Revised Common Lectionary (Semicontinuous)
71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
ମୋତେ ନିରାଶ ହେବାକୁ ଦିଅ ନାହିଁ।
2 କାରଣ ତୁମ୍ଭେ ଯଥାର୍ଥ ଅଟ।
ମୋତେ ଉଦ୍ଧାର କର ଓ ବଞ୍ଚାଅ।
ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
3 ମୋର ଦୁର୍ଗ ହୁଅ।
ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
ଯୋଶିୟଙ୍କ ମୃତ୍ୟୁ
20 ଯୋଶିୟ ମନ୍ଦିର ନିମନ୍ତେ ସେହି ସମସ୍ତ ଉତ୍ତମ କାର୍ଯ୍ୟ କରିଥିଲେ। ପରେ ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟ ନଖୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। 21 କିନ୍ତୁ ନଖୋ, ଯୋଶିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ।
ସେମାନେ କହିଲେ “ଯିହୁଦାର ରାଜା, ଏହି ଯୁଦ୍ଧ ତୁମ୍ଭର ସମସ୍ୟା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସି ନାହିଁ। ମୁଁ ମୋର ନିଜ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଅଛି। ପରମେଶ୍ୱର ମୋତେ ତ୍ୱରାନ୍ୱିତ କଲେ। ପରମେଶ୍ୱର ମୋର ସପକ୍ଷରେ ଅଛନ୍ତି। ତେଣୁ ମୋତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଯୁଦ୍ଧ କର, ପରମେଶ୍ୱର ତୁମ୍ଭକୁ ବିନଷ୍ଟ କରିବେ।”
22 କିନ୍ତୁ ଯୋଶିୟ ଗ୍ଭଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ଯୁଦ୍ଧ କରିବା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ୱରଙ୍କ ଆଦେଶ ସମ୍ବନ୍ଧରେ ଯାହା କହିଲେ, ଯୋଶିୟ ତାହା ଶୁଣିବାକୁ ଅଗ୍ରାହ୍ୟ କଲେ। ଯୋଶିୟ ମଗିଦ୍ଦୋ ସମତଳ ଭୂମିରେ ଯୁଦ୍ଧ କରିବାକୁ ଗଲେ। 23 ଏହା ପରେ ରାଜା ଯୋଶିୟ ଯୁଦ୍ଧକ୍ଷେତ୍ରରେ ତୀରଦ୍ୱାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ୟମାନଙ୍କୁ କହିଲେ, “ମୋତେ ଏଠାରୁ ନେଇଯାଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହୋଇଛି!”
24 ତେଣୁ ଯୋଶିୟଙ୍କ ଭୃତ୍ୟମାନେ ତାହାଙ୍କ ରଥରୁ ତାଙ୍କୁ ନେଇଗଲେ ଓ ସେ ତାଙ୍କ ସଙ୍ଗରେ ଯୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହା ପରେ ସେମାନେ ଯୋଶିୟଙ୍କୁ ଯିରୁଶାଲମକୁ ନେଇଗଲେ। ରାଜା ଯୋଶିୟ ଯିରୁଶାଲମରେ ମୃତ୍ୟୁବରଣ କଲେ। ଯୋଶିୟ ତାଙ୍କର ପୂର୍ବପୁରୁଷମାନଙ୍କ କବରରେ କବରପ୍ରାପ୍ତ ହେଲେ। ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ଯୋଶିୟଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ହେଲେ। 25 ଯିରିମିୟ ଯୋଶିୟଙ୍କ ନିମନ୍ତେ ସମାଧିକାଳୀନ କେତୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ଗାୟକ ଗାୟିକାମାନେ ସେହି ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କରିଥା’ନ୍ତି। ଇସ୍ରାଏଲର ଲୋକମାନେ ଏହି ପ୍ରକାର ସବୁବେଳେ କଲେ। ସେମାନେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସେହି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲେଖାଯାଇଅଛି।
26-27 ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖାଯାଇଅଛି। ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଓ ସେ କିପରି ସଦାପ୍ରଭୁଙ୍କ ନିୟମକୁ ମାନିଥିଲେ, ତାହା କହେ।
ପାଉଲ ଏଫିସ ନଗରରେ
19 ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା’ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ। 2 ପାଉଲ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ବିଶ୍ୱାସୀ ହେଲାବେଳେ ପବିତ୍ରଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି?”
ସେହି ଶିଷ୍ୟମାନେ ତାହାଙ୍କୁ କହିଲେ, “ଜଣେ ପବିତ୍ରଆତ୍ମା ଯେ ଅଛନ୍ତି, ଏହା ଆମ୍ଭେମାନେ ଆଦୌ ଶୁଣି ନାହୁଁ।”
3 ସେ ପୁଣି ପଗ୍ଭରିଲେ, “ତେବେ ତୁମ୍ଭେମାନେ କେଉଁଥିରେ ବାପ୍ତିଜିତ ହୋଇଥିଲ?”
ସେମାନେ କହିଲେ, “ବାପ୍ତିଯୋକ ଯୋହନ ଯେଉଁ ବାପ୍ତିସ୍ମ ବିଷୟ ଶିକ୍ଷା ଦେଇଥିଲେ।”
4 ପାଉଲ ଏହା ଶୁଣି କହିଲେ, “ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ।”
5 ସେମାନେ ଏ କଥା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ। 6 ପାଉଲ ଯେତେବେଳେ ସେମାନଙ୍କ ଉପରେ ହାତ ରଖିଲେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ। ସେମାନେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ୟଦ୍ବାଣୀ କହିବାକୁ ଲାଗିଲେ। 7 ସେମାନେ ସମୁଦାୟ ବାରଜଣ ଥିଲେ।
8 ତା’ପରେ ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ। 9 ମାତ୍ର ସେମାନଙ୍କ ଭିତରୁ କେତେକ ଜିଦ୍ଖୋର ହୋଇ ବିଶ୍ୱାସ କଲେ ନାହିଁ। ସେମାନେ ଲୋକମାନଙ୍କ ଆଗରେ ଖ୍ରୀଷ୍ଟଙ୍କ ପଥ ବିଷୟରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି କେବଳ ଯୀଶୁଙ୍କର ଶିଷ୍ୟମାନଙ୍କୁ ସାଙ୍ଗରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟକୁ ଯାଇ ଆଲୋଚନା କରୁଥିଲେ। 10 ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
2010 by World Bible Translation Center