Chronological
ଯିହୁଦାରେ ଅମତ୍ସିୟ ଶାସନ ଆରମ୍ଭ କରନ୍ତି
14 ଇସ୍ରାଏଲର ରାଜା ଯିହୋୟାହସଙ୍କ ପୁତ୍ର ଯୋୟାଶଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମତ୍ସିୟ ରାଜ୍ୟ କରିବାକୁ ଆରମ୍ଭ କଲେ। 2 ସେ ପଚିଶ୍ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କରିଥିଲେ ଓ ସେ ଅଣତିରିଶ୍ ବର୍ଷ ଯିରୁଶାଲମରେ ଶାସନ କଲେ। ତାଙ୍କର ମାତାଙ୍କର ନାମ ଯିହୋୟଦ୍ଦନ୍ ଓ ସେ ସ୍ତ୍ରୀ ଯିରୁଶାଲମ ନିବାସିନୀ ଥିଲେ। 3 ପୁଣି ଅମତ୍ସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ଯୋୟାଶଙ୍କର କୃତ କର୍ମାନୁସାରେ କର୍ମ କଲେ। 4 ସେ ଉଚ୍ଚସ୍ଥଳୀଗୁଡ଼ିକ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କରେ ବଳିଦାନ କଲେ ଓ ଧୂପ ଜଳାଇଲେ।
5 ସେତେବେଳେ ଅମତ୍ସିୟଙ୍କର ରାଜ୍ୟ ଉପରେ ଦୃଢ଼ ନିୟନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ୟାକାରୀ ଥିଲେ। ସେମାନଙ୍କୁ ବଧ କଲେ। 6 ମାତ୍ର, ସେ ହତ୍ୟାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମୋଶାଙ୍କର ବ୍ୟବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହୋଇଛି ଯେ, “ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହେବେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ୟୁଦଣ୍ତ ପାଇବେ ନାହିଁ। ପ୍ରତ୍ୟେକ ଲୋକ ନିଜ ପାପ ଲାଗି ଦଣ୍ତିତ ହେବେ।”(A)
7 ଅମତ୍ସିୟ ଲବଣ ଉପତ୍ୟକାରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ଅଧିକାର କରି ତାହାର ନାମ “ଯକ୍ତେଲ” ରଖିଲେ। ତାହା ଆଜି ମଧ୍ୟ “ଯକ୍ତେଲ” ନାମରେ ପରିଚିତ।
ଅମତ୍ସିୟଙ୍କ ଯୋୟାଶ୍ ବିରୁଦ୍ଧରେ ଯୁଦ୍ଧ
8 ଅମତ୍ସିୟ ଯେହୂଙ୍କ ପୌତ୍ର ଓ ଯିହୋୟାହସଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ସନ୍ଦେଶ ବାହକ ପଠାଇଲେ, ଇସ୍ରାଏଲର ରାଜା କହୁଛନ୍ତି, “ଆସ, ଆମ୍ଭେମାନେ ପରସ୍ପର ସମ୍ମୁଖା ସମ୍ମୁଖୀ ହୋଇ ଯୁଦ୍ଧ କରିବା।”
9 ଇସ୍ରାଏଲର ରାଜା ଯୋୟାଶ ଯିହୁଦାର ରାଜା ଅମତ୍ସିୟ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।’ ମାତ୍ର ଲିବାନୋନ୍ର ଏକ ବନ୍ୟ ପଶୁ ସେହି ବାଟ ଦେଇ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦରେ ଦଳି ଦେଲା। 10 ଏହା ସତ୍ୟ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜୟ କରିଛ। ସେହି ଗୌରବ ନେଇ ସନ୍ତୁଷ୍ଟ ହୋଇ ରୁହ। ଆଉ ନିଜ ଉପରେ କ୍ଳେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦା ସହିତ ପତନ ହେବ।”
