Read the Gospels in 40 Days
ଯୀଶୁଙ୍କ ଜୀବନୀ ସମ୍ବନ୍ଧରେ ଲୂକଙ୍କ ଲିଖିତ
1 ପ୍ରିୟ ଥିୟଫିଲ,
ଅନେକ ଲୋକ ଆମ୍ଭମାନଙ୍କ ମଧ୍ୟରେ ଘଟି ଯାଇଥିବା ଘଟଣା ଗୁଡ଼ିକର ବିବରଣୀ ଲେଖିବା ପାଇଁ ଚେଷ୍ଟା କରିଛନ୍ତି। 2 ଯେଉଁମାନେ ଏ ଘଟଣା ଗୁଡ଼ିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ତାହାଙ୍କ ବାର୍ତ୍ତା ପ୍ରଗ୍ଭର କରି ପରମେଶ୍ୱରଙ୍କ ସେବା କରିଛନ୍ତି, ସେହିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭେମାନେ ଶିକ୍ଷା କରିଛୁ ଠିକ୍ ସେହିସବୁ କଥା ସେମାନେ ଲେଖିଅଛନ୍ତି। 3 ହେ ମାନ୍ୟବର, ଯେହେତୁ ପ୍ରଥମରୁ ମୁଁ ନିଜେ ସାବଧାନ ହୋଇ ଏ ସବୁ ଅନୁଧ୍ୟାନ କରିଛି, ସେଥିସକାଶେ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାରରେ ଲେଖିବାକୁ ମୁଁ ଉଚିତ୍ ମନେ କଲି। 4 ମୁଁ ଏଗୁଡ଼ିକ ଲେଖିବା ଫଳରେ ତୁମ୍ଭେମାନେ ଜାଣି ପାରିବ ଯେ ଆପଣଙ୍କୁ ଯାହାସବୁ ଶିକ୍ଷା ଦିଆଯାଇଛି, ତାହା ସତ୍ୟ।
ଜିଖରିୟ ଓ ଏଲୀଶାବେଥ
5 ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ। 6 ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା। 7 କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ।
8 ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା। 9 ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ। 10 ବାହାରେ ବହୁତ ଲୋକ ଜମା ହୋଇଥିଲେ। ଧୂପ ଲାଗିବା ସମୟରେ ସେମାନେ ପ୍ରାର୍ଥନା କରୁଥିଲେ।
11 ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ। 12 ଜିଖରିୟ ସ୍ୱର୍ଗଦୂତଙ୍କୁ ଦେଖିବା ମାତ୍ରେ ବିଚଳିତ ଓ ବହୁତ ଭୟଭୀତ ହେଲେ। 13 କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ। 14 ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ। 15 ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ।
16 “ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି। 17 ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”
18 ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ତୁମ୍ଭେ ଯାହା କହୁଛ, ତାହା ସତ୍ୟ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢ଼ା ଲୋକ ଓ ମୋର ପତ୍ନୀ ମଧ୍ୟ ବୁଢ଼ୀ ହୋଇଗଲେଣି।”
19 ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ। ମୁଁ ପରମେଶ୍ୱରଙ୍କ ସାମନାରେ ଠିଆ ହୋଇଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଗ୍ଭର ଦେବାକୁ ପରମେଶ୍ୱର ମୋତେ ପଠାଇଛନ୍ତି। 20 ଏବେ ଶୁଣ! ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”
21 ତେଣେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ ଏତେ ସମୟ ପର୍ଯ୍ୟନ୍ତ ଜିଖରିୟ ମନ୍ଦିର ଭିତରେ କାହିଁକି ଅଟକି ରହିଛନ୍ତି! 22 ଯେତେବେଳେ ଜିଖରିୟ ବାହାରକୁ ଆସିଲେ, ସେତେବେଳେ ସେ କିଛି କଥା କହି ପାରୁ ନ ଥିଲେ। ତେଣୁ ସେମାନେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତରେ କୌଣସି ଦିବ୍ୟଦର୍ଶନ ପାଇଛନ୍ତି। ସେ ମୂକ ହୋଇ ଯାଇଥିଲେ ଓ କେବଳ ଠାରରେ କହୁଥିଲେ। 23 ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ଶେଷ ହୋଇଯିବା ପରେ ସେ ଘରକୁ ଫେରିଗଲେ।
24 ତା’ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ଯ୍ୟନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ, 25 “ଦେଖ, ଶେଷରେ ପରମେଶ୍ୱର ମୋତେ ସାହାଯ୍ୟ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ମୋର ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମୋ’ ପ୍ରତି ସଦୟ ହୋଇଛନ୍ତି।”
କୁମାରୀ କନ୍ୟା ମରିୟମ
26-27 ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା। 28 ସ୍ୱର୍ଗଦୂତ ସେହି କନ୍ୟା ପାଖକୁ ଆସି କହିଲେ, “ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।”
