Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।
ଉପକ୍ରମ
1 1-3 ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀନ୍ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା।
8 “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ନିଜର ମୁଖ ଖୋଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।”
9 ତା'ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା। 10 ଆଉ ମୁଁ ସେହି ଗୁଡ଼ା ହୋଇଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲେଖା ହୋଇଥିବାର ଦେଖିଲି। ଆଉ ସେଥିରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।
3 ଅନନ୍ତର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ସମ୍ମୁଖରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇସ୍ରାଏଲ ବଂଶକୁ ଯାଇ ଏସବୁ କଥା କୁହ।”
2 ତେଣୁ ମୁଁ ମୁଖ ଖୋଲିଲି ଓ ସେ ସେହି ନଳାକାର ପୁସ୍ତକ ମୋତେ ଭୋଜନ କରାଇଲେ। 3 ତା'ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦରରେ ପୂରାଅ।”
ତେଣୁ ମୁଁ ସେହି ନଳାକାର ପୁସ୍ତକଟିକୁ ଖାଇଦେଲି ଓ ଏହା ମହୁପରି ମିଠା ଲାଗିଲା।
ସ୍ୱର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ
10 ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। 2 ସେହି ଦୂତଙ୍କ ହାତରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। 3 ସେ ସିଂହ ଗର୍ଜନ ପରି ଜୋର୍ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତ ବଜ୍ର ତାହାର ଉତ୍ତର ଦେଲେ।
4 ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହେଲି। ସେତେବେଳେ ମୋତେ ଆକାଶବାଣୀ ଶୁଭିଲା, “ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସେଗୁଡ଼ିକ ଗୁପ୍ତ ରଖ।”
5 ତା'ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ। 6 ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ। 7 କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟଦ୍ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।”
8 ତା'ପରେ ମୁଁ ସେହି ସ୍ୱର ସ୍ୱର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ୱର ମୋତେ କହିଲା, “ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ଚର୍ମପତ୍ରଟି ନିଅ।”
9 ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।” 10 ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା। 11 ତା'ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟଦ୍ବାଣୀ କହିବାକୁ ପଡ଼ିବ।”
2010 by World Bible Translation Center