Beginning
ଯିହୁଦାର ରାଜା ଅବିୟାମ
15 ଯାରବିୟାମଙ୍କ ଇସ୍ରାଏଲରେ ରାଜତ୍ୱ କରିବାର ଅଷ୍ଟାଦଶ ବର୍ଷରେ ଅବିୟାମ ଯିହୁଦାର ରାଜା ହେଲେ। 2 ସେ ଯିରୁଶାଲମରେ ତିନି ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲେ।
3 ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମରେ ଲିପ୍ତ ଥିଲେ ସେ ମଧ୍ୟ ସେହିସବୁ ପାପକର୍ମ କରି ଗ୍ଭଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କ ପ୍ରତି ସର୍ବାନ୍ତଃକରଣରେ ବିଶ୍ୱସ୍ତ ନ ଥିଲେ। 4 ଯେହେତୁ ସଦାପ୍ରଭୁ ଦାଉଦଙ୍କୁ ପ୍ରେମ କରିଥିବାରୁ ସେ ଅବିୟାମକୁ ଯିରୁଶାଲମ ଦେଇଥିଲେ। କେବଳ ଦାଉଦଙ୍କ ସକାଶେ ସେ ଯିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦେଇଥିଲେ। 5 ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ଯ୍ୟ କରୁଥିଲେ। କେବଳ ହିତ୍ତୀୟ ଉରିୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ନିଜ ଜୀବନ କାଳରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।
6 ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ରତ ରହୁଥିଲେ। 7 ଅବିୟାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
ଯେପର୍ଯ୍ୟନ୍ତ ସେ ରାଜା ଥିଲେ, ଅବିୟାମ ଓ ଯାରବିୟାମ ମଧ୍ୟରେ ଯୁଦ୍ଧ ଲାଗି ରହୁଥିଲା। 8 ଯେତେବେଳେ ଅବିୟାମ ମଲେ ତାଙ୍କୁ ପିତୃ ଲୋକଙ୍କ ସହିତ ଦାଉଦ ନଗରରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।
ଆସା ଯିହୁଦାର ରାଜା
9 ଇସ୍ରାଏଲରେ ଯାରବିୟାମଙ୍କ ବିଂଶତମ ବର୍ଷ ରାଜତ୍ୱ କାଳରେ ଆସା ଯିହୁଦାର ରାଜା ହେଲେ। 10 ଆସା ଯିରୁଶାଲମରେ 41 ବର୍ଷ ରାଜତ୍ୱ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲା।
11 ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ନ୍ୟାୟ ଓ ଯଥାର୍ଥ ଥିଲା, ସେହିପରି ଉତ୍ତମ କାର୍ଯ୍ୟମାନ କଲେ। 12 ଆସା ପୁରୁଷ ବେଶ୍ୟାମାନଙ୍କୁ ସେ ଦେଶରୁ ତଡ଼ି ଦେଲେ ଓ ନିଜର ପୂର୍ବପୁରୁଷମାନଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ସବୁ ଦୂର କରିଦେଲେ। 13 ଆସା ମଧ୍ୟ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡ଼ିତ କଲେ, କାରଣ ସେ ଆଶେରା ଦେବତା ନାମରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସେହି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡ଼ି ପକାଇଲେ। 14 ଆସା ଉଚ୍ଚସ୍ଥଳୀ ସବୁ ଧ୍ୱଂସ କଲେ ନାହିଁ, ମାତ୍ର ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହିଲେ। 15 ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ୱରଙ୍କୁ ଦେଲେ। ସେମାନେ ସେମାନଙ୍କର ସୁବର୍ଣ୍ଣ ଓ ରୌପ୍ୟ ଉପହାରଗୁଡ଼ିକ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିରରେ ଦେଲେ।
