Book of Common Prayer
ଚତୁର୍ଥ ପୁସ୍ତକ
(ଗୀତସଂହିତା 90-106)
ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।
90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
2 ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।
3 ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
4 ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
ଓ ରାତ୍ରିର ଅଳ୍ପ ସମୟପରି।
5 ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
6 ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
7 ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
8 ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
9 ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।
15 ପୁନଶ୍ଚ ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖିଯିବ।”
ତେଣୁ ମୋର ପ୍ରଭୁ ସଦାପ୍ରଭୁ ତୁମ୍ଭକୁ ବଧ କରିବେ।
ସେ ନିଜର ଦାସମାନଙ୍କୁ ଅନ୍ୟ ନାମରେ ନାମିତ କରିବେ।
16 “ଯେଉଁ ଲୋକ ପୃଥିବୀରେ ଆଶୀର୍ବାଦର ପାତ୍ର ହୁଏ,
ସେ ପରମେଶ୍ୱରଙ୍କ ଦ୍ୱାରା ଆଶୀର୍ବାଦିତ ହେବ
ଓ ଯେଉଁ ଲୋକ ପୃଥିବୀରେ ଶପଥ କରିବ
ସେ ପରମେଶ୍ୱରଙ୍କ ନାମରେ ଶପଥ କରିବ।
କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହୋଇଅଛି
ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।”
ନୂତନ ସମୟ ଆସୁଅଛି
17 “କାରଣ ଦେଖ, ଆମ୍ଭେ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ।
ତେଣୁ ପୂର୍ବକାଳର ବିଷୟସବୁ ବିସ୍ମୃତ ହେବ
ଓ ସେଗୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।
18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ,
ତୁମ୍ଭେମାନେ ଚିରକାଳ ତହିଁରେ ଆନନ୍ଦ ଉଲ୍ଲାସ କର।
କାରଣ ଆମ୍ଭେ ଯିରୁଶାଲମକୁ ଏକ ଆନନ୍ଦ ମୁଖରିତ ନଗରରୂପେ
ଓ ତହିଁର ନିବାସୀଗଣଙ୍କୁ ଆନନ୍ଦର ପାତ୍ର ରୂପେ ସୃଷ୍ଟି କରୁ।
19 “ପୁଣି ଆମ୍ଭେ ଯିରୁଶାଲମରେ ଆନନ୍ଦ କରିବା
ଓ ଆମ୍ଭ ଲୋକମାନଙ୍କଠାରେ ଉଲ୍ଲାସ କରିବା।
ସେଠାରେ ଆଉ ବିଳାପର ଧ୍ୱନି
ଓ କ୍ରନ୍ଦନର ସ୍ୱର ଶୁଣାଯିବ ନାହିଁ।
20 କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ।
ସେଠାରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚିତ
ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମରେ,
ସେ ଅଭିଶପ୍ତ ବୋଲି ବିଗ୍ଭର କରାଯିବ।
21 “ସେହି ସ୍ଥାନରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ
ଓ ସେମାନେ ଦ୍ରାକ୍ଷାକ୍ଷେତ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।
22 ସେମାନେ ନିର୍ମାଣ କରିଥିବା ଗୃହରେ
ଅନ୍ୟ ଲୋକ ବାସ କରି ପାରିବେ ନାହିଁ
ଓ ସେମାନଙ୍କରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ।
କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ
ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ଯ୍ୟନ୍ତ
ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।
23 ସେମାନେ ଅନିୟମିତ ପରିଶ୍ରମ କରିବେ ନାହିଁ।
ସେମାନେ ବିନାଶ ପାଇଁ ଦୈବ ନିଯୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ।
ସେମାନେ ଓ ସେମାନଙ୍କର ସନ୍ତାନଗଣ
ଆଶୀର୍ବାଦ ପାତ୍ରର ପରିବାରରୁ ହେବେ।
24 ପୁଣି ସେମାନେ ଡାକିବା ପୂର୍ବରୁ ଆମ୍ଭେ ଉତ୍ତର ଦେବା
ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।
25 ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ,
ସିଂହ ଗୋରୁପଲ ପରି ନଡ଼ା ଖାଇବ।
ପୁଣି ଧୂଳି ସର୍ପର ଖାଦ୍ୟ ହେବ।
ସେମାନେ ଆମ୍ଭ ପବିତ୍ର ପର୍ବତରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ।”
ସଦାପ୍ରଭୁ ଏହା କୁହନ୍ତି।
ନୂତନ ଯିରୁଶାଲମ
21 ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା। 2 ତା’ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।
3 ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ। 4 ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”
5 ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା’ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”
6 ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। [a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି।
2010 by World Bible Translation Center