Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 138

ଦାଉଦଙ୍କର ଗୀତ

138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
    ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
    ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
    ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
    ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
    ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
    କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
    କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
    ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
    ଯଦି ମୋର ଶତ୍ରୁଗଣ କେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
    ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
    ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 5

ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କୁ କଷ୍ଟ ଦେଲା

ଏଥି ମଧ୍ୟରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏବନ୍-ଏଜରରୁ ଅ‌ସ୍‌ଦୋଦକୁ ନେଇ ଯାଇଥିଲେ। ତହିଁ ଉତ୍ତାରୁ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଦାଗୋନ୍ ମନ୍ଦିରକୁ ଆଣି ଦାଗୋନ୍ ଦେବତା ନିକଟରେ ରଖିଲେ। ତହିଁ ପରଦିନ ଅ‌ସ୍‌ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋ‌ନ୍‌ର ମୂର୍ତ୍ତି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁମାଡ଼ି ଭୂମିରେ ପଡ଼ିଅଛି।

ଦାଗୋ‌ନ୍‌ର ଲୋକମାନେ ପୁନର୍ବାର ଉଠାଇ ସ୍ୱସ୍ଥାନରେ ରଖିଲେ। ପୁଣି ସେମାନେ ପରଦିନ ପ୍ରଭାତରେ ଯେତେବେଳେ ଉଠିଲେ ଦାଗୋନ୍ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଥିଲା ଏବଂ ବାହୁଗୁଡ଼ିକ ଓ ମୁଣ୍ଡ କଟା ହୋଇଥିଲା ଏବଂ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହୋଇ ରହିଥିଲା। ଏଥିପାଇଁ ଦାଗୋ‌ନ୍‌ର ଯାଜକମାନେ ଅବା ଯେଉଁମାନେ ଦାଗୋନ୍ ମନ୍ଦିରକୁ ଆସନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ଅ‌ସ୍‌ଦୋଦସ୍ଥିତ ଦାଗୋନ୍ ମନ୍ଦିରର ଦ୍ୱାରବନ୍ଧକୁ ମାଡ଼ନ୍ତି ନାହିଁ।

ଅ‌ସ୍‌ଦୋଦୀୟ ଲୋକମାନଙ୍କର ଓ ସେମାନଙ୍କର ପଡ଼ୋଶୀମାନଙ୍କର ଜୀବନକୁ ସଦାପ୍ରଭୁ କଠିନ କରି ସେମାନଙ୍କୁ ନାନା କଷ୍ଟ ଦେଲେ। ସେ ସେମାନଙ୍କୁ ଅର୍ଶରୋଗରେ ଆଘାତ କଲେ। ସେ ମଧ୍ୟ ସେମାନଙ୍କ ପାଇଁ ମୂଷାଗୁଡ଼ିକ ପଠେଇଲେ, ଯାହାକି ସେମାନଙ୍କର ଜାହାଜଗୁଡ଼ିକରେ ଓ ଦେଶରେ ଭର୍ତ୍ତି ହୋଇଗଲେ। ଫଳରେ ଲୋକମାନେ ଡରିଗଲେ। ଏହିପରି ଅ‌ସ୍‌ଦୋଦୀୟ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦେବତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”

ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଆମ୍ଭେମାନେ କ’ଣ କରିବା?”

ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଗା‌ଥ୍‌କୁ ନିଆଯାଉ।” ତା'ପରେ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।

ପୁଣି ସେମାନେ ତାହା ନେଇଗଲା ପରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ଗାଥ୍ ନଗରକୁ ଭୟ ଓ ଯନ୍ତ୍ରଣାରେ ଆଘାତ କଲା; ପୁଣି ସେ ନଗରସ୍ଥ ସାନ ଓ ବଡ଼ ଉଭୟଙ୍କୁ ସେ କ୍ଳେଶ ଦେଲେ ଓ ସେମାନଙ୍କଠାରେ ଅର୍ଶରୋଗ ବାହାରିଲା। 10 ଏହା ପରେ ସେମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଇକ୍ରୋଣକୁ ପଠାଇଲେ।

ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଆସିଲା। ଇକ୍ରୋଣୀୟମାନେ ଚିତ୍କାର କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକଙ୍କୁ ବଧ କରିବା ପାଇଁ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଛ।” 11 ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,”

କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା। 12 ପୁଣି ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ସ୍ୱର୍ଗକୁ ଉଠିଲା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:1-5

ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ। ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ। ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦେଖାଯିବୁ ନାହିଁ। ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା'ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ। ପରମେଶ୍ୱର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ୟ ଦିଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center