16 ପୁଣି ଆସା ଯିହୁଦାରେ ରାଜତ୍ୱ କଲାବେଳେ ଯାବଜ୍ଜୀବନ ଇସ୍ରାଏଲର ରାଜା ବାଶାଙ୍କ ସହିତ ଯୁଦ୍ଧରେ ରତ ରହିଲେ। 17 ବାଶା ଯିହୁଦା ବିରୁଦ୍ଧରେ ଯୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ଯିବାକୁ ଦେଲେ ନାହିଁ କିମ୍ବା ସେଠାରୁ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇସ୍ରାଏଲର ରାମା ନଗରକୁ ସୁଦୃଢ଼ କଲେ। 18 ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ। ସେ ହିଷିୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍ହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ। 19 ଆସା ଏହିବାର୍ତ୍ତା ପଠାଇ କହିଲେ, “ମୋର ପିତା ଓ ତୁମ୍ଭ ମଧ୍ୟରେ ଶାନ୍ତିର ଚୁକ୍ତି ହୋଇଥିଲା। ବର୍ତ୍ତମାନ ମୁଁ ମଧ୍ୟ ତୁମ୍ଭ ସହିତ ସେହି ଶାନ୍ତିର ଚୁକ୍ତି ଗ୍ଭହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭେଟି ପଠାଉଛି। ଦୟାକରି ଇସ୍ରାଏଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମୋ’ ରାଜ୍ୟ ଛାଡ଼ି ଗ୍ଭଲିଯିବ।”
20 ରାଜା ବିନ୍ହଦଦ୍ ଆସାଙ୍କ କଥାରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ୟକ୍ଷରେ ଥିବା ତାଙ୍କର ସୈନ୍ୟଦଳ ପଠାଇଲେ ଏବଂ ଇସ୍ରାଏଲ ସହରର ଇୟୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ। 21 ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ଼ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡ଼ି ତିର୍ସାରେ ବାସ କଲେ। 22 ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ଼ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିଆଣ। ସେଥିରେ ରାଜା ଆସା, ବିନ୍ୟାମୀନର ଗେବା ଓ ମିସ୍ପା ନଗର ଦୃଢ଼ କଲେ।
23 ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିୟା ଓ ଯେଉଁ ନଗର ଗୁଡ଼ିକୁ ସେ ସୁଦୃଢ଼ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ୟବସ୍ଥାରେ ପାଦରେ ଏକ ରୋଗ ହେଲା। 24 ଏହା ପରେ ଆସା ମୃତ୍ୟୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତାଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଯିହୋଶାଫଟ୍ ରାଜତ୍ୱ କଲେ।
ନାଦବ୍ ଇସ୍ରାଏଲର ରାଜା
25 ଯିହୁଦାରେ ଆସାଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯାରବିୟାମଙ୍କ ପୁତ୍ର ନାଦବ୍ ଇସ୍ରାଏଲର ରାଜା ହେଲେ। 26 ସଦାପ୍ରଭୁଙ୍କ ଦୃଷ୍ଟିରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ଯାରବିୟାମଙ୍କ ପରି ପାପ କଲେ, ଯିଏ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
27 ଇଷାଖର ପରିବାରବର୍ଗୀୟ ଅହିୟର ପୁତ୍ର ବାଶା ନାଦବ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ବାଶା ପଲେଷ୍ଟୀୟ ନିକଟରେ ତାଙ୍କୁ ବଧ କଲେ, ଯେତେବେଳେ ନାଦବ୍ ଓ ସମସ୍ତ ଇସ୍ରାଏଲ ଗିବ୍ବଥୋନ ଅବରୋଧ କଲେ। 28 ଯିହୁଦାରେ ରାଜା ଆସାଙ୍କ ତୃତୀୟ ବର୍ଷରେ ବାଶା ନାଦବ୍ଙ୍କୁ ବଧ କରି ସେହି ପଦରେ ରାଜତ୍ୱ କଲେ।
ଇସ୍ରାଏଲର ରାଜା ବାଶା
29 ବାଶା ରାଜା ହେବା ମାତ୍ରେ ଯାରବିୟାମଙ୍କ ପରିବାରକୁ ଧ୍ୱଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହିୟ ମାଧ୍ୟମରେ ଯେଉଁ କଥା କହିଥିଲେ ତଦନୁସାରେ ବାଶା ଯାରବିୟାମଙ୍କ ବଂଶରୁ ଜଣଙ୍କୁ ଛାଡ଼ିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ। 30 ଏହିସବୁ ଘଟିଗଲା କାରଣ ଯାରବିୟାମ ନିଜେ ନାନା ପାପ କଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ତଦ୍ଦ୍ୱାରା ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କରାଇଲେ।