11 ମାତ୍ର ଅମତ୍ସିୟ ଯୋୟାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ଯୋୟାଶ ଓ ଅମତ୍ସିୟ ଯିହୁଦାର ବୈଥ୍ଶେମଶରେ ପରସ୍ପର ଯୁଦ୍ଧରେ ସମ୍ମୁଖୀନ ହେଲେ। 12 ଇସ୍ରାଏଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରତ୍ୟେକ ଲୋକ ନିଜ ନିଜ ତମ୍ବୁକୁ ପଳାୟନ କଲେ। 13 ଇସ୍ରାଏଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିୟଙ୍କର ପୌତ୍ର ବୈଥ୍ଶେମଶକୁ ଅଧିକାର କଲେ। ପ୍ରାୟ 600 ଫୁଟ୍ ଇଫ୍ରୟିମର ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ନଗର ପାଚେରୀ ଯୋୟାଶୟ ଭାଙ୍ଗି ଦେଇଥିଲେ। 14 ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସମସ୍ତ ସୁବର୍ଣ୍ଣ, ରୌପ୍ୟ ଓ ପାତ୍ର ନେଇ ବନ୍ଦୀମାନଙ୍କୁ ମଧ୍ୟ ସଙ୍ଗରେ ନେଇ ଶମରିୟାକୁ ଫେରି ଗଲେ।
15 ପୁଣି ଯୋୟାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମତ୍ସିୟଙ୍କ ସଙ୍ଗେ କି ପ୍ରକାର ଯୁଦ୍ଧ କଲେ ସେ ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 16 ଯୋୟାଶଙ୍କର ମୃତ୍ୟୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ଇସ୍ରାଏଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯାରବିୟାମ ନୂତନ ରାଜା ରୂପେ ପରିଚିତ ହେଲେ।
ଅମତ୍ସିୟଙ୍କ ମୃତ୍ୟୁ
17 ଇସ୍ରାଏଲ ରାଜା ଯିହୋୟାହସଙ୍କର ପୁତ୍ର ଯୋୟାଶଙ୍କର ମୃତ୍ୟୁ ପରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମତ୍ସିୟ ପନ୍ଦର ବର୍ଷ ବଞ୍ଚିଲେ। 18 ଅମତ୍ସିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଓ ପରାକ୍ରମ, ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 19 ଅନନ୍ତର ଯିରୁଶାଲମରେ ଲୋକମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ତେଣୁ ସେ ଲାଖୀଶ୍କୁ ପଳାଇଲେ। ମାତ୍ର ସେମାନେ ଲାଖୀଶ୍କୁ ଲୋକ ପଠାଇ ତାଙ୍କୁ ବଧ କଲେ। 20 ପୁଣି ସେମାନେ ତାଙ୍କର ମୃତ ଶବକୁ ଅଶ୍ୱପୃଷ୍ଠରେ ଆଣି ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ଯିରୁଶାଲମର ଦାଉଦ ନଗରରେ କବର ଦେଲେ।
ଅସରିୟ ଯିହୁଦାରେ ରାଜ୍ୟ ଶାସନ କରନ୍ତି
