Revised Common Lectionary (Semicontinuous)
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ
46 ତା’ପରେ ମରିୟମ କହିଲେ,
“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47 ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
ପରମେଶ୍ୱର ଆସୁଛନ୍ତି
60 “ଉଠ, ଦୀପ୍ତିମତୀ ହୁଅ,
କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ
ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପରେ ପ୍ରତିଭାତ ହୋଇଛି।
2 କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେବ
ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ;
ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଆଲୋକ ପ୍ରଦାନ କରିବେ
ଓ ତାଙ୍କର ମହିମା ତୁମ୍ଭ ଉପରେ ଦେଖାଯିବ।
3 ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ
ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।
4 ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ,
ସେମାନେ ସମସ୍ତେ ଏକତ୍ରିତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି।
ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ
ଓ କନ୍ୟାଗଣ ଧାଈମାନଙ୍କ କୋଳରୁ ଅଣାଯିବେ।
5 “ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ
ଓ ତୁମ୍ଭର ହୃଦୟ ଉଲ୍ଲସିତ ହେବ।
କାରଣ ସମୁଦ୍ରର ସମସ୍ତ ଦ୍ରବ୍ୟ
ଓ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ।
6 ଅକଳନ ଓଟ, ତୁମ୍ଭକୁ ଆବୃତ କରିବ
ଏବଂ ଯୁବ ଓଟମାନେ ତୁମ୍ଭ ପାଖକୁ
ଶିବା ଏବଂ ଐଫା ଦେଶରୁ ଆସିବେ।
ସେମାନେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ
ଏବଂ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବେ।
ଜିଖରିୟ ପରମେଶ୍ୱରଙ୍କ ସ୍ତୁତି କଲେ
67 ତା’ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ। ସେ ଭବିଷ୍ୟଦ୍ବାଣୀ କହିଲେ,
68 “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର।
ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି
ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69 ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ,
ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70 ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ
ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71 ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ
ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72 ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ
ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73 ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74 ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ।
ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75 ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।
76 “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ରୂପେ ଖ୍ୟାତ ହେବ।
ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ
ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।
78 “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ,
ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79 ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ।
ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”
80 ଶିଶୁଟି ଏହିପରି ବଢ଼ିବାକୁ ଲାଗିଲା ଓ ଆତ୍ମାରେ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା। ଇସ୍ରାଏଲରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ଯ୍ୟନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂରରେ ଏକ ସ୍ଥାନରେ ରହିଥିଲେ।
2010 by World Bible Translation Center