Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 34

ଦୀଣାର ଧର୍ଷଣ

34 ଲେୟା ଓ ଯାକୁବର କନ୍ୟା ଥିଲା ଦୀଣା। ଦିନେ ଦୀଣା ସେହି ସ୍ଥାନର ସ୍ତ୍ରୀଲୋକମାନଙ୍କୁ ଭେଟିବାକୁ ଗଲା। ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା। ଏହା ପରେ ଶିଖିମ ଦୀଣାର ପ୍ରେମରେ ପଡ଼ିଗଲା ଓ ତାକୁ ବିବାହ ହେବାକୁ ଗ୍ଭହିଁଲା। ଶିଖିମ ତା’ର ପିତା ହମୋରକୁ କହିଲା, “ଦୟାକରି ଏହି ଝିଅ ସହିତ ମୋର ବିବାହର ବନ୍ଦୋବସ୍ତ କର।”

ଯାକୁବ ଜାଣିବାକୁ ପାଇଲେ ଯେ, ସେହି ଯୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ରରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲେ ନାହିଁ, ତାଙ୍କର ପୁତ୍ରମାନେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କଲେ। ସେହି ସମୟରେ, ଶିଖିମର ପିତା ହମୋର ଯାକୁବ ସହିତ କଥା ହେବାକୁ ବାହାରି ଗଲେ।

ଯେତେବେଳେ ସେମାନେ କ୍ଷେତରୁ ଫେରିଲେ, ତା’ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସେମାନେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇସ୍ରାଏଲରେ ଏପରି ଅପମାନଜନକ କାର୍ଯ୍ୟ କଲା। ସେ ଯାକୁବର କନ୍ୟାକୁ ଧର୍ଷଣ କରିବା ଉଚିତ୍ ନ ଥିଲା।

କିନ୍ତୁ ହମୋର ଭାଇମାନଙ୍କୁ କହିଲେ, “ମୋର ପୁତ୍ର ଶିଖିମ ଦୀଣାକୁ ବିବାହ ହେବାକୁ ଗ୍ଭହେଁ। ଦୟାକରି ତାକୁ ତାହା ସହିତ ବିବାହ ଦିଅ। ଏହି ବିବାହ ଆମ୍ଭ ମଧ୍ୟରେ ଏକ ଚୁକ୍ତି ହେବ। ଏହା ପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ୟାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। 10 ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏହି ଦେଶରେ ବାସ କରିବ, ବାଣିଜ୍ୟ କରିବ ଓ ଭୂମି ଗ୍ରହଣ କରି ପାରିବ।”

11 ଶିଖିମ ମଧ୍ୟ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲା। ଶିଖିମ କହିଲା, “ଦୟାକରି ମୋତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ। 12 ମୁଁ ତୁମ୍ଭକୁ ସବୁକିଛି ଉପହାର ଦେବି ଏବଂ ସବୁ ଟଙ୍କା ଦେବି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ୟାକୁ ମୋତେ ବିବାହ ଦିଅ।”

13 ଯାକୁବର ପୁତ୍ରମାନେ ଶିଖିମକୁ ଓ ତା’ର ପିତାଙ୍କୁ ମିଥ୍ୟା କହିବା ପାଇଁ ନିଷ୍ପତ୍ତି ନେଲେ। ତା’ର ଭାଇମାନେ ସେତେବେଳେ ପାଗଳ ପ୍ରାୟ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିଲା। 14 ତେଣୁ ଭାଇମାନେ ତାକୁ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ଆମ୍ଭର ଭଉଣୀକୁ ବିବାହ ଦେଇ ପାରିବୁ ନାହିଁ। କାରଣ ତୁମ୍ଭେମାନେ ଏପର୍ଯ୍ୟନ୍ତ ସୁନ୍ନତ ହୋଇ ନାହଁ। ଆମ୍ଭ ଭଉଣୀ ସହିତ ବିବାହ କରିବା ବହୁତ ଭୁଲ୍ ହେବ। 15 କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦେବୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରତ୍ୟେକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହେବ। 16 ଏହା ପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏହା ପରେ ଆମ୍ଭେମାନେ ଏକା ସଙ୍ଗେ ବାସ କରି ଏକାପରି ହୋଇ ପାରିବା। 17 ଯଦି ତୁମ୍ଭେ ସୁନ୍ନତ ହେବା ପାଇଁ ମନା କର ତେବେ ଆମ୍ଭେ ଆମ୍ଭର ଭଉଣୀ ଦୀଣାକୁ ନେଇଯିବୁ।”