21 ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିୟଙ୍କର ଷୋହଳ ବର୍ଷର ପୁତ୍ର ଅସରିୟଙ୍କୁ ତାଙ୍କ ପିତାଙ୍କ ପଦରେ ରାଜା କଲେ। 22 ଅମତ୍ସିୟ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିୟ ଏଲତ୍ ନଗରକୁ ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।
ଯାରବିୟାମ ଇସ୍ରାଏଲରେ ରାଜ୍ୟ ଶାସନ କଲେ
23 ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ରାଜା ଅମତ୍ସିୟଙ୍କ ରାଜତ୍ୱର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶଙ୍କର ପୁତ୍ର ଯାରବିୟାମ ଶମରିୟାରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଏକଗ୍ଭଳିଶ ବର୍ଷ ରାଜତ୍ୱ କଲେ। 24 ସଦାପ୍ରଭୁଙ୍କ ଦୃଷ୍ଟିରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ ନିଜେ କରିଥିଲେ, ତାହା ଇସ୍ରାଏଲୀୟମାନଙ୍କୁ ମଧ୍ୟ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ। 25 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଅମିତ୍ତୟଙ୍କ ପୁତ୍ର ଗାଥ୍ହେଫର ନିବାସୀ ଆପଣା ସେବକ ଯୂନସ ଭବିଷ୍ୟଦ୍ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ଯାରବିୟାମ ଦଖଳ କଲେ। 26 କାରଣ ସଦାପ୍ରଭୁ ଇସ୍ରାଏଲୀୟମାନଙ୍କର ଦୟନୀୟ ଯନ୍ତ୍ରଣା ଦେଖିଲେ, ଯେଉଁମାନେ ଦୋଷି ଓ ମୁକ୍ତ ଥିଲେ। କାରଣ ଇସ୍ରାଏଲକୁ ସାହାଯ୍ୟ କରିବାକୁ କେହି ନ ଥିଲେ। 27 ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇସ୍ରାଏଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ଯୋୟାଶଙ୍କ ପୁତ୍ର ଯାରବିୟାମଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
28 ଯାରବିୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା, ସମସ୍ତ ପରାକ୍ରମ, ସେ କି ପ୍ରକାର ଯୁଦ୍ଧ କଲେ ଓ ଇସ୍ରାଏଲ ପାଇଁ ସେ କିପରି ଯିହୁଦାର ପୂର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 29 ଅନନ୍ତର ଯାରବିୟାମଙ୍କ ମୃତ୍ୟୁ ହେଲା ଓ ସେ ଇସ୍ରାଏଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କ ପୁତ୍ର ଜିଖରିୟ ଇସ୍ରାଏଲର ରାଜା ହେଲେ।
ଯିହୁଦାର ରାଜା ଅମତ୍ସିୟ
