Revised Common Lectionary (Semicontinuous)
17 ତଥାପି ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ଗ୍ଭଲିଲେ।
ସେମାନେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ବିଦ୍ରୋହାଚରଣ କଲେ।
18 ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ।
ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ,
ଯାହା ସେମାନେ ଇଚ୍ଛା କରିଥିଲେ।
19 ସେମାନେ ପରମେଶ୍ୱରଙ୍କୁ ଅଭିଯୋଗ କଲେ ଏବଂ କହିଲେ,
“କ’ଣ ପରମେଶ୍ୱର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦେଇ ପାରିବେ?
20 ଏହା ସତ୍ୟ ଯେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା,
ସେ ମଧ୍ୟ କ’ଣ ଆମ୍ଭକୁ ରୋଟୀ ଦେଇ ପାରିବେ? ସେ କ’ଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦେଇ ପାରିବେ?”
52 ସେ ମେଷପାଳକ ପରି ତାଙ୍କର ଲୋକମାନଙ୍କର ନେତୃତ୍ୱ ନେଲେ।
ସେ ସେମାନଙ୍କୁ ମେଷତୁଲ୍ୟ ମରୁଭୂମି ମଧ୍ୟରେ ପଥ କଢ଼ାଇ ନେଲେ।
53 ପରମେଶ୍ୱର ନିଜ ଲୋକମାନଙ୍କୁ ନିରାପଦରେ ଚଲାଇଲେ।
ତେଣୁ ସେମାନେ ଭୟଭୀତ ହେଲେ ନାହିଁ।
କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ୱର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
54 ପରମେଶ୍ୱର ସେମାନଙ୍କୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ୟ ଦେଶକୁ ଆଣିଲେ,
ଯାହା ସେ ତାଙ୍କ ଶକ୍ତିବଳରେ ନେଇଥିଲେ।
55 ପରମେଶ୍ୱର ଅନ୍ୟ ଜାତିମାନଙ୍କୁ ସେହି ଭୂମିରୁ ବିତାଡ଼ିତ କଲେ।
ପରମେଶ୍ୱର ସେହି ଭୂମିରୁ ପ୍ରତ୍ୟେକଙ୍କୁ ତାଙ୍କର ଅଂଶ ଦେଲେ।
ସେ ଇସ୍ରାଏଲର ପରିବାରବର୍ଗକୁ ସେମାନଙ୍କ ତମ୍ବୁରେ ରହିବାକୁ ଦେଲେ।
9 ସେଠାରେ ଏଲିୟ ଏକ ଗହ୍ୱରରେ ରାତ୍ରି ଯାପନ କଲେ।
ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”
10 ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।”
11 ତା'ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। 12 ଭୂମିକମ୍ପ ପରେ ସେଠାରେ ଅଗ୍ନି ବ୍ୟାପିଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।
13 ଯେତେବେଳେ ଏଲିୟ ସେହି ରବ ଶୁଣିଲେ, ସେ ନିଜ ବସ୍ତ୍ରରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ୱରର ପ୍ରବେଶ ପଥ ନିକଟରେ ଯାଇ ଛିଡ଼ା ହେଲେ। ସେହି ସ୍ୱର କହିଲା, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”
14 ଏଲିୟ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ଦେଇ ତୁମ୍ଭକୁ ସେବା କଲି ମାତ୍ର ଇସ୍ରାଏଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିୟମ ଥିଲା ତାକୁ ଭଙ୍ଗ କଲେ। ସେମାନେ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ସେମାନେ ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ୟଦ୍ବକ୍ତା ଯିଏ କି ଏ ପର୍ଯ୍ୟନ୍ତ ବଞ୍ଚିଛି। ବର୍ତ୍ତମାନ ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।”
15 ତହୁଁ ସଦାପ୍ରଭୁ କହିଲେ, “ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ଯାଇଥିବା ପଥରେ ଫେରିଯାଅ। ଦମ୍ମେଶକକୁ ଯାଅ ଓ ସେଠାରେ ହସାୟେଲକୁ ଅରାମର ସିଂହାସନରେ ଅଭିଷିକ୍ତ କର। 16 ଆଉ ନିମ୍ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେଲ୍ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟଦ୍ବକ୍ତା ରୂପେ ଅଭିଷେକ କର। 17 ତହିଁରେ ଯେଉଁ ଲୋକ ହସାୟେଲର ଖଡ଼୍ଗରୁ ବଞ୍ଚିବ ଯେହୂ ତାକୁ ବଧ କରିବ ଓ ଯେ ଯେହୂର ଖଡ଼୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ। 18 ମୁଁ ଇସ୍ରାଏଲରେ 7,000 ଜଣଙ୍କୁ ଛାଡ଼ି ଦେବି, ଯେଉଁମାନେ କେବେ ବାଲ୍ଦେବତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସେମାନେ କେବେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।”
ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଭୁଲି ନାହାନ୍ତିଁ
11 ତା'ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ। 2 ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ? 3 ଏଲିୟ କହିଥିଲେ: “ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦୀ ସବୁ ଭାଙ୍ଗିଛନ୍ତି। କେବଳ ମୁଁ ଜଣେ ଭବିଷ୍ୟଦ୍ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି।”(A) 4 କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ’ଣ ଥିଲା? “ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।”(B)
5 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି। 6 ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା'ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା’ନ୍ତା ତେବେ ଅନୁଗ୍ରହର କ’ଣ ବା ଅର୍ଥ ହେବ? ତା'ହେଲେ କ’ଣ ହେଲା?
2010 by World Bible Translation Center