18 ଏହି ଚୁକ୍ତି ହମୋର ଓ ଶିଖିମକୁ ଖୁସୀ କରାଇଲା। 19 ଦୀଣାର ଭାଇମାନଙ୍କର କଥାନୁସାରେ ସୁନ୍ନତ ହେବାକୁ ଖୁସୀରେ ଗ୍ରହଣ କଲେ।

ଶିଖିମ ତାଙ୍କ ବଂଶରେ ବହୁ ସମ୍ମାନୀୟ ବ୍ୟକ୍ତି ଥିଲା। 20 ହମୋର ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲେ। ସେମାନେ ସେହି ସହରର ଲୋକମାନଙ୍କୁ କହିଲେ, 21 “ଏହି ଲୋକମାନେ ଆମ୍ଭ ସହିତ ବନ୍ଧୁତା କରିବାକୁ ଗ୍ଭହୁଁଛନ୍ତି। ଆମ୍ଭେମାନେ ଆମ୍ଭ ଦେଶରେ ତାଙ୍କୁ ଶାନ୍ତିରେ ବାସ କରିବାକୁ ଦେବା। ଆମ୍ଭମାନଙ୍କ ଓ ସେମାନଙ୍କ ପାଇଁ ଯଥେଷ୍ଟ ଭୂମି ଅଛି। ଆମ୍ଭେମାନେ ତାଙ୍କ କନ୍ୟାମାନଙ୍କୁ ବିବାହ କରି ପାରିବା। ଆମ୍ଭେମାନେ ମଧ୍ୟ ଆମ୍ଭମାନଙ୍କର କନ୍ୟାମାନଙ୍କୁ ତାଙ୍କ ସହିତ ବିବାହ ଦେଇ ପାରିବା। 22 ସେମାନେ ଆମ୍ଭମାନଙ୍କୁ ଗ୍ରହଣ କରିବା ପାଇଁ ଏବଂ ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ପାଇଁ ଗୋଟିଏ କଥା ଆମ୍ଭ ସମସ୍ତଙ୍କୁ କରିବାକୁ ହେବ। ସେମାନଙ୍କ ପରି ଆମ୍ଭମାନଙ୍କୁ ସୁନ୍ନତ ହେବାକୁ ପଡ଼ିବ। 23 ଯଦି ଆମ୍ଭେ ଏପରି କରିବା, ତେବେ ତାଙ୍କର ପଶୁମାନଙ୍କ ଦ୍ୱାରା ଆମ୍ଭେ ଧନୀ ହୋଇ ପାରିବା। ତେଣୁ ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିବା ଉଚିତ୍। ଏବଂ ସେମାନେ ଏହିଠାରେ ଆମ୍ଭମାନଙ୍କ ସହିତ ବାସ କରିବେ।” 24 ସଭାସ୍ଥଳର ସମସ୍ତ ଲୋକ ହମୋର ଓ ଶିଖିମ କଥାରେ ରାଜି ହୋଇଗଲେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।

