Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ।
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।
ଯିରିମିୟଙ୍କ ପୁନର୍ବାର ପରମେଶ୍ୱରଙ୍କ ନିକଟରେ ଅଭିଯୋଗ
10 ହେ ମାତା, ତୁମ୍ଭକୁ ଧିକ୍ ଯେ,
ତୁମ୍ଭେ ମୋ’ ପରି ଏକ ଯୁଦ୍ଧ
ଓ ବିବାଦର ମଣିଷକୁ ଜନ୍ମ ଦେଇଛ।
ମୁଁ କାହାରିକୁ ଧାର ଦେଇ ନାହିଁ
ଏବଂ କାହାଠାରୁ ଧାର କରି ନାହିଁ।
କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି।
11 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା।
ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ
ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
ଯିରିମିୟକୁ ପରମେଶ୍ୱରଙ୍କ ଉତ୍ତର
12 “ହେ ଯିରିମିୟ, ତୁମ୍ଭେ ଜାଣ ଯେ,
ଲୁହା ଭାଙ୍ଗିବା ଅସମ୍ଭବ।
ନିର୍ଦ୍ଦିଷ୍ଟ ଭାବରେ
ଉତ୍ତର ଦେଶୀୟ ଲୌହ ଓ ପିତ୍ତଳକୁ।
13 ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି।
ଆମ୍ଭେ ସେମାନଙ୍କର ଧନ ସମ୍ପତ୍ତି
ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ୟରେ ଲୁଣ୍ଠିତ ହେବାକୁ ଦେବା।
କାରଣ ସେମାନେ ସେମାନଙ୍କର ପାପ ସମୂହର ଫଳ ଭୋଗ କରିବେ।
14 ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁଗଣର ଅଜ୍ଞାତ
ଏକ ଦେଶକୁ କ୍ରୀତଦାସ କରି ନେଇଯିବା।
କାରଣ କ୍ରୋଧାଗ୍ନି ପ୍ରଜ୍ୱଳିତ ହୋଇଅଛି।
ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।”
15 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଛ;
ମୋତେ ସ୍ମରଣ କର ଓ ମୋର ତତ୍ତ୍ୱ ନିଅ।
ଆଉ ମୋର ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ।
ତୁମ୍ଭେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ।
ତେଣୁ ମୋତେ ସଂହାର କର ନାହିଁ।
ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।
16 ତୁମ୍ଭର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି।
ଆଉ ତୁମ୍ଭର ବାକ୍ୟ ଦ୍ୱାରା ମୋର ପ୍ରାଣ ଉଲ୍ଲସିତ ହେଲା।
କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର,
ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
17 ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ
କିଅବା ଆନନ୍ଦ କଲି ନାହିଁ।
ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି,
କାରଣ ତୁମ୍ଭେ ମୋତେ ମୋର ଚତୁର୍ପାର୍ଶ୍ୱସ୍ଥ ମନ୍ଦ ଯୋଗୁଁ କ୍ରୋଧରେ ପୂର୍ଣ୍ଣ କରିଅଛ।
18 ମୋର ବେଦନା ଚିରନ୍ତନ,
ମୋର କ୍ଷତ ଦୁରାରୋଗ୍ୟ।
ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ।
ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ।
19 ଏହା ପରେ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯଦି ଫେରିବ
ଓ ଆମ୍ଭର ସେବା କରିବ,
ତେବେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫେରାଇ ଆଣିବା।
ପୁଣି ତୁମ୍ଭେ ଯଦି ମୂଲ୍ୟହୀନ କଥା ନ କହି
ମୂଲ୍ୟବାନ୍ କଥା କହିବ,
ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ।
ସେମାନେ ତୁମ୍ଭ ପାଖକୁ ଫେରି ଆସିବେ।
ମାତ୍ର ତୁମ୍ଭେ ସେମାନଙ୍କ ପାଖକୁ ଫେରିଯିବ ନାହିଁ।
20 ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ
ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା।
ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ,
ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।”
କାରଣ ସଦାପ୍ରଭୁ କହନ୍ତି,
“ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ
ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
21 ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା
ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”
25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠାରେ ମୋର ଭାଇ। ସେ ମୋ’ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସେବକ ଓ କାର୍ଯ୍ୟକାରୀ। ମୋ’ ଦରକାର ବେଳେ ତୁମ୍ଭେମାନେ ତାହାଙ୍କୁ ମୋ’ ସାହାଯ୍ୟ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ ଦେବି। 26 ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହେତୁ ସେ ଚିନ୍ତିତ ଥିଲେ। 27 ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ। 28 ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ୟ ତାହାଙ୍କୁ ଦେଖିଲେ ଖୁସୀ ହେବ, ମୁଁ ମଧ୍ୟ ତୁମ୍ଭ ବିଷୟରେ ଚିନ୍ତାମୁକ୍ତ ହେବି। 29 ସେଥିପାଇଁ ପ୍ରଭୁଙ୍କଠାରେ ଆନନ୍ଦର ସହିତ ତାହାଙ୍କୁ ସ୍ୱାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭେମାନେ ସମ୍ମାନ ଦିଅ। 30 ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାୟ ହୋଇ ଯାଇଥିବାରୁ ସମ୍ମାନିତ ହେବା ଉଚିତ୍। ମୋତେ ସାହାଯ୍ୟ କରିବା ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସେବାରେ ଯାହା କମ୍ ରହି ଯାଇଥିଲା, ସେତିକି ସେ ପୂରଣ କରିଦେଇଥିଲେ।
2010 by World Bible Translation Center