25 ଅମତ୍ସିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିହୋୟଦ୍ଦନ୍। ଯିହୋୟଦ୍ଦନ୍ ଯିରୁଶାଲମରୁ ଆସିଥିଲେ। 2 ଅମତ୍ସିୟ ସଦାପ୍ରଭୁଙ୍କର ଇଚ୍ଛାନୁଯାୟୀ କର୍ମ କଲେ। କିନ୍ତୁ ସେ ଆପଣାର ସମ୍ପୂର୍ଣ୍ଣ ହୃଦୟର ସହିତ ତାହା କଲେ ନାହିଁ। 3 ଅମତ୍ସିୟ ଜଣେ ପରାକ୍ରମୀ ରାଜା ହେଲେ। ଏହା ପରେ ଯେଉଁ ପଦାଧିକାରୀମାନେ ତାଙ୍କର ପିତା, ରାଜାଙ୍କୁ ହତ୍ୟା କରିଥିଲେ, ସେ ସେହି ପଦାଧିକାରୀମାନଙ୍କୁ ହତ୍ୟା କଲେ। 4 କିନ୍ତୁ ଅମତ୍ସିୟ ସେହି ପଦାଧିକାରୀମାନଙ୍କର ସନ୍ତାନମାନଙ୍କୁ ହତ୍ୟା କଲେ ନାହିଁ, କାରଣ ସେ ମୋଶାଙ୍କ ପୁସ୍ତକରେ ଲିଖିତ ନିୟମକୁ ମାନିଲେ। ସଦାପ୍ରଭୁ ଆଦେଶ ଦେଇଥିଲେ, “ପିତାମାତାମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଆଉ ସନ୍ତାନମାନଙ୍କୁ ସେମାନଙ୍କ ପିତାମାତାଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଜଣେ ବ୍ୟକ୍ତିକୁ କେବଳ ତା'ର ନିଜର ମନ୍ଦକର୍ମ ପାଇଁ ହତ୍ୟା କରାଯିବା ଉଚିତ୍।”(A)
5 ଅମତ୍ସିୟ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସେମାନଙ୍କ ବଂଶାନୁଯାୟୀ ସେମାନଙ୍କୁ ଦଳଭୁକ୍ତ କଲେ ଓ ସେ ସେନାଧ୍ୟକ୍ଷ ଓ ସେନାପତିମାନଙ୍କୁ ସେହି ଦଳଗୁଡ଼ିକର ଦାୟିତ୍ୱରେ ରଖିଲେ। ସେହି ନେତାମାନେ ଯିହୁଦା ଓ ବିନ୍ୟାମୀନର ଆଗତ ସମସ୍ତ ସୈନ୍ୟମାନଙ୍କର ଦାୟିତ୍ୱରେ ଥିଲେ। ଯେଉଁ ବ୍ୟକ୍ତିମାନଙ୍କୁ ସୈନ୍ୟରୂପେ ମନୋନୀତ କରାଯାଇଥିଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସର୍ବମୋଟ 300,000 ଦକ୍ଷ ସୈନ୍ୟମାନେ ବର୍ଚ୍ଛା ଓ ଢାଲ ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ। 6 ଅମତ୍ସିୟ ମଧ୍ୟ ଇସ୍ରାଏଲରୁ 100,000 ସୈନ୍ୟ ଭଡ଼ାରେ ଆଣିଲେ। ସେ ସେହି ସୈନ୍ୟମାନଙ୍କ ନିମନ୍ତେ 100 ତାଳନ୍ତ ରୂପା ଦେଲେ। 7 କିନ୍ତୁ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଅମତ୍ସିୟଙ୍କ ନିକଟକୁ ଆସିଲେ। ପରମେଶ୍ୱରଙ୍କର ସେହି ବ୍ୟକ୍ତି କହିଲେ, “ରାଜା, ଇସ୍ରାଏଲର ସୈନ୍ୟମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଅ ନାହିଁ। ସଦାପ୍ରଭୁ ଇସ୍ରାଏଲର ସହିତରେ ନାହାନ୍ତି। ସଦାପ୍ରଭୁ ଇଫ୍ରୟିମର ଲୋକମାନଙ୍କ ସହିତରେ ନାହାନ୍ତି। 8 ହୋଇପାରେ, ତୁମ୍ଭେ ନିଜକୁ ଦୃଢ଼ ଓ ଯୁଦ୍ଧ ନିମନ୍ତେ ସୁପ୍ରସ୍ତୁତ କରିପାର, କିନ୍ତୁ ପରମେଶ୍ୱର ହିଁ ତୁମ୍ଭକୁ ବିଜୟୀ କିଅବା ପରାଜୟୀ ହେବା ନିମନ୍ତେ ସାହାଯ୍ୟ କରି ପାରନ୍ତି।” 9 ଅମତ୍ସିୟ ପରମେଶ୍ୱରଙ୍କ ସେହି ବ୍ୟକ୍ତିଙ୍କୁ କହିଲେ, “କିନ୍ତୁ ମୁଁ ଇସ୍ରାଏଲୀୟ ସୈନ୍ୟଦଳକୁ ଯେଉଁ 100 ତାଳନ୍ତ ରୂପା ଦେଇସାରିଛି, ତାହା ବିଷୟରେ କ’ଣ କରାଯିବ?” ପରମେଶ୍ୱରଙ୍କ ବ୍ୟକ୍ତି ଉତ୍ତର ଦେଲେ, “ସଦାପ୍ରଭୁଙ୍କର ପ୍ରଚୁର ଅଛି, ସେ ତୁମ୍ଭକୁ ତାହାଠାରୁ ଯଥେଷ୍ଟ ଅଧିକ ଦେଇପାରନ୍ତି!”