29 ମରିୟମ ସ୍ୱର୍ଗଦୂତଙ୍କ କଥା ଶୁଣି ଉଦ୍ବିଗ୍ନ ହୋଇଗଲେ। ତାହାଙ୍କ ଅଭିବାଦନର ଅର୍ଥ କ’ଣ ହୋଇପାରେ, ସେହି କଥା ଭାବି ସେ ଚିନ୍ତାରେ ପଡ଼ିଗଲେ।
30 ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ମରିୟମ! ଭୟ କର ନାହିଁ। କାରଣ ପରମେଶ୍ୱର ତୁମ୍ଭ ଉପରେ ପ୍ରସନ୍ନ ହୋଇଛନ୍ତି। 31 ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। 32 ସେ ମହାନ୍ ହେବେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ୱର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ। 33 ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।”
34 ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?”
35 ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ। 36 ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି। ବହୁତ ବୁଢ଼ୀ ହୋଇଯାଇଥିଲେ ମଧ୍ୟ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେବେ। ସମସ୍ତେ ଭାବୁଥିଲେ ଯେ, ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହେବେ ନାହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି। 37 ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।”
38 ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା’ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ।
ମରିୟମ, ଜିଖରିୟ ଓ ଏଲୀଶାବେଥଙ୍କ ପାଖକୁ ଗଲେ
39 ଠିକ୍ ତା’ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହୋଇ ଯିହୂଦାର ପାହାଡ଼ିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡ଼ିଲେ। 40 ସେ ଜିଖରିୟଙ୍କ ଘରକୁ ଯାଇ ଏଲିଶାବେଥଙ୍କୁ ଅଭିବାଦନ କଲେ। 41 ମରିୟମଙ୍କ ଅଭିବାଦନ ଶୁଣିବା ମାତ୍ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ।
42 ଏଲୀଶାବେଥ ବଡ଼ ପାଟିରେ କହିଲେ, “ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ୟା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦେବାକୁ ଯାଉଅଛ, ପରମେଶ୍ୱର ତାହାକୁ ଧନ୍ୟ କରିଛନ୍ତି। 43 ତୁମ୍ଭେ ମୋ’ ପ୍ରଭୁଙ୍କ ମା ଏବଂ ତୁମ୍ଭେ ମୋ’ ପାଖକୁ ଆସିଛ! ମୋ’ ପାଇଁ ଏତେ ବଡ଼ ଭଲ ଘଟଣା କାହିଁକି ଘଟିଲା? 44 ମୁଁ ତୁମ୍ଭ ଅଭିବାଦନର ସ୍ୱର ଶୁଣିବା ମାତ୍ରେ ମୋର ଗର୍ଭସ୍ଥ ସନ୍ତାନ ଆନନ୍ଦରେ ନାଚି ଉଠିଲା। 45 ତୁମ୍ଭେ ଧନ୍ୟା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ୱାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ୱାସ କଲ।
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ
46 ତା’ପରେ ମରିୟମ କହିଲେ,
“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47 ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
56 ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲୀଶାବେଥଙ୍କ ପାଖରେ ରହିବା ପରେ ନିଜେ ଘରକୁ ଫେରିଗଲେ।
ଯୋହନଙ୍କ ଜନ୍ମ
57 ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହେବାରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ। 58 ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।
59 ବାଳକର ଜନ୍ମ ହେବାର ଅଷ୍ଟମ ଦିନ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ସେମାନେ ବାଳକର ନାମ ତା’ର ପିତାଙ୍କ ନାମ ଅନୁସାରେ ଜିଖରିୟ ଦେବାକୁ ଗ୍ଭହୁଁଥିଲେ। 60 କିନ୍ତୁ ତାହାଙ୍କ ମା କହିଲେ, “ନା, ତା’ର ନାମ ଯୋହନ ଦିଆଯିବ।”
61 ଲୋକମାନେ ଏଲୀଶାବେଥଙ୍କୁ କହିଲେ, “ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ। 62 ତା’ପରେ ସେମାନେ ପରେ ତା’ର ବାପାଙ୍କୁ ପଗ୍ଭରିଲେ, “ତୁମ୍ଭେ ଏହି ଶିଶୁର ନାମ କ’ଣ ଦେବାକୁ ଗ୍ଭହୁଁଛ?”
