Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 148

148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
    ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
    ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
    ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
    ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
    କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
    ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
    ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
    ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
    ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
    ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
    ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
    ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
    ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
    ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।

ହିତୋପଦେଶ 8:22-31

22 “ସଦାପ୍ରଭୁ ନିଜ ଗତିର ଆରମ୍ଭରେ,
    ତାଙ୍କ କର୍ମ ସକଳର ପୂର୍ବରେ ମୋତେ ଅଧିକାର କରିଥିଲେ।
23 ଅନାଦିକାଳରୁ ଅବା ଆଦ୍ୟ କାଳାବଧି,
    ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।
24 ଯେତେବେଳେ ଗଭୀର ସମୁଦ୍ର ନ ଥିଲା,
    ଏବଂ ଯେତେବେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହୋଇଥିଲି।
25 ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରୁ,
    ମୁଁ ଜନ୍ମ ହୋଇଥିଲି।
26 ସେସମୟରେ ଭୂମି କି ପ୍ରାନ୍ତର,
    କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ।
27 ଯେଉଁ ସମୟରେ ସେ ସ୍ୱର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ।
    ସେ ସମୟରେ ମୁଁ ସେଠାରେ ଥିଲି।
28 ସେ ମେଘକୁ ଆକାଶରେ ଝୁଲାଇଲେ,
    ଯେତେବେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
29 ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ
    ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପାରେ,
ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।
30 ସେହି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି।
    ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି।
31 ସେ ସୃଷ୍ଟି କରିଥିବା ପୃଥିବୀରେ ମୁଁ ଉପଭୋଗ କଲି।
    ମୋର ଆନନ୍ଦ ଲୋକମାନଙ୍କ ସହିତ ଥିଲା।

ଯୋହନଙ୍କ ପ୍ରଥମ ପତ୍ର 5:1-12

ପରମେଶ୍ୱରଙ୍କ ସନ୍ତାନ ଜଗତ ବିରୁଦ୍ଧରେ ଜୟଲାଭ କରନ୍ତି

ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ। ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ। କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି। ଆମ୍ଭର ବିଶ୍ୱାସ ଦ୍ୱାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ୱାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ୱାସ କରେ ଯେ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ସେ ଜଗତରେ ବିଜୟୀ ହୁଏ।

ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ପୁତ୍ର ବିଷୟରେ କହିଲେ

ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ [a] ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ। ଯୀଶୁଙ୍କ ବିଷୟରେ ଆମ୍ଭକୁ ତିନି ଜଣ ସାକ୍ଷ୍ୟ ଦିଅନ୍ତି; ପବିତ୍ରଆତ୍ମା, ଜଳ ଓ ରକ୍ତ। ଏହି ତିନି ଜଣଙ୍କ ସାକ୍ଷ୍ୟ ଏକ ଅଟେ।

ଯେତେବେଳେ ଲୋକମାନେ ସତ୍ୟକଥା କହନ୍ତି, ଆମ୍ଭେ ତାହା ବିଶ୍ୱାସ କରିଥାଉ। କିନ୍ତୁ ପରମେଶ୍ୱର ଯାହା କହନ୍ତି, ତାହା ତ ଅଧିକ ବିଶ୍ୱାସ ଯୋଗ୍ୟ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ସାକ୍ଷ୍ୟ ଦିଅନ୍ତି। 10 ପରମେଶ୍ୱରଙ୍କର ପୁତ୍ରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି ନିଜ ହୃଦୟରେ ସେହି ବାକ୍ୟ ସାକ୍ଷ୍ୟ ପାଇଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରିଦିଏ, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯାହା କହିଛନ୍ତି, ସେ ତାହା ବିଶ୍ୱାସ କରେ ନାହିଁ। 11 ପରମେଶ୍ୱର ଏହା କହନ୍ତି: ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। 12 ଯିଏ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି। କିନ୍ତୁ ଯେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ପାଇ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center