Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 83

ଆସଫର ଏକ ପ୍ରଶଂସା ଗୀତ।

83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
    ତୁମ୍ଭର କାନ ବନ୍ଦ କର ନାହିଁ!
    ହେ ପରମେଶ୍ୱର, ଦୟାକରି କିଛି କୁହ!
ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
    ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
    ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
    ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି।
    ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍
    ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ
    ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି।
    ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି। ସେଲା

ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
    ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
    ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର,
    ସେବହ ଓ ସ‌ଲ୍‌ମୁ‌ନ୍‌କୁ ପରାସ୍ତ କଲା ପରି ପରାସ୍ତ କର।
12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ
    ଆମ୍ଭକୁ ବାଧ୍ୟ କରିବେ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
    ଏବଂ ବାୟୁ ସମ୍ମୁଖରେ କୁଟାପରି ଛି‌ନ୍‌ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
    ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
    ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
    ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
    ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
    ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
    ସର୍ବୋପରିସ୍ଥ ପରମେଶ୍ୱର ଅଟ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 19:31-43

ଦାଉଦ ବର୍ସିଲ୍ଲୟଙ୍କୁ ନିଜ ସହିତ ଆସିବାକୁ କହିଲେ

31 ଗିଲିୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା। ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ସୁରକ୍ଷା ଦେବା ପାଇଁ ତାଙ୍କ ସଙ୍ଗେ ପାର ହୋଇଗଲା। 32 ବର୍ସିଲ୍ଲୟ ଜଣେ ଅତି ବୃଦ୍ଧ ଲୋକ ଥିଲା। ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା। ସେ ଅତି ବଡ଼ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାହାଙ୍କୁ ଖାଦ୍ୟ ସାମଗ୍ରୀ ସମସ୍ତ ଯୋଗାଉ ଥିଲା। 33 ଦାଉଦ ବର୍ସିଲ୍ଲୟକୁ କହିଲେ, “ତୁମ୍ଭେ ମୋ’ ସହିତ ନଦୀ ପାର ହୋଇ ଆସ। ମୁଁ ତୁମ୍ଭକୁ ଯିରୁଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”

34 କିନ୍ତୁ ବର୍ସିଲ୍ଲୟ ରାଜାଙ୍କୁ କହିଲେ, “ଆପଣ ଜାଣନ୍ତି ମୋର କେତେ ବୟସ? ଆପଣ କ’ଣ ଭାବୁଛନ୍ତି ମୁଁ ଆପଣଙ୍କ ସହିତ ଯିରୁଶାଲମକୁ ଯାଇପାରିବି? 35 ମୁଁ ଅଶୀ ବର୍ଷର ଜଣେ ବୃଦ୍ଧ। ମୁଁ ଭଲମନ୍ଦ ବାରିବା ପାଇଁ ବହୁତ ଦକ୍ଷ। ମୁଁ ଯାହା ଭୋଜନ କି ପାନକରେ କ’ଣ ତହିଁର ସ୍ୱାଦ ଭଲ ଭାବରେ ବାରିପାରେ? ମୁଁ ଗାୟକ କି ଗାୟୀକାମାନଙ୍କର ସ୍ୱର ବାରିପାରେ? ତେବେ କାହିଁକି ଆପଣଙ୍କ ଦାସ ମୋର ପ୍ରଭୁ ମହାରାଜାଙ୍କ ପ୍ରତି ଭାର ସ୍ୱରୂପ ହେବି? 36 ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜାଙ୍କ ସଙ୍ଗେ ଯିବ, ମୁଁ ଏତେଗୁଡ଼ିଏ ସାମଗ୍ରୀ ଦରକାର କରେ ନାହିଁ। ଯାହା ଆପଣ ମୋତେ ପୁରସ୍କୃତ କରିବା ପାଇଁ ଇଚ୍ଛା କରନ୍ତି। 37 ମୋତେ ଦୟାକରି ଅନୁମତି ଦିଅନ୍ତୁ ମୁଁ ଯେମନ୍ତ ନିଜ ନଗରରେ ମୋର ପିତା ଓ ମାତାଙ୍କ କବର ନିକଟରେ ମରିବି। ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦିଅନ୍ତୁ। ମାତ୍ର ଆପଣଙ୍କ ଦାସ କି‌ମ୍‌ହ‌‌ମ୍‌କୁ ଦେଖନ୍ତୁ, ସେ ମୋହର ସଦାପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ତା’ ପ୍ରତି କରନ୍ତୁ।”

