Revised Common Lectionary (Semicontinuous)
ତାରଯୁକ୍ତ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
4 ହେ ମୋର ଧର୍ମସ୍ୱରୂପ ପରମେଶ୍ୱର,
ମୋତେ ଉତ୍ତର ଦିଅ।
ମୁଁ ଯେତେବେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମୋର ଗୁହାରି ଶୁଣ।
ମୋ’ ପ୍ରତି ସଦୟ ହୁଅ।
ମୋତେ ମୋର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।
2 ହେ ଲୋକମାନେ, ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ?
ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ?
କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ? ସେଲା
3 ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ୟକ୍ତିମାନଙ୍କ କଥା ଶୁଣନ୍ତି।
ତେଣୁ ସେ ମୋ’ କଥା ମଧ୍ୟ ଶୁଣନ୍ତି, ମୁଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରେ।
4 ଯଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି,
ତୁମ୍ଭେ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ସେହି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର। ସେଲା
5 ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧର୍ମ ବଳିଦାନ ଉତ୍ସର୍ଗ କର।
6 ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ?
ହେ ସଦାପ୍ରଭୁ, ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।”
7 ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ।
ମୁଁ ବର୍ତ୍ତମାନ ବହୁତ ଖୁସୀ।
ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ,
ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
8 ମୁଁ ବିଛଣାରେ ଶାନ୍ତିରେ ଶୟନ କରେ,
କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ।
2 ସେହି ସମୟରେ ମୁଁ ଦାନିୟେଲ, ତିନି ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି। 3 ଏହି ତିନି ସପ୍ତାହ ଧରି ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ କି କୌଣସି ମାଂସ ଭକ୍ଷ୍ୟଣ କଲି ନାହିଁ କି ଦ୍ରାକ୍ଷାରସ ପାନ କଲି ନାହିଁ। ଆଉ ମୁଁ ମୋ’ ମୁଣ୍ତରେ ତୈଳ ଲଗାଇଲି ନାହିଁ।
4 ବର୍ଷର ପ୍ରଥମ ମାସର ଚତୁର୍ବିଂଶ ଦିବସରେ ମୁଁ ଟାଇଗ୍ରୀସ୍ ନାମକ ମହାନଦୀ ତୀରରେ ଠିଆ ହୋଇଥିଲି। 5 ସେଠାରେ ଛିଡ଼ା ହୋଇଥିଲା ବେଳେ ମୁଁ, ଶୁକ୍ଳବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟି ଦେଶରେ ଥିବା ଏକ ମନୁଷ୍ୟକୁ ଦେଖିଲି। 6 ତାହାଙ୍କ ଶରୀର ମଣି ତୁଲ୍ୟ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ୱଳ ବିଦ୍ୟୁତ୍ର ଆଲୋକ ତୁଲ୍ୟ, ଚକ୍ଷୁ ଜ୍ୱଳନ୍ତ ମଶାଲ ତୁଲ୍ୟ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ୟ ଥିଲା। ଆଉ ତାଙ୍କର ସ୍ୱର ଜନଗହଳିର ରବତୁଲ୍ୟ ଉଚ୍ଚ ଥିଲା।
7 ପୁଣି ମୁଁ, ଦାନିୟେଲ, ଏକାକୀ ସେହି ଦର୍ଶନ ଦେଖିଲି। କାରଣ ମୋର ସାଥୀମାନେ ସେହି ଦର୍ଶନ ଦେଖିଲେ ନାହିଁ, ସେମାନେ ଅତ୍ୟନ୍ତ ଭୟଭୀତ ହୋଇ ଲୁଚି ପଳାୟନ କଲେ। 8 ତହିଁରେ ମୁଁ ଏକାକୀ ରହି ସେହି ମହା ଦର୍ଶନ ଦେଖିଲି। ମୁଁ ଅତ୍ୟନ୍ତ ଭୟଭୀତ ହୋଇ ମୋର ସମସ୍ତ ଶକ୍ତି ହରାଇଲି। ମୋର ମୁଖ ମୃତ ବ୍ୟକ୍ତିର ମୁଖପରି ରକ୍ତହୀନ ହୋଇଗଲା ଓ ମୁଁ ଅସହାୟ ବୋଧ କଲି। 9 ସେତେବେଳେ ମୁଁ ତାଙ୍କର ବାକ୍ୟର ସ୍ୱର ଶୁଣିଲି, ଆଉ ଯେତେବେଳେ ସେହି ବାକ୍ୟର ରବ ଶୁଣିଲି, ମୁଁ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି।
