Revised Common Lectionary (Semicontinuous)
106 ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ!
ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ!
2 ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ।
ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ।
3 ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି।
ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି।
4 ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ।
ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର
ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ।
ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ,
ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।
6 ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ।
ଆମ୍ଭେ ଅଧର୍ମ କରିଅଛୁ।
ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।
7 ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ
ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି।
ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ।
ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।
8 କିନ୍ତୁ ପରମେଶ୍ୱର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ।
ସେ ତାଙ୍କର ମହାଶକ୍ତିର ପରିଚୟ ଦେବା ପାଇଁ ସେମାନଙ୍କୁ ରକ୍ଷା କଲେ।
9 ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା।
ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଳାଇବା ପରି।
10 ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ!
ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
11 ପରମେଶ୍ୱର ଜଳରାଶିଦ୍ୱାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ।
ସେମାନଙ୍କ ମଧ୍ୟରୁ ଜଣେ କେହି ରକ୍ଷା ପାଇଲେ ନାହିଁ।
12 ଏହା ପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ୱର ଯାହା କଲେ ତାହା ବିଶ୍ୱାସ କଲେ।
ସେମାନେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
ସଲଫାଦର କନ୍ୟାଗଣ
27 ଯୋଷେଫଙ୍କ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର, ମାଖୀରର ପ୍ରପୌତ୍ର ଗିଲିୟଦ, ଗିଲିୟଦର ପୌତ୍ର ହେଫର ଓ ହେଫରର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚୋଟି କନ୍ୟା ଥିଲେ। ସେମାନେ ହେଲେ ମହଲା, ନୋୟା, ହଗ୍ଲା, ମିଲ୍କା ଓ ତର୍ସା। 2 ଏହି ପାଞ୍ଚ ଜଣ ମୋଶା, ଇଲିୟାସର ଯାଜକ, ଅଧିପତି ଓ ସମସ୍ତ ମଣ୍ତଳୀ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ,
3 “ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ୟୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ୟୁବରଣ କଲେ। ସେହିମାନଙ୍କ ମଧ୍ୟରୁ ଜଣେ ନ ଥିଲେ, ଯେଉଁମାନେ କୋରହ ଦଳରେ ସଦାପ୍ରଭୁଙ୍କ ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ତାଙ୍କର ପୁତ୍ର ନ ଥିଲା। 4 ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇଯିବ, ଯେହେତୁ ତାଙ୍କର କୌଣସି ପୁତ୍ର ନ ଥିଲେ। ତେଣୁ ଆମ୍ଭ ପିତୃବଂଶୀୟ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।”
5 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବେଦନ କଲେ। 6 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, 7 “ସଲଫାଦର କନ୍ୟାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ। ତେଣୁ ସେମାନଙ୍କୁ ତାହା ଦିଅ, ଯାହା ସେମାନଙ୍କର ପିତା ପାଇଥା’ନ୍ତେ।
8 “ଆଉ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଏହି ବିଧି ପ୍ରଚଳନ କର, ‘ଯଦି କୌଣସି ଲୋକର ପୁତ୍ର ନ ଥାଇ ମୃତ୍ୟୁବରଣ କରେ, ତେବେ ତାହାର ଅଧିକାର ତା’ର କନ୍ୟା ଗ୍ରହଣ କରିବ। 9 ଯଦି ତାହାର କନ୍ୟା ବା ପୁତ୍ର ନ ଥାଏ ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। 10 ପୁଣି ଯଦି ତାହାର ଭାଇ ନ ଥାଏ ତେବେ ତାହାର ଅଧିକାର ତା’ର ପିତାର ଭାଇମାନଙ୍କୁ ଦେବ। 11 ଆଉ ଯେବେ ତା’ର ପିତାର ଭାଇମାନେ ନ ଥା’ନ୍ତି, ତେବେ ତାହାର ପରିବାର ମଧ୍ୟରୁ ଏବଂ ନିକଟ ସମ୍ପର୍କୀୟ ଜ୍ଞାତିକୁ ତାହାର ଅଧିକାର ଦେବ। ଏହା ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବିଗ୍ଭରବିଧି ହେବ। ଆଉ ସଦାପ୍ରଭୁ ମୋଶାଙ୍କୁ ଏହି ଆଜ୍ଞା ଦେଲେ।’”
ପୃଥିବୀରେ ଆଲୋକ ସ୍ୱରୂପ ହୁଅ(A)
33 “କୌଣସି ଲୋକ ଦୀପଟିଏ ଜଳାଇ ଲୁଗ୍ଭଇ ରଖେ ନାହିଁ କିମ୍ବା ହାଣ୍ଡି ତଳେ ରଖେ ନାହିଁ। ବରଂ ତାହା ରୁଖାଟିଏ ଉପରେ ରଖେ, ଯାହା ଫଳରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ। 34 ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ। 35 ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ। 36 ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”
2010 by World Bible Translation Center