10 ତେଣୁ ଅମତ୍ସିୟ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ସେମାନଙ୍କ ଗୃହକୁ, ଇଫ୍ରୟିମକୁ ଫେରାଇ ଦେଲେ। ସେହି ଲୋକମାନେ ରାଜା ଓ ଯିହୁଦାର ଲୋକମାନଙ୍କ ଉପରେ ଭୟଙ୍କର କ୍ରୋଧ କଲେ। ସେମାନେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଗୃହକୁ ଫେରିଗଲେ।
11 ଏହା ପରେ ଅମତ୍ସିୟ ଅତ୍ୟନ୍ତ ସାହସୀ ହୋଇ ଉଠିଲେ ଓ ତାଙ୍କର ସୈନ୍ୟଦଳକୁ ଲବଣଉପତ୍ୟକାକୁ କଢ଼ାଇ ନେଲେ। ସେହି ସ୍ଥାନରେ, ଅମତ୍ସିୟଙ୍କ ସୈନ୍ୟଦଳ ସେୟୀରର 10,000 ଲୋକଙ୍କୁ ହତ୍ୟା କଲେ। 12 ଯିହୁଦାର ସୈନ୍ୟଦଳ ମଧ୍ୟ ସେୟୀରର 10,000 ଲୋକଙ୍କୁ କରାୟତ କଲେ। ସେମାନେ ସେହି ଲୋକମାନଙ୍କୁ ସେୟୀରରୁ ସେଲାର ଶୀର୍ଷକୁ ନେଇଗଲେ। ସେହି ଲୋକମାନେ ସେତେବେଳେ ଜୀବିତ ଥିଲେ। ଏହା ପରେ ଯିହୁଦାର ସୈନ୍ୟଦଳ ସେହି ଲୋକମାନଙ୍କୁ ସେଲାରୁ ତଳକୁ ଫୋପାଡ଼ି ଦେଲେ, ଆଉ ସେମାନଙ୍କର ଶରୀର ତଳେ ଥିବା ପଥରରେ ପଡ଼ି ଖଣ୍ଡ ବିଖଣ୍ଡ ହୋଇଗଲା।
13 କିନ୍ତୁ ସେହି ସମୟରେ ହିଁ ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାର କେତେକ ସହର ଉପରେ ଆକ୍ରମଣ କରୁଥିଲେ। ସେମାନେ ଶମରିୟାଠାରୁ ବୈଥ୍ହୋରଣ୍ ପର୍ଯ୍ୟନ୍ତ ସହରଗୁଡ଼ିକୁ ଆକ୍ରମଣ କଲେ। ସେମାନେ 3,000 ଲୋକଙ୍କୁ ହତ୍ୟା କଲେ ଓ ଅନେକ ବହୁମୂଲ୍ୟ ସାମଗ୍ରୀମାନ ନେଇଗଲେ। କାରଣ ଅମତ୍ସିୟ ସେମାନଙ୍କ ଯୁଦ୍ଧରେ ଯୋଗ ଦେଇ ନ ଥିଲେ।
14 ଅମତ୍ସିୟ ଇଦୋମୀୟ ଲୋକମାନଙ୍କୁ ପରାସ୍ତ କରିବା ପରେ ଗୃହକୁ ବାହୁଡ଼ି ଆସିଲେ। ସେୟୀରର ଲୋକମାନେ ଯେଉଁ ଦେବ ପ୍ରତିମାକୁ ପୂଜା କରୁଥିଲେ, ସେଗୁଡ଼ିକୁ ସଙ୍ଗରେ ଆଣିଥିଲେ। ଅମତ୍ସିୟ ସେହି ଦେବ ପ୍ରତିମାକୁ ପୂଜା କରିବାକୁ ଆରମ୍ଭ କଲେ। ସେ ସେହି ଦେବତାମାନଙ୍କର ସମ୍ମୁଖରେ ପ୍ରଣିପାତ କଲେ ଓ ସେ ସେମାନଙ୍କର ନିକଟରେ ଧୂପ ଜ୍ୱଳାଇଲେ। 15 ସଦାପ୍ରଭୁ ଅମତ୍ସିୟଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ଅମତ୍ସିୟଙ୍କ ନିକଟକୁ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ପଠାଇଲେ। ଭବିଷ୍ୟଦ୍ବକ୍ତା କହିଲେ, “ଅମତ୍ସିୟ, ତୁମ୍ଭେ କାହିଁକି ସେହି ଲୋକମାନେ ପୂଜା କରୁଥିବା ଦେବତାମାନଙ୍କର ପୂଜା କଲ? ସେହି ଦେବତାମାନେ ସେମାନଙ୍କ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରି ପାରିଲେ ନାହିଁ।”
