Revised Common Lectionary (Semicontinuous)
71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
ମୋତେ ନିରାଶ ହେବାକୁ ଦିଅ ନାହିଁ।
2 କାରଣ ତୁମ୍ଭେ ଯଥାର୍ଥ ଅଟ।
ମୋତେ ଉଦ୍ଧାର କର ଓ ବଞ୍ଚାଅ।
ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
3 ମୋର ଦୁର୍ଗ ହୁଅ।
ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
1 ଏହା ହେଉଛି ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ବାକ୍ୟ। ହିଲ୍କିୟଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ୟରୁ ଜଣେ ଯିଏ କି ଅନାଥୋତ୍ ପ୍ରଦେଶର ବିନ୍ୟାମୀନଙ୍କର ଗୋଷ୍ଠୀର ଥିଲେ। 2 ଆମୋନଙ୍କ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ୱର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 3 ଯେତେବେଳେ ଯୋଶିୟଙ୍କ ପୁତ୍ର ଯିହୋୟାକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ସିଦିକିୟଙ୍କ ରାଜତ୍ୱର ଏକାଦଶ ବର୍ଷ ପଞ୍ଚମ ମାସରେ ଓ ଯିରୁଶାଲମକୁ ନିର୍ବାସିତ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ସେହି ବାକ୍ୟ ଯିରିମିୟଙ୍କୁ ଦେଲେ।
ଦୁଇ ଦର୍ଶନ
11 ଏହା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା।
ଯଥା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?”
ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।”
12 ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ୟ ସଫଳ କରାଯାଇଛି।”
13 ପୁଣି ଦ୍ୱିତୀୟ ଥର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ତାହା ହେଲା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?”
ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଲି, “ମୁଁ ଫୁଟନ୍ତା ପାଣି ପୂର୍ଣ୍ଣ ଏକ ରନ୍ଧା ହଣ୍ଡା ଦେଖୁଅଛି ଓ ତାହାର ମୁହଁ ଉତ୍ତର ଦିଗରୁ ଢଳିଅଛି।”
14 ତା’ପରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି
ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।”
15 ସଦାପ୍ରଭୁ ପୁଣି କହିଲେ,
“ଏହା ହେବ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟ ସମୂହର ସମୁଦାୟ ଗୋଷ୍ଠୀକୁ ଡାକିବା।”
“ତେଣୁ ସେମାନେ ଆସି
ଯିରୁଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ
ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ
ନିଜ ନିଜ ସିଂହାସନ ସ୍ଥାପନ କରିବେ।
16 ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧରେ ଆମ୍ଭର ବିଗ୍ଭର ପ୍ରକାଶ କରିବା
କାରଣ ସେମାନେ ଦୁଷ୍ଟ ପ୍ରକୃତିର ଲୋକ।
ସେମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି, ସେମାନେ ଅନ୍ୟ ଦେବତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି
ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।
17 “ଏଣୁ ତୁମ୍ଭ ବିଷୟରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ।
ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସେମାନଙ୍କୁ କୁହ।
ସେମାନଙ୍କ ପାଇଁ ଉଦ୍ବିଗ୍ନ ହୁଅ ନାହିଁ।
ତୁମ୍ଭେ ସେମାନଙ୍କ ପାଇଁ ଭୟଭୀତ ହେଲେ ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉଦ୍ବିଗ୍ନ କରିବା।
18 କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ,
ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ
ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ
ଏକ ଦୃଢ଼ ନଗର, ଲୌହସ୍ତମ୍ଭ
ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ।
19 ଯଦିଓ ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ,
ସେମାନେ ତୁମ୍ଭକୁ ଜୟ କରି ପାରିବେ ନାହିଁ।
କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି
ତୁମ୍ଭକୁ ଉଦ୍ଧାର କରିବା।”
ଏହା ସଦାପ୍ରଭୁ କହନ୍ତି।
ଯୀଶୁ ବିଶ୍ରାମବାରର ପ୍ରଭୁ(A)
6 ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କର ଶିଷ୍ୟମାନେ କେତେକ ଶସ୍ୟ ଛିଣ୍ତେଇଲେ ଓ ତାହାକୁ ଦୁଇ ହାତରେ ଦଳିଲେ ଏବଂ ଖାଇଲେ। 2 କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?”
3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ’ଣ କରିଥିଲେ, ତାହା କ’ଣ ତୁମ୍ଭେମାନେ ପଢ଼ି ନାହଁ? 4 ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ। 5 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ମାଲିକ।”
2010 by World Bible Translation Center