Revised Common Lectionary (Semicontinuous)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
8 ଏହା ପରେ ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ, 9 “ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି। 10 ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା। 11 ଏହା ଆମ୍ଭର ତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ୟାରେ ଧ୍ୱଂସ ପାଇଥିଲା। କିନ୍ତୁ ଏପରି ପ୍ରଳୟ ଆଉ ପୁନରାୟ ହେବ ନାହିଁ। ଏହରି ବନ୍ୟା ଦ୍ୱାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହେବ ନାହିଁ।”
12 ଏବଂ ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦେବି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚିହ୍ନ ତୁମ୍ଭକୁ ଦେଖାଇବ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିୟମ କରିଅଛି। ଏହି ନିୟମ ସବୁଦିନ ପାଇଁ ସ୍ଥାୟୀ ହେବ। ଏହା ହିଁ ତୋରଣ ପ୍ରମାଣ। 13 ମୁଁ ମୋହର ମେଘଧନୁ ମେଘରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମୋର ଚୁକ୍ତିର ଚିହ୍ନ ହେବ। 14 ଯେତେବେଳେ ମୁଁ ପୃଥିବୀ ଉପରେ ମେଘ ସଞ୍ଚାର କରିବି, ସେତେବେଳେ ସେହି ମେଘଧନୁ ମେଘରେ ଦେଖାଯିବ। 15 ମୁଁ ଯେତେବେଳେ ମେଘଧନୁକୁ ଦେଖେ ସେତେବେଳେ ମୁଁ ତୁମ୍ଭ ସହିତ ଓ ଅନ୍ୟାନ୍ୟ ସଜୀବ ପ୍ରାଣୀମାନଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇବି। ସେହି ଚୁକ୍ତି କହେ ଯେ, ଭବିଷ୍ୟତରେ ଏପରି ବନ୍ୟାରେ ସମସ୍ତେ ବିନାଶ ହେବେ ନାହିଁ। 16 ପୁଣି ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ମୁଁ ସ୍ମରଣ କରିବି।”
17 ତେଣୁ ସଦାପ୍ରଭୁ ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ମେଘଧନୁ ଏହି ଚିହ୍ନ ହେବ।”
ଜାହାଜ ନଷ୍ଟ ହୋଇଗଲା
39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା'ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।
42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ।
2010 by World Bible Translation Center