Revised Common Lectionary (Semicontinuous)
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
30 ରାହେଲ ଦେଖିଲେ ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲେୟା ପ୍ରତି ଈର୍ଷାନ୍ୱିତ ହେଲେ। ତେଣୁ ରାହେଲ ଯାକୁବକୁ କହିଲେ, “ମୋତେ ପିଲା ଦିଅ ନ ହେଲେ ମୁଁ ମରିବି।”
2 ଯାକୁବ ରାହେଲ ଉପରେ କ୍ରୋଧ କଲେ। ସେ କହିଲେ, “ମୁଁ ପରମେଶ୍ୱର ନୁହେଁ। କେବଳ ପରମେଶ୍ୱର ହିଁ ତୁମ୍ଭକୁ ସନ୍ତାନ ଦେଇ ପାରିବେ।”
3 ଏହା ପରେ ରାହେଲ କହିଲେ, “ମୋର ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହୋଇ ପାରିବି।”
4 ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦେଲେ, ଯାକୁବ ତାହା ସହିତ ସହବାସ କଲେ। 5 ଏହା ପରେ ବିଲହା ଗର୍ଭବତୀ ହୋଇ ପିଲାଜନ୍ମ କଲା।
6 ରାହେଲ କହିଲେ, “ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି, ମୋତେ ଏକ ପୁତ୍ର ସନ୍ତାନ ଦେବା ପାଇଁ ସେ ନିଷ୍ପତ୍ତି ନେଲେ।” ତେଣୁ ରାହେଲ ତା'ର ନାମ ରଖିଲେ ଦାନ।
7 ରାହେଲର ଦାସୀ ବିଲହା ଆଉଥରେ ଗର୍ଭବତୀ ହେଲା ଏବଂ ସେ ଯାକୁବଙ୍କ ପାଇଁ ଦ୍ୱିତୀୟ ପୁତ୍ର ଜନ୍ମ କଲା। 8 ରାହେଲ କହିଲେ, “ମୁଁ ମୋର ଭଉଣୀ ସହିତ ସଂଘର୍ଷ କରି ଜୟ କଲି।” ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।
9 ଲେୟା ଦେଖିଲେ ସେ ଆଉ ପିଲା ଜନ୍ମ କରି ପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବଙ୍କୁ ଦେଲେ। 10 ଏହା ପରେ ସିଳ୍ପା ଏକ ପିଲା ଜନ୍ମ କଲା। 11 ଲେୟା କହିଲେ, “ମୁଁ ଭାଗ୍ୟବତୀ” ତେଣୁ ସେ ତା'ର ନାମ ଦେଲା ଗାଦ୍। 12 ଲେୟାର ଦାସୀ ସିଳ୍ପା ଦ୍ୱିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା। 13 ଲେୟା କହିଲେ, “ମୁଁ ବହୁତ ଖୁସୀ! ଯୁବତୀଗଣ ମୋତେ ଆନନ୍ଦିନି ବୋଲିବେ।” ଏଣୁ ସେ ତା'ର ନାମ ଆଶେର ଦେଲେ।
14 ଅନନ୍ତର ଗହମ କଟା ସମୟରେ ରୁବେନ୍ ବାହାରକୁ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣାମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲେ, “ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”
15 ଲେୟା ଉତ୍ତର ଦେଲେ, “ତୁମ୍ଭେ ମୋ’ ସ୍ୱାମୀକୁ ହରଣ କରିଛ ତୁମ୍ଭେ ମୋର ପୁତ୍ରର ଦୂଦାଫଳ ହରଣ କରିବାକୁ ଚେଷ୍ଟା କରୁଛ।”
କିନ୍ତୁ ରାହେଲ କହିଲେ, “ଯଦି ତୁମ୍ଭେ ମୋତେ ତୁମ୍ଭ ପୁତ୍ରର ଦୂଦାଫଳ ଦିଅ ତେବେ ତୁମ୍ଭେ ଆଜି ରାତ୍ରିରେ ଯାକୁବ ସହିତ ଶୟନ କରି ପାରିବ।”
16 ସେହିଦିନ ସନ୍ଧ୍ୟାରେ ଯାକୁବ କ୍ଷେତରୁ ଫେରିବା ପରେ ଲେୟା ତାଙ୍କୁ ସାକ୍ଷାତ କରିବା ପାଇଁ ବାହାରକୁ ଗଲେ ଏବଂ କହିଲେ, “ତୁମ୍ଭେ ଆଜି ରାତିରେ ମୋ’ ପାଖରେ ଶୟନ କରିବ। କାରଣ ମୁଁ ଦୂଦାଫଳ ଦେଇ ତା'ର ବଦଳରେ ତୁମ୍ଭକୁ ପାଇଛି।” ତେଣୁ ସେହି ରାତ୍ରି ସେ ତା’ ସହିତ ଶୋଇଲେ।
17 ଏହା ପରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲେ। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦେଲେ। 18 ଲେୟା କହିଲେ, “ମୁଁ ସ୍ୱାମୀ ପାଇଁ ଆପଣା ଦାସୀକୁ ଦେଇଥିଲି, ପରମେଶ୍ୱର ତାହାର ବର୍ତ୍ତନ ମୋତେ ଦେଇଛନ୍ତି।” ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲେ।
19 ଲେୟା ପୁନରାୟ ଗର୍ଭବତୀ ହୋଇ ଷଷ୍ଠ ସନ୍ତାନକୁ ଜନ୍ମ ଦେଲେ। 20 ଲେୟା କହିଲେ, “ପରମେଶ୍ୱର ମୋତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମୋତେ ସମାଦର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦେଇଅଛି।” ତେଣୁ ଲେୟା ତାହାର ନାମ ସବୂଲୂନ୍ ଦେଲେ।