31 ନାଦବ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟକଳାପ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 32 ଆସା ଓ ବାଶାଙ୍କ ମଧ୍ୟରେ ସେମାନଙ୍କ ଯାବଜ୍ଜୀବନ ଯୁଦ୍ଧ ଲାଗି ରହିଲା।
33 ଯିହୁଦାରେ ଆସା ରାଜତ୍ୱ କରିବାର ତୃତୀୟ ବର୍ଷରେ ଅହିୟଙ୍କ ପୁତ୍ର ବାଶା ଇସ୍ରାଏଲର ରାଜା ହେଲେ। ବାଶା ତିର୍ସାରେ ଚବିଶ ବର୍ଷ ରାଜତ୍ୱ କଲେ। 34 ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଯାରବିୟାମଙ୍କ ପରି ପାପ କରି ଗ୍ଭଲିଲେ। ଯାରବିୟାମ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
16 ଅନନ୍ତର ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁ ହନାନିର ପୁତ୍ର ଯେହୂଙ୍କୁ କହିଲେ, 2 “ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମୋର ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ଯାରବିୟାମଙ୍କ ପଥ ଅନୁସରଣ କଲ ଏବଂ ମୋର ଲୋକ ଇସ୍ରାଏଲୀୟମାନଙ୍କୁ ପାପ କରାଇଲ। ସେମାନଙ୍କ ପାପରେ ଆମ୍ଭେ କ୍ରୋଧିତ ହେଲୁ। 3 ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ଯାରବିୟାମର ପରିବାରକୁ ଧ୍ୱଂସ କରିଥିଲି। 4 ବାଶାର କେହି ଯଦି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ ଯେଉଁମାନେ କ୍ଷେତ୍ରରେ ମରିବେ ପକ୍ଷିମାନେ ସେମାନଙ୍କୁ ଖାଇବେ।”
5 ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପରାକ୍ରମ କାର୍ଯ୍ୟକଳାପ ଇସ୍ରାଏଲର ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। 6 ବାଶା ମୃତ୍ୟୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସାରେ କବର ପାଇଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଏଲା ରାଜା ହେଲେ।
7 ସଦାପ୍ରଭୁ, ବାଶା ଓ ତା'ର ପରିବାରର ବିପକ୍ଷରେ ଭବିଷ୍ୟଦ୍ବକ୍ତା ହନାନିୟଙ୍କ ପୁତ୍ର ଯେହୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ଯ୍ୟଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧିତ କଲେ। ଯାରବିୟାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସେଇ କାର୍ଯ୍ୟ କଲେ। ସଦାପ୍ରଭୁ ମଧ୍ୟ କ୍ରୋଧିତ ଥିଲେ କାରଣ ସେ ସମସ୍ତ ଯାରବିୟାମ ପରିବାରକୁ ହତ୍ୟା କଲେ।
ଏଲା, ଇସ୍ରାଏଲର ରାଜା
8 ଯିହୁଦାରେ ଆସାର ଛବିଶ୍ ବର୍ଷ ରାଜତ୍ୱ କାଳରେ ବାଶାର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜତ୍ୱ କଲେ।
9 ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧେକର ଅଧ୍ୟକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେହି ସମୟରେ ଏଲା ଅର୍ସାର ଗୃହରେ ମଦ୍ୟପାନ କରି ମାତାଲ ହୋଇଗଲା। ଅର୍ସା ତିର୍ସା ପ୍ରାସାଦର ଦାୟିତ୍ୱରେ ଥିଲା। 10 ସେତେବେଳେ ସିମ୍ରି ଗୃହ ମଧ୍ୟକୁ ପ୍ରବେଶ କରି ଏଲାଙ୍କୁ ହତ୍ୟା କଲେ। ଯିହୁଦାର ରାଜା ଆସାଙ୍କର ସତାଇଶ୍ ବର୍ଷ ରାଜତ୍ୱ କାଳରେ ଏହା ଘଟିଲା। ତତ୍ପରେ ସିମ୍ରି ଏଲାଙ୍କ ଅନ୍ତେ ଇସ୍ରାଏଲର ରାଜା ହେଲେ।