25 ତିନି ଦିନ ପରେ, ସେହି ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲେବୀ, ତାଙ୍କର ଖ‌‌‌‌ଡ଼୍‌‌‌‌ଗ ନେଲେ ଏବଂ ନିର୍ଭୟରେ ସେହି ନଗରର ପ୍ରତ୍ୟେକ ପୁରୁଷମାନଙ୍କୁ ମାରି ଦେଲେ। 26 ଦୀଣାର ଭାଇ ଶିମିୟୋନ ଓ ଲେବୀ, ଶିଖିମ ଓ ହମୋରକୁ ହତ୍ୟା କଲେ। ଏହା ପରେ ସେମାନେ ଦୀଣାକୁ ଶିଖିମର ଘରୁ ନେଇଗଲେ। 27 ଯାକୁବର ପୁତ୍ରମାନେ ସେହି ନଗରକୁ ଗଲେ, ଯେଉଁଠାରେ ତାଙ୍କ ଭଉଣୀ କଳୁଷିତା ହୋଇଥିଲା, ଏବଂ ପ୍ରତ୍ୟେକ ଦ୍ରବ୍ୟ ହରଣ କଲେ। 28 ସେଥିପାଇଁ ତା’ର ଭାଇମାନେ ସେହି ସହରରୁ ଓ କ୍ଷେତ୍ରରୁ ସମସ୍ତ ପଶୁପଲ, ମେଷ, ଛେଳି ଏବଂ ଗଧ ନେଇଗଲେ। 29 ସେହି ଲୋକମାନଙ୍କର ଯାହାସବୁ ଥିଲା ସମସ୍ତ ଏମାନେ ନେଇ ଆସିଲେ। ତା’ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନେଇ ଆସିଲେ।

30 କିନ୍ତୁ ଯାକୁବ, ଶିମିୟୋନ ଓ ଲେବୀକୁ କହିଲେ, “ତୁମ୍ଭେମାନେ ମୋତେ ବହୁ ଅସୁବିଧାରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମୋତେ ଘୃଣା କରିବେ। ସମସ୍ତ କିଣାନୀୟ ସମସ୍ତ ପିରିଜୀୟ ସମସ୍ତ ଲୋକେ ମୋର ବିରୁଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେବେ, ତେବେ ଆମ୍ଭେ ଧ୍ୱଂସ ପାଇଯିବା। ଏବଂ ଆମ୍ଭର ସମସ୍ତ ଲୋକ ମୋ’ ସହିତ ଶେଷ ହୋଇଯିବେ।”

31 କିନ୍ତୁ ଭାଇମାନେ କହିଲେ, “ସେହି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ୟା ଭଳି ବ୍ୟବହାର କରି ଠିକ୍ କରି ନାହାନ୍ତି।”

ମାର୍କ ଲିଖିତ ସୁସମାଗ୍ଭର 5

ଯୀଶୁ ଜଣେ ଲୋକକୁ ଦୁଷ୍ଟାତ୍ମା କବଳରୁ ମୁକ୍ତକଲେ(A)

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱର ଗରାଶୀୟମାନଙ୍କ ଦେଶରେ ପହଞ୍ଚିଲେ। ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ରେ ଗୋଟିଏ ଲୋକ କବର ମଧ୍ୟରୁ ବାହାରି ତାହାଙ୍କ ପାଖକୁ ଆସିଲା ତା’ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ସେ ଲୋକଟି କବର ମଧ୍ୟରେ ରହୁଥିଲା। ତାହାକୁ କେହି ହେଲେ ବାନ୍ଧି ପାରୁ ନ ଥିଲେ। ଏପରିକି ଶିକୁଳିରେ ମଧ୍ୟ ତାକୁ ବାନ୍ଧି ପାରୁ ନ ଥିଲେ। କାରଣ ତାହାକୁ ଅଧିକାଂଶ ସମୟରେ ହାତକଡ଼ି ଓ ବେଡ଼ି ଦ୍ୱାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡ଼ିକୁ ଛିଣ୍ଡାଇ ଖୋଲି ଦେଉଥିଲା ଓ ଶିକୁଳିକୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କେହି ହେଲେ ତାକୁ ନିୟନ୍ତ୍ରିତ କରି ପାରୁ ନ ଥିଲେ। ସେ ଦିନରାତି ସଦାବେଳେ କବର ଓ ପାହାଡ଼ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତ ବିକ୍ଷତ କରି ପକାଉଥିଲା।

