Revised Common Lectionary (Semicontinuous)
104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
2 ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
3 ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
4 ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି[a] ସଦୃଶ କର।
5 ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
ଯେ ତାହା ମୂଳରୁ କେବେ ଧକ୍କା ହେବ ନାହିଁ।
6 ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
7 କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
8 ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
ଏବଂ ତା'ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
9 ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।
10 ପରମେଶ୍ୱର, ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ
ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
16 ଲିବାନୋନ୍ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
ଶୈଳସବୁ ଶାଫନର[b] ଆଶ୍ରୟ।
19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
ସତେ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା'ର କାମକୁ ବାହାରେ
ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
ତହିଁରେ ଖେଳିବା ପାଇଁ
ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
7-8 “କୌଣସି ରମଣୀ ଗର୍ଭବେଦନା ପାଇଲା ପରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବେଦନା ପୂର୍ବେ ସେ ପ୍ରସବ କଲା। ଏ ପ୍ରକାର କିଏ ଶୁଣି ଅଛି? ଏ ପ୍ରକାର କିଏ ଦେଖିଅଛି? ଏକ ଦିନରେ କ’ଣ କୌଣସି ଦେଶ ଜନ୍ମ ନେବ? କୌଣସି ଗୋଷ୍ଠୀକୁ କ’ଣ ଲୋକେ ଏକା ବେଳେକେ ଜନ୍ମ ଦେବେ? ସିୟୋନ ଗର୍ଭବେଦନା ପାଇଲାମାତ୍ରେ ସେ ତା'ର ସନ୍ତାନଗଣଙ୍କୁ ପ୍ରସବ କଲା। 9 ସଦାପ୍ରଭୁ କୁହନ୍ତି, ଆମ୍ଭେ କ’ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ?”
ପୁଣି ତୁମ୍ଭର ପରମେଶ୍ୱର କୁହନ୍ତି, “ଆମ୍ଭେ ପ୍ରସବ କରାଉଥିବା ବ୍ୟକ୍ତି, କ’ଣ ଗର୍ଭରୋଧ କରି ପାରିବା?”
10 ଯିରୁଶାଲମକୁ ପ୍ରେମ କରୁଥିବା ତୁମ୍ଭେମାନେ ସମସ୍ତେ ତା’ ସହିତ ଆନନ୍ଦ କର ଓ ତା’ ପାଇଁ ଉଲ୍ଲସିତ ହୁଅ।
ପୁଣି ତା’ ପାଇଁ ଶୋକ କରୁଥିବା ତୁମ୍ଭେମାନେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।
11 ତହିଁରେ ତୁମ୍ଭେମାନେ ତାହାର
ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ;
ତୁମ୍ଭେମାନେ ତା'ର “ଦୁଗ୍ଧ” ଦୋହନ କରି
ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।
12 ସଦାପ୍ରଭୁ ଏହା କହନ୍ତି,
“ଏହା ଶାନ୍ତି ରୂପେ ତା'ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ।
ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ,
ତୁମ୍ଭେ ସେବକ ହେବ ଏବଂ ଗୋଟିଏ ଅଣ୍ଟାରେ ବହନ ହେବ।
13 ମା’ ଯେପରି ତା'ର ସନ୍ତାନକୁ ସାନ୍ତ୍ୱନା ଦିଏ, ଆମ୍ଭେ ସେହିପରି ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବା
ଓ ତୁମ୍ଭେମାନେ ଯିରୁଶାଲମରେ ସାନ୍ତ୍ୱନା ଲାଭ କରିବ।”
ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦେବା
22 ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ। 23 କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। 24 ପକ୍ଷୀଗୁଡ଼ିକୁ ଦେଖ। ସେମାନେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ୱର ସେମାନଙ୍କୁ ଖାଇବାକୁ ଦେଇଥା’ନ୍ତି। ତୁମ୍ଭେମାନେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍। 25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? 26 ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ?
27 “ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ। 28 ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା'ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ?
29 “ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ। 30 ଏ ପୃଥିବୀରେ ସମସ୍ତେ ସେଗୁଡ଼ିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସେଗୁଡ଼ିକ ଦରକାର। 31 ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଗ୍ଭହିଁବା ଉଚିତ୍, ତାହା ହେଉଛି ସ୍ୱର୍ଗରାଜ୍ୟ। ତାହାହେଲେ ତୁମ୍ଭେମାନେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯିବ।
2010 by World Bible Translation Center