ସିମ୍ରି ଇସ୍ରାଏଲର ରାଜା
11 ସିମ୍ରି ରାଜା ହେଲା ପରେ ସେ ବାଶାଙ୍କର ସମୁଦାୟ ବଂଶ, ଜ୍ଞାତି ଓ ବନ୍ଧୁମାନଙ୍କୁ ହତ୍ୟା କଲେ। ଏପରିକି ଜଣେ ପୁରୁଷକୁ ସେ ଛାଡ଼ିଲେ ନାହିଁ। 12 ସଦାପ୍ରଭୁ ବାଶାଙ୍କ ବିରୁଦ୍ଧର ବାକ୍ୟ ଅନୁସାରେ ଭବିଷ୍ୟଦ୍ବକ୍ତା ଯେହୂଙ୍କୁ ସିମ୍ରି ବାଶାଙ୍କର ସମଗ୍ର ବଂଶକୁ ଧ୍ୱଂସ କଲେ। 13 ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମରେ ଲିପ୍ତ ରହିଲେ ଓ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। ସେମାନଙ୍କର ବହୁତ ମୂର୍ତ୍ତି ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ।
14 ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
15 ଯିହୁଦାରେ ଆସାଙ୍କ ସତାଇଶ୍ ବର୍ଷ ରାଜତ୍ୱ କାଳରେ ସିମ୍ରି ଇସ୍ରାଏଲର ରାଜା ହେଲେ। ସେ ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ। 16 ଛାଉଣିରେ ଥିବା ଲୋକମାନେ ଶୁଣିଲେ ଯେ ସିମ୍ରି ଗୁପ୍ତ ଚକ୍ରାନ୍ତ ଦ୍ୱାରା ରାଜାଙ୍କୁ ମାରି ରାଜା ହୋଇଛନ୍ତି। ସେମାନେ ଅମ୍ରିନାମକ ଜଣେ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କରାଇଲେ। 17 ତେଣୁ ଅମ୍ରି ଏବଂ ସମଗ୍ର ଇସ୍ରାଏଲ ଲୋକ ଗିବ୍ବଥୋନ ତ୍ୟାଗ କରି ତିର୍ସା ଆକ୍ରମଣ କଲେ। 18 ଯେତେବେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହୋଇଯାଇଛି, ସେ ପ୍ରାସାଦରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡ଼ିଯାଇ ମୃତ୍ୟୁବରଣ କଲେ। 19 ସିମ୍ରି ତା'ର ପାପ ପାଇଁ ମଲା। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଗ୍ଭଲିଲେ ଓ ଯାରବିୟାମଙ୍କ ପରି ପାପ ପଥରେ ଗଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ଫଳରେ ସମଗ୍ର ଇସ୍ରାଏଲ ପାପଗ୍ରସ୍ତ ହେଲା।
20 ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ରାଜାଙ୍କର ବିରୁଦ୍ଧରେ ଚକ୍ରାନ୍ତ ବିଷୟରେ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
ଅମ୍ରି ଇସ୍ରାଏଲର ରାଜା
21 ସେ ସମୟରେ ଇସ୍ରାଏଲର ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ। ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକି ରାଜା କରିବା ପାଇଁ ତା'ର ଅନୁଗାମୀ ହେଲେ। ଅବଶିଷ୍ଟ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ। 22 ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତିବ୍ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତିବ୍ନି ନିହତ ହେଲେ ଓ ଅମ୍ରି ରାଜା ହେଲେ।
23 ଯିହୁଦାରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ୱ କାଳରେ ଅମ୍ରି ଇସ୍ରାଏଲର ରାଜା ହେଲେ। ଅମ୍ରି ଇସ୍ରାଏଲରେ ବାରବର୍ଷ ରାଜତ୍ୱ କଲେ। ସେହି ବାରବର୍ଷ ମଧ୍ୟରୁ ଛଅ ବର୍ଷ ତିର୍ସାରେ ରାଜତ୍ୱ କଲେ। 24 ମାତ୍ର ସେ ଶେମରଙ୍କୁ ଦୁଇ ତଳାନ୍ତ ରୂପା ଦେଇ ଶମରୋଣ୍ ପର୍ବତ କ୍ରୟ କଲେ। ସେ ଶମରୋଣ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସେହି ପର୍ବତର ମାଲିକର ନାମ ଶେମରର ନାମାନୁସାରେ ନଗରର ନାମ ଶମରିୟା ରଖିଲେ।
