Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 1:46-55

ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ

46 ତା’ପରେ ମରିୟମ କହିଲେ,

“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47     ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
    କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
    ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
    ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
    ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
    ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
    କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
    ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
    ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 33:17-23

17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ। ଏକ ବହୁ ଦୂରବ୍ୟାପୀ ଦେଶକୁ ଦେଖିବ। 18 ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା? 19 ସେହି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀୟ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।”

ପରମେଶ୍ୱର ଯିରୁଶାଲମକୁ ସୁରକ୍ଷା ଦେବେ

20 ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ଶାନ୍ତିମୟ ବସତିସ୍ଥାନ ଯିରୁଶାଲମ ପ୍ରତି ଲକ୍ଷ୍ୟ କର, ତାହା ଅଟଳ ତମ୍ବୁ ସ୍ୱରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡ଼ିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ। 21-23 କାହିଁକି ଏସବୁ ହେବ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହେବେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ହେବ। କିନ୍ତୁ ସେହି ନଦୀମାନଙ୍କରେ ଆହୁଲା ଯୁକ୍ତ କୌଣସି ନୌକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭେମାନେ ସେହି ପୋତର ରଜ୍ଜୁ ଛାଡ଼ି ଦେବ। ତୁମ୍ଭେମାନେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭେମାନେ ତୁମ୍ଭର ଜାହାଜକୁ ଖୋଲିବାକୁ କ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଗ୍ଭରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦେବେ। ଏପରିକି ଛୋଟ ଲୋକ ମଧ୍ୟ ଲୁଟିତ ସମ୍ପଦ ପାଇବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:6-7

ସେ ସ୍ୱର୍ଗଦୂତ ମୋତେ କହିଲେ, “ଏହି କଥାଗୁଡ଼ିକ ସତ୍ୟ ଓ ବିଶ୍ୱାସ ଯୋଗ୍ୟ। ପ୍ରଭୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଆତ୍ମାର ପରମେଶ୍ୱର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ପଠାଇଛନ୍ତି। ‘ଶୁଣ, ଆମ୍ଭେ ଶୀଘ୍ର ଆସୁଅଛୁ! ଏହି ପୁସ୍ତକରେ ଲେଖାଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ୟ ହେବ।’”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:18-20

18 ଏହି ପୁସ୍ତକର ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଶୁଣୁଥିବା ପ୍ରତ୍ୟେକ ଲୋକକୁ ମୁଁ ସତର୍କ କରିଦିଏ। କେହି ଯଦି ଏହି ବାକ୍ୟଗୁଡ଼ିକ ସହିତ କିଛି ଯୋଗକରେ ତେବେ ପରମେଶ୍ୱର ତାହାକୁ ଏହି ପୁସ୍ତକରେ ଲେଖାଥିବା କ୍ଳେଶଗୁଡ଼ିକ ଦେବେ। 19 ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ।

20 ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।”

ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center