Revised Common Lectionary (Semicontinuous)
114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
2 ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
3 ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
ଯର୍ଦ୍ଦନ ନଦୀ ଉଜାଣି ବହିଲା।
4 ପର୍ବତଗଣ ମେଷପରି ଡେଇଁଲେ।
ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।
5 ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
6 ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?
7 ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
ସମ୍ମୁଖରେ କମ୍ପିତ ହୁଅ।
8 ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
ଓ ପରମେଶ୍ୱର ଚକ୍ମକି ପଥରରୁ ନିର୍ଝର ବୁହାଇଲେ।
14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ଲୋକମାନଙ୍କୁ କୁହ, ସେମାନେ ପୀହହୀରୋତକୁ ଫେରି ଯାଆନ୍ତୁ ଏବଂ ସାମନାରେ ଛାଉଣି ପକାନ୍ତୁ। ସେମାନଙ୍କୁ କୁହ, ସେମାନେ ମିଗ୍ଦୋଲ ଓ ସମୁଦ୍ର ମଧ୍ୟରେ ଏବଂ ବାଲ୍ସଫୋନ୍ ଆଗରେ ଛାଉଣି ସ୍ଥାପନ କରନ୍ତୁ। 3 ତହିଁରେ ଫାରୋ ଭାବିବେ ଯେ, ଇସ୍ରାଏଲର ଲୋକମାନେ ମରୁଭୂମି ମଧ୍ୟରେ ବାଟବଣା ହୋଇଅଛନ୍ତି। 4 ମୁଁ ଫାରୋଙ୍କୁ ପୁଣି କଠୋର କରିବି ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ୟମାନଙ୍କୁ ପରାସ୍ତ କରିବି। ଏହା ମୋର ସମ୍ମାନ ବଢ଼ାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ।” ସେମାନେ ତାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।
ଫାରୋ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ
5 ମିଶରର ରାଜା ଖବର ପାଇଲେ ଯେ ଇସ୍ରାଏଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତେବେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମତି ପରିବର୍ତ୍ତନ କଲେ। ସେମାନେ କହିଲେ, “କାହିଁକି ଆମ୍ଭେମାନେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।”
6 ତେଣୁ ଫାରୋ ତାଙ୍କର ରଥ ଓ ଲୋକମାନଙ୍କୁ ସାଙ୍ଗରେ ନେଲେ। 7 ଫାରୋ ମିଶରର ଅନ୍ୟାନ୍ୟ ସୈନ୍ୟ ଓ ରଥ ସହିତ 600 ଜଣ ନିପୁଣ ସୈନ୍ୟ ଏବଂ ସେମାନଙ୍କର ରଥଗୁଡ଼ିକ ନେଲେ ଏବଂ ପ୍ରତ୍ୟେକ ରଥରେ ଜଣେ ଅଧିକାରୀ ରହିଲେ। 8 ଇସ୍ରାଏଲୀୟ ଲୋକମାନେ ବିଜୟୀ ଭାବରେ ବାସ କରୁଥିଲେ। କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ସେ ଇସ୍ରାଏଲୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।
9 ମିଶରୀୟମାନେ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ତାଙ୍କର ରଥାରୋହୀ ଏବଂ ତାଙ୍କର ସୈନ୍ୟ ସେମାନଙ୍କୁ ଗୋଡ଼ାଇଲେ ଏବଂ ସମୁଦ୍ର ପାଖରେ ବାଲ-ସଫୋନ ଆଡ଼କୁ ମୁଖ କରିଥିବା ପୀହହୀରୋତ ଛାଉଣି ନିକଟରେ ଭେଟିଲେ।
10 ଇସ୍ରାଏଲୀୟମାନେ ଦେଖିଲେ, ଫାରୋ ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ ଆଡ଼କୁ ଆସୁଛନ୍ତି। ସେମାନେ ତାଙ୍କୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେମାନେ ସଦାପ୍ରଭୁଙ୍କୁ ଡାକିଲେ। 11 ସେମାନେ ମୋଶାଙ୍କୁ କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ’ଣ ମରିବାକୁ ଆଣିଲ? ଆମ୍ଭେମାନେ ମିଶରରେ ଶାନ୍ତିରେ ମରି ପାରିଥା’ନ୍ତୁ। ଯେହେତୁ ମିଶରରେ ବହୁ ପରିମାଣର କବର ଅଛି। 12 ଆମ୍ଭେମାନେ କ’ଣ ମିଶରରେ କହି ନ ଥିଲୁ ଏହିପରି ଘଟିବ ବୋଲି? ମିଶରରେ ଆମ୍ଭେମାନେ ତୁମ୍ଭକୁ କହିଲୁ, ‘ଆମ୍ଭକୁ ବିବ୍ରତ କର ନାହିଁ। ଆମ୍ଭକୁ ଏହିଠାରେ ରହି ମିଶରୀୟମାନଙ୍କର ଦାସ ହେବାକୁ ଦିଅ।’ ମରୁଭୂମିରେ ମୃତ୍ୟୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହେବ।”
13 କିନ୍ତୁ ମୋଶା ସେମାନଙ୍କୁ କହିଲେ, “ଭୟ କର ନାହିଁ। ଦୌଡ଼ି ପଳାଇବାର ଆବଶ୍ୟକ ନାହିଁ। ଏହିଠାରେ ଧିରସ୍ଥିର ହୋଇ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭେମାନେ ମିଶରବାସୀମାନଙ୍କୁ ଆଉ ପୁନରାୟ ଦେଖିବ ନାହିଁ। 14 ଏବଂ ତୁମ୍ଭମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ତୁମ୍ଭେମାନେ ଏଠାରେ ଶାନ୍ତିରେ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”
15 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ମୋ’ ପାଖରେ କ୍ରନ୍ଦନ କରୁଛ? ଇସ୍ରାଏଲୀୟମାନଙ୍କୁ କୁହ ସେମାନେ ଆଗକୁ ମାଡ଼ି ଗ୍ଭଲନ୍ତୁ। 16 ତୁମ୍ଭର ଆଶାବାଡ଼ିକୁ ସୂଫସାଗର ଉପରେ ବୁଲାଅ, ତାହା ବିଭକ୍ତ ହେବ, ଯାହା ଫଳରେ ଇସ୍ରାଏଲର ଲୋକମାନେ ସମୁଦ୍ର ମଧ୍ୟରେ ଶୁଖିଲା ପଥରେ ଯାଇ ପାରିବେ। 17 ମୁଁ ମିଶରୀୟମାନଙ୍କୁ କଠିନ କରିବି, ଯେଉଁଥିରେ ସେମାନେ ତୁମ୍ଭମାନଙ୍କ ପଛରେ ଗୋଡ଼ାଇବେ। ମୁଁ ତୁମ୍ଭକୁ ଦେଖାଇବି, କିପରି ମୁଁ ଫାରୋ, ତାଙ୍କର ଅଶ୍ୱାରୋହୀ ସୈନ୍ୟ, ରଥାରୋହୀ ସୈନ୍ୟମାନଙ୍କଠାରୁ ଶକ୍ତିଶାଳୀ। 18 ଏହା ପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ୱର। ସେମାନେ ମୋତେ ସମ୍ମାନ କରିବେ ଯେତେବେଳେ ମୁଁ ଫାରୋ ଏବଂ ତା'ର ରଥାରୋହୀମାନଙ୍କୁ ଏବଂ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ପରାସ୍ତ କରିବି।”
9 “ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। 11 ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।
12 “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। 13 ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। 15 ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
2010 by World Bible Translation Center