Revised Common Lectionary (Semicontinuous)
68 “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର।
ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି
ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69 ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ,
ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70 ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ
ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71 ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ
ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72 ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ
ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73 ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74 ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ।
ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75 ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।
76 “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ରୂପେ ଖ୍ୟାତ ହେବ।
ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ
ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।
78 “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ,
ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79 ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ।
ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”
18 ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ଲୋକମାନେ, ‘ହାୟ, ଆମ୍ଭର ଭାଇ!
ଅବା ହାୟ, ଆମ୍ଭ ଭଉଣୀ’ ବୋଲି ଡାକି
ତାଙ୍କ ପାଇଁ ବିଳାପ କରିବେ ନାହିଁ।
‘ହାୟ ପ୍ରଭୁ, ହାୟ ତାଙ୍କର ମହିମା!’
ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।
19 ତାହାର କବର ଗଧର କବର ତୁଲ୍ୟ ହେବ,
ସେ ଘୋଷଡ଼ା ଯାଇ ଯିରୁଶାଲମର ଦ୍ୱାର ବାହାରେ ପକାଯିବ।
20 “ହେ ଯିହୁଦା, ତୁମ୍ଭେ ଲିବାନୋନ୍ର ପର୍ବତ ଉପରେ କ୍ରନ୍ଦନ କର।
ତୁମ୍ଭେ ବାଶନର ପର୍ବତ ଉପରେ ଉଚ୍ଚ ସ୍ୱରରେ ପାଟି କର
ଓ ଅବାରୀମର ପର୍ବତରୁ ବିଳାପ କର।
କାରଣ ତୁମ୍ଭର ‘ପ୍ରେମିକମାନେ’ ବିନଷ୍ଟ ହୋଇଅଛନ୍ତି।
21 “ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ
ଓ ତୁମ୍ଭକୁ ସାବଧାନ କଲୁ।
ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ।
ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ
ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ।
22 ତୁମ୍ଭ ପ୍ରତି ଶାସ୍ତି ସ୍ୱରୂପ ବାୟୁ
ତୁମ୍ଭର ସମସ୍ତ ମେଷପାଳକଙ୍କୁ ଉଡ଼ାଇ ନେବ
ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ୱ ସ୍ଥାନକୁ ଯିବ।
ସେହି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ
ଲଜ୍ଜିତ ଓ ଆକୁଳିତ ହେବ।
23 “ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହରେ ଉଚ୍ଚ ପର୍ବତ ଉପରେ ବାସ କରି
ଲିବାନୋନ୍ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ।
ମାତ୍ର ଯେତେବେଳେ ତୁମ୍ଭେ ଶାସ୍ତି ପାଇବ,
ତୁମ୍ଭେ ପ୍ରସବ ବେଦନା ତୁଲ୍ୟ ବିଳାପ କରିବ।”
ଯିହୋୟାକୀନଙ୍କ ବିପକ୍ଷରେ ବିଗ୍ଭର
24 ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍ର ପୁତ୍ର ଯିହୋୟାକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା। 25 ହେ ଯିହୋୟାକୀନ୍, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ ଅର୍ଥାତ୍ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତରେ ଓ କଲ୍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା। 26 ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶରେ ଜନ୍ମ ହୋଇ ନ ଥିଲା ସେହିପରି ଦେଶରେ ନିକ୍ଷେପ କରିବା। ସେହିଠାରେ ତୁମ୍ଭେମାନେ ମରିବ। 27 ହେ କନିୟ, ତୁମ୍ଭେ ଯେଉଁ ଦେଶକୁ ଫେରିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫେରିପାରିବ ନାହିଁ।”
28 କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ।
ସେ ଏକ ଅପ୍ରୀତିକର ପାତ୍ର।
ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ
ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ?
29 ହେ ପୃଥିବୀ, ଯିହୁଦା ଦେଶ!
ସଦାପ୍ରଭୁଙ୍କ ବାକ୍ୟ ଶୁଣ।
30 ସଦାପ୍ରଭୁ କହନ୍ତି, “କନିୟ ବିଷୟରେ ଏହି କଥା ଲେଖ,
‘ସେ ନିଃସନ୍ତାନ ହେବ।
ସେ ନିଜ ଜୀବନକାଳ ମଧ୍ୟରେ ଭାଗ୍ୟବାନ୍ ହେବ ନାହିଁ।
କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନରେ ବସିବ ନାହିଁ,
କି ଯିହୁଦା ଉପରେ ଆପଣା ଶାସନ କର୍ତ୍ତୃତ୍ୱ କରି ଭାଗ୍ୟବାନ୍ ହେବ ନାହିଁ।’”
ପରମେଶ୍ୱରଙ୍କ ରାଜ୍ୟରେ କେଉଁମାନେ ପ୍ରବେଶ କରିବେ(A)
15 କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ। 16 କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ, କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। 17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।”
2010 by World Bible Translation Center