63 ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା’ର ନାମ “ଯୋହନ”। 64 ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ତତ୍କ୍ଷଣାତ୍ ଜିଖରିୟଙ୍କ ପାଟି ଖୋଲିଗଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ୱରଙ୍କର ସ୍ତୁତି କରିବାରେ ଲାଗିଲେ। 65 ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ଯିହୂଦାର ସମସ୍ତ ପାହାଡ଼ିଆ ପ୍ରଦେଶରେ ଲୋକେ ଏହିସବୁ ଘଟଣା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ। 66 ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ।
ଜିଖରିୟ ପରମେଶ୍ୱରଙ୍କ ସ୍ତୁତି କଲେ
67 ତା’ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ। ସେ ଭବିଷ୍ୟଦ୍ବାଣୀ କହିଲେ,
68 “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର।
ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି
ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69 ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ,
ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70 ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ
ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71 ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ
ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72 ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ
ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73 ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74 ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ।
ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75 ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।
76 “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ରୂପେ ଖ୍ୟାତ ହେବ।
ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ
ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।
78 “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ,
ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79 ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ।
ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”
80 ଶିଶୁଟି ଏହିପରି ବଢ଼ିବାକୁ ଲାଗିଲା ଓ ଆତ୍ମାରେ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା। ଇସ୍ରାଏଲରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ଯ୍ୟନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂରରେ ଏକ ସ୍ଥାନରେ ରହିଥିଲେ।
ଯୀଶୁଙ୍କ ଜନ୍ମ(A)
2 ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ। 2 ଏହା ପ୍ରଥମ ଜନଗଣନା ଥିଲା। କ୍ୱିରୀଣିୟ ସୁରିୟାର ରାଜ୍ୟପାଳ ଥିବା ସମୟରେ ଏହା ହେଲା। 3 ତେଣୁ ପ୍ରତ୍ୟେକ ଲୋକ ନାମ ପଞ୍ଜୀକରଣ କରିବା ପାଇଁ ନିଜ ନିଜ ନଗରକୁ ଗଲେ।
4 ଯୋଷେଫ ଦାଉଦଙ୍କ ବଂଶର ହୋଇଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେଥ୍ଲେହିମକୁ ଗଲେ। ବେଥ୍ଲେହିମ ନଗର ଦାଉଦଙ୍କ ନଗର ନାମରେ ପରିଚିତ ଥିଲା। 5 ଯୋଷେଫ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ମରିୟମ ସେତେବେଳେ ଗର୍ଭବତୀ ଥିଲେ। 6 ଯୋଷେଫ ଓ ମରିୟମ ବେଥ୍ଲେହିମରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା। 7 ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେମାନେ ରହିବାକୁ ଚଟିଘରେ ଆଉ ଜାଗା ନ ଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟାରେ ଗୁଡ଼ାଇ ଗୁହାଳରେ ଗୋରୁ କୁଣ୍ଡରେ ରଖିଦେଲେ।
ମେଷପାଳକମାନେ ଯୀଶୁଙ୍କ ଜନ୍ମ ଖବର ପାଇଲେ
