Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
6 ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।
17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
ମନୁଷ୍ୟ [a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
23 “ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସେମାନେ ଗୋଟିଏ ବିଶେଷ ଲୋକ ଅଟନ୍ତି। ସଦାପ୍ରଭୁ ସେମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସେମାନଙ୍କ ପାଇଁ ମହତ କର୍ମ ଓ ତୁମ୍ଭ ଦେଶ ପାଇଁ ଆଶ୍ଚର୍ଯ୍ୟ କର୍ମ କରନ୍ତି। 24 ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଚିରଦିନ ପାଇଁ ତୁମ୍ଭର ନିଜର ଲୋକ କଲ ଏବଂ ତୁମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହୋଇଅଛ।
25 “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ତୁମ୍ଭର ଦାସ ବିଷୟରେ ଓ ତାହାର ପରିବାର ବିଷୟରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମୋର ପରିବାରକୁ ଗୋଟିଏ ରାଜ ବଂଶରେ ପ୍ରତିଷ୍ଠା କର। 26 ତା’ହେଲେ ତୁମ୍ଭର ନାମ ଚିରଦିନ ପାଇଁ ସମ୍ମାନିତ ହେବ। ଲୋକମାନେ କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲରେ ଶାସନ କରନ୍ତି। ଏବଂ ତୁମ୍ଭର ସେବକ ଦାଉଦର ବଂଶଧର ତୁମ୍ଭର ସେବା କରିବାରେ ଶକ୍ତିଶାଳୀ ହୁଅନ୍ତୁ।’
27 “ତୁମ୍ଭ ସକାଶେ, ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ଏହା ମୋତେ ପ୍ରକାଶ କରିଛନ୍ତି। ତୁମ୍ଭେ କହିଲ, ‘ମୁଁ ତୁମ୍ଭର ପରିବାରକୁ ମହାନ କରିବି।’ ସେଥିପାଇଁ ମୁଁ ତୁମ୍ଭର ସେବକ, ଏହି ପ୍ରାର୍ଥନା କରିବାକୁ ତୁମ୍ଭକୁ ପ୍ରାର୍ଥନା କରୁଅଛି। 28 ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ହେଉଛ ପରମେଶ୍ୱର ଓ ଆପଣଙ୍କର ବାକ୍ୟ ସତ୍ୟ। ପୁଣି ନିଜେ ଆପଣ ନିଜର ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ। 29 ବର୍ତ୍ତମାନ, ମୋର ପରିବାରକୁ ଆଶୀର୍ବାଦ କର। ପରମେଶ୍ୱର, ସେମାନେ ତୁମ୍ଭର ଚିରଦିନ ସେବା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ଛିଡ଼ା ହେବା ପାଇଁ ସୁଯୋଗ ଦିଅନ୍ତୁ। ହେ ସଦାପ୍ରଭୁ! ମୋର ପ୍ରଭୁ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମୋର ପରିବାରକୁ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହୁ।”
ସ୍ୱର୍ଗରୁ ଆସିବା ଜଣେ ବ୍ୟକ୍ତି
31 “ସ୍ୱର୍ଗରୁ ଆସିଥିବା ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ। ପୃଥିବୀରୁ ଆସିଥିବା ବ୍ୟକ୍ତି ପୃଥିବୀର ଅଟନ୍ତି। ସେହି ବ୍ୟକ୍ତି ପୃଥିବୀରେ ଥିବା ବସ୍ତୁ ବିଷୟରେ କହନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ସ୍ୱର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠେ। 32 ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ। 33 ସେ କହୁଥିବା କଥା ଗୁଡ଼ିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ। 34 ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା’ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି। 35 ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି। 36 ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସେହି ଲୋକମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ରହିବ।”
2010 by World Bible Translation Center