Revised Common Lectionary (Semicontinuous)
ଆସଫର ମସ୍କୀଲ୍।
74 ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ?
ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?
2 ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ।
ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ
ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
3 ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ।
ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।
4 ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ।
ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ।
5 ଜଙ୍ଗଲରେ କୁରାଢ଼ୀ ବ୍ୟବହାର କରୁଥିବା ଲୋକମାନଙ୍କ ପରି
ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ।
6 ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା
ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
7 ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ।
ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା,
କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।
8 ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ,
ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦଗ୍ଧ କରି ଦେଲେ।
9 ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ।
କୌଣସି ଭବିଷ୍ୟଦ୍ବକ୍ତା ଆଉ ନାହାନ୍ତି।
କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।
10 ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ?
ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?
11 ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ?
ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର।
12 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ।
ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ।
13 ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି
ଲୋହିତ ସମୁଦ୍ରକୁ ଦୁଇଭାଗ କଲ।
14 ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ।
ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ।
ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
15 ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ
ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
16 ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ,
ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
17 ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ।
ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
18 ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ,
କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।
19 ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ।
ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ।
20 ଆମ୍ଭମାନଙ୍କ ଚୁକ୍ତି ପୂରଣ କର।
ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
21 କଷ୍ଟ ପାଉଥିବା ଲୋକମାନଙ୍କୁ
ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ।
ଗରିବ ଏବଂ ଅଭାବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
22 ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର।
ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!
23 ତୁମ୍ଭର ଶତ୍ରୁମାନଙ୍କର ଉଦ୍ଘୋଷ କେବେ ଭୁଲିଯାଅ ନାହିଁ।
ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।
24 ସେହି ଲୋକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ। ସେମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବରେ ପୋଛି ହୋଇଯିବେ, ଯେପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିରେ ପୋଡ଼ି ଭସ୍ମ ହୋଇଯାଏ। ଯେପରି ବୃକ୍ଷର ମୂଳ ସଢ଼ିଯାଇ ଧୂଳି ହୋଇଯାଏ ଓ ପୁଷ୍ପ ଅଗ୍ନିରେ ଭସ୍ମୀଭୂତ ହୋଇ ତା’ର ପାଉଁଶ ପବନରେ ଉଡ଼ିଯାଏ ସେହିପରି ସେମାନଙ୍କର ବଂଶଧର ଧ୍ୱଂସ ପାଇଯିବେ।
କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କର ଶିକ୍ଷାସମୂହକୁ ଅବଜ୍ଞା କରିଛନ୍ତି ଓ ଇସ୍ରାଏଲର ପବିତ୍ର ପରମେଶ୍ୱରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିଛନ୍ତି। 25 ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଛନ୍ତି। ସେ ତାଙ୍କର ହସ୍ତ ଉତ୍ତୋଳନ କରି ସେମାନଙ୍କୁ ଦଣ୍ଡ ଦେବେ। ଏପରିକି ପର୍ବତଗଣ ଭୟଭୀତ ହେବେ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ରେ ପଡ଼ିରହିବ। ଏପରିକି ପରମେଶ୍ୱରଙ୍କ କ୍ରୋଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତ ସେମାନଙ୍କୁ ଦଣ୍ଡ ଦେବେ।
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡଦେବାକୁ ସୈନ୍ୟବାହିନୀ ଆଣିବେ
26 ଦେଖ, ପରମେଶ୍ୱର ଦୂରଦେଶୀୟ ଗୋଷ୍ଠୀମାନଙ୍କ ପ୍ରତି ସଙ୍କେତ ଦେଉଛନ୍ତି। ସେ ତାଙ୍କର ଧ୍ୱଜା ଉତ୍ତୋଳନ କରି ସେମାନଙ୍କୁ ଡାକିବାକୁ ସିଟି ବଜାଉଛନ୍ତି।
ଦୂର ଦେଶରୁ ଶତ୍ରୁ ଆସୁଛନ୍ତି। ସେମାନେ ଏତେ ଦ୍ରୁତ ଗତିରେ ଆସୁଛନ୍ତି ଯେ, ଦେଶମଧ୍ୟରେ ଖୁବ୍ ଶୀଘ୍ର ପ୍ରବେଶ କରିବେ। 27 ସେହି ଶତ୍ରୁଗଣ କେବେ ଅବଶ ହେବେ ନାହିଁ କି ସେମାନଙ୍କର ପତନ ହେବ ନାହିଁ। ସେମାନେ କେବେ ଢୁଳାଇବେ ନାହିଁ କି ଶୋଇଯିବେ ନାହିଁ। ସେମାନଙ୍କର କଟିବନ୍ଧନ କେବେ ଫିଟିବ ନାହିଁ କି ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ। 28 ସେହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀକ୍ଷ୍ଣ ଏବଂ ଧାରୁଆ ଓ ସେମାନଙ୍କର ଧନୁଗୁଡ଼ିକ ଗୁଣଯୁକ୍ତ। ସେମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓ ସେମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶରେ ସୃଷ୍ଟି ହୁଏ।
29 ସେହି ଶତ୍ରୁଗଣ ସିଂହପରି ଗର୍ଜନ କରୁଛନ୍ତି। ସେହି ଗର୍ଜନ ଯୁବା ସିଂହର ଗର୍ଜନ ସଦୃଶ। ସେମାନେ ଲୋକମାନଙ୍କ ପଛରେ ଅନୁଧାବନ କରନ୍ତି, ଯେପରି ସେମାନେ ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟ ପଛରେ ଦୌଡ଼ନ୍ତି। ସେମାନେ ଲୁଣ୍ଠିତ ଦ୍ରବ୍ୟ ନେଇଯାଆନ୍ତି ଏବଂ ସେଠାରେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି। 30 ତେଣୁ “ସିଂହ” ଗର୍ଜନର ରବ, ସମୁଦ୍ର ଗର୍ଜନ ସଦୃଶ ସେମାନେ ଲୋକମାନଙ୍କ ଉପରେ ଗର୍ଜନ କରିବେ। ବନ୍ଦୀମାନେ ଯେତେବେଳେ ଗ୍ଭହିଁବେ ସେତେବେଳେ ସେମାନେ କେବଳ ଅନ୍ଧକାର ଦେଖିବେ। ସମସ୍ତ ଦୀପ୍ତି ଗ୍ଭଲିଯାଇ କେବଳ ଘନ ମେଘମାଳାରେ ଅନ୍ଧକାର ହୋଇଥିବେ।
44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।
48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟଦ୍ବକ୍ତା ଏହିପରି ଲେଖନ୍ତି,
49 ‘ସ୍ୱର୍ଗ ମୋହର ସିଂହାସନ
ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(A)
51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
2010 by World Bible Translation Center