8 ସେହି ରାତିରେ କେତେକ ମେଷପାଳକ ସେମାନଙ୍କର ମେଣ୍ଢାଗୁଡ଼ିକୁ ରାତିସାରା ପଦାରେ ଜଗି ରହିଥିଲେ। 9 ପ୍ରଭୁଙ୍କର ଜଣେ ଦୂତ ମେଷପାଳକମାନଙ୍କ ସମ୍ମୁଖରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କର ଚତୁର୍ଦ୍ଦିଗରେ ଝଲକି ଉଠିଲା। 10 ମେଷପାଳକମାନେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମାଗ୍ଭର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦେବ। 11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି। 12 ତୁମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କେତ: “ତୁମ୍ଭେମାନେ ଗୋଟିଏ ଶିଶୁକୁ କନାରେ ଗୁଡ଼ାଇ ହୋଇ ଗୋରୁ କୁଣ୍ଡରେ ଶୋଇଥିବାର ଦେଖିବ।”
13 ସେହି ସମୟରେ ସ୍ୱର୍ଗରୁ ବହୁସଂଖ୍ୟାରେ ସ୍ୱର୍ଗଦୂତମାନେ ଆସି ସେହି ସ୍ୱର୍ଗଦୂତଙ୍କ ସହିତ ଯୋଗ ଦେଲେ। ସମସ୍ତ ସ୍ୱର୍ଗଦୂତ ଏହିପରି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ:
14 “ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ଜୟ ହେଉ,
ଏବଂ ଏ ପୃଥିବୀରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।”
15 ସ୍ୱର୍ଗଦୂତମାନେ ମେଷପାଳକମାନଙ୍କୁ ଛାଡ଼ି ସ୍ୱର୍ଗକୁ ଫେରିଗଲେ। ମେଷପାଳକମାନେ ପରସ୍ପର କୁହାକୁହି ହେଲେ: “ଆମ୍ଭେମାନେ ବେଥ୍ଲେହିମ ଯିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।”
16 ତେଣୁ ସେମାନେ ଶୀଘ୍ର ଗଲେ ଓ ମରିୟମ ଏବଂ ଯୋଷେଫଙ୍କୁ ଖୋଜି ପାଇଲେ। ସେହି ଶିଶୁ ଗୋଟିଏ ଗୋରୁ କୁଣ୍ଡରେ ଶୋଇଥିଲେ। 17 ମେଷପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟରେ ସ୍ୱର୍ଗଦୂତମାନେ ଯାହା କହିଥିଲେ, ତାହା ସେମାନେ ସମସ୍ତଙ୍କୁ କହିଲେ। 18 ମେଷପାଳକମାନେ ଯାହା କହିଲେ, ତାହା ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। 19 କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତରେ ଗୋପନ ରଖି, ନିରନ୍ତର ଚିନ୍ତା କରିବାକୁ ଲାଗିଲେ। 20 ମେଷପାଳକମାନେ ନିଜ ମେଷମାନଙ୍କ ନିକଟକୁ ଫେରିଗଲେ ଏବଂ ଯାହାସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ୱରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ୱର୍ଗଦୂତମାନେ ଯେପରି କହିଥିଲେ, ସେମାନେ ପ୍ରତ୍ୟେକ ଜିନିଷକୁ ସେହିପରି ଦେଖିଲେ।
21 ଶିଶୁଟି ଆଠ ଦିନର ହେବାରୁ ତା’ର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭରେ ରହି ବଢ଼ିବା ପୂର୍ବରୁ ସ୍ୱର୍ଗଦୂତ ତାହାଙ୍କୁ ଏହି ନାମ ଦେଇଥିଲେ।
ଯୀଶୁଙ୍କୁ ମନ୍ଦିରରେ ହାଜିର କରାଗଲା
22 ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଶୁଚି [a] ହେବାର ସମୟ ଆସିଲା। ଏହା ପରେ ଯୋଷେଫ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ନେଇ ଆସିଲେ। 23 ପ୍ରଭୁଙ୍କ ‘ନିୟମ’ [b]ରେ ଲେଖାଅଛି: “ପରିବାରରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ ‘ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ’ ହେବ।” [c] 24 ପ୍ରଭୁଙ୍କ ନିୟମରେ ଆହୁରି ମଧ୍ୟ ଲେଖାଅଛି: “ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ୟ ବଳି ଦେବାକୁ ହେବ।” [d] ତେଣୁ ଏହି ବ୍ୟବସ୍ଥା ଅନୁସାରେ ବଳି ଦେବା ନିମନ୍ତେ ଯୋଷେଫ ଓ ମରିୟମ ଯିରୁଶାଲମକୁ ଗଲେ।
ଶିମିୟୋନ ଯୀଶୁଙ୍କୁ ଦେଖାକଲେ
25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। 26 ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ। 27 ଆତ୍ମା ଶିମିୟୋନଙ୍କୁ ମନ୍ଦିରକୁ କଢ଼େଇ ଆଣିଲେ। ଯିହୂଦୀମାନଙ୍କ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ପାଇଁ ଯୋଷେଫ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗରେ ନେଇ ମନ୍ଦିରକୁ ଗଲେ। 28 ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ:
29 “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ।
30 ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
31 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗରେ ପ୍ରସ୍ତୁତ କରିଛ।
32 ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି
ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।”
33 ଯୀଶୁଙ୍କ ବାପାମା ଯୀଶୁଙ୍କ ବିଷୟରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। 34 ତା’ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉତ୍ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ। 35 ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।”