16 ଭବିଷ୍ୟଦ୍ବକ୍ତା ଯେତେବେଳେ ଏହି କଥା କହିଲେ, ଅମତ୍ସିୟ ସେହି ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ! ଯଦି ତୁମ୍ଭେ ନୀରବ ନ ରୁହ, ତେବେ ତୁମ୍ଭକୁ ହତ୍ୟା କରାଯିବ!” ଭବିଷ୍ୟଦ୍ବକ୍ତା ନୀରବ ହୋଇଗଲେ, କିନ୍ତୁ ତା'ପରେ କହିଲେ, “ପରମେଶ୍ୱର ପ୍ରକୃତରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାରଣ ତୁମ୍ଭେ ସେହି ମନ୍ଦକାର୍ଯ୍ୟସବୁ କଲ ଓ ମୋର ଉପଦେଶ ଶୁଣିଲ ନାହିଁ।”
17 ଯିହୁଦାର ରାଜା ଅମତ୍ସିୟ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହା ପରେ ସେ ଇସ୍ରାଏଲର ରାଜା ଯୋୟାଶଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ଯିହୋୟାହସଙ୍କର ପୁତ୍ର ଥିଲେ। ଯିହୋୟାହସ୍ ଯେହୂଙ୍କ ପୁତ୍ର ଥିଲେ। ଅମତ୍ସିୟ ଯୋୟାଶଙ୍କୁ କହିଲେ, “ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭେଟିବା।”
18 ଏହା ପରେ ଯୋୟାଶ୍ ଅମତ୍ସିୟଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇସ୍ରାଏଲର ରାଜା ଓ ଅମତ୍ସିୟ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ: “ଲିବାନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦେବଦାରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, ‘ତୁମ୍ଭର କନ୍ୟା ମୋର ପୁତ୍ରକୁ ବିବାହ କରୁ।’ କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦେଇ ଗ୍ଭଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଲା। 19 ତୁମ୍ଭେ ନିଜକୁ କହିଲ, ‘ମୁଁ ଇଦୋମକୁ ପରାଜିତ କରିଦେଲି!’ ତୁମ୍ଭେ ଗର୍ବୀ ଓ ଅତ୍ୟନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ୟ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବ, ତେବେ ତୁମ୍ଭେ ଓ ଯିହୁଦା ନଷ୍ଟ ହେବ।”