38 ତା'ପରେ ରାଜା ଉତ୍ତର ଦେଲେ, “କି‌ମ୍‌ହମ୍ ମୋ’ ସଙ୍ଗେ ପାର ହୋଇଯିବ। ମୁଁ ତାକୁ ତୁମ୍ଭ ପାଇଁ ଦୟା ଦେଖାଇବି। ମୁଁ ତୁମ୍ଭ ପାଇଁ ସବୁକିଛି କରିବି।”

ଦାଉଦ ଗୃହକୁ ଫେରିଲେ

39 ରାଜା ବର୍ସିଲ୍ଲୟକୁ ଚୁମ୍ବନ ଦେଇ ବିଦାୟ ଦେଲେ ଓ ଆଶୀର୍ବାଦ କଲେ। ବର୍ସିଲ୍ଲୟ ଗୃହକୁ ଫେରିଗଲା ଓ ରାଜା ଓ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ।

40 ରାଜା ଯର୍ଦ୍ଦନ ପାର ହୋଇ ଗି‌ଲ୍‌ଗ‌ଲ୍‌କୁ ଗଲେ ଓ କି‌ମ୍‌ହମ୍ ତାଙ୍କ ସଙ୍ଗେ ପାର ହୋଇଗଲେ। ପୁଣି ଯିହୁଦାର ସମସ୍ତ ଲୋକ ମଧ୍ୟ ଇସ୍ରାଏଲର ଅର୍ଦ୍ଧେକ ଲୋକ ରାଜାଙ୍କୁ ଘେନି ଆସିଲେ।

ଇସ୍ରାଏଲୀୟମାନେ ଯିହୁଦାର ଲୋକମାନଙ୍କ ସହିତ ଯୁକ୍ତିତର୍କ କଲେ

41 ଏଥିରେ ଦେଖ ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭାତୃବର୍ଗ ଯିହୁଦା ଲୋକେ କି ହେତୁ ଆପଣଙ୍କୁ ଗ୍ଭେରି କରି ନେଲେ। ଆଉ ମହାରାଜାଙ୍କୁ ଓ ତାଙ୍କ ପରିଜନ ବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାହାଙ୍କ ସାଙ୍ଗରେ ଥିଲେ।”

42 ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର ଦେଲେ, “ରାଜା ଆମ୍ଭମାନଙ୍କ ବଂଶର ଅନ୍ତର୍ଭୁକ୍ତ ଅଟନ୍ତି। ତେବେ ତୁମ୍ଭେମାନେ କାହିଁକି କ୍ରୋଧ କରୁଅଛ? ଆମ୍ଭେମାନେ ରାଜାଙ୍କର ଖର୍ଚ୍ଚରେ କିଛି ଖାଇ ନାହୁଁ କିମ୍ବା ରାଜା ଆମ୍ଭକୁ ଭେଟି ଦେଇ ନାହାନ୍ତି?”

43 ଇସ୍ରାଏଲ ଲୋକମାନେ ଉତ୍ତର ଦେଇ କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି[a] ମଧ୍ୟ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକି ନେଇ ନାହିଁ ଓ କାହିଁକି ଆମ୍ଭମାନଙ୍କୁ ହେୟଜ୍ଞାନ କଲ?”

କିନ୍ତୁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଟାଣ ବାକ୍ୟ କହିଲେ। ଇସ୍ରାଏଲର ଲୋକମାନଙ୍କ ବାକ୍ୟଠାରୁ ଏମାନଙ୍କ ବାକ୍ୟ ଅଧିକ ଟାଣ ଥିଲା।

ଗାଲାତୀୟଙ୍କ ପ୍ରତି ପତ୍ର 3:10-14

10 କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: “ଯାହା ବ୍ୟବସ୍ଥା[a]ରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।”(A) 11 ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ପରମେଶ୍ୱରଙ୍କଠାରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କହେ: “ବିଶ୍ୱାସକୁ ଆଧାର କରି ଧାର୍ମିକ ବ୍ୟକ୍ତି ସଦାକାଳ ପାଇଁ ଜୀବିତ ରହିବ।”(B)

12 କିନ୍ତୁ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳରେ ଶାସ୍ତ୍ର କୁହେ: “ଯେଉଁ ଲୋକ ବ୍ୟବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସେଗୁଡ଼ିକ ମାଧ୍ୟମରେ ବଞ୍ଚିବ।”[b] 13 ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ,[c] ସେ ଲୋକଟି ଅଭିଶାପଗ୍ରସ୍ତ।”(C) 14 ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ୱାସ ଦ୍ୱାରା ଆମ୍ଭେ ସମସ୍ତେ ସେହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇ ପାରିବା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center