25 ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ପୂର୍ବବର୍ତ୍ତୀ ସମସ୍ତ ରାଜାଙ୍କ ଅପେକ୍ଷା ଅଧିକ ପାପ କଲେ। 26 ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ କରିଥିଲେ ଅମ୍ରି ସେହି ପାପ କଲେ ଓ ଇସ୍ରାଏଲ ଲୋକଙ୍କୁ ପାପାଗ୍ଭରୀ କରାଇଲେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କର ଅସାର ପ୍ରତିମା ପୂଜା ଯୋଗୁଁ ବିରକ୍ତ ହେଲେ।
27 ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ଯ୍ୟଗୁଡ଼ିକ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 28 ଅମ୍ରିଙ୍କର ମୃତ୍ୟୁପରେ ସେ ଶମରିୟାରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।
ଆହାବ, ଇସ୍ରାଏଲର ରାଜା
29 ଯିହୁଦାରେ ଆସାଙ୍କ ରାଜତ୍ୱ କାଳର ଅଠତିରିଶ୍ ବର୍ଷରେ ଅମ୍ରିଙ୍କ ପୁତ୍ର ଆହାବ ଇସ୍ରାଏଲର ରାଜା ହେଲେ। ଆହାବ ଇସ୍ରାଏଲର ଶମରିୟା ନଗରରେ ବାଇଶ ବର୍ଷ ରାଜତ୍ୱ କଲେ। 30 ଆହାବ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ତାଙ୍କ ପୂର୍ବବର୍ତ୍ତୀ ଅନ୍ୟ ରାଜାମାନଙ୍କଠାରୁ ଅଧିକ ଦୁଷ୍ଟାଚରଣ କଲେ। 31 ନବାଟଙ୍କ ପୁତ୍ର ଯାରବିୟାମଙ୍କ ପରି ପାପ କରିବା ତାଙ୍କ ପାଇଁ ଯଥେଷ୍ଟ ନ ଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ୟା ଈଷେବଲକୁ ବିବାହ କଲେ ଓ ସୀଦୋନର ବାଲ୍ଦେବତାଙ୍କୁ ପୂଜା କରିବାକୁ ଓ ସେବା କରିବାକୁ ଆରମ୍ଭ କଲେ। 32 ଆହାବ ଶମରିୟାରେ ବାଲ୍ଦେବତାଙ୍କ ଉପାସନା ପାଇଁ ଏକ ମନ୍ଦିର ନିର୍ମାଣ କଲେ ଓ ସେହି ମନ୍ଦିରରେ ଏକ ଯଜ୍ଞବେଦି ତିଆରି କଲେ। 33 ଆହାବ ଉପାସନା କରିବା ପାଇଁ ଆଶେରା ସ୍ତମ୍ଭ ନିର୍ମାଣ କଲେ, ସେ ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କଠାରୁ ଅଧିକ ପାପ କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତି କଲେ।
34 ତାଙ୍କ ସମୟରେ ବୈଥେଲର ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦ୍ୱାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତେବେଳେ ସେ ନଗରରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମ ପୁତ୍ର ଅବୀରାମ ମଲା ଓ ଯେତେବେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ୟୁ ହେଲା।
ଏଲିୟ ଓ ଅନାବୃଷ୍ଟି ସମୟ
17 ଏଲିୟ ତିଶ୍ବୀୟର ଭବିଷ୍ୟଦ୍ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତିଶ୍ବୀୟ ଏଲିୟ ଭବିଷ୍ୟଦ୍ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।”
2 ତତ୍ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, 3 “ତୁମ୍ଭେ ଏ ସ୍ଥାନ ଛାଡ଼ି ପୂର୍ବ ଦିଗକୁ ଯାଅ ଓ ଯର୍ଦ୍ଦନ ପୂର୍ବ ପାରିସ୍ଥ କରୀତ୍ ନଦୀ ନିକଟରେ ନିଜକୁ ଲୁଗ୍ଭଅ। 4 ସେହି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।” 5 ଏଲିୟ ସଦାପ୍ରଭୁଙ୍କ ଆଜ୍ଞାନୁସାରେ କାର୍ଯ୍ୟ କଲେ। ସେ ଯର୍ଦ୍ଦନ ପୂର୍ବପାରିସ୍ଥ କରୀତ୍ ନଦୀ ନିକଟକୁ ଯାଇ ବାସ କଲେ। 6 ପୁଣି କାଉମାନେ ପ୍ରାତଃକାଳରେ ରୋଟୀ ଓ ମାଂସ ଓ ସନ୍ଧ୍ୟାବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।
