Revised Common Lectionary (Semicontinuous)
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
ଉପକ୍ରମ
1 ଏହି ହିତୋପଦେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇସ୍ରାଏଲର ରାଜା ଥିଲେ। 2 ଏହି ହିତୋପଦେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସେମାନେ ଜାଣି ପାରିବେ କେଉଁ କାର୍ଯ୍ୟଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ୟମାନ ସାହାଯ୍ୟ କରିବ। 3 ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହା ଦ୍ୱାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ୟାୟ ଶିକ୍ଷା କରିବେ। 4 ଏହି ଉପଦେଶଗୁଡ଼ିକ ସେହି ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଗ୍ଭହାନ୍ତି। ଏହି ଉପଦେଶଗୁଡ଼ିକ ଯୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ୟବହାର କରିବାକୁ ହୁଏ ସେମାନଙ୍କୁ ଶିକ୍ଷା ଦିଏ। 5 ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ୟଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସେମାନେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ। 6 ଯେଉଁ ଲୋକମାନେ, ଯିଏ କି ଏହି ହିତୋପଦେଶ ଶୁଣନ୍ତି, ଜ୍ଞାନୀଲୋକ କହି ଯାଇଥିବା କଥା ବୁଝିବାରେ ସକ୍ଷମ ହେବେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ୟ ବୁଝିପାରିବେ। ସେମାନେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।
7 ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।
ପ୍ରକୃତ ଜ୍ଞାନ
13 ତୁମ୍ଭମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ତା’ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦେଖାଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ୍। ଜ୍ଞାନୀ ଲୋକ ଗର୍ବ କରେ ନାହିଁ। 14 ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା’ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ। 15 ଏହି ପ୍ରକାର “ଜ୍ଞାନ” ପରମେଶ୍ୱରଙ୍କଠାରୁ ଆସେ ନାହିଁ। ମାତ୍ର ଏହି “ଜ୍ଞାନ” ସଂସାରରୁ ଆସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି। 16 ଯେଉଁଠାରେ ଈର୍ଷାଭାବ ଓ ସ୍ୱାର୍ଥପର ମନୋଭାବ ଅଛି, ସେହିଠାରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦେଖାଯାଏ। 17 କିନ୍ତୁ ପରମେଶ୍ୱରଙ୍କଠାରୁ ଆସିଥିବା “ଜ୍ଞାନ” ଏହିପରି: ପ୍ରଥମରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟରେ ପଡ଼ିଛନ୍ତି, ଏହି ଜ୍ଞାନ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ। 18 ଯେଉଁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଶାନ୍ତି ପାଇଁ କାମ କରନ୍ତି, ସେମାନେ ଧାର୍ମିକ ଜୀବନଯାପନ ଦ୍ୱାରା ସେଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି।
2010 by World Bible Translation Center