ଲୋକଟି ଯୀଶୁଙ୍କୁ ଦୂରରୁ ଦେଖି ତାହାଙ୍କ ପାଖକୁ ଧାଇଁ ଆସିଲା ଓ ପ୍ରଣାମ କରି ତାହାଙ୍କ ଆଗରେ ପଡ଼ିଗଲା। 7-8 ଯୀଶୁ ସେହି ଲୋକକୁ କହିଲେ, “ରେ ଦୁଷ୍ଟାତ୍ମା, ଏହି ଲୋକ ଦେହରୁ ବାହାରି ଆ।” ଯୀଶୁ ଏପରି କରିବା ଦ୍ୱାରା ସେହି ଲୋକ ବଡ଼ ପାଟିରେ ଚିତ୍କାର କରି କହିଲା, “ସବୁଠାରୁ ମହାନ ପରମେଶ୍ୱରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମୋ’ଠାରୁ କ’ଣ ଗ୍ଭହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମୋତେ ହଇରାଣ କର ନାହିଁ।”

ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭ ନାମ କ’ଣ?”

ଲୋକଟି କହିଲା, “ମୋ’ ନାମ ଲିଜନ [a] ବା ବାହିନୀଭୂତ। କାରଣ ଆମ୍ଭେ ଅନେକ।” 10 ସେହି ଦୁଷ୍ଟାତ୍ମାମାନେ ବାରମ୍ବାର କାକୁତି ମିନତି ହୋଇ ଭିକ୍ଷା ମାଗିଲେ ଯେ ସେ ସେମାନଙ୍କୁ ସେହି ଅଞ୍ଚଳର ବାହାରକୁ ପଠେଇ ନ ଦିଅନ୍ତୁ।

11 ସେହି ପାହାଡ଼ କଡ଼ରେ ସେତେବେଳେ ଘୁଷୁରିଙ୍କର ଗୋଟିଏ ବଡ଼ ପଲ ଚରୁଥିଲା। 12 ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠେଇ ଦିଅ, ତାହାହାଲେ ଆମ୍ଭେ ସେମାନଙ୍କ ଦେହ ଭିତରେ ପ୍ରବେଶ କରିଯିବୁ।” 13 ଯୀଶୁ ସେମାନଙ୍କୁ ଏପରି କରିବାକୁ ଅନୁମତି ଦେଇଦେଲେ। ତା’ପରେ ଦୁଷ୍ଟାତ୍ମାମାନେ ସେହି ଲୋକଟି ଦେହରୁ ବାହାରି ଘୁଷୁରିମାନଙ୍କ ଦେହରେ ପଶିଗଲେ। ସେହି ଘୁଷୁରି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ଼ କଡ଼କୁ ଖୁବ୍ ବେଗରେ ଧାଇଁଲେ ଓ ହ୍ରଦ ଭିତରେ ପଡ଼ି ଗଲେ। ସବୁତକ ଘୁଷୁରି ପାଣିରେ ବୁଡ଼ିଗଲେ।

14 ଘୁଷୁରି ପଲର ଜଗୁଆଳମାନେ ପଳେଇ ଯାଇ ସହରରେ ଏହି ଘଟଣା ବିଷୟରେ କହିଲେ। ଲୋକେ କ’ଣ ଘଟିଛି ବୋଲି ଦେଖିବାକୁ ଆସିଲେ। 15 ସେମାନେ ଯୀଶୁଙ୍କ ପାଖରେ ପହଞ୍ଚି ଦେଖିଲେ ଯାହା ଦେହରେ ବାହିନୀଭୂତ [b] ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହୋଇ ଯାଇଛି। ଏହା ଦେଖି ସେମାନେ ଭୟଭୀତ ହେଲେ। 16 ସେଠାରେ କେତେକ ଲୋକ ଥିଲେ, ଯେଉଁମାନେ ଯୀଶୁଙ୍କ କାର୍ଯ୍ୟ ଦେଖିଥିଲେ। ସେମାନେ ଅନ୍ୟ ଲୋକମାନଙ୍କ ଆଗରେ ଦୁଷ୍ଟାତ୍ମା [c] ଭୂତଗ୍ରସ୍ତ ଲୋକଟିର ଓ ଘୁଷୁରିମାନଙ୍କର କ’ଣ ହେଲା, ସେ ସବୁ ବର୍ଣ୍ଣନା କଲେ। 17 ତା’ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡ଼ି ଗ୍ଭଲିଯିବାକୁ ଅନୁରୋଧ କଲେ।

