Revised Common Lectionary (Semicontinuous)
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
3 ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।
ସ୍ୱପ୍ନଗୁଡ଼ିକ ସତ୍ୟ ହେଲା
42 ଯାକୁବ ଶୁଣିଲେ ଯେ, ମିଶରରେ ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, “କିଛି ନ କରି କାହିଁକି ତୁମ୍ଭେ ଅଳସୁଆ ହୋଇ ବସୁଛ? 2 ମୁଁ ଶୁଣିଛି ଯେ ମିଶରରେ ଖାଦ୍ୟଶସ୍ୟ ବିକ୍ରୟ କରାଯାଉଅଛିା ତେଣୁ ତୁମ୍ଭେ ଯାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ୟ କିଣିଆଣ। ତହିଁରେ ଆମ୍ଭେମାନେ ମରି ନ ଯାଇ ବଞ୍ଚି ପାରିବା।”
3 ତେଣୁ ଯୋଷେଫଙ୍କର ଦଶଭାଇ ମିଶରକୁ ଗଲେ ଖାଦ୍ୟ ଶସ୍ୟ କିଣିବା ପାଇଁ। 4 କିନ୍ତୁ ଯାକୁବ ବିନ୍ୟାମୀନକୁ ପଠାଇଲେ ନାହିଁ। ବିନ୍ୟାମୀନ ଥିଲା ଯୋଷେଫଙ୍କର ଏକ ମାତାର ଭାଇ। ଯାକୁବ ଭୟ କଲେ ଯେ ସେଠାରେ ମଧ୍ୟ ବିନ୍ୟାମୀନ ପାଇଁ କିଛି ଅଘଟଣ ଘଟିପାରେ।
5 କିଣାନ ଦେଶରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣାନ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶସ୍ୟ କିଣିବାକୁ ଗଲେ। ସେମାନଙ୍କ ମଧ୍ୟରେ ଯାକୁବର ପୁତ୍ରମାନେ ମଧ୍ୟ ଥିଲେ।
6 ସେହି ସମୟରେ ମିଶରରେ ଯୋଷେଫ ଅଧ୍ୟକ୍ଷ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ୟ କ୍ରୟ କରୁଥିଲେ ସେମାନଙ୍କୁ ଯୋଷେଫ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷେଫଙ୍କର ଭାଇମାନେ ଆସିଲେ ଏବଂ ସେମାନଙ୍କର ମୁଖ ଭୂମି ଆଡ଼କୁ କରି ଯୋଷେଫକୁ ପ୍ରଣାମ କଲେ। 7 ଯୋଷେଫ ଭାଇମାନଙ୍କୁ ଦେଖିଲେ। ଯୋଷେଫ ସେମାନଙ୍କୁ ଚିହ୍ନି ପାରିଲେ। କିନ୍ତୁ ସେମାନଙ୍କୁ ନ ଚିହ୍ନିଲାପରି ଅଭିନୟ କଲେ। ଯୋଷେଫ ସେମାନଙ୍କୁ ମଧ୍ୟ ରୁକ୍ଷ ବ୍ୟବହାର କଲେ। ଯୋଷେଫ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାରୁ ଆସିଛ?”