ହାନ୍ନା ଯୀଶୁଙ୍କୁ ଦେଖାକଲେ
36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟଦ୍ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। 37 ତା’ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।
38 ସେ ସେହି ସମୟରେ ଶିଶୁ ଓ ତା’ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।
ଯୋଷେଫ ଓ ମରିୟମ ଘରକୁ ଫେରିଗଲେ
39 ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା’ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ। 40 ସାନ ଶିଶୁଟି ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ହୃଷ୍ଟପୁଷ୍ଟ ଓ ବୁଦ୍ଧିମାନ ହେବାକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା।
ବାଳକ ଯୀଶୁ
41 ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। 42 ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। 43 ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। 44 ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା’ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। 45 କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ।
46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। 47 ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 48 ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।”
49 ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” 50 କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।
51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। 52 ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।
ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର(B)
3 ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା।
ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ,
ଗାଲିଲୀର ଶାସକ ହେରୋଦ, ଇତୂରିୟା
ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ୍ପ ଓ ଅବିଲୀନୀର ଶାସକ ଲୂସାନିୟା,
ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।
2 ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ। 3 ଯୋହନ ଯର୍ଦ୍ଦନ ନଦୀର ଗ୍ଭରିପାଖଯାକ ସବୁଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଗ୍ଭର କଲେ ଯେ, ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ। 4 ଏହା ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା:
“ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି:
‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର।
ତାହାଙ୍କ ବାଟ ସଳଖ କର।
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ।
ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ।
ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ
ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।
6 ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ
ପରିତ୍ରାଣ ବିଷୟରେ ଜାଣିବେ।’”(C)
7 ଯୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଷଧର ସାପ ଭଳି। ପରମେଶ୍ୱରଙ୍କ ଆସୁଥିବା ମହା କ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତାଇ ଦେଲା? 8 ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି। 9 ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।”
10 ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆମ୍ଭେମାନେ କ’ଣ କରିବୁ?”
11 ଯୋହନ ସେମାନଙ୍କୁ ଉତ୍ତର ଦେଲେ, “ଯଦି ତୁମ୍ଭ ପାଖରେ ଦୁଇଟି କୁର୍ତ୍ତା ଅଛି ତେବେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖରେ ଖାଦ୍ୟ ଅଛି ତେବେ ତାହାକୁ ମଧ୍ୟ ବାଣ୍ଟିଦିଅ।”
12 କେତେକ କରଆଦାୟକାରୀ ବାପ୍ତିଜିତ ହେବା ପାଇଁ ଆସିଲେ। ସେମାନେ ଯୋହନଙ୍କୁ ପଗ୍ଭରିଲେ, “ହେ ଗୁରୁ! ଆମ୍ଭେମାନେ କ’ଣ କରିବୁ?”