20 କିନ୍ତୁ ଅମତ୍ସିୟ ତାହା ଶୁଣିଲେ ନାହିଁ। ଏହା ପରମେଶ୍ୱରଙ୍କ ଆଡ଼ୁ ହେଲା। ପରମେଶ୍ୱର ଇସ୍ରାଏଲ ଦ୍ୱାରା ଯିହୁଦାକୁ ପରାସ୍ତ କରିବାକୁ ଯୋଜନା କରିଥିଲେ, କାରଣ ଯିହୁଦାର ଲୋକମାନେ ଇଦୋମର ଲୋକମାନଙ୍କ ଦେବତାର ଅନୁଗାମୀ ହୋଇଥିଲେ। 21 ତେଣୁ ଇସ୍ରାଏଲର ରାଜା ଯୋୟାଶ୍ ବୈଥ୍-ଶେମଶ୍ ସହରରେ ଯିହୁଦାର ରାଜା ଅମତ୍ସିୟଙ୍କୁ ସାମ୍ନା-ସାମ୍ନି ହୋଇ ଭେଟିଲେ। ବୈଥ୍-ଶେମଶ୍ ଯିହୁଦାର ଅଞ୍ଚଳ ଅଟେ। 22 ଇସ୍ରାଏଲ ଯିହୁଦାକୁ ପରାସ୍ତ କଲେ। ଯିହୁଦାର ପ୍ରତ୍ୟେକ ଲୋକ ନିଜ ଗୃହକୁ ଦୌଡ଼ି ପଳାଇଲେ। 23 ଯୋୟାଶ୍ ଯିହୁଦାର ରାଜା ଅମତ୍ସିୟଙ୍କୁ ବୈଥ୍-ଶେମଶ୍ଠାରେ ଧରିଲେ ଓ ତାଙ୍କୁ ଯିରୁଶାଲମକୁ ନେଇଗଲେ। ଅମତ୍ସିୟଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍, ଯୋୟାଶଙ୍କ ପିତାଙ୍କର ନାମ ଥିଲା ଯିହୋୟାହସ୍। ଇସ୍ରାଏଲର ରାଜା ଯୋୟାଶ ଇଫ୍ରୟିମ ଫାଟକଠାରୁ କୋଣସ୍ଥିତ ଫାଟକ ପର୍ଯ୍ୟନ୍ତ ଯିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ। 24 ପରମେଶ୍ୱରଙ୍କ ମନ୍ଦିରରେ ଏବଂ ରାଜାଙ୍କ ପ୍ରାସାଦରେ ସୁନା, ରୂପା ଓ ଆହୁରି ଅନେକ ସାମଗ୍ରୀ ସବୁ ରହିଥିଲା। ଓବେଦ୍-ଇଦୋମ ଏହି ସମସ୍ତର ଦାୟିତ୍ୱରେ ଥିଲେ। କିନ୍ତୁ ଯୋୟାଶ୍ ସେହି ସବୁତକ ସାମଗ୍ରୀ ନେଇଗଲେ। ଏହା ପରେ ଯୋୟାଶ୍ କିଛି ଲୋକଙ୍କୁ ବନ୍ଦୀକରି ନେଇଗଲେ ଓ ଶମରିୟାକୁ ଫେରିଗଲେ।
25 ଯିହୋୟାହସଙ୍କ ପରେ, ତାଙ୍କ ପୁତ୍ର ଇସ୍ରାଏଲର ରାଜା ଯୋୟାଶଙ୍କର ମୃତ୍ୟୁ ହେଲା, ଯୋୟାଶଙ୍କର ପୁତ୍ର ଅମତ୍ସିୟ ଯିହୁଦାର ରାଜା ଆହୁରି ପନ୍ଦର ବର୍ଷ ବଞ୍ଚିଲେ। 26 ଅମତ୍ସିୟ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି। 27 ଯେତେବେଳେ ଅମତ୍ସିୟ ସଦାପ୍ରଭୁଙ୍କର ବାଧ୍ୟ ହେବା ବନ୍ଦ କରିଦେଲେ, ଯିରୁଶାଲମର ଲୋକମାନେ ଅମତ୍ସିୟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସେମାନେ ସେଠାରେ ଅମତ୍ସିୟଙ୍କୁ ହତ୍ୟା କଲେ। 28 ଏହା ପରେ ସେମାନେ ଅମତ୍ସିୟଙ୍କ ଶରୀରକୁ ଅଶ୍ୱ ପୃଷ୍ଠରେ ବୋହି ନେଲେ ଓ ତାଙ୍କୁ ତାଙ୍କର ପୂର୍ବପୁରୁଷଗଣ ସହିତ ଯିହୁଦା ନଗରରେ କବର ଦେଲେ।
2010 by World Bible Translation Center