ତାଙ୍କର ଭାଇମାନେ ଉତ୍ତର ଦେଲେ, “ଆମ୍ଭେମାନେ କିଣାନୀୟମାନଙ୍କ ଦେଶରୁ ଆସିଛୁ। ଆମ୍ଭେ ଏଠାକୁ କିଛି ଖାଦ୍ୟ ଶସ୍ୟ କିଣିବାକୁ ଆସିଛୁ।”
8 ଯୋଷେଫ ଜାଣିଥିଲେ ଯେ ସେମାନେ ତାଙ୍କର ଭାଇ। କିନ୍ତୁ ସେମାନେ ଯୋଷେଫକୁ ଚିହ୍ନି ପାରିଲେ ନାହିଁ। 9 ଯୋଷେଫ ପୂର୍ବରୁ ସେମାନଙ୍କର ଭାଇମାନଙ୍କ ବିଷୟରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମନେ କଲେ।
ଯୋଷେଫ ସେମାନଙ୍କର ଭାଇମାନଙ୍କୁ କହିଲେ, “ତୁମ୍ଭେମାନେ ଏଠାକୁ ଖାଦ୍ୟ ଶସ୍ୟ କ୍ରୟ କରିବାକୁ ଆସି ନାହଁ। ତୁମ୍ଭେମାନେ ଗୁପ୍ତଚର। ଆମ୍ଭେ କେଉଁଥିରେ ଦୁର୍ବଳ ସେ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆସିଛ।”
10 କିନ୍ତୁ ତାଙ୍କର ଭାଇମାନେ ତାଙ୍କୁ କହିଲେ, “ନା ମହାଶୟ, ଆମ୍ଭେମାନେ ଆପଣଙ୍କ ଦାସତୁଲ୍ୟ ଆସିଅଛୁ। ଆମ୍ଭେ କେବଳ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ। 11 ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଏକ। ଆମ୍ଭେ ସଚ୍ଚୋଟ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।”
12 ତା'ପରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆମ୍ଭର ଦୂର୍ବଳତା ଜାଣିବା ପାଇଁ ଏଠାକୁ ଆସିଅଛ।”
13 ଏବଂ ଭାଇମାନେ କହିଲେ, “ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ। ଆମ୍ଭର ସାନଭାଇ ଆମ୍ଭର ଗୃହରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିଯାଇଛି। ଆମ୍ଭେମାନେ ଆପଣଙ୍କ ନିକଟରେ ଦାସତୁଲ୍ୟ। ଆମ୍ଭେମାନେ କିଣାନ ଦେଶରୁ ଆସିଅଛୁ।”
14 କିନ୍ତୁ ଯୋଷେଫ ସେମାନଙ୍କୁ କହିଲେ, “ନା ମୁଁ ଜାଣି ପାରୁଛି ତୁମ୍ଭେମାନେ ଚର। 15 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ୟତାର ପ୍ରମାଣ ଦେଖାଅ। ଫାରୋଙ୍କ ନାମରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନ ଆସିବା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କୁ ଯିବାକୁ ଦେବି ନାହିଁ। 16 ମୁଁ ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ଛାଡ଼ିବି ସେ ଯାଇ ତୁମ୍ଭର ସାନ ଭାଇକୁ ଏଠାକୁ ନେଇ ଆସିବ। ସେ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ବନ୍ଦୀଶାଳାରେ ରହିବ। ମୁଁ ଦେଖିବି ତୁମ୍ଭେମାନେ ସତ କହୁଛ ନା ତୁମ୍ଭେମାନେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦେଇ ଶପଥ କରୁଛୁ।” 17 ତେଣୁ ଯୋଷେଫ ସେମାନଙ୍କୁ ତିନି ଦିନ ପାଇଁ ବନ୍ଦୀଶାଳାରେ ରଖିଲେ।
18 ତିନି ଦିନ ପରେ, ଯୋଷେଫ ସେମାନଙ୍କୁ କହିଲେ, “ମୁଁ ପରମେଶ୍ୱରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ତହିଁରେ ତୁମ୍ଭେ ବଞ୍ଚିପାରିବ। 19 ଯଦି ତୁମ୍ଭେମାନେ ବାସ୍ତବରେ ବିଶ୍ୱାସୀ ଲୋକ, ତେବେ ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ଜଣେ କାରାଗାରରେ ରହୁ। ଏବଂ ଅନ୍ୟ ସମସ୍ତେ ତୁମ୍ଭ ଲୋକମାନଙ୍କ ପାଇଁ ଶସ୍ୟ ନେଇ ଯାଇପାର। 20 କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମୋ’ ପାଖକୁ ନେଇ ଆସିବ। ତେବେ ମୁଁ ଜାଣିବି ତୁମ୍ଭେମାନେ ସତ କହୁଛ ଏବଂ ତୁମ୍ଭେମାନେ ଆଉ ମରିବ ନାହିଁ।”
