Revised Common Lectionary (Complementary)
23 କିନ୍ତୁ ଏହା ପରେ ପରମେଶ୍ୱର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ
ଓ ଆକାଶର ଦ୍ୱାର ଖୋଲିଲେ।
24 ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷା କରାଇଲେ
ଏବଂ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25 ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ।
ପରମେଶ୍ୱର ସେମାନେ ଖାଇ ତୃପ୍ତି ହେବା ପର୍ଯ୍ୟନ୍ତ ସେହିସବୁ ପ୍ରକାର ଖାଦ୍ୟ ଯୋଗାଇଲେ।
26 ପରମେଶ୍ୱର ଆକାଶରେ ପୂର୍ବୀୟବାୟୁ ବୁହାଇଲେ
ଓ ସେ ତାଙ୍କର ଶକ୍ତି ଦ୍ୱାରା ଦକ୍ଷିଣବାୟୁ ଆଣିଲେ।
27 ପରମେଶ୍ୱର ତାଙ୍କର ଲୋକମାନଙ୍କ ଉପରେ ସେମାନଙ୍କର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ।
ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ୟ ବହୁତ ଥିଲେ।
28 ଏହି ପକ୍ଷୀମାନେ ସେମାନଙ୍କ ତମ୍ବୁର ଚତୁର୍ଦ୍ଦିଗରେ
ଛାଉଣି ଭିତରେ ପଡ଼ିଲେ।
29 ସେମାନେ ତୃପ୍ତି ହେବା ପର୍ଯ୍ୟନ୍ତ ଖାଇଲେ।
ସେମାନେ ଯାହା ଗ୍ଭହିଁଲେ, ପରମେଶ୍ୱର ସେମାନଙ୍କୁ ଦେଲେ।
3 ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ। 4 ଆଜି ଆବୀବ୍ ମାସର ଏହି ଦିନରେ ବାହାର ହେଲ। 5 ଆଉ ଯେତେବେଳେ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେ ତୁମ୍ଭମାନଙ୍କୁ ଦେବେ।
6 “ସାତ ଦିନ ଯାଏ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ମାନାର୍ଥେ ଏକ ବଡ଼ ଭୋଜିର ଆୟୋଜନ କରିବ। 7 ତେଣୁ ସାତ ଦିନ ପାଇଁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶରେ କୌଣସିଠାରେ ତାଡ଼ି ମିଶ୍ରିତ ରୋଟୀ ଯେପରି କେହି ନ ଖା’ନ୍ତି। 8 ସେହି ଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚୟ କହିବ, ‘ଆମ୍ଭେ ଏହି ଭୋଜିର ଆୟୋଜନ କରିଛୁ ଯେହେତୁ ସଦାପ୍ରଭୁ ଆମ୍ଭକୁ ମିଶରରୁ ଏହି ଦିନ ମୁକ୍ତ କରିଥିଲେ।’
9 “ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି। 10 ତେଣୁ ଏହି ସ୍ମରଣୀୟ ଦିବସଟିକୁ ବିଧି ଅନୁସାରେ ପାଳନ କରିବ।
ଯୀଶୁଙ୍କ ଅନୁସରଣକାରୀମାନେ ତାଙ୍କୁ ଭୁଲ୍ ବୁଝିଲେ
(ମାର୍କ 8:14-21)
5 ଯୀଶୁଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱକୁ ଗଲେ। କିନ୍ତୁ ସେମାନେ ସାଙ୍ଗରେ ରୋଟୀ ନେବାକୁ ଭୁଲିଗଲେ। 6 ଯୀଶୁ ସେମାନଙ୍କୁ କହିଲେ, “ସାବଧାନ ରୁହ! ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।”
7 ଶିଷ୍ୟମାନେ ନିଜ ନିଜ ଭିତରେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।”
8 ସେମାନେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, “ତୁମ୍ଭେ ରୋଟୀ ନ ଥିବା କଥା କାହିଁକି ତୁମ୍ଭଭିତରେ କୁହାକୁହି ହେଉଛ? ତୁମ୍ଭର ବିଶ୍ୱାସ ଅଳ୍ପ। 9 ଏବେ ସୁଦ୍ଧା ତୁମ୍ଭେ କ’ଣ ବୁଝି ପାରୁନ? ପାଞ୍ଚୋଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନେକ ଟୋକେଇରେ ଭର୍ତ୍ତି କରିଥିଲ। 10 ସାତୋଟି ରୋଟୀକୁ ଗ୍ଭରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନେକ ଟୋକେଇରେ ଭର୍ତ୍ତି କରିଥିବା ବିଷୟରେ କହୁ ନ ଥିଲି? 11 ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂରରେ ରହିବାକୁ କହୁଛି।”
12 ତା'ପରେ ସେମାନେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀରେ ବ୍ୟବହାର କରାଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟରେ ଯୀଶୁ କହୁ ନ ଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସେମାନଙ୍କୁ କହୁଥିଲେ।
2010 by World Bible Translation Center