10 ତା'ପରେ ଏକ ହସ୍ତର ସ୍ପର୍ଶ ମୁଁ ଅନୁଭବ କଲି ଓ ମୁଁ ହସ୍ତପାପୁଲି ଓ ଆଣ୍ଠୁରେ ନିର୍ଭର କଲି। ତଥାପି ମୁଁ ଭୟରେ ଥରୁଥିଲି। 11 ସେ ମୋତେ କହିଲେ, “ହେ ଦାନିୟେଲ, ତୁମ୍ଭେ ପରମେଶ୍ୱରଙ୍କର ଅତି ପ୍ରିୟପାତ୍ର। ମୋ’ କଥା ଶୁଣ ଓ ମୋତେ ବୁଝିବାକୁ ଚେଷ୍ଟା କର।” ଛିଡ଼ା ହୁଅ। ମୁଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ସେ ମୋତେ ଏହିକଥା କହିବାରୁ ମୁଁ କମ୍ପିତ ହୋଇ ଛିଡ଼ା ହେଲି। 12 ତା'ପରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କର ସାକ୍ଷାତରେ ନିଜକୁ ନମ୍ର କଲ। ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଯାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି। 13 ମାତ୍ର ପାରସ୍ୟ ରାଜ୍ୟର ରାଜକୁମାର ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭକୁ ବାଧା ଦେଲା, ଆଉ ଦୂତମାନଙ୍କ ମଧ୍ୟରେ ପ୍ରଧାନ ମୀଖାୟେଲ ମୋତେ ସାହାଯ୍ୟ କରିବାକୁ ଆସିଲେ। କାରଣ ପାରସ୍ୟର ରାଜକୁମାର ମୋତେ ପଛରୁ ଟାଣି ଧରିଥିଲା। 14 ଏବେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦେବା ପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ୟତ ବିଷୟରେ ଅଟେ।”
15 ସେ ମୋତେ ଏହା କହିଲା ପରେ ମୁଁ ଭୂମିରେ ମୁହଁ ମାଡ଼ି ଅବାକ୍ ହୋଇ ରହିଲି। 16 ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ। ମୋ’ ସମ୍ମୁଖରେ ଛିଡ଼ା ହୋଇଥିବା ଲୋକକୁ ମୁଁ କହିଲି, “ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମୋର ବେଦନା ମୋତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁ ନାହିଁ। 17 ମୁଁ ଦାନିୟେଲ, ପ୍ରଭୁଙ୍କର ଦାସ। କିପରି ମୋର ପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିବି। ମୋର ଶକ୍ତି ନାହିଁ, ଏପରିକି ମୁଁ ନିଶ୍ୱାସ ନେଇ ପାରୁ ନାହିଁ।”
18 ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ପୁନର୍ବାର ମୋତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହେଲି। 19 ପୁଣି ସେ କହିଲେ, “ହେ ଦାନିୟେଲ, ପରମେଶ୍ୱର ତୁମ୍ଭକୁ ଅତ୍ୟଧିକ ପ୍ରେମ କରନ୍ତି, ତୁମ୍ଭେ ଭୟ କର ନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।”
ସେ ଏହା କହିଲା ପରେ ମୁଁ ସବଳ ହୋଇ କହିଲି, “ହେ ପ୍ରଭୁ କୁହନ୍ତୁ, କାରଣ ତୁମ୍ଭେ ମୋତେ ସବଳ କରିଅଛ।”
26 ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ୍ ପଥରେ କଢ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି। 27 ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର।
28 ପ୍ରିୟ ପିଲାମାନେ, ତାହାଙ୍କଠାରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭେମାନେ ଭରସାଯୁକ୍ତ ହୋଇ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସେହି ଦିନ ଆମ୍ଭକୁ ଲଜ୍ଜିତ ହେବାକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ।
2010 by World Bible Translation Center