Revised Common Lectionary (Semicontinuous)
5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
4 ସଦାପ୍ରଭୁ କହନ୍ତି,
“ହେ ଇସ୍ରାଏଲ ଯଦି ତୁମ୍ଭେ ଫେରି ଆସିବାକୁ ଇଚ୍ଛା କରୁଛ,
ତେବେ ମୋ’ ନିକଟକୁ ଫେରି ଆସ।
ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରୁ ଫିଙ୍ଗିଦିଅ
ଓ ବିପଥଗାମୀ ହୁଅ ନାହିଁ।
2 ଯଦି ତୁମ୍ଭେ ସେହିସବୁ କରିବ, ତେବେ ତୁମ୍ଭକୁ ସଦାପ୍ରଭୁଙ୍କ ନାମରେ ଶପଥ କରି କହିବାକୁ ପଡ଼ିବ ଯେ
‘ସଦାପ୍ରଭୁ ଜୀବିତ।’
ଆଉ ତୁମ୍ଭେ ଏସବୁ ସତ୍ୟ, ନ୍ୟାୟ ଓ ଧାର୍ମିକତାରେ ସେ ସବୁ କହିବାକୁ କ୍ଷମ ହେବ।
ତାହାଦ୍ୱାରା ନାନାଦେଶୀୟମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହେବେ।
ସେମାନେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।”
3 କାରଣ ସଦାପ୍ରଭୁ ଯିହୁଦା ଓ ଯିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି,
“ତୁମ୍ଭେମାନେ ନିଜ ପାଇଁ ପଡ଼ିଆ ଭୂମି ପ୍ରସ୍ତୁତ କର
ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।
4 ହେ ଯିହୁଦା ଓ ଯିରୁଶାଲମର ନିବାସୀଗଣ,
ତୁମ୍ଭେମାନେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର।
ତୁମ୍ଭମାନଙ୍କର ହୃଦୟରୁ
ଆବିଳତାକୁ ଦୂର କର।
ତା’ ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ
ଆମ୍ଭର କ୍ରୋଧ ଅଗ୍ନିତୁଲ୍ୟ ପ୍ରଜ୍ୱଳିତ ହେବ।
ଓ ସେହି କ୍ରୋଧାଗ୍ନିରେ ତୁମ୍ଭେମାନେ ଭସ୍ମୀଭୂତ ହେବ।
କେହି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହେବ ନାହିଁ।”
ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି(A)
14 ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। 15 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆଲ୍ଜିବୂଲ୍ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି।
16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ। 17 କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ। 18 ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ। 19 କିନ୍ତୁ ମୁଁ ଯଦି ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ। 20 ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।
21 “ଯେତେବେଳେ ଜଣେ ଶକ୍ତିଶାଳୀ ଲୋକ ଅନେକ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତେବେଳେ ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ। 22 କିନ୍ତୁ, ଯେତେବେଳେ ତା’ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।
23 “ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି।
2010 by World Bible Translation Center