ମାର୍କ ଲିଖିତ ସୁସମାଗ୍ଭର 12:18-27
Odia Holy Bible: Easy-to-Read Version
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ
(ମାଥିଉ 22:23-33; ଲୂକ 20:27-40)
18 ତା'ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁତ୍ଥାନ ହେବ ନାହିଁ। 19 ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା'ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା'ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”
24 ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁତ୍ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁତ୍ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’।(A) 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
Read full chapter2010 by Bible League International