18 ଯୀଶୁ ଡଙ୍ଗାରେ ବସି ଗ୍ଭଲି ଯିବାକୁ ପ୍ରସ୍ତୁତ ହେଲେ। ଯିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିଲା, ସେ ଯୀଶୁଙ୍କ ସହିତ ଯିବାକୁ ତାହାଙ୍କୁ ଅନୁରୋଧ କଲା। 19 କିନ୍ତୁ ଯୀଶୁ ତାହାକୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, “ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ ସ୍ୱଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସେମାନଙ୍କୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।”

20 ତେଣୁ ସେ ଗ୍ଭଲିଗଲା ଓ ଦେକାପଲି [d] ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ, ଯୀଶୁ କିପରି ତା’ ପାଇଁ କେତେ ବଡ଼ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।

ଯୀଶୁ ମୃତ ବାଳିକାକୁ ଜୀବନ ଦେଲେ ଓ ଏକ ଅସୁସ୍ଥ ସ୍ତ୍ରୀକୁ ସୁସ୍ଥ କଲେ(B)

21 ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ। 22 ଯିହୂଦୀ ସମାଜଗୃହର ଜଣେ ଅଧିକାରୀ ସେଠାକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ରେ ତାହାଙ୍କ ପାଦ ତଳେ ପଡ଼ିଗଲେ। 23 ସେ କାକୁତି ମିନତି ହୋଇ ଯୀଶୁଙ୍କୁ ଭିକ୍ଷା ମାଗିଲେ, “ମୋର ଛୋଟ ଝିଅ ମରିବା ଉପରେ। ଦୟାକରି ଆପଣ ଆସି ତା’ ଉପରେ ହାତ ରଖନ୍ତୁ, ତା’ହେଲେ ସେ ସୁସ୍ଥ ହୋଇଯିବ ଓ ଜୀବନ ପାଇବ।”

24 ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ।

25 ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା’ର ରକ୍ତସ୍ରାବ ହେଉଥିଲା। 26 ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା’ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା’ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା’ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା।

27 ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। 28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” 29 ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା’ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। 30 ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?”

31 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”

32 କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। 33 ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। 34 ଯୀଶୁ ତାକୁ କହିଲେ,

“ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”

35 ଯୀଶୁ ସେଠାରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜଗୃହର ଅଧିକାରୀ ଯାଈରସଙ୍କ ଘରୁ କେତେକ ଲୋକ ଆସି ତାହାଙ୍କୁ କହିଲେ, “ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ (ଯୀଶୁ)ଙ୍କୁ ଅଯଥାରେ ଆଉ କାହିଁକି ହଇରାଣ କରିବ?”

36 କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”

37 ତା’ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ। 38 ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା। 39 ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।” 40 ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ।

କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ। 41 ତା’ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା। 42 ତା’ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। 43 ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା’ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ।

ଆୟୁବ ପୁସ୍ତକ 1

ଉତ୍ତମ ବ୍ୟକ୍ତି ଆୟୁବ

ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା। ଆୟୁବର ସାତୋଟି ପୁତ୍ର ଓ ତିନୋଟି ଝିଅ ଥିଲେ। ଆୟୁବ 7000 ମେଣ୍ଢା, 3000 ଓଟ, 1000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା’ର ଅନେକ ଗୁଡ଼ିଏ ଭୃତ୍ୟ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଧନୀ ଥିଲା।

ଆୟୁବର ପୁଅମାନେ ପାଳି ପାଳି କରି ସେମାନଙ୍କ ଘରେ ଭୋଜି ପ୍ରସ୍ତୁତ କଲେ ଏବଂ ସେମାନଙ୍କ ତିନି ଭଉଣୀଙ୍କୁ ଏହି ଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ କଲେ। ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ତା’ର ପ୍ରତ୍ୟେକ ପୁଅର ମଙ୍ଗଳ ପାଇଁ ପରମେଶ୍ୱରଙ୍କ ନିକଟରେ ହୋମବଳି ଅର୍ପଣ କରୁଥିଲା। ସେ ଭାବୁଥିଲା, “ମୋ’ ପିଲାମାନେ ହୁଏତ ହୃଦୟରେ ପାପ କରି ପରମେଶ୍ୱରଙ୍କୁ ଶାପ ଦେଇଥାଇ ପାରନ୍ତି।” ଆୟୁବ ପ୍ରତ୍ୟେକ ଥର ଏପରି କଲା।

ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ୱର୍ଗଦୂତମାନଙ୍କ ପାଇଁ ସେହି ଦିନଟି ଉପସ୍ଥିତ ହେଲା। ସେହି ସ୍ୱର୍ଗଦୂତମାନଙ୍କ ସହିତ ଶୟତାନ ମଧ୍ୟ ସେଠାରେ ଉପସ୍ଥିତ ହେଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?”

ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଏଣେତେଣେ ବିଚରଣ କରୁଥିଲି।”

ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ମୋର ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଅଟେ। ସେ ପରମେଶ୍ୱରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ଯ୍ୟ କରିବାକୁ ପ୍ରତ୍ୟାଖାନ କରେ।”

ଶୟତାନ ଉତ୍ତର ଦେଲା, “ନିଶ୍ଚୟ! କିନ୍ତୁ ଆୟୁବର ପରମେଶ୍ୱରଙ୍କୁ ଉପାସନା କରିବାର ଯଥେଷ୍ଟ କାରଣ ରହିଛି। 10 ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା’ର ପରିବାରକୁ, ତା’ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା’ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ। 11 ମୁଁ ପ୍ରତିଜ୍ଞା କରି କହିପାରେ ଆପଣ ତା’ର ସର୍ବସ୍ୱ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”

12 ତା’ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା’ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।”

ତା’ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।

ଆୟୁବ ସର୍ବସ୍ୱ ହରାଇଲା

13 ଗୋଟିଏ ଦିନ ଭୋଜି ମଧ୍ୟରେ, ଆୟୁବର ପୁଅ ଓ ଝିଅମାନେ ବଡ଼ ଭାଇର ଘରେ ଏକତ୍ର ଖାଇବା ସହିତ ଦ୍ରାକ୍ଷାରସ ପାନ କରୁଥିଲେ। 14 ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦେଲା, “ବଳଦମାନେ ଜମିରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସେମାନଙ୍କ ନିକଟରେ ଚରୁଥିଲେ। 15 ଶିବାୟୀୟମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନେଇଗଲେ। ସେମାନେ ତୁମ୍ଭର ଦାସମାନଙ୍କୁ ମଧ୍ୟ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ ହେଉଛି କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏ ବିଷୟରେ କହିବାକୁ।”

16 ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “ଆକାଶରୁ ବିଜୁଳି ପଡ଼ି ତୁମ୍ଭର ମେଣ୍ଢା ଓ ଛେଳି ଓ ତୁମ୍ଭର ଦାସମାନଙ୍କୁ ପୋଡ଼ି ଦେଲା। ମୁଁ କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏହି ବିଷୟରେ କହିବା ପାଇଁ।”

17 ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “କ‌‌ଲ୍‌‌ଦୀୟମାନେ ତିନି ଦଳ ସୈନିକଙ୍କୁ ପଠାଇଛନ୍ତି ଏବଂ ଆକ୍ରମଣ କରିଛନ୍ତି ଏବଂ ଓଟମାନଙ୍କୁ ନେଇ ଗଲେ ଓ ସମସ୍ତ ଭୃତ୍ୟମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ କେବଳ ଏକମାତ୍ର ଯିଏ ଏ ବିଷୟରେ ଆପଣଙ୍କୁ କହିବା ପାଇଁ ରକ୍ଷା ପାଇଅଛି।”

18 ସେ କଥା କହୁଥିବା ବେଳେ, ଅନ୍ୟ ଜଣେ ବାର୍ତ୍ତାବହ ଆସି କହିଲା, “ଆପଣଙ୍କ ପୁଅ-ଝିଅମାନେ ଯେତେବେଳେ ବଡ଼ ଭାଇର ଘରେ ଦ୍ରାକ୍ଷାରସ ପାନ ଓ ଖାଇବାରେ ବ୍ୟସ୍ତଥିଲେ 19 ସେହି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦେଲା। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦେଲା। ମୁଁ କେବଳ ଏକମାତ୍ର ଯିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।”