21 ଏହା ପରେ ଲେୟା ଏକ କନ୍ୟା ସନ୍ତାନ ଜନ୍ମ କଲେ। ସେ ତା'ର ନାମ ଦେଲେ ଦୀଣା।
22 ଏହା ପରେ ପରମେଶ୍ୱର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ୱର ରାହେଲକୁ ମାତୃତ୍ୱ ଦେଲେ। 23 ରାହେଲ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ରାହେଲ କହିଲେ, “ପରମେଶ୍ୱର ମୋର ଲଜ୍ଜା ନେଇ ଯାଇଛନ୍ତି। 24 ସେ ମଧ୍ୟ କହିଲେ, ପରମେଶ୍ୱର ମୋତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ।” ସେଥିପାଇଁ ରାହେଲ ତା'ର ନାମ ଯୋଷେଫ ରଖିଲେ।
ଆମକୁ ଭବିଷ୍ୟତରେ ମହିମା ମିଳିବ
18 ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ୟତରେ ମିଳିବ ତା ତୁଳନାରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ। 19 ପରମେଶ୍ୱର ଯାହାକିଛି ସୃଷ୍ଟି କରିଛନ୍ତି, ସେହିସବୁ ବଡ଼ ଆଶାରେ ସେହି ସମୟକୁ ଅପେକ୍ଷା କରିଚନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଗ୍ଭହିଁ ରହିଛି। 20 ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା: 21 ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ।
22 ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି। 23 କେବଳ ଜଗତ ନୁହେଁ, ଆମ୍ଭେ ମଧ୍ୟ ସେହିପରି ବେଦନାପୂର୍ବକ ଅପେକ୍ଷାରେ ଅଛୁ। ପରମେଶ୍ୱରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ୱରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥିପାଇଁ ଆମ୍ଭେ ଅପେକ୍ଷା କରିଛୁ ଯେ, ପରମେଶ୍ୱର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭେମାନେ ଶରୀରଗୁଡ଼ିକ ମୁକ୍ତି ପାଇଁ ଅପେକ୍ଷା କରିଛୁ। 24 ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା'ହେଲେ ତାହା ପ୍ରକୃତରେ ଭରସା ନୁହେଁ। ମଣିଷ, ଯାହା ତା’ ପାଖରେ ଏବେ ଅଛି, ସେ ଗୁଡ଼ିକ ପାଇଁ ଭରସା କରେ ନାହିଁ। 25 କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ।
26 ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି। କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣନା କରା ଯାଇ ପାରିବ ନାହିଁ। 27 ଲୋକମାନଙ୍କର ହୃଦୟରେ କ’ଣ ଅଛି ପରମେଶ୍ୱର ତାହା ଦେଖି ପାରନ୍ତି। ପରମେଶ୍ୱର ଆତ୍ମାର ମନରେ କ’ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଜେପରି ଇଚ୍ଛା କରନ୍ତି, ସେହିଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।
28 ଆମ୍ଭେ ଜାଣୁ ଯେ, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ପାଇଁ ପରମେଶ୍ୱର ପ୍ରତେକ ବିଷୟରେ ମଙ୍ଗଳ ଜନ୍ମାନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହା ହିଁ ତାହାଙ୍କର ଯୋଜନା ଥିଲା। 29 ପରମେଶ୍ୱର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ୱର ନିର୍ଣୟ କରିଥିଲେ ଯେ ସେହି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା'ହେଲେ ଯୀଶୁ ଅନେକ ଭାଇ ଭଉଣୀ ମାନଙ୍କ ଭିତରେ ପ୍ରଥମଜାତ[a] ବୋଲି ଧରା ହେବେ। 30 ପରମେଶ୍ୱରଙ୍କ ଯୋଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ।
2010 by World Bible Translation Center