Revised Common Lectionary (Semicontinuous)
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
34 “ତା'ପରେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣ ଦେଶରେ ରହିବ, ତା'ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପଭୋଗ କରିବ। 35 ବ୍ୟବସ୍ଥା ଅନୁସାରେ ଭୂମି ପ୍ରତି ସାତ ବର୍ଷରେ ଆପଣା ବିଶ୍ରାମ ଏକ ବର୍ଷ ନେବ। ତୁମ୍ଭେ ବାସ କରୁଥିଲାବେଳେ ଯେଉଁ ବିଶ୍ରାମ ପାଇ ନ ଥିଲ। ସ୍ଥାନ ଶୂନ୍ୟ ଥିଲାବେଳେ ସେ ବିଶ୍ରାମ ଗ୍ରହଣ କରିବ। 36 ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ ସେମାନେ ଶତ୍ରୁମାନଙ୍କ ଦେଶରେ ସାହସିକତା ହରାଇବେ। ସେମାନେ ପତ୍ରଝଡ଼ାର ଶବ୍ଦ ଶୁଣିଲେ ମଧ୍ୟ ଦୌଡ଼ି ପଳାଇବେ। ପୁଣି ଖଡ଼୍ଗଧାରରୁ ପଲାଇଲା ଲୋକପରି ସେମାନେ ଦୌଡ଼ିବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ। 37 ପୁଣି କେହି ନ ଗୋଡ଼ାଇଲେ ହେଁ ଖଡ଼୍ଗ ସମ୍ମୁଖରେ, ସେପରି ଏକ ଅନ୍ୟ ଉପରେ ଝୁଣ୍ଟି ପଡ଼ିବେ।
“ଆଉ ଶତ୍ରୁଗଣର ସମ୍ମୁଖରେ ଛିଡ଼ା ହେବାକୁ ତୁମ୍ଭମାନଙ୍କର ବଳ ପାଇବ ନହିଁ।
38 ତୁମ୍ଭେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କର ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ। 39 ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଦୁଃଖ ଭୋଗିବେ ଏବଂ ଶତ୍ରୁର ଦେଶରୁ ଉଚ୍ଛେଦ ହେବେ ନିଜ ଅପରାଧ ଯୋଗୁଁ ଓ ଆପଣା ପୂର୍ବପୁରୁଷମାନଙ୍କର ଅପରାଧ ହେତୁ ସେମାନେ କଷ୍ଟ ଭୋଗ କରିବେ ନାହିଁ।
ଚିରକାଳ ଆଶା
40 “ମାତ୍ର ଲୋକମାନେ ସେମାନଙ୍କର ପାପ ସ୍ୱୀକାର କରି ପାରନ୍ତି ଓ ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ଅପରାଧ ସ୍ୱୀକାର କରି ପାରନ୍ତି ଓ ସେମାନେ ଆମ୍ଭ ବିରୁଦ୍ଧରେ ପାପ କରିଛନ୍ତି ବୋଲି ସ୍ୱୀକାର କରି ପାରନ୍ତି। 41 ଆଉ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁ ଆମ୍ଭେ ମଧ୍ୟ ସେମାନଙ୍କର ପ୍ରତିକୂଳାଚରଣ କଲୁ। ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶରୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ। ତହିଁରେ ଯେବେ ସେମାନଙ୍କ ହୃଦୟ ନମ୍ର ହେବ ଓ ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ। 42 ତେବେ ଆମ୍ଭେ ଯାକୁବ ସହିତ, ଇସ୍ହାକ୍ ସହିତ, ଅବ୍ରହାମଙ୍କ ସହିତ ଆପଣା ନିୟମ ସ୍ମରଣ କରିବା ଓ ଆମ୍ଭେ ଦେଶକୁ ମଧ୍ୟ ସ୍ମରଣ କରିବା।
43 “ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅବର୍ତ୍ତମାନର ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ବିଧି ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବ୍ୟବସ୍ଥା ଘୃଣା କଲା। 44 ସେମାନେ ପ୍ରକୃତରେ ପାପୀ, ମାତ୍ର ଯଦି ସେମାନେ ସାହାଯ୍ୟ ନିମନ୍ତେ ଆମ୍ଭ ନିକଟକୁ ଆସନ୍ତି, ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ, ସେମାନେ ଶତ୍ରୁଗଣଙ୍କ ଦେଶରେ ଥିଲେ ମଧ୍ୟ ଆମ୍ଭେ ସେମାନଙ୍କ କଥା ଶୁଣିବା, ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ବିନାଶ କରିବା ନାହିଁ କି ସେମାନଙ୍କ ସହିତ ଆପଣା ନିୟମ ଭଙ୍ଗ ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ। କିମ୍ବା ସେମାନଙ୍କୁ ଘୃଣା କରିବା ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ। 45 ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷଙ୍କ ସହିତ କରିଥିବା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ଅଟୁ।”
46 ଏହିସବୁ ବ୍ୟବସ୍ଥା, ବିଧି ଓ ଶିକ୍ଷାମାନ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଦେଲେ। ଏହିସବୁ ବିଧି ଇସ୍ରାଏଲ ସନ୍ତାନଗଣ ଓ ସଦାପ୍ରଭୁଙ୍କ ମଧ୍ୟରେ ସ୍ଥାପିତ ହୋଇଥିଲା। ଆଉ ସଦାପ୍ରଭୁ ଏହି ସମସ୍ତ ବିଧି ମୋଶାଙ୍କୁ ସୀନୟ ପର୍ବତରେ ଦେଇଥିଲେ ଓ ମୋଶା ଇସ୍ରାଏଲର ଲୋକମାନଙ୍କୁ ତାହା ଦେଲେ।
ସମସ୍ତଙ୍କୁ ଭଲ ପାଅ
7 ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। 8 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।
9 ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10 ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା'ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।
12 ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ
ମୁଁ ତୁମ୍ଭମାନଙ୍କୁ ଲେଖୁଛି।
13 ପିତାମାନେ!
ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
14 ପିଲାମାନେ!
ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ପିତାମାନେ!
ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
ଯୁବକମାନେ!
ତୁମ୍ଭେମାନେ ବଳବାନ
ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି,
ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
15 ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। 16 ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। 17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ।
2010 by World Bible Translation Center