ଭାଇମାନେ ଏହି କଥାକୁ ଗ୍ରହଣ କଲେ। 21 ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଆମ୍ଭର ସାନ ଭାଇ ଯୋଷେଫକୁ ହତ୍ୟା କରିଥିବାରୁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ। ଆମ୍ଭେମାନେ ଦେଖିଥିଲୁ ସେ କି କଷ୍ଟ ପାଉଥିଲା। ତାକୁ ରକ୍ଷା କରିବାକୁ ସେ କେତେ ଅନୁରୋଧ କରିଥିଲା। କିନ୍ତୁ ଆମ୍ଭେ ତା’ ପ୍ରତି କର୍ଣ୍ଣପାତ କରି ନ ଥିଲୁ। ତେଣୁ ବର୍ତ୍ତମାନ ଆମ୍ଭେ ବିପଦରେ ପଡ଼ିଅଛୁ।”
22 ରୁବେନ୍ ସେମାନଙ୍କୁ କହିଲା, “ମୁଁ କହିଥିଲି ତୁମ୍ଭେ ତା'ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭେମାନେ ସେତେବେଳେ ମୋ’ କଥା ଶୁଣିଲ ନାହିଁ। ସେଥିପାଇଁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ।”
23 ଯୋଷେଫ ସେମାନଙ୍କ ସହିତ ବ୍ୟାଖ୍ୟାକାର ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ଯୋଷେଫ ସେମାନଙ୍କ କଥା ବୁଝି ପାରୁଥିଲେ ବୋଲି ସେମାନେ ଜାଣି ପାରି ନ ଥିଲେ। 24 ତେଣୁ ଯୋଷେଫ ସେମାନଙ୍କଠାରୁ ଦୂରକୁ ଯାଇ କାନ୍ଦିଲେ। କିଛି ସମୟ ପରେ ଯୋଷେଫ ସେମାନଙ୍କ ପାଖକୁ ଗଲେ। ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣକୁ ଅର୍ଥାତ୍ ଶିମିୟୋନକୁ ନେଇ ତାଙ୍କ ଭାଇମାନଙ୍କ ସମ୍ମୁଖରେ ବାନ୍ଧି ପକାଇଲେ। 25 ଯୋଷେଫ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସେମାନଙ୍କର ବ୍ୟାଗ୍ ଗୁଡ଼ିକୁ ଶସ୍ୟରେ ଭରପୁର କରିବା ପାଇଁ। ତାଙ୍କର ଭାଇମାନେ ସେହି ଶସ୍ୟ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷେଫ ସେହି ଅର୍ଥ ନେଲେ ନାହିଁ। ସେ ସେମାନଙ୍କର ଅର୍ଥ ସେହି ବ୍ୟାଗ୍ ମଧ୍ୟରେ ପୁରାଇ ଦେଲେ। ଏହା ପରେ ଯୋଷେଫ ତାଙ୍କର ଫେରିବା ପାଇଁ ବ୍ୟବହାର ଦ୍ରବ୍ୟ ମଧ୍ୟ ତାଙ୍କୁ ଦେଲେ।
26 ତେଣୁ ତାଙ୍କର ଭାଇମାନେ ସେହି ଗଧମାନଙ୍କ ପିଠିରେ ଶସ୍ୟ ଲଦି ସେହି ସ୍ଥାନ ପରିତ୍ୟାଗ କଲେ। 27 ସେହି ରାତ୍ରିରେ ତାଙ୍କର ଭାଇମାନେ ଏକ ସ୍ଥାନରେ ରାତ୍ରି ଯାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ୟରୁ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା! 28 ସେ ତା'ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, “ଦେଖ, ମୁଁ ଯେଉଁ ଅର୍ଥ ଶସ୍ୟ ପାଇଁ ଦେଇଥିଲି, ତାହା ଏଠାରେ ଅଛି। କେହି ଲୋକ ମୋ’ ପଟରେ (ଥଳିରେ) ସେହି ଅର୍ଥ ପୁରାଇ ଦେଇଛି।” ତା'ର ସମସ୍ତ ଭାଇମାନେ ଭୟ କରିଗଲେ। ସେମାନେ ପରସ୍ପର କୁହା କୁହି ହେଲେ, “ପରମେଶ୍ୱର ଆମ୍ଭମାନଙ୍କ ପାଇଁ କ’ଣ କରୁଛନ୍ତି?”
ଯୀଶୁ ଅନେକ ରୋଗୀଙ୍କୁ ସୁସ୍ଥ କଲେ
(ମାର୍କ 6:53-56)
34 ସେମାନେ ହ୍ରଦ ପାର ହୋଇ ଗିନ୍ନେସରତ୍ କୂଳରେ ପହଞ୍ଚିଲେ। 35 ସେଠାକାର ଲୋକେ ଚିହ୍ନି ପାରିଲେ ଓ ଆଖପାଖ ଅଞ୍ଚଳକୁ ଯୀଶୁଙ୍କ ଆସିବା ଖବର ପଠାଇଲେ। ଲୋକେ ରୋଗୀଙ୍କୁ ତାହାଙ୍କ ପାଖକୁ ଆଣିଲେ। 36 ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହୋଇଯାଆନ୍ତି, ସେଥିପାଇଁ ସେ ସେମାନଙ୍କୁ ତାହାଙ୍କୁ ବସ୍ତ୍ରର ଧାରଟି କେବଳ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
2010 by World Bible Translation Center