Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।
68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
2 ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
3 ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
4 ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
ତାଙ୍କ ଆଗରେ ଆନନ୍ଦିତ ହୁଅ।
5 ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
6 ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।
7 ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ। ସେଲା
8 ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
9 ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।
19 ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି। ସେଲା
20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।
16 “ମୁଁ କେବେ ଗରିବ ଲୋକକୁ ସାହାଯ୍ୟ କରିବାକୁ ମନା କରି ନାହିଁ।
ବିଧବାମାନଙ୍କୁ ସେମାନଙ୍କ ଦରକାର ମୁତାବକ ଦେଇଛି।
17 ମୁଁ କେବେ ଖାଦ୍ୟରେ କୃପଣ ନୁହେଁ।
ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ।
18 ଅନାଥ ପିଲାମାନଙ୍କର ସାରା ଜୀବନ ମୁଁ ପିତାଭଳି କାମ କରିଛି।
ସାରା ଜୀବନ ବିଧବାମାନଙ୍କ ଯତ୍ନ ନେଇଛି।
19 ଯେତେବେଳେ ବସ୍ତ୍ର ଅଭାବରେ କଷ୍ଟ ପାଉଥିବା ଲୋକମାନଙ୍କୁ,
ପୋଷାକ ନ ଥିବା ଦରିଦ୍ରମାନଙ୍କୁ ମୁଁ ଯେତେବେଳେ ଦେଖିଛି,
20 ମୁଁ ସବୁବେଳେ ସେମାନଙ୍କୁ ବସ୍ତ୍ର ଦେଇଛି
ଓ ମୋ’ ନିଜ ମେଣ୍ଢାର ପଶମ ଦେଇ ସେମାନଙ୍କୁ ଉଷ୍ଣତା ଦେଇଛି
ଏବଂ ସେମାନେ ମଧ୍ୟ ହୃଦୟଭଳି ମୋତେ ଆଶୀର୍ବାଦ କରିଛନ୍ତି।
21 ଅନାଥ ବାଳକକୁ ମୁଁ କେବେ ହାତ ଉଠାଏ ନାହିଁ
ବରଂ ମୋର ଫାଟକ ପାଖରେ ସାହାଯ୍ୟ କାମନା କରି ଛିଡ଼ା ହୋଇ ଥିବାର ମୁଁ ତାକୁ ଦେଖେ।
22 ମୁଁ ଯଦି କେବେ ତାହା କରିଥାଏ, ତେବେ ମୋର ବାହୁ ଖଞ୍ଜାରୁ ଭାଙ୍ଗିଯାଉ
ଓ ତାହା କାନ୍ଧ ଉପରୁ ପଡ଼ିଯାଉ।
23 କିନ୍ତୁ ସେହିସବୁ କଦର୍ଯ୍ୟ କାମ ଭିତରୁ କୌଣସି ମୁଁ କେବେ କରି ନାହିଁ।
ପରମେଶ୍ୱରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ।
ତାଙ୍କର ମହିମା ମୋତେ ଭୟଭୀତ କରେ।
ମରିଯାଇଥିବା ଝିଅକୁ ଜୀବନ ଦେବା ଓ ରୋଗୀ ସ୍ତ୍ରୀ ଲୋକକୁ ସୁସ୍ଥ କରିବା
(ମାଥିଉ 9:18-26; ମାର୍କ 5:21-43)
40 ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ। 41 ଯାଈରସ ନାମରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସେଠାକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡ଼ିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ। 42 ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ।
ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ। 43 ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା'ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ। 44 ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁଦେଲା। ତତ୍କ୍ଷଣାତ୍ ତା'ର ରକ୍ତସ୍ରାବ ବନ୍ଦ ହୋଇଗଲା। 45 ସେତେବେଳେ ଯୀଶୁ ପଗ୍ଭରିଲେ, “ମୋତେ କିଏ ଛୁଇଁଲା?”
ସବୁ ଲୋକ କହିଲେ ଯେ, ସେମାନେ ତାହାଙ୍କୁ ଛୁଇଁ ନାହାନ୍ତି। ତା'ପରେ ପିତର କହିଲେ, “ଗୁରୁ, ସବୁ ଲୋକତ ଆପଣଙ୍କ ଗ୍ଭରିପଟେ ଘେରି ରହିଛନ୍ତି ଏବଂ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି।”
46 କିନ୍ତୁ ଯୀଶୁ କହିଲେ, “ଜଣେ କେହି ମୋତେ ଛୁଇଁଛି। କାରଣ ମୋ'ଠାରୁ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।” 47 ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତତ୍କ୍ଷଣାତ୍ ସେ ସୁସ୍ଥ ହୋଇଗଲା। 48 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।”
49 ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, “ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅ ନାହିଁ।”
50 ଯୀଶୁ ଏ କଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, “ଭୟ କର ନାହିଁ। ବିଶ୍ୱାସ ରଖ, ତୁମ୍ଭ ଝିଅ ସୁସ୍ଥ ହୋଇଯିବ।”
51 ଯୀଶୁ ଘରକୁ ଆସିଲେ। ସେ କେବଳ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପା-ମାଙ୍କୁ ତାହାଙ୍କ ସହିତ ଭିତରକୁ ଯିବାକୁ ଦେଲେ। 52 ସମସ୍ତେ ସେହି ଝିଅଟିର ମୃତ୍ୟୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, “କାନ୍ଦ ନାହିଁ, ସେ ମରି ନାହିଁ, ସେ କେବଳ ଶୋଇଛି ମାତ୍ର।”
53 ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସେମାନେ ଜାଣିଥିଲେ ଯେ ଝିଅଟି ମରିଯାଇଛି। 54 କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, “ହେ ଝିଅ, ଉଠିପଡ଼।” 55 ସେହିକ୍ଷଣି ତା’ ଶରୀର ଭିତରକୁ ତା'ର ଆତ୍ମା ଫେରି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା। ଯୀଶୁ ଆଜ୍ଞା ଦେଲେ, “ତାକୁ କିଛି ଖାଇବାକୁ ଦିଅ।” 56 ତା’ ବାପାମା ବିସ୍ମିତ ହୋଇଗଲେ। ଯୀଶୁ ସେମାନଙ୍କୁ ଏ ଘଟଣା କାହାରି ଆଗରେ ନ କହିବାକୁ କହିଲେ।
2010 by World Bible Translation Center