Revised Common Lectionary (Semicontinuous)
ପଞ୍ଚମ ପୁସ୍ତକ
(ଗୀତସଂହିତା 107–150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
4 ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
କିନ୍ତୁ ସେମାନେ ପାଇଲେ ନାହିଁ।
5 ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
6 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
7 ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
8 ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
9 କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।
10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।
ମରିୟମର ମୃତ୍ୟୁ
20 ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା।
ମୋଶାଙ୍କର ଭ୍ରମ
2 ସେହି ସ୍ଥାନରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ରିତ ହେଲେ। 3 ସେହି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ! ଆମ୍ଭେମାନେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ପଛେ ମରିଥା’ନ୍ତୁ। 4 ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଗ୍ଭହୁଁଛ ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏଠାରେ ମରିବୁ? 5 ତୁମ୍ଭେମାନେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ଯ୍ୟ ସ୍ଥାନକୁ ଆଣିଲ? ଏଠାରେ ଶସ୍ୟ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ୟ ପାଣି ନାହିଁ।”
6 ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।
7 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 8 “ତୁମ୍ଭେ ଆଶାବାଡ଼ି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭେମାନେ ସେମାନଙ୍କ ସମ୍ମୁଖରେ ସେହି ଶୈଳକୁ ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ସେହି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସେମାନଙ୍କର ପଶୁଗଣଙ୍କୁ ଜଳ ପାନ କରାଇବ।”
9 ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ସମ୍ମୁଖରେ ପଡ଼ିଥିବା ଆଶାବାଡ଼ି ନେଲେ। 10 ପୁଣି ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଦେଖ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।” 11 ଏହା ପରେ ମୋଶା ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡ଼ିରେ ସେହି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସେମାନଙ୍କର ପଶୁଗଣ ଜଳପାନ କଲେ।
12 ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ସମ୍ମୁଖରେ ମୋ'ଠାରେ ବିଶ୍ୱାସ କଲ ନାହିଁ ଏବଂ ଲୋକମାନଙ୍କ ଆଗରେ ମୋତେ ପବିତ୍ର ରୂପେ ସମ୍ମାନ ଦେଲ ନାହିଁ। ଏଣୁ ତୁମ୍ଭେମାନେ ଏହି ଲୋକମାନଙ୍କୁ ସେହି ଦେଶ ଭିତରକୁ ନେବ ନାହିଁ, ଯାହା ମୁଁ ସେମାନଙ୍କୁ ଦେଇଛି।”
13 ଏହି ସ୍ଥାନକୁ ମିରୀବାଃ-ଜଳ ବୋଲି କୁହାଗଲା, କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେଲେ।
6 ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ଅଛି, ଅତଏବ ଆମ୍ଭେ ସେମାନଙ୍କ ଭଳି ମନ୍ଦ କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ନାହିଁ। 7 ସେମାନଙ୍କ ଭିତରେ କେତେକଙ୍କ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁହେ: “ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।”(A) 8 ସେମାନଙ୍କ ଭିତରୁ ଯେପରି କେତେକ ଯୌନଗତ ପାପ କଲେ, ଆମ୍ଭେ ସେଭଳି କେବେ କରିବା ନାହିଁ। ସେମାନେ ପାପ କରିଥିବା ହେତୁରୁ ସେମାନଙ୍କ ଭିତରୁ 23,000 ଲୋକ ଗୋଟିଏ ଦିନରେ ମରିଗଲେ। 9 ସେମାନଙ୍କ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସେମାନେ ସାପ କାମୁଡ଼ାରେ ମଲେ। 10 ସେମାନଙ୍କ ଭିତରୁ କେତେକଙ୍କ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ୱର୍ଗଦୂତ) ଙ୍କ ହାତରେ ମଲେ।
11 ସେମାନଙ୍କ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ୱରୂପ। ସମସ୍ତ ପ୍ରାଚୀନ ଇତିହାସରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚେତନା ଦେବା ଉଦ୍ଦେଶ୍ୟରେ ଲେଖା ଯାଇଛି। 12 ଅତଏବ, ଯେଉଁ ଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହୋଇଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ। 13 କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।
2010 by World Bible Translation Center