Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।
6 ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ରୁଗ୍ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
3 ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
4 ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
5 ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେଥିପାଇଁ ମୋତେ ରକ୍ଷା କର।
6 ହେ ସଦାପ୍ରଭୁ,
ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
7 ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
8 ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
9 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।
10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।
15 ଏହା ପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
16 ମାତ୍ର ଇଲୀଶାୟ କହିଲେ, “ମୁଁ ସଦାପ୍ରଭୁଙ୍କ ସେବା କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।”
ନାମାନ୍ ତାଙ୍କୁ ବହୁତ ଅନୁରୋଧ କଲେ ମଧ୍ୟ ସେ ମନା କରିଦେଲେ। 17 ଏଥିରେ ନାମାନ୍ କହିଲେ, “ଆପଣ ଏହା ଯଦି ସ୍ୱୀକାର ନ କରନ୍ତି, ତେବେ ମୁଁ ବିନୟ କରୁଛି, ମୋ’ ପାଇଁ ଏହା କରନ୍ତୁ। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ଯ୍ୟନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ବଳିଦାନ କି ହୋମବଳି ଉତ୍ସର୍ଗ କରିବ ନାହିଁ। 18 ଏହା ପାଇଁ ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି: ମୋର ପ୍ରଭୁ ରିମ୍ମୋଣ ମନ୍ଦିରରେ ପୂଜା କରିବା ପାଇଁ ଯିବା ବେଳେ ମୋ’ ଉପରେ ନତ ହେବେ, ତେଣୁ ମୁଁ ମଧ୍ୟ ରିମ୍ମୋଣ ମନ୍ଦିରରେ ପ୍ରଣାମ କରିବି, ଯେତେବେଳେ ସେ ପ୍ରଣାମ କରନ୍ତି। ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି ଯେତେବେଳେ ଏହା ଘଟେ।”
19 ତା'ପରେ ଇଲୀଶାୟ ନାମାନଙ୍କୁ କହିଲେ, “ଶାନ୍ତିରେ ଯାଅ।”
ତେଣୁ ନାମାନ୍ ଇଲୀଶାୟଙ୍କୁ ଛାଡ଼ି ଅଳ୍ପଦୂର ଗଲେ।
ପାଉଲଙ୍କର ଯାତ୍ରା ଯୋଜନା
21 ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାୟା ବାଟ ଦେଇ ଯିରୁଶାଲମ ଯିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, “ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବା କଥା।” 22 ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆରେ କଟାଇଲେ।
ଏଫିସରେ ଉପଦ୍ରବ
23 ସେସମୟରେ ‘ପରମେଶ୍ୱରଙ୍କ ପଥ’ ବିଷୟରେ ଗୋଟିଏ ବଡ଼ ଧରଣର ଆନ୍ଦୋଳନ ହେଲା। 24 ସେଠାରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦେବୀ ଆର୍ତ୍ତେମୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ଯ୍ୟ ଯୋଗଇ ଦେଉଥିଲା।
25 ସେ ସେମାନଙ୍କୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, “ହେ ଲୋକମାନେ, ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ। 26 ତୁମ୍ଭେମାନେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମତେଇ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି। 27 ଏହା ଦ୍ୱାରା କେବଳ ଆମ୍ଭ କାର୍ଯ୍ୟର କ୍ଷତି ଘଟିବ ନାହିଁ ମାତ୍ର ମହାଦେବୀ ଆର୍ତ୍ତେମୀର ମନ୍ଦିରର ମଧ୍ୟ କୌଣସି ଗୁରୁତ୍ୱ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ପୂଜା କରନ୍ତି, ତାହାର ମହିମା ମଧ୍ୟ ନଷ୍ଟ ହୋଇଯିବ।”
2010 by World Bible Translation Center