Readings for Celebrating Advent
68 “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର।
ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି
ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69 ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ,
ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70 ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ
ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71 ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ
ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72 ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ
ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73 ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74 ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ।
ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75 ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।
76 “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ରୂପେ ଖ୍ୟାତ ହେବ।
ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ
ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।
78 “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ,
ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79 ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ।
ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”
2010 by World Bible Translation Center