Readings for Celebrating Advent
ନୂତନ ଯିରୁଶାଲମ
21 ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା। 2 ତା'ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।
3 ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ। 4 ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”
5 ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା'ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”
6 ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ।[a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି। 7 ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ।
2010 by World Bible Translation Center