Revised Common Lectionary (Semicontinuous)
71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
ମୋତେ ନିରାଶ ହେବାକୁ ଦିଅ ନାହିଁ।
2 କାରଣ ତୁମ୍ଭେ ଯଥାର୍ଥ ଅଟ।
ମୋତେ ଉଦ୍ଧାର କର ଓ ବଞ୍ଚାଅ।
ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
3 ମୋର ଦୁର୍ଗ ହୁଅ।
ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
ଯିହୁଦାର ରାଜା ସିଦିକିୟ
11 ସିଦିକିୟ ଯିହୁଦାର ରାଜା ହେବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏଗାର ବର୍ଷ ପର୍ଯ୍ୟନ୍ତ ରାଜା ହେଲେ। 12 ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ ନାହିଁ। ଭବିଷ୍ୟଦ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିୟ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।
ଯିରୁଶାଲମ ଧ୍ୱଂସ ହେଲା
13 ସିଦିକିୟ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖଦ୍ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ। 14 ଆହୁରି ମଧ୍ୟ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ୱସ୍ତ ହେଲେ। ସେମାନେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସେହି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ଯିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ। 15 ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ତାଙ୍କର ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ। 16 କିନ୍ତୁ ଲୋକମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ପରିହାସ କଲେ। ସେମାନେ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୃଣା କଲେ। ସେମାନେ ପରମେଶ୍ୱରଙ୍କର ଭବିଷ୍ୟଦ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ଯ୍ୟନ୍ତ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କ୍ରୋଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷୟ ନ ଥିଲା। 17 ତେଣୁ ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ଯୁବା ଲୋକମାନେ ମନ୍ଦିର ମଧ୍ୟରେ ଥିଲେ ସୁଦ୍ଧା, ବାବିଲର ରାଜା ସେମାନଙ୍କୁ ହତ୍ୟା କଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ଯୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ୟା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ୟା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ୟା କଲେ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜୟୀ କଲେ। 18 ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ। 19 ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ୟଦଳ ମନ୍ଦିରକୁ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମରେ ଥିବା ପ୍ରତ୍ୟେକ ବହୁମୂଲ୍ୟ ଦ୍ରବ୍ୟକୁ ନେଇଗଲେ ନଚେତ୍ ଧ୍ୱଂସ କରିଦେଲେ। 20 ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନେଇଗଲେ ଓ ସେମାନଙ୍କୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ୟ, ବାବିଲର ରାଜ୍ୟକୁ ପରାସ୍ତ କରିବା ପର୍ଯ୍ୟନ୍ତ ସେହି ଲୋକମାନେ ବାବିଲରେ କ୍ରୀତଦାସରୂପେ ରହିଲେ। 21 ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁସବୁ ବିଷୟ କହିଥିଲେ, ତାହା ପ୍ରକୃତରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ୟମରେ କହିଥିଲେ: “ଏହି ସ୍ଥାନ ସତୁରି ବର୍ଷ ପର୍ଯ୍ୟନ୍ତ ଧ୍ୱଂସର ସ୍ଥାନ ହୋଇ ରହିବ। କାରଣ ଲୋକମାନେ ବିଶେଷ ବିଶ୍ରାମବାରରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲାଗିରହିବ।”
43 ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।” 44 ଫିଲିପ୍ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ। 45 ଫିଲିପ୍ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”
46 ନିଥନିୟେଲ ଫିଲିପ୍ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?”
ଫିଲିପ୍ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”
47 ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”
48 ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?”
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲିପ୍ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।”
49 ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”
50 ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।” 51 ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ [a] ମନୁଷ୍ୟପୁତ୍ରଙ୍କ [b] ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”
2010 by World Bible Translation Center