେମାନେ ଏବେ ଜାଣି ନାହଁ।
ପରମେଶ୍ୱରଙ୍କ ଆହ୍ୱାନ ଅନୁସାରେ ଜୀବନଯାପନ କର
17 ପ୍ରଭୁ ତୁମକୁ ଆହ୍ୱାନ କଲାବେଳେ ଯେଉଁ ପ୍ରକାର ଜୀବନଯାପନ କରିବା ପାଇଁ ଗ୍ଭଳନା ଦେଉଛନ୍ତି, ପ୍ରତ୍ୟେକ ଲୋକ ସେହିଭଳି ଜୀବନଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦେଶ ଦିଏ। 18 ପରମେଶ୍ୱରଙ୍କ ଆହ୍ୱାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହୋଇ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଯଦି ଜଣେ ଆହ୍ୱାନ ପାଇବା ବେଳେ ସୁନ୍ନତ ହୋଇ ନାହିଁ, ତା’ର ମଧ୍ୟ ସୁନ୍ନତ ହେବା ଉଚିତ୍ ନୁହେଁ। 19 ଜଣେ ସୁନ୍ନତ ହୋଇଛି ବା ନାହିଁ, ତାହା ବଡ଼ ବିଷୟ ନୁହେଁ, ମାତ୍ର ପରମେଶ୍ୱରଙ୍କର ଆତ୍ମାଙ୍କୁ ମାନିବା ବଡ଼ ବିଷୟ। 20 ପରମେଶ୍ୱର ଆହ୍ୱାନ କଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲ, ସେ ସେଭଳି ଥାଉ। 21 ଯଦି ପରମେଶ୍ୱର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥାରେ ଡାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ସ୍ୱାଧୀନ ହୋଇପାର, ତାହାହେଲେ ସେହି ସୁଯୋଗର ବ୍ୟବହାର କର। 22 କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ୱାନ କଲାବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠାରେ ସ୍ୱାଧୀନ ଲୋକ। ସେହି ପ୍ରକାର ସ୍ୱାଧୀନ ଲୋକ ଥିଲାବେଳେ ପ୍ରଭୁ ଯାହାକୁ ଆହ୍ୱାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ। 23 ପରମେଶ୍ୱର ମୂଲ୍ୟ ଦେଇ ତୁମ୍ଭମାନଙ୍କୁ କିଣିଛନ୍ତି। ତେଣୁ ମନୁଷ୍ୟମାନଙ୍କ କ୍ରୀତଦାସ ହୁଅ ନାହିଁ। 24 ଅତଏବ ମଣିଷମାନଙ୍କର ଦାସ ହୁଅ ନାହିଁ। ଭାଇ ଓ ଭଉଣୀମାନେ! ଆହ୍ୱାନ ହେଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲା, ପରମେଶ୍ୱରଙ୍କ ସହ ନୂତନ ଜୀବନ ଲାଭ କରି, ସେ ସେହିପରି କାର୍ଯ୍ୟ କରୁ।
ବିବାହ କରିବା ବିଷୟକ ପ୍ରଶ୍ନ
25 ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟରେ କହୁଛି। ଏ ବିଷୟରେ ପ୍ରଭୁଙ୍କଠାରୁ ମୋତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମୋ’ ପ୍ରତି ଦୟା ଦେଖାଇ ଥିବାରୁ ଓ ମୁଁ ବିଶ୍ୱାସଭାଜନ ହୋଇ ଥିବାରୁ, ମୁଁ ମୋର ମତାମତ ଦେଉଛି। 26 ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ। 27 ଯଦି ତୁମ୍ଭେମାନେ ବିବାହିତ, ତେବେ ପତ୍ନୀଠାରୁ ମୁକ୍ତ ହେବାକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହୋଇ ନାହିଁ, ତେବେ ପତ୍ନୀଟିଏ ଖୋଜିବା ପାଇଁ ଚେଷ୍ଟା କର ନାହିଁ। 28 କିନ୍ତୁ ଯଦି ତୁମ୍ଭେମାନେ ବିବାହ କରିବା ପାଇଁ ମନସ୍ଥ କରିଛ, ତେବେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ୟା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସେମାନେ ଏହି ଜୀବନରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।
29 ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ। 30 ଯେଉଁମାନେ ଦୁଃଖୀ ସେମାନେ ଦୁଃଖୀ ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସେମାନେ ଏପରି ରୁହନ୍ତୁ ଯେପରି ସୁଖୀ ନୁହନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସେମାନେ ନିଜ ପାଖରେ କିଛି ନ ଥିଲା ଭଳି ରୁହନ୍ତୁ। 31 ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ୟବହାର କରୁଛନ୍ତି, ସେମାନେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସେମାନଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହ୍ୟିକ ବିଷୟ ସବୁ ଶୀଘ୍ର ଲୋପ ପାଇବ।
32 ତୁମ୍ଭେମାନେ ଯେପରି ଚିନ୍ତା ନ କର ଏହା ମୋର ଇଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ। 33 କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟରେ ଲିପ୍ତ ରହି ତା’ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ୟସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ୟାନ ଦିଅ: ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ୟା ପ୍ରଭୁଙ୍କ ପାଇଁ ସମୟ ଦିଏ। 34 ସେ ତା’ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠାରେ ସମର୍ପିତ କରିପାରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତାରେ ମାତି ରହି, ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରୁହେ। 35 ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ନିଜକୁ କୌଣସି ଅନ୍ୟ କାମରେ ନ ଲଗାଇ, ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କଠାରେ ସମର୍ପଣ କର।
36 ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ। 37 କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପାରେ ଯେ ବାହା ହେବା ଦରକାର ନାହିଁ। ତାହାହେଲେ ସେ ଯାହା ଗ୍ଭହେଁ ତାହା କରିବା ପାଇଁ ସ୍ୱାଧୀନତା ପାଇଛି। ଯଦି ସେ ଗ୍ଭହେଁ ତାହାର ମନରେ ଯେ ସେ ତାହାର କନ୍ୟାକୁ ବିବାହ ଦେବ ନାହିଁ, ସେ ଉଚିତ୍ କରୁଛିା 38 ଅତଏବ ଯିଏ ନିଜର କୁମାରୀ କନ୍ୟାର ବିବାହ କରାଉଛି, ସେ ଭଲ କରୁଛି ଓ ଯିଏ କୁମାରୀ କନ୍ୟାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।
39 ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍। 40 ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା’ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।
2010 by World Bible Translation Center