20 ଆୟୁବ ଯେତେବେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦେଲା ଏବଂ ଦୁଃଖ ଓ ଗ୍ଳାନିରେ ଲଣ୍ଡା ହୋଇପଡ଼ିଲା। ତା’ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ୱରଙ୍କୁ ଉପାସନା କରିବାକୁ ଲାଗିଲା। 21 ସେ ପ୍ରାର୍ଥନା କରି କହିଲା,

“ମୁଁ ଯେତେବେଳେ ଏହି ପୃଥିବୀରେ ଜନ୍ମ ଲାଭ କଲି
    ସେତେବେଳେ ମୁଁ ଲଙ୍ଗଳା ଥିଲି ଓ ମୋ’ ପାଖରେ କିଛି ନ ଥିଲା।
ଠିକ୍ ସେହିପରି ମୁଁ ଯେତେବେଳେ ମୃତ୍ୟୁବରଣ କରିବି
    ଓ ଏ ପୃଥିବୀକୁ ତ୍ୟାଗ କରିବି ସେତେବେଳେ ମଧ୍ୟ ଲଙ୍ଗଳା ଓ ଖାଲି ହାତରେ ଯିବି।
ସଦାପ୍ରଭୁ ସବୁକିଛି ଦିଅନ୍ତି
    ଏବଂ ସବୁକିଛି ନେଇ ଯାଆନ୍ତି।
ତେଣୁ ସଦାପ୍ରଭୁଙ୍କ ନାମ ହିଁ ପ୍ରଶଂସା ଯୋଗ୍ୟ।”

22 ଏତେ ସବୁ ଘଟିଲା ପରେ ଆୟୁବ ପାପ କଲା ନାହିଁ ଏବଂ ପରମେଶ୍ୱର କିଛି ଭୁଲ୍ କରିଛନ୍ତି ବୋଲି ସେ କହିଲା ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 5

ପରମେଶ୍ୱରଙ୍କ ପ୍ରତି ଧାର୍ମିକ

ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ। ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ। ଆମ୍ଭେମାନେ ଆମ୍ଭର କ୍ଳେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ। ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ। ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।

ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ। ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ। କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।

ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। 10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ। 11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।

ଆଦମ ଓ ଯୀଶୁ

12 ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ୱାରା ମୃତ୍ୟୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି। 13 ମୋଶା ବ୍ୟବସ୍ଥା ଦେବା ପୂର୍ବରୁ ପାପ ସଂସାରରେ ଥିଲା। କିନ୍ତୁ ପରମେଶ୍ୱର, ବ୍ୟବସ୍ଥା ନ ଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନ ଥିଲେ। 14 କିନ୍ତୁ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ସୁଦ୍ଧା, ପ୍ରତ୍ୟେକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ୱରଙ୍କର ଆଦେଶ ଅମାନ୍ୟ କରି ପାପ କରିଥିବା ହେତୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନ ଥିଲେ, ସେମାନଙ୍କୁ ମଧ୍ୟ ମରିବାକୁ ହେଲା।

ଭବିଷ୍ୟତ‌‌ରେ ଯେଉଁ ଜଣଙ୍କର (ଖ୍ରୀଷ୍ଟଙ୍କର) ଆସିବା କଥା, କେତେକାଂଶରେ ସେ ଆଦମଙ୍କ ଭଳି। 15 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ। 16 ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲା। କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହଦାନ ଏହାଠାରୁ ଭିନ୍ନ ଅଟେ। ଅନେକ ପାପ ପରେ ପରମେଶ୍ୱରଙ୍କର ଅନୁଗ୍ରହଦାନ ଆସିଲା। ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରାଇଲା। 17 ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ୱରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର ‘ଧାର୍ମିକ’ ହେବା ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ୟ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସେହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାସନ କରିବେ।

18 ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ୟୁରେ ଦଣ୍ଡିତ କଲା, ସେହିଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିବ। ଓ ତାହା ସେହି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦେବ। 19 ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇ ଗଲେ। କିନ୍ତୁ ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକ ଧାର୍ମିକ ହୋଇଯିବେ। 20 ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ। 21 ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା। କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହାଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center