13 ଯୋହନ ସେମାନଙ୍କୁ କହିଲେ, “ତୁମ୍ଭକୁ ଯେତିକି ନେବାକୁ ଆଦେଶ ଦିଆଯାଇଛି, ତା’ଠାରୁ ଅଧିକ କର ଲୋକମାନଙ୍କଠାରୁ ନିଅ ନାହିଁ।”
14 ସୈନ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭକୁ କ’ଣ କରିବାକୁ ହେବ?”
ଯୋହନ ସେମାନଙ୍କୁ କହିଲେ, “ବଳପୂର୍ବକ କାହାରିଠାରୁ ଅର୍ଥ ନିଅ ନାହିଁ। କାହା ବିରୁଦ୍ଧରେ ମିଛ କୁହ ନାହିଁ। ଯେତିକି ବେତନ ମିଳୁଛି, ସେତିକିରେ ସନ୍ତୁଷ୍ଟ ରୁହ।”
15 ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଯୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ, “ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।”
16 ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ’ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ। 17 ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା’ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।” 18 ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ।
ପରେ ଯୋହନଙ୍କ କାର୍ଯ୍ୟ କିପରି ଶେଷ ହେଲା
19 ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ। 20 ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥିରେ ଏହି କୁକର୍ମଟି ଯୋଗ ହେଲା।
ଯୋହନ ଯୀଶୁଙ୍କୁ ବାପ୍ତିଜିତ କଲେ(D)
21 ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତା’ପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା। 22 ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।”
ଯୋଷେଫଙ୍କ ବଂଶର ଇତିହାସ(E)
23 ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର।
ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।
24 ଏଲୀ ମତ୍ଥାତଙ୍କର ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
ଲେବୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଯନ୍ନୟଙ୍କର ପୁତ୍ର।
ଯନ୍ନୟ ଯୋଷେଫଙ୍କର ପୁତ୍ର।
25 ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଆମୋସଙ୍କର ପୁତ୍ର।
ଆମୋସ ନାହୂମଙ୍କର ପୁତ୍ର।
ନାହୂସ ହେସ୍ଳୀଙ୍କ ପୁତ୍ର।
ହେସ୍ଳୀ ନଗୟଙ୍କର ପୁତ୍ର।
26 ନଗୟ ମହଥଙ୍କ ପୁତ୍ର।
ମହଥ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଶିମୟୀଙ୍କର ପୁତ୍ର।