7 ଅନାବୃଷ୍ଟି ହେତୁ କିଛି କାଳପରେ ଝରଣାଗୁଡ଼ିକ ଶୁଷ୍କ ହୋଇଗଲା। 8 ତତ୍ପରେ ସଦାପ୍ରଭୁ ଏଲିୟକୁ କହିଲେ, 9 “ସୀଦୋନର ସାରିଫତ୍କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।”
10 ତେଣୁ ଏଲିୟ ସାରିଫତ୍କୁ ଗଲେ। ସେ ନଗର ଦ୍ୱାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିୟ ତାକୁ କହିଲେ, “ତୁମ୍ଭ ପାତ୍ରରେ କିଛି ଜଳ ପିଇବାକୁ ଆଣ।” 11 ସେ ପାଣି ଆଣିବାକୁ ଯାଉଥିବା ବେଳେ ଏଲିୟ ପୁନର୍ବାର ଡାକି କହିଲେ, “ମୋର ଅନୁରୋଧ ମୋ’ ପାଇଁ ଖଣ୍ଡେ ରୋଟୀ ମଧ୍ୟ ଆଣ।”
12 ବିଧବାଟି ଉତ୍ତର ଦେଲା, “ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୋ’ ପାଖରେ ଖଣ୍ଡେ ହେଲେ ରୋଟୀ ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧାରେ ମରିବୁ।”
13 ଏଲିୟ ସେହି ବିଧବାକୁ କହିଲେ, “ଦୁଃଖ କର ନାହିଁ। ଘରକୁ ଯାଇ ତୁମ୍ଭ କହିବାନୁସାରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ ଛୋଟ ପିଠା କରି ମୋ’ ନିକଟକୁ ଆଣ। ତା'ପରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର। 14 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯେପର୍ଯ୍ୟନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ଯ୍ୟନ୍ତ କଳସରେ ମଇଦା ଶୂନ୍ୟ ହେବ ନାହିଁ କି ପାତ୍ରରେ ତୈଳର ଅଭାବ ରହିବ ନାହିଁ।’”
15 ତେଣୁ ସେ ସ୍ତ୍ରୀଲୋକଟି ଘରକୁ ଗଲା ଓ ଏଲିୟଙ୍କ ବାକ୍ୟାନୁସାରେ କାର୍ଯ୍ୟ କଲା। ଏଲିୟ, ସେହି ସ୍ତ୍ରୀଲୋକ ଓ ତା'ର ପୁତ୍ର ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଯଥେଷ୍ଟ ଭୋଜନ କରିବାକୁ ଥିଲା। 16 ସେହି ମଇଦା କଳସ ଓ ତୈଳପାତ୍ର କେବେ ଶୂନ୍ୟ ହେଲା ନାହିଁ। ସଦାପ୍ରଭୁ ଏଲିୟ ମାଧ୍ୟମରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।
17 କିଛିଦିନ ଉତ୍ତାରେ ସେହି ସ୍ତ୍ରୀଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡ଼ା ଏତେ ବଢ଼ିଗଲା ଯେ ତା'ର ପ୍ରଶ୍ୱାସ ମଧ୍ୟ ବନ୍ଦ ହୋଇଗଲା। 18 ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”
19 ତହୁଁ ଏଲିୟ ତାକୁ କହିଲେ, “ତୁମ୍ଭ ପୁତ୍ରକୁ ମୋତେ ଦିଅ।” ଏଲିୟ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କୋଠରୀକୁ ନେଇଯାଇ ଆପଣା ଶଯ୍ୟାରେ ତାକୁ ଶୁଆଇ ଦେଲେ। 20 ତା'ପରେ ଏଲିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ସ୍ତ୍ରୀଲୋକଟି ମୋତେ ତା'ର ଗୃହରେ ଆଶ୍ରୟ ଦେଇଛି। ତୁମ୍ଭେ ତା'ର ପୁତ୍ରକୁ ବଧ କରି ତା’ ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?” 21 ତା'ପରେ ଏଲିୟ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।”
22 ସଦାପ୍ରଭୁ ଏଲିୟର ପ୍ରାର୍ଥନାର ଉତ୍ତର ଦେଲେ ଏବଂ ବାଳକଟି ପ୍ରଶ୍ୱାସ ନେବାକୁ ଆରମ୍ଭ କଲା ଓ ପୁଣି ଜୀବନ ଫେରି ପାଇଲା। 23 ତା'ପରେ ଏଲିୟ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସେହି ସ୍ତ୍ରୀଲୋକଟିକୁ କହିଲେ, “ଦେଖ, ତୁମ୍ଭର ପୁତ୍ର ଜୀବିତ।”
24 ତହୁଁ ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ ମୁଁ ଏହା ଏବେ ଜାଣିଲି।”
2010 by World Bible Translation Center