Revised Common Lectionary (Semicontinuous)
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
2 କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
3 ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
4 ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
ଜଳରାଶି ପରି ମଗ୍ନ କରିଥା’ନ୍ତେ।
ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
5 ଗର୍ଜୁଥିବା ଜଳରାଶି ଆମ୍ଭକୁ
ବୁଡ଼ାଇ ଦେଇଥା’ନ୍ତା।
6 ସଦାପ୍ରଭୁଙ୍କର ପ୍ରଶଂସା କର।
ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।
7 ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
8 ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।
ଭାଇମାନେ ଯୋଷେଫଙ୍କୁ ତଥାପି ଭୟ କରୁଥିଲେ
15 ଯାକୁବଙ୍କର ମୃତ୍ୟୁ ପରେ, ଯୋଷେଫଙ୍କର ଭାଇମାନେ ବ୍ୟସ୍ତ ହୋଇ ପଡ଼ିଲେ। ସେମାନେ ଭୟ କଲେ ଯେ ପୂର୍ବରୁ ସେମାନେ ଯୋଷେଫଙ୍କୁ ଯେପରି କରିଥିଲେ। ସେମାନେ କହିଲେ, “ଯୋଷେଫ ଆମ୍ଭକୁ ଘୃଣା କରିବ ଓ ତା'ର ପ୍ରତିଫଳ ଆମ୍ଭକୁ ଦେବ।” 16 ତେଣୁ ତା'ର ଭାଇମାନେ ଯୋଷେଫଙ୍କ ନିକଟକୁ ବାର୍ତ୍ତା ପଠାଇଲେ: ତୁମ୍ଭ ପିତା ମୃତ୍ୟୁ ପୂର୍ବରୁ କହିଥିଲେ, ତୁମ୍ଭେମାନେ ଯୋଷେଫକୁ ଏହି କଥା କହିବ। 17 ଯୋଷେଫଙ୍କୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରିଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ।’ ଏଣୁକରି ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର।
ସେମାନେ ଏହା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ। 18 ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସେମାନେ ତାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ହେବୁ।”
19 ଏହା ପରେ ଯୋଷେଫ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ପରମେଶ୍ୱର ନୁହେଁ। ମୋର ଦଣ୍ଡ ଦେବାର ଅଧିକାର ନାହିଁ। 20 ଏହା ସତ୍ୟ ଯେ, ତୁମ୍ଭେମାନେ ମୋ’ ବିରୁଦ୍ଧରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବରେ ପରମେଶ୍ୱରଙ୍କର ଯୋଜନା ଥିଲା ଉତ୍ତମ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ, ସେ ମୋ’ ଦ୍ୱାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥିପାଇଁ ଏସବୁ ହେଲା। 21 ତେଣୁ ଭୟ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନେବି।” ଏହି ପ୍ରକାରରେ ଯୋଷେଫ ତାଙ୍କର ଭାଇମାନଙ୍କୁ ମଧୁର ବଚନରେ ତୋଷିଲେ। ଏହିପରି କଥାରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ୱନା ଦେଲେ।
22 ଯୋଷେଫ ତାଙ୍କର ପିତାଙ୍କ ପରିବାର ସହିତ ମିଶରରେ ରହିଲେ। ଯୋଷେଫଙ୍କୁ ଯେତେବେଳେ 110 ବର୍ଷ ହେଲା, ସେ ମୃତ୍ୟୁବରଣ କଲେ। 23 ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
ଯୋଷେଫଙ୍କର ମୃତ୍ୟୁ
24 ଏହା ପରେ ଯୋଷେଫ ତାଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ଯତ୍ନ ନେବେ। ତା'ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନେବେ ଏବଂ ଯେଉଁ ଦେଶ ଦେବା ପାଇଁ ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାକୁ ତୁମ୍ଭମାନଙ୍କୁ ଆଗେଇ ନେବେ।”
25 ଆଉ ଯୋଷେଫ ଇସ୍ରାଏଲଙ୍କର ବଂଶଧରମାନଙ୍କୁ ତାଙ୍କଠାରେ ପ୍ରତିଜ୍ଞା କରାଇଲେ। ସେ କହିଲେ, “ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନେବେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗେଇ ନେବେ। ସେହି ସମୟରେ ମୋର ଅସ୍ଥି ତୁମ୍ଭେମାନେ ନେଇଯିବ।”
26 ଏହି ପ୍ରକାରରେ ଯୋଷେଫ 110 ବର୍ଷ ବୟସରେ ମଲେ। ସେମାନେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶରରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
ଯୀଶୁଙ୍କ ଅନୁସରଣକାରୀମାନେ ତାଙ୍କୁ ଭୁଲ୍ ବୁଝିଲେ
(ମାର୍କ 8:14-21)
5 ଯୀଶୁଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱକୁ ଗଲେ। କିନ୍ତୁ ସେମାନେ ସାଙ୍ଗରେ ରୋଟୀ ନେବାକୁ ଭୁଲିଗଲେ। 6 ଯୀଶୁ ସେମାନଙ୍କୁ କହିଲେ, “ସାବଧାନ ରୁହ! ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।”
7 ଶିଷ୍ୟମାନେ ନିଜ ନିଜ ଭିତରେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।”
8 ସେମାନେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, “ତୁମ୍ଭେ ରୋଟୀ ନ ଥିବା କଥା କାହିଁକି ତୁମ୍ଭଭିତରେ କୁହାକୁହି ହେଉଛ? ତୁମ୍ଭର ବିଶ୍ୱାସ ଅଳ୍ପ। 9 ଏବେ ସୁଦ୍ଧା ତୁମ୍ଭେ କ’ଣ ବୁଝି ପାରୁନ? ପାଞ୍ଚୋଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନେକ ଟୋକେଇରେ ଭର୍ତ୍ତି କରିଥିଲ। 10 ସାତୋଟି ରୋଟୀକୁ ଗ୍ଭରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନେକ ଟୋକେଇରେ ଭର୍ତ୍ତି କରିଥିବା ବିଷୟରେ କହୁ ନ ଥିଲି? 11 ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂରରେ ରହିବାକୁ କହୁଛି।”
12 ତା'ପରେ ସେମାନେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀରେ ବ୍ୟବହାର କରାଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟରେ ଯୀଶୁ କହୁ ନ ଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସେମାନଙ୍କୁ କହୁଥିଲେ।
2010 by World Bible Translation Center