ଶିମୟୀ ଯୋସେଖଙ୍କର ପୁତ୍ର।
ଯୋସେଖ ଯୋଦାଙ୍କର ପୁତ୍ର।
27 ଯୋଦା ଯୋହନଙ୍କ ପୁତ୍ର।
ଯୋହନ ରେଷାଙ୍କ ପୁତ୍ର।
ରେଷା ଜିରୁବ୍ବାବେଲଙ୍କର ପୁତ୍ର।
ଜିରୁବ୍ବାବେଲ ଶଲ୍ଟୀୟେଲଙ୍କ ପୁତ୍ର।
ଶଲ୍ଟୀୟେଲ ନେରୀଙ୍କ ପୁତ୍ର।
28 ନେରୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଅଦ୍ଦୀଙ୍କ ପୁତ୍ର।
ଅଦ୍ଦୀ କୋସାମଙ୍କ ପୁତ୍ର।
କୋସାମ ଏଲ୍ମଦାନଙ୍କ ପୁତ୍ର।
ଏଲ୍ମଦାନ ଏରଙ୍କ ପୁତ୍ର।
29 ଏର ଯିହୋଶୂୟଙ୍କ ପୁତ୍ର।
ଯିହୋଶୂୟ ଏଲିୟେଜରଙ୍କ ପୁତ୍ର।
ଏଲିୟେଜର ଯୋରୀମଙ୍କ ପୁତ୍ର।
ଯୋରୀମ ମତ୍ଥାତଙ୍କ ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
30 ଲେବୀ ଶିମିୟୋନଙ୍କ ପୁତ୍ର।
ଶିମିୟୋନ ଯିହୂଦାଙ୍କ ପୁତ୍ର।
ଯିହୂଦା ଯୋଷେଫଙ୍କ ପୁତ୍ର।
ଯୋଷେଫ ଯୋନାମଙ୍କ ପୁତ୍ର।
ଯୋନାମ ଏଲିୟାକୀମଙ୍କ ପୁତ୍ର।
31 ଏଲିୟାକୀମ ମଲାହଙ୍କ ପୁତ୍ର।
ମଲାହ ମନ୍ନାଙ୍କ ପୁତ୍ର।
ମନ୍ନା ମତ୍ତଥାଙ୍କ ପୁତ୍ର।
ମତ୍ତଥା ନାଥନଙ୍କ ପୁତ୍ର।
ନାଥନ ଦାଉଦଙ୍କ ପୁତ୍ର।
32 ଦାଉଦ ଯିଶୟଙ୍କ ପୁତ୍ର।
ଯିଶୟ ଓବେଦଙ୍କ ପୁତ୍ର।
ଓବେଦ ବୋୟଜଙ୍କ ପୁତ୍ର।
ବୋୟଜ ଶେଲହଙ୍କ ପୁତ୍ର।
ଶେଲହ ନହଶୋନଙ୍କ ପୁତ୍ର।
33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର।
ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର।
ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର।
ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର।
ହେସ୍ରୋଣ ଫେରସଙ୍କ ପୁତ୍ର।
ଫେରସ ଯିହୂଦାଙ୍କ ପୁତ୍ର।
34 ଯିହୂଦା ଯାକୁବଙ୍କ ପୁତ୍ର।
ଯାକୁବ ଇସ୍ହାକଙ୍କ ପୁତ୍ର।
ଇସ୍ହାକ ଅବ୍ରହାମଙ୍କ ପୁତ୍ର।
ଅବ୍ରହାମ ତେରେହଙ୍କ ପୁତ୍ର।
ତେରେହ ନାହୋରଙ୍କ ପୁତ୍ର।
35 ନାହୋର ସରୂଗଙ୍କ ପୁତ୍ର।
ସରୂଗ ରଗୁଙ୍କ ପୁତ୍ର।
ରଗୁ ଫେଲଗଙ୍କ ପୁତ୍ର।
ଫେଲଗ ଏବରଙ୍କ ପୁତ୍ର।
ଏବର ଶେଲହଙ୍କ ପୁତ୍ର।
36 ଶେଲହ କେନାନଙ୍କ ପୁତ୍ର।
କେନାନ ଅର୍ଫକ୍ଷଦଙ୍କ ପୁତ୍ର।
ଅର୍ଫକ୍ଷଦ ଶେମଙ୍କ ପୁତ୍ର।
ଶେମ ନୋହଙ୍କ ପୁତ୍ର।
ନୋହ ଲେମଖଙ୍କ ପୁତ୍ର।
37 ଲେମଖ ମଥୂଶେଲହଙ୍କ ପୁତ୍ର।
ମଥୂଶେଲହ ହନୋକଙ୍କ ପୁତ୍ର।
ହନୋକ ଯେରଦଙ୍କ ପୁତ୍ର।
ଯେରଦ ମହଲଲେଲଙ୍କ ପୁତ୍ର।
ମହଲଲେଲ କେନାନଙ୍କ ପୁତ୍ର।
38 କେନାନ ଏନୋଶଙ୍କ ପୁତ୍ର।
ଏନୋଶ ଶେଥଙ୍କ ପୁତ୍ର।
ଶେଥ ଆଦମଙ୍କ ପୁତ୍ର।
ଆଦମ ପରମେଶ୍ୱରଙ୍କ ପୁତ୍ର।
2010 by World Bible Translation Center