Revised Common Lectionary (Semicontinuous)
ଶଲୋମନଙ୍କର ଗୀତ।
72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
2 ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
3 ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
4 ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
5 ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
6 ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
7 ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
8 ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
9 ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12 ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।
18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।
20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।
ଯିଶାଇୟଙ୍କୁ ଭବିଷ୍ୟଦ୍ବକ୍ତା ହେବାକୁ ପରମେଶ୍ୱରଙ୍କ ଆହ୍ୱାନ
6 ଯିହୁଦାର ରାଜା ଉଷିୟଙ୍କ ମୃତ୍ୟୁବର୍ଷରେ ମୁଁ ମୋର ପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହେଲି। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପରେ ଉପବିଷ୍ଟ ହୋଇଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା। 2 ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ସରାଫଗଣ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ସରାଫଙ୍କର ଛଅଟି ପକ୍ଷ ଥିଲା। ସେହି ଦେବଦୂତଗଣ ସେମାନଙ୍କର ଦୁଇଟି ପକ୍ଷରେ ମୁଖକୁ ଆଚ୍ଛାଦନ କରିଥିଲେ। ସେମାନେ ମଧ୍ୟ ଦୁଇଟି ପକ୍ଷ ସାହାଯ୍ୟରେ ସେମାନଙ୍କର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବାରେ ଦୁଇଟି ପକ୍ଷ ବ୍ୟବହାର କରୁଥିଲେ। 3 ସେମାନେ ପରସ୍ପରକୁ ଡାକି କହୁଥିଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଧର୍ମମୟ, ଧର୍ମମୟ, ଧର୍ମମୟ। ତାଙ୍କର ମହିମା ସମଗ୍ର ପୃଥିବୀରେ ବ୍ୟାପିଯାଇଛି।” ସେହି ଦେବଦୂତମାନଙ୍କର ସ୍ୱର ଅତି ଉଚ୍ଚ ଥିଲା। 4 ସେତେବେଳେ ଘୋଷଣାକାରୀଙ୍କ ଉଚ୍ଚରବରେ ଦ୍ୱାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।
5 ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।”
44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।
48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟଦ୍ବକ୍ତା ଏହିପରି ଲେଖନ୍ତି,
49 ‘ସ୍ୱର୍ଗ ମୋହର ସିଂହାସନ
ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(A)
51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
2010 by World Bible Translation Center