Revised Common Lectionary (Semicontinuous)
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
ଜଣେ ଶକ୍ତିଶାଳୀ ସୈନିକ କେବଳ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।
ଦଶ ଆଜ୍ଞା
20 ଏହା ପରେ ପରମେଶ୍ୱର କହିଲେ,
2 “ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ।
3 “ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ।
4 “ତୁମ୍ଭେମାନେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ୱର୍ଗରେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ। 5 କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି। 6 କିନ୍ତୁ ମୁଁ ସେହି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମୋର ନିୟମ ପାଳନ କରନ୍ତି ଓ ମୋତେ ପ୍ରେମ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।
7 “ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, କାରଣ ଯେକେହି ତାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।
8 “ବିଶ୍ରାମ ଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର। 9 ଛଅ ଦିନରେ ଆପଣାର ସମସ୍ତ କର୍ମ କରିବ। 10 ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ୟା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ। 11 ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟିକୁ ଏକ ସ୍ୱତନ୍ତ୍ର ଦିନ କଲେ।
12 “ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।
13 “ତୁମ୍ଭେ ନରହତ୍ୟା କରିବ ନାହିଁ।
14 “ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ।
15 “ତୁମ୍ଭେ ଗ୍ଭେରି କରିବ ନାହିଁ।
16 “ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
17 “ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ, ଦାସୀ କି ତା'ର ଗୋରୁ କି ଗଧ କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।”
ଲୋକମାନେ ପରମେଶ୍ୱରଙ୍କୁ ଭୟ କଲେ
18 ସେତେବେଳେ ସମସ୍ତ ଲୋକ ମେଘ ଗର୍ଜନ ଓ ବିଜୁଳି ଓ ତୂରୀ ଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ। 19 ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭେମାନେ ଶୁଣିବୁ, ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲେ ଆମ୍ଭେମାନେ ମରିଯିବୁ।”
20 ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେମନ୍ତ ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।”
21 ଲୋକମାନେ ସେତେବେଳେ ସେହି ପବିତ୍ର ପର୍ବତଠାରୁ ଦୂରରେ ରହିଲେ, ଯେତେବେଳେ ମୋଶା ସେହି ପର୍ବତ ଉପରକୁ, ଘନ ମେଘ ମଧ୍ୟକୁ ପରମେଶ୍ୱରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।
ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି
(ଲୂକ 6:20-23)
5 ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। 2 ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,
3 “ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
4 ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
5 ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
କାରଣ ଏ ପୃଥିବୀ ସେହିମାନଙ୍କର ହେବ।
6 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
7 ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
8 ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
9 ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
11 “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। 12 ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟଦ୍ